ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ଆଜିକାଲି ଆଉ କିଏ କ’ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି । ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ ଲୁଚିଛି.. କାହାକୁ କହିବୁନି । ଯିଏ ଖୋଜିଆସି ପଚାରିଲେ,.. ପୁଅ କହିଲା ବାପା କହିଛନ୍ତି,-ସେ ଘରେ ଲୁଚିଛନ୍ତି କାହାକୁ କହିବୁନି କହିଛନ୍ତି । ମୁଁ ଆପଣଙ୍କୁ କେମିତି କହିଦେବି ? ବାପା ଦେଇଥିବା ଚକୋଲେଟ ଖାଇ, ସେ କଣ ମିଛ କହିପାରିଥାନ୍ତା , –ଆପଣ କହୁନାହାନ୍ତି!
ପିଲାଏ ଘରେ ପାଠ ନକରି ସ୍କୁଲକୁ ଆସିଲେ, ସାର ଯଦି କାହିଁ ପାଠ କରିନ ପଚାରନ୍ତି -ତେବେ ବାପା ରାଣ, ମା ରାଣ, ବିଦ୍ୟାରାଣ ପକେଇ ଯେଉଁ ସଫେଇ ଦିଅନ୍ତି,–ଆପଣ କଣ ତାକୁ ମିଛ କହିପାରିବେ? ନେତାଙ୍କ ପରି ବାରମ୍ବାର କଥା ନବଦଳେଇ ଆଜିକାଲି ପୁଅ -ଝିଅ ଏକାଧିକ ପ୍ରେମିକା ବା ପ୍ରେମିକଙ୍କୁ ଯେତେବେଳେ ପ୍ରମିଶକରି ସେଇ ଗୋଟିଏ କଥା ସମସ୍ତଙ୍କୁ କହନ୍ତି.. ଡାର୍ଲିଂ! ଅନ୍ଲି ଆଇ ଲଭ ଇଉ, ତେବେ ଆପଣ ତାକୁ ମିଛ କହିପାରିବେ କି ? ନା, ଏମାନେ କେହି ବି ମିଛୁଆ.. ମିଛେଇ ନୁହଁନ୍ତି । ଆଗରୁ ଗୋଟେ ରେକର୍ଡ ଗୀତ ବାଜୁଥିଲା.. “ସତ କହୁଛି ମୁଁ ତମ ଦେହ ଛୁଇଁ, ତମ ବିନା ମୋର କେହି ନାହିଁ.. । ଯେତେବେଳେ ଦେହ ଛୁଇଁ, ରାଣଖାଇ, ପ୍ରମିଶକରି କହୁଛନ୍ତି, ତେବେ କାହା ଜିଭରେ ହାଡ଼ ଅଛି ଯେ.. ତାହାକୁ ମିଛବୋଲି କହିବ ? ପିଲାଏ ପାଠ ପଢିବାକୁ ବାହାରକୁ ଯାଇ, ପାର୍କରେ ରୋମାନ୍ସ କଲେ କି ଫିଲ୍ମି ଦେଖିବାକୁ ଗଲାବେଳେ, ଯଦି ବାପା ମା କି ମାମ୍ମୀ ଡ୍ୟାଡି କିମ୍ୱା କୋଉ ଫ୍ରେଣ୍ଡ ଯଦି ଫୋନକରି କୋଉଠି ଅଛୁ ପଚାରନ୍ତି,-ତେବେ ଗଡ଼ ପ୍ରମିଶ.. ମୁଁ କଲେଜରେ କ୍ଲାସରେ ବିଜି ଅଛି ଯେବେ କୁହନ୍ତି, ତେବେ ସେମାନଙ୍କୁ ସନ୍ଦେହ କରିବା କି ମିଛୁଆ ଭାବିବା ମହାପାପ । ଯଦି ମିଛ କହୁଛୁ କହି ତର୍କ କରନ୍ତି, ଅବଶ୍ୟ ଆପଣ ମିଛୁଆ ବୋଲି ପ୍ରମାଣିତ ହେବେ l ସେମିତି କୋର୍ଟ କଚେରୀ ହେଉଛି ସତ୍ୟ, ନ୍ୟାୟ, ଧର୍ମର ବିଚାରାଳୟ l ଏଠାରେ କଣ କେହି ଗୀତା, କୋରାନ, ବାଇବେଲ ଛୁଇଁ ମିଛ କହିବା ସମ୍ଭବ ? ନା ଶପଥପାଠ କରି କାଗଜ ପତ୍ର ରେ ଯେଉଁ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଜାତି, ବୟସ ଇତ୍ୟାଦି ପ୍ରମାଣ ଦିଆଯାଏ..ତାକୁ ମିଛବୋଲି କୋଉ ସତିଆ ବୀର କହିପାରିବ ? ଏମିତିକି ଯେଉଁ ନେତାମାନେ ଆମକୁ ସର୍ବଦା ଭଲହେବାକୁ ଶିକ୍ଷାଳୟଠାରୁ ନିର୍ବାଚନୀ ସଭାଯାଏ ଉପଦେଶ ଦେଇ ପୂର୍ବଜଙ୍କ ଅଧୁରା ସପନକୁ ସଫଳପାଇଁ ବହୁତବର୍ଷଧରି ଖାଲି ଜନତାଙ୍କ ସେବା କରନ୍ତି, ସେମାନେ କଣ କେବେ ମିଛ କହି ପାରନ୍ତି? ମୋର ଏକଥା ବିଶ୍ୱାସ ହେଉନି । ହଁ, ଏବେ ମୋର ଏଇ ସତ୍ୟ କହୁଥିବା ପ୍ରସଙ୍ଗ ଉପରେ ଗୋଟେ କଥା ମନେପଡ଼ିଲା.. ଶୁଣି ବିଚାର କରନ୍ତୁ ।
ଆମ ଗାଁ ପାଖରେ ଗୋଟେ ଭଲ ଝିଅ l ତାକୁ କେହି କେହି ଫୁଲେଇ ରିଙ୍କି ଡାକନ୍ତି । ସେ ଢ଼ିଙ୍କିଶାଳରେ ବସି ଢେଙ୍କାନାଳରେ ଥିବା କଥା ଏତେ ସୁନ୍ଦର ଭାବରେ କହେ ଯେ.. ତାକୁ କେହିବି ମିଛ ଭାବିପାରିବେନି ।
ତା କଥାରେ ବାଟୁଳି ବାଜେନି । ଏଇ ଭଲଗୁଣ ସେ ମା ପେଟରୁ ଧରି ଜନ୍ମହୋଇଛି.. ଏ ବିଶ୍ୱାସ ତା ସାଙ୍ଗ ଜଲୀର ଅଛି l ସେଇ ଜଲୀ ତା ବିଷୟରେ ବେଶି ଜାଣିଛି । ଏମିତି ସତ କହିବା କୁଆଡେ ତାଙ୍କ ବଂଶର ଲକ୍ଷଣ । ରିଙ୍କି ବାପା ଅଷ୍ଟମ ଫେଲ ହୋଇଥିଲେ ବି ସହରରେ ଦରୁଆନ ଚାକିରୀ କଲେ କଣ ହେଲା,-ଗାଁ ରେ ଆସିଲେ ଅଫିସର ଅଛି କହି ଦରମା ଛ ‘ହଜାର ଡାହାଣରେ ମାତ୍ର ଗୋଟେ ଶୂନ ବସେଇ ଷାଠିଏ ହଜାରେ ଟଙ୍କା ପାଉଛନ୍ତି ବୋଲି କୁହନ୍ତି । ତା ‘ମା ବି କାହା ଭୋଜିକି ବାହାଘର ଆଦି ଜାଗାକୁ ଗଲେ, ଗୁଡ଼ାଏ ଇମିଟେସନ (ସୁନା ରଙ୍ଗଦିଆ )ଗହଣା ପିନ୍ଧି, କେହି ନପଚାରିଲେ ମଧ୍ୟ ତାଙ୍କ ପାଖରେ ଥିବା ସ୍ତ୍ରୀ ଲୋକଙ୍କୁ ଆଗୁଆ କହନ୍ତିଯେ.. ଏ ସବୁ ରିଙ୍କି ବାପା ତା ପାଇଁ ସହରିଆ ସୋ ରୁମରୁ ନାକ୍ଷେ ନାକ୍ଷେ ଟଙ୍କା ଦେଇ କିଣିଛନ୍ତି । ତାଙ୍କ ଘରେ ସମସ୍ତଙ୍କର ଭଲ ପରୋପକାରୀ ଗୁଣ ଅଛି.. ଇତ୍ୟାଦି । ଏମିତିରେ ରିଙ୍କି ଗାଁ ପାଖ ସ୍କୁଲରୁ ମୁଣ୍ଡାମୁଣ୍ଡି ନମ୍ବର ରଖି ମାଟ୍ରିକ ପାଶକରି କଲେଜରେ ନାଁ ଲେଖିବାକୁ ସିଟ ନପାଇ ଦୁଇ ବରଷ ରହିବାପରେ ବାପା ସାଥୀରେ ସହରକୁ ଚାଲିଗଲା । ତିନି ବରଷ ପରେ ଗାଁ କୁ ଯେମିତି ରୂପରେ ସଜେଇ ହୋଇ ଯୋଉ ରଙ୍ଗ ଢଙ୍ଗରେ କଥାବାର୍ତ୍ତା କଲା, ସମସ୍ତେ ତାଟକା ହୋଇ ଚାହିଁ ତା କଥା ଶୁଣୁଥିଲେ । ଛିଟ ଫ୍ରକ ଛାଡି ଚିପା ଜିନ ପ୍ୟାଣ୍ଟ, ସର୍ଟ ଟପ ପିନ୍ଧି, ଆଖିରେ ସନଗ୍ଲାସକୁ ଡାହାଣ ହାତରେ ବଡ଼ ଘଣ୍ଟା, ପାଦରେ ହାଇହିଲ ଜୋତା ସାଙ୍ଗକୁ ଲମ୍ବା ବେଣୀକି ପାର୍ଲରରେ କାଟି ଛୋଟ ଚୁଟି କରିଛି l ଓଠରେ ଗାଢ଼ ଲାଲ ଲିପିସ୍ଟି୍କ, ଦେହରୁ ଡିଓ ଅତର ମହକ ଆସୁଛି । କଥା କହିଲେ ଓଠକୁ ଦେଢ଼େଇ ଓ.. ହାଏ.. ବାଏ.. ଓକେ. ରିଅର୍ଲି.. ଆକଚୁଆଲି.. ବଟ.. ନଟ.. ସରି.. ଭେରୀ ସରି.. ଆଇ ଥିଙ୍କ.. ଓ ମାଇଁ ଗଡ଼.. ମମ.. ଡ୍ୟାଡ଼ ଇତ୍ୟାଦି ଅନେକ ଭାଷା ଖେଚୁଡ଼ିରେ ଗପୁଚି ।
ରିଙ୍କି ଦିନେ ଉପର ବେଳା ତା ମା ସହ ଗାଁ ବୁଲି ଯାଉ ଯାଉ ଦାଣ୍ଡ ପିଣ୍ଢାରେ ବସିଥିବା କେଇଜଣ ସ୍ତ୍ରୀ ଲୋକ ଭିତରୁ ଜେମା ମାଉସୀ ଡାକ ପକେଇଲେ… ଆଲୋ ରିଙ୍କି ବୋଉ ! କୁଆଡେ ଯାଉଛୁ ଇଆଡ଼େ ଟିକେ ଆସୁନୁ l ମା ଝିଅ ତାଙ୍କ ପାଖକୁ ଯାଉ ଯାଉ ଜଣେ ପଚାରିଲେ.. ଇଏ କାହା ପୁଅ କି? ରିଙ୍କି ମା ହସି ହସି କହିଲେ, ତେମେ କଣ ଚିହ୍ନି ପାରୁନା ମୋ ଝିଅ ରିଙ୍କି ? ସେ ପରା ସହରକୁ ଯାଇ ରାଇଜଯାକର ପାଠ ପଢି ବଡ଼ ଚାକିରୀକରି ନାକ୍ଷେ ଟଙ୍କା ପାଖାପାଖି ଦରମା ପାଇଲାଣି । ସହରରେ ସବୁଲୋକ ତାକୁ ଜାଣନ୍ତି, ନମସ୍କାର ପକାନ୍ତି, ଆଉ କଣ ଗୋଟେ କି ନାଁ ରେ ଡାକନ୍ତି… ହେ ଝୁଅ , କହିଦେବୁଟି..! ରିଙ୍କି କହିଲା.. ମ୍ୟାଡମ ବୋଲି ଡାକନ୍ତି l ମୋ ଫ୍ରଣ୍ଡମନେବି ମ୍ୟାମ ଡାକୁଛନ୍ତି l ଏତିକି ବେଳକୁ ରିଙ୍କି ମା ଥିଲା ଥିଲା.. ଗୋଟେ ଟାଣକରି ଛିଙ୍କିଦେଲା । ହଠାତ ସବୁ ମାଇପେ କହିଉଠିଲେ.. ହଁ ହଁ ସତ ସତ l ଦେଖୁନ, କେମିତି କହୁ କହୁ ଛିଙ୍କ ପଡିଲା । ସତକଥା କହିଲେ କୋଉଠି କେଜାଣି ଥାଏ ସେ ଛିଙ୍କ.. ଭୁସ କିନା ତ ପଡିବ.. ଉ ।
ସେଇ ବାଟଦେଇ ରିଙ୍କିର ପିଲାବେଳ ସାଙ୍ଗ ଜଲୀ ଯାଉଥିଲା । ଏତେଦିନେ ରିଙ୍କିକି ଦେଖି ଧାଇଁ ଆସି ଖୁସିରେ ତାକୁ କୁଣ୍ଢେଇବାକୁ ଯାଉଯାଉ ରିଙ୍କି ଦେହ ଗଲୁକଲା କି କରୋନା ବେମାରିଆ ସତେ ଯେମିତି ଛୁଇଁଲା ଭଳିଆ, ନାକକୁ ଟେକି ଦୂରକୁ ଘୁଞ୍ଚିଗଲା । ସାଙ୍ଗର ଏମିତି ବ୍ୟବହାର ଦେଖି ଜଲୀ ମନ ପୂରା ଶୁଖିଗଲା । ଏଇବେଳକୁ ଜେମା ମାଉସୀ କହିଲେ,.. ହାଇଲୋ ଜଲିଆ ! ତୁ ଗାଁରେ ବଇଥା । ତୋରି ସାଙ୍ଗର ହୋଇ ରିଙ୍କି ସହରକୁ ଯାଇ ରାଇଜଯାକର ପାଠ ପଢି ବଡ଼ ଚାକିରୀକରି ନାକ୍ଷେ ଟଙ୍କା ଦରମା ପାଇଲାଣି । ଆଉ ତୁ..? ଜଲୀର ମନଦୁଃଖ ହେଲାବେଳକୁ ମାଉସୀର ଏଇକଥା ଯେମିତି ତା ଦେହରେ ନିଆଁ ଖୁଣ୍ଟା ଗେଞ୍ଜିଦେଲା ପରି ଲାଗିଲା । ତା ପାଟିରୁ ବାହାରି ପଡିଲା.. କିଏ କହୁଛି ବା ? ସେ ଯୋଉ ସହରରେ ରହୁଛି, ମୋ ବଉଳ ପରା ତାକୁ ଦେଖିଛି, ତା ବାପା ଯୋଉ ମଅଲରେ ଦରୁଆନ ଚାକିରୀ କରୁଛନ୍ତି, ସେଇଠି ସିଏ ଗୋଟେ ଗାର୍ମେଣ୍ଟ ଦୋକାନରେ ଲୋକଙ୍କୁ ଡ୍ରେସ ବିକ୍ରିକରୁଛି l ହୁଁ, ଦରମା ଲାକ୍ଷେ ! ହେଇ ହେଇ ଟଙ୍କା ପାଞ୍ଚ କି ସାତ ହଜାରେ ପାଉଥବ କି ନା । ମୁଣ୍ଡାମୁଣ୍ଡି ମାଟ୍ରିକ ପଢି ତାକୁ ଏଡ଼େବଡ଼ ଚାକିରୀ କିଏ ଦଉଥିଲା ?
ଏତିକି ଶୁଣି ସବୁ ମାଇପେ ଜଲୀକି ଚୁପ କରେଇ କହିଲେ.. ହଇଲୋ ଜଲୀ ! ତୁ ଏଡ଼େ ହିଂସୀକୁଟିଆଣି.. ଏଡ଼େ ମିଛେଇ ! ଆମେ ସମସ୍ତେପରା ତା ଠାରୁ ଶୁଣୁଶୁଣୁ ଛିଙ୍କ ପଡିଲା l ସିଏ କିଆଁ ମିଛ କହିବ ??
Comments are closed.