Latest Odisha News

BREAKING NEWS

ଯୋଗାଡ଼ି ପାରିଲେ ହେଲା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’

ଅଖା ନାହିଁ କି ବିରି ନାହିଁ, ତଥାପି ତାଙ୍କ ଘରେ ଅଭାବ ନାହିଁ । କ’ଣ ବୁଝିପାରିଲେନି? ତେବେ ଶୁଣନ୍ତୁ । କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳ କରନ୍ତି ନାହିଁ ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି । ସେଇଠୁ ଚାଉଳ, ମୁଗ, ବିରି, ପରିବାପତ୍ର କିଣି, ସେଇଠି ପ୍ରାୟ ସେଇ ଦାମରେ ବିକି ସଞ୍ଜକୁ ସଉଦାପତ୍ର ଘରପାଇଁ ଆଣି ବେଶକିଛି ମୋଟାଟଙ୍କା ଖୋସଣିରେ ଖୋସି ଫେରନ୍ତି । ମୁଁ ସେତେବେଳେ ଏମନ୍ତ ରହସ୍ୟ ଭେଦ ନକରିପାରି ପଚାରିବାରୁ ସେମାନେ କହନ୍ତି,-“ଏଇଟା ବେପାରୀଙ୍କ କଳାକୌଶଳ.. ବୁଦ୍ଧିର ଖେଳ । ବାଃ! ଚମତ୍କାର କଥା । ଖରା ବରଷାରେ ଜମିରେ ଖଟି ଫସଲ ଅମଳକରିବା ଦର୍କାର ନାହିଁ। ଅଥଚ ଚାଷୀଙ୍କଠୁ ଏମାନେ ବେଶୀ ଫାଇଦା ପାଇଥାନ୍ତି ।

ସେମିତି ଫ୍ୟାକ୍ଟ୍ରି ମାଲିକ ଢ଼େରେଟଙ୍କା ବିନିଯୋଗ କରି କଳକାରଖାନା ବସାନ୍ତି । କଞ୍ଚାମାଲ ସଂଗ୍ରହକରନ୍ତି । କୁଶଳୀ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଦରମାଦେଇ ରଖନ୍ତି । ବେଶ ମୋଟାରକମର ଇଲେକ୍ଟ୍ରିବିଲ ପୈଠକରନ୍ତି । ଟ୍ୟାକ୍ସ ଠିକ ସମୟରେ ଦିଅନ୍ତି। ବହୁ ସରକାରୀ ଅଫିସକି ଧାଇଁ ମାଲ ଉତ୍ପାଦନ ଅନୁମତି ବା ଲାଇସେନ୍ସ ପ୍ରାପ୍ତ ହେଲାପରେ ଯେଉଁ ଜିନିଷ ବାହାରକରନ୍ତି, ସେତେବେଳେ ତା ମୂଲ୍ୟ ଯାହାଥାଏ, ସେଇ ଜିନିଷ ଖାଉଟି ପାଖରେ ପହଞ୍ଚିଲା ବେଳକୁ ତା’ ଦାମ କୋଉଠି ଚାରିଗୁଣା ତ କୋଉଠି ଆଠଗୁଣା ବି ହୋଇଯାଇଥାଏ। ଚତୁରିଆ ବୁଦ୍ଧିଆ ବେପାରୀ ସେତେ ରିକ୍ସ ନନେଇ ମଝିରେ ଏତେ ଲାଭ, ଖାଉଟିର ତଣ୍ଟିଚିପି ସାଉଁଟି ନିଅନ୍ତି ଯେ, ତାହା ସାଧାରଣଙ୍କ ବୁଦ୍ଧି ବିଦ୍ୟାର ଅଗୋଚର । ଖାଉଟି ଖାଲି ଜିନିଷର ଛପାମୂଲ୍ୟ ଦେଖି ଆଖିମୁଜି କିଣିନିଅନ୍ତି । ମଝିରେ କିଏ କେତେ ଶୋଷିଲା, କିଏ କାହାକୁ ପୋଷିଲା, ଜିନିଷ ଦେଶୀ ନା ବିଦେଶୀ.. ସେ କଥା ଭାବିବାକୁ ବେଳକାହିଁ ? ତେବେ ଏମାନଙ୍କୁ ଏମିତିରେ ଏତେ ଫାଇଦା ମିଳୁଥିବା ଦେଖି ବିଚରା ଚାଷୀ ଚାଷଛାଡି ଅଥବା ଫ୍ୟାକ୍ଟ୍ରିମାଲିକ ତାଲାମାରି ଏଇ ଦଲାଲଙ୍କ ବେପାରକୁ ଅଧିକ ମନ ବଳେଇଲେଣି ।

ଆଜ୍ଞା! ଏମିତି ବୁଦ୍ଧି କେବେଠୁ ସାହିତ୍ୟ କ୍ଷେତ୍ରକୁ ବି ସଂକ୍ରମିତ ହେଲାଣି । ଚତୁରିଆ ଦଲାଲ ଯେମିତି ବେପାରରେ ଟାକ୍ସ ଫାଙ୍କିବାକୁ, ସରକାରଙ୍କୁ ଠକିବାକୁ ଅନେକ ଫେକ ସଂସ୍ଥା, ଫେକ ଆକାଉଣ୍ଟ ଖୋଲି, ଫୋନରେ ସିମ ବଦଳେଇ ଚତୁର ବୁଦ୍ଧିରେ ରାତାରାତି ମାଲାମାଲ ହେଉଛନ୍ତି , ଠିକ ସେମିତି ମୋଟେ ସାହିତ୍ୟଚାଷ କରୁନଥିବା ବା ଭାଗଚାଷ ଜାଣିନଥିବା ଲୋକ ୟା ତା ଲେଖା ଚୋରେଇ ପଢ଼ି ଶୁଣେଇ ବଡ କବି ବୋଲେଇ ଚାଲିଛନ୍ତି ତ କିଏ ଜୀବନରେ ମେହେନତି କରି ଖଣ୍ଡେ ବହି ନକରିବି ଢ଼େରେଲୋକଙ୍କୁ ମୋଟା ଟଙ୍କା ବିନିମୟରେ ସାହିତ୍ୟିକ ସନମାନ, ଉପାଧି, ସାର୍ଟିଫିକେଟ ପ୍ରଦାନ କରେଇ ମାଲାମାଲ ହେଉଛନ୍ତି । ଉଚ୍ଚମଞ୍ଚରେ ଉଚ୍ଚକଣ୍ଠରେ ନାମ ଘୋଷଣା କରି ଥରକେ ଶହେ ଦୁଇଶହ ଜଣଙ୍କୁ ନାନା ଉପାଧିରେ ଭୂଷିତ କରେଇ ନିଜକୁ ଭୁଷୁପଣ୍ଡିତ ବୋଲେଇ ଆପଣାଅଖା ଟଙ୍କାରେ ଫୁଲକରି ଚାଲିଛନ୍ତି । ମାନପତ୍ର ପାଇବାରେ ପାଗଳ ଅନେକେ ଏମିତି କାଗଜଖଣ୍ଡକୁ ହଜାରେ.. ଦି’ହଜାରେ.. ପାଞ୍ଚହଜାରେ ମୂଲ୍ୟରେକିଣି ଦଲାଲଙ୍କ ଗୁଣଗାନ କରୁଛନ୍ତି । ଗ୍ରାହକ ମଧ୍ୟ ମାନପତ୍ରରେ ସ୍ତୁତିଗାନ ପଢି ପବନରେ ଫୁଲି ଫୁଟୁବଲ ଭଳି ଡେଉଁଛନ୍ତି । ଏମିତିକି କିଏ ରାଜ୍ୟସ୍ତରୀୟ କିଏ ଜାତୀୟ ତ କିଏ ଅନ୍ତର୍ଜାତୀୟ ସ୍ତରୀୟ କବି ଲେଖକ ନିଜକୁ ଭାବି ଏଇ କିଣା ମାନପତ୍ର ଦେଖେଇ ନୋବେଲ ପୁରସ୍କାର ପାଇବେ ବୋଲି ସପନ ଦେଖିଲେଣି । ପ୍ରକୃତ ସୁନାଠୁ ନକଲି ଅଳଙ୍କାର ବେଶି ଚକଚକ ଦିଶେ.. ଅଧିକ ବିକ୍ରିହୁଏ । ଭବିଷ୍ୟତ କଥା ପଚାରେ କିଏ ?

ଏଇ ବେପାରୀ ମାଛତେଲରେ ମାଛ ଭାଜି ଏତେ ତେଲ ବଳେଇ ରଖୁଛନ୍ତି ଯେ ତାଙ୍କ ବଂଶକୁଟୁମ୍ବ ଅଜାଗାରେ ବୋଳିଲେ ବି ସରୁନି। ୟାଙ୍କୁ ଯେ ଯାହା କହିଲେବି ବାଧେନି ଏଇଥିପାଇଁ ଯେ, ମାନପତ୍ର ବେପାରୀ ହେବା ଆଗରୁ ମାନ ଇଜତ ବିକ୍ରି ସାରିଥାଏ ।

ଜଣେ ବରିଷ୍ଠ ସାହିତ୍ୟିକ ବନ୍ଧୁଘରେ ମୁଁ ବସିଥାଏ । ନିଜ ମେହେନତିରେ କିଛି ମାନପତ୍ର ତାଙ୍କ କାନ୍ଥରେ ଝୁଲୁଥାଏ । ଜଣେ ଏମିତି ବେପାରୀ ଆଗମନକଲେ । ମାତ୍ର ଷାଠିଏ ମାନପତ୍ର ହାତରେ ଧରିଥାନ୍ତି । ମୋ ବନ୍ଧୁଙ୍କଠୁ ଦସ୍ତଖତ ନେବେ ଓ ତାଙ୍କ ସାହିତ୍ୟ ସନମାନ କାର୍ଯ୍ୟକ୍ରମକୁ ଅତିଥି କରିବାପାଇଁ ନିମନ୍ତ୍ରଣ ଜଣେଇବେ । ବନ୍ଧୁ ତାଙ୍କ ଉଦ୍ଦେଶ୍ୟ ଜାଣିନଥିଲେ । ସେ ଘରଭିତରେ ଥିଲା ବେଳେ ବେପାରୀ ମତେ ପଚାରିଲେ ଆପଣ ତାଙ୍କର କଣ ହେବେ? ମୁଁ ତାଙ୍କ ପୁରୁଣା ସାଙ୍ଗ କହିବାରୁ, ସେ କହିଲେ ଏ ସାର ଏତେ ମାନପତ୍ର କେତେ ଟଙ୍କାଦେଇ କିଣିଛନ୍ତି ଆପଣ ଜାଣନ୍ତି କି? ମୁଁ କାହିଁକି ପଚାରିବାରୁ ସେ କହିଲେ ମତେ ଟଙ୍କା ପାଞ୍ଚହଜାରେ ଯଦି ଦିଅନ୍ତେ ୟାଠୁ ବହୁତ ବଡ ଓ ଉଚ୍ଚ ଉପାଧିରେ ସନମାନୀତ କରାନ୍ତି । ମୋର ବାରଟା ଅନୁଷ୍ଠାନ ଅଛି । ମୋ ଫୋନ ନମ୍ବର ନିଅନ୍ତୁ । ଯେବେ ଚାହିଁବେ ଯୋଗାଯୋଗ କରିବେ । ହଁ ଆପଣଙ୍କୁ ଯଦି ଦୁନିଆ ଜାଣିନି, ତେବେ ମଞ୍ଚରେ ଅତିଥିକରି ବସେଇପାରିବୁ । ଖାଲି ଆଉକିଛି ଟଙ୍କା ନିର୍ଲୋଭରେ ହାତଖୋଲା କଲେହେଲା ।

ମୁଁ ଭାବୁଥିଲି ଆମେ କେଡେ ବୋକା ନୋହୁଁ ସତେ! ବିନା ଲେଖାରେ ଯଦି ଏଡ଼େ ସନମାନ ପଦବୀ ମିଳୁଛି, ତେବେ ରାତି ଅନିଦ୍ରା ହେଇ ବହିଲେଖି ଛାପି ବିକି କ୍ଷତିସହିବା କି ଦର୍କାର? ଏଇମାନଙ୍କ ପ୍ରଚଣ୍ଡ ଚେଷ୍ଟା ପାଇଁ ବହି ବିକ୍ରିଠାରୁ ମାନପତ୍ର ବିକା ଶହେଗୁଣା ବଢିଛି । ବିରି କି ଅଖା ନଥାଇବି ଖାଲି ଲାଭ ହିଁ ଲାଭ ମିଳୁଛି !!

Comments are closed.