Latest Odisha News

ଶାନ୍ତି ବାରତା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’

ସାହୁ ଭାଇ ଟାଇଁ ଟାଇଁ ଖରାରେ ଜମିବାଡ଼ି ମାମଲାରେ ତହସିଲ ଅଫିସରୁ ଚାରି କିଲୋମିଟର ଚାଲିଚାଲି ଘରେ ପହଁଞ୍ଚିଲେ । ଶାନ୍ତି ଭାଉଜ ତାଙ୍କ ପତିଙ୍କ ହାଁ ଭୋକ -ହାଁ ଶୋଷ ଲାଗୁଥିବା -ହାଲିଆ ଦିଶୁଥିବା ଜାଣି, ବେଲାଏ ବାସିପଖାଳରେ ଦି’ପୋଷ ବସାଦହି ପକେଇ-ଲୁଣ ଗୋଳେଇ, ତା ସାଙ୍ଗକୁ ଆଳୁ ବାଇଗଣ ସନ୍ତୁଳା, ଛୁଇଁ ବେସର ଭଜା, ବଢ଼ିକି ଥୋଇଦେଲେ । ସାହୁଭାଇ ସେତକ ଖାଇ ସଉପ ଖଣ୍ଡେ ପକେଇ ଶୋଇଗଲେ ଗାଢ଼ା ନିଦରେ ଶୋଇ କଣ କଣ ସପନ ଦେଖି ଚିଲେଇଲେ.. ହଁ ହଁ ମୁଁ.. ମୁଁ ସେଇଲୋକ । ଦିଅ ଦିଅ.. ମତେ ଦିଅ !

ଶାନ୍ତି ଭାଉଜ, ଭାଇଙ୍କ ପାଟିଶୁଣି ଧାଇଁଆସି ହଲେଇ ପଚାରିଲେ –ହୈହେ, କାହାକୁ କଣ ବିଳି ବିଳେଇ ହେଇ ମାଗୁଛ ବା? ଜମି ଖଣ୍ଡେ କିଣି ଆଠ ଆଠଥର ଧାଇଁ ଏତେଦିନ ହେଲା -ପଟ୍ଟାଖଣ୍ଡକ ଆଣି ତ ପାରୁନା । ଆଉ ଦିନଟାରେ ସପନରେ କୋଉ ହକ ମାଗୁଛ.. ଶୁଣେ!

ସାହୁଭାଇ ଆଖିଖୋଲି ଉଠି ଭାଉଜଙ୍କୁ ପାଟିକରି କହିଲେ… ହା ତୁ କଣ କଲୁ ଲୋ ! ଅସଲ ବେଳାରେ ମୋ ପାଇବା ଦରବକୁ ମୋଠୁ ହାତଛଡା କରେଇଦେଲୁ ! ଆଉ ଟିକେ ଅଟକି ନଯାଇ ମତେ ପଛରୁ ଡାକିଦେଲୁ କିଆଁ ଲୋ ?

–ମଲାମର, ମୁଁ କଣ ତମ କାଢ଼ପଣ ଜାଣିନି? ତମେପରା ମଲା କଙ୍କଡାକୁ ସରି ନୁହଁ । କୋଉ ଭଗବାନ ତମ କୋଉ ଗୁଣ ତମର ଦେଖି, ତମ ଚାଳ କଣାକରି କଣ ଆକାଶରୁ ଗଳଉଥିଲେ.. କହିଲ କହିଲ !

–ଏଁ..,, ତୁ ଶୁଣିବୁ? ଛି, ଜାଣିଛୁ, ତୋପାଇଁ ମୋର କେତେ ଲସ୍ ହେଲା? ମୁଁ ଏଇନା ଆମେରିକାରେ ଥିଲି । ତାଙ୍କ ରାଷ୍ଟ୍ରପତିଙ୍କ ହାତରୁ ଡାଇରେକ୍ଟ ଶାନ୍ତିପାଇଁ ନୋବେଲ ପୁରସ୍କାର ସାଙ୍ଗେ କୋଟିଏ ଡଲାର ଧରିବାକୁ ଧାଉଁ ଧାଉଁ.. ସବୁ ତୁ ବିଗାଡିଦେଲୁ !

ହଇୟୋ ! ଏଡ଼େ ବାହାପିଆ ମଣିଷ ତୁମେ? କୋଉ କାମ ଦେଖି ଏଡ଼େ ବଡ଼ ପୁରସ୍କାର ଦଉଥିଲେ, କହିଲ.. ମୁଁ ଶୁଣେ !
–ସତ କହୁଛିଲୋ ଶାନ୍ତି! ମୋ କଥା -କାର୍ଯ୍ୟଦକ୍ଷତାରେ ସନ୍ତୁଷ୍ଟ ହୋଇ ସେଇ ଶାନ୍ତିର ନୋବେଲ ପ୍ରାଇଜ୍ ମୋ ନାଁରେ ଘୋଷଣା ସରିଥିଲା । ଖାଲି ଆଣିବାକୁ ବାକିଥିଲା । ଧେତ୍ ତୁ ମାଇପିଲୋକ, କାହୁଁ ବୁଝିବୁ.. ଆଜିକାଲି ସବୁଠି ଅଶାନ୍ତି! ସେବା ନାଁରେ ଶୋଷଣ.. ପ୍ରିୟା-ପ୍ରୀତି ତୋଷଣ.. ଟଙ୍କା ପଇସା ଶୋଷଣ ଚାଲିଛି ! ତେଣୁ ହବା କାମ ହେଉନି, ମାତ୍ର ନ ହେବା କାମ ହୋଇଯାଉଛି । ହିଂସା-ବାଦ, ଦୁର୍ନୀତିର ଦୁର୍ଗନ୍ଧ ଚାରିଆଡେ ବ୍ୟାପିଯାଉଛି । ଏମିତିକି ଶିରା-ପ୍ରଶିରାରେ ରକ୍ତରେ ମିଶିଗଲାଣି। କେମିତି ଏହାର ମୂଳ ଓପଡାଯିବ, ଏଇକଥା ଭାବି ତହସିଲରୁ ନିରାଶ ହୋଇ ଅଣନିଶ୍ୱାସରେ ଘରକୁ ଆସୁ ଆସୁ ବାଟରେ ଗୋଟେ ବିରାଟ ମଞ୍ଚରୁ ମାଇକିର ଗର୍ଜନଶୁଣି ଧାଇଁଗଲି । ମତେ ଦେଖୁଦେଖୁଁ ସେମାନେ କଣ ଭାବିଲେ କେଜାଣି, ଫୁଲତୋଡ଼ା ଦେଇ, ପାଛୋଟି ନେଇ, ମୋ ହାତକୁ ମାଇକ୍ରୋଫୋନ ଧରେଇଦେଲେ । ତାଙ୍କ ମୁଖିଆ କହିଲେ.. ଏ ସମାଜ ସୁଧାରିବାପାଇଁ -ଦୁର୍ନୀତିମୁକ୍ତି ଉଦ୍ଦେଶ୍ୟରେ ଆପଣଙ୍କ ସୁଚିନ୍ତିତ ମତାମତ କଣ କୁହନ୍ତୁ!

ମୁଁ ଚାରିଆଡକୁ ଚାହିଁଲି ।।ଶାନ୍ତି ଲୋ ! କେଇଯେ ମାଇପି-ମରଦ, କେଡେକେଡେ ବାବୁ-ବାବୁଆଣୀ, ମୋ କଥା ଶୁଣିବାକୁ କାନଡେରୀ ଅନେଇଥାନ୍ତି! ଯେମିତି ମୁଁ ସେଇ ଯନ୍ତ୍ରକୁ ଧରିଛି, ମୋ ଭିତରେ ତ୍ରି-ଶକ୍ତିର ସଂଚାର ହୋଇଗଲା l ତୁ ଯେମିତି ଘରେ ଗର୍ଜନକରି ତୋ ଗିରସ୍ତକୁ କହୁ, ନେତୃଗଣ ନିର୍ବାଚନ ମୈଦାନରେ ଯେଭଳି ନନ୍-ଷ୍ଟପ ଭାଷଣ ଦିଅନ୍ତି -ତା ସାଥୀରେ ମୋ ଆତ୍ମଶକ୍ତିକୁ ମିଶେଇଲାବେଳେ ମତେ ଲାଗିଲା, ସତେଯେମିତି ଦୁର୍ଗା-କାଳୀ-ସରସ୍ବତୀ.. ମୋ ଭିତରେ ଏକାବେଳେ ପ୍ରବେଶ କରିଗଲେ । ତହୁଁ ଛାତିକି ଫୁଲେଇ, ଗଳାକୁ ବସେଇ କହିଲି.. ବନ୍ଧୁଗଣ ! ଆମେସବୁ ଭାଇ-ଭଉଣୀ, ମଉସା-ମାଉସୀ, ଉତ୍କଳବାସୀ.. ଭାରି ସାହସୀ ! ଆମେ ଯାହାବି କରିବା.. ସବୁକିଛି ଶାନ୍ତିପୂର୍ଣ୍ଣ ଭାବରେ କରିବା ! ଶାନ୍ତି ବଳରେ ଆମେ ଦୁର୍ନୀତିର ଚେର ମୂଳ ଓପାଡି ଫୋପାଡ଼ି ପରିବା । ଏଥିପାଇଁ ହରତାଳ -ଗଣ୍ଡଗୋଳହେଉ କି ବାଡ଼ିଆବାଡ଼ି -ମୁଣ୍ଡ ଫଟାଫଟିହେଉ, ମୋ କହିବାକଥାହେଲା.. ସବୁ ଶାନ୍ତିପୂର୍ଣ୍ଣଭାବରେ ହେଉ ଦର୍କାର ପଡିଲେ ଦାବୀପୂରଣ ଦିଗରେ ଏକଜୁଟ ହୋଇ ନିଜ-ନିଜ ଭିତରେ ଲଢ଼ାଲଢ଼ି -ଗଡ଼ା ଗଡି, ଖଣ୍ଡିଆଖାବରା ବରଂ ହେଉଁ.. ଦୁଃଖନାହିଁ, ହେଲେ ସବୁକିଛି ଶାନ୍ତିପୂର୍ଣ୍ଣ ଭାବରେ ହେଉ !

ବ୍ୟାରିଗେଟ ଭାଙ୍ଗି ଆସେମିଲି ହଲ ଭିତରେ ସାହସ ସହକାରେ ଧସେଇପଶିବାକୁଗଲାବେଳେ -ପୁଲିସି ଭାଇମାନଙ୍କ ଠେଙ୍ଗାର ଲଂଘା ମାଡ଼ରେ ଦେହରୁ ଝରଝର ରକତ ଝରୁ କି ନାରୀମାନଙ୍କ କେଶକୁ, ଧୁସା.. ଦ୍ରୌପଦୀଙ୍କୁ ଧରି.. ଘୋଷାରି ଘୋଷାରି କିଏ ନେଲାବେଳେ, ମଉକା ପାଇ ପିନ୍ଧା-ଶାଢ଼ୀ ଭିଡ଼ିନିଅନ୍ତୁ, ମାତ୍ର ସବୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପାଦିତ ହେଉ ।

ନାନୀମାନେ ନାରୀ-ସଶକ୍ତି କରଣ ଯୋଜନାକୁ ସଫଳ କରିବାକୁ ଗଲାବେଳେ ମିଳିଥିବା ଟଙ୍କା ପଇସା ହିସାବ ଭାଗବଣ୍ଟାବେଳେ ନ ତୁଟିଲେ, ଟଣା ଘୋଷରା ହୋଇ ରାସ୍ତାରେ ଗଡି ଧୂଳି ଧୂସରିତ ହୁଅନ୍ତୁ.. ମନାନାହିଁ, ମାତ୍ର ତାହା ଶାନ୍ତିପୂର୍ଣ୍ଣଭାବେ ହେଉ ।

ରାଜ୍ୟ କି ରାଷ୍ଟ୍ର ସୀମା ବିବାଦ ବା ଦେଶ-ଦେଶ ଭିତରେ ଯୁଦ୍ଧବେଳେ ଠେଲା-ପେଲାଚାଲୁ ନଚେତ ଗୋଳା ବାରୁଦ, ବନ୍ଧୁକ, ତୋପ, କମାଣ ଫୁଟୁ କିମ୍ବା ବମ୍ ବର୍ଷଣ ହେଉ, ମାତ୍ର ମୋ କହିବାକଥା.. ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେଉ ।

ଆତଙ୍କ ବାଦିଆ ହୁଅନ୍ତୁ କି ସନ୍ତ୍ରାସବାଦିଆ, ମାଫିଆ ହୁଅନ୍ତୁ କି ମାଓବାଦିଆ.. ସେମାନେ ମାରନ୍ତୁ ମାନନାହିଁ, କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ଭାବେ କରନ୍ତୁ !

ବନ୍ଧୁଗଣ ! ମୋ କହିବାକଥା ହେଲା -ଯଦି ଘରେ ସ୍ୱାମୀ -ସ୍ତ୍ରୀ ମଧ୍ୟରେ ଝଗଡାବେଳେ ବାଡ଼ାବାଡ଼ି -କାନ ରଗଡା ରଗଡି ଅବା ବେଲେଣା ପନିକି କୋରଣାରେ ଯୁଦ୍ଧ କରୁଛନ୍ତି କିମ୍ବା ସାହି- ପଡୋଶୀ କଳିକରି ଟେକା ପଥରରେ ମରାମରି ହେଉଛନ୍ତି, ହେଉ, ମାତ୍ର ସବୁ ଶାନ୍ତିପୂର୍ଣ୍ଣଭାବରେ ହେଉ ।

ଇଲେକ୍ଟ୍ରି ବିଲ୍ ମାଗୁଥିବା, ଫରେଷ୍ଟ ଜଗୁଥିବା, ସ୍ୱାସ୍ଥ୍ୟ-ସେବା ଯୋଗାଉଥିବା କର୍ମଚାରୀ ହୁଅନ୍ତୁ କି ସରକାରୀ -ବେସରକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ହୁଅନ୍ତୁ, ତାଙ୍କୁ ଆକ୍ରମଣକରି ମାରିବା ମରିବାଯାଏଁ କଥାଯାଉ, ମାତ୍ର ଶାନ୍ତିପୂର୍ଣ୍ଣ ଭାବରେ ହେଉ ।

ବେନିୟମ ବାଲି ଉଠାଣ, ବୃକ୍ଷଛେଦନ, ପରିବେଷ ପ୍ରଦୂଷଣ ହେଉ, ନଇଲେ ପଶୁ-ହତ୍ୟା, ନାରୀ-ହତ୍ୟା, ଶିଶୁ-ହତ୍ୟା କି ପେଟରୁ ଭୃଣ-ହତ୍ୟା.. ସବୁ ଶାନ୍ତିପୂର୍ଣ୍ଣ ଭାବେ ହେଉ । ନିର୍ବାଚନ କ୍ଷେତ୍ର -ରଣକ୍ଷେତ୍ରରେ ପରିଣତହୋଇ କ୍ଷତାକ୍ତ -ମୃତାହତ ହୁଅନ୍ତୁ, ମାତ୍ର ସବୁ ଶାନ୍ତିରେ ହେଉ ।

ସାଧୁ-ସନ୍ଥଙ୍କୁ ନିର୍ଯ୍ଯାତନା, ନିର୍ଦୋଷ ସ୍ୱାମୀ-ସ୍ତ୍ରୀ ଙ୍କୁ ଜେଲଖାନା, ପିତା-ମାତାଙ୍କୁ ଜରାନିବାସ ପ୍ରେରଣ, ପାପ-ପ୍ରୀତିରେ ଗର୍ଭଧାରଣ, ଅଲୋଡ଼ା ସନ୍ତାନକୁ ଛଡ଼ାଯାଉ ଅନାଥ ଆଶ୍ରମରେ ନଇଲେ ଫୋପଡ଼ାଯାଉ ରାସ୍ତାକଡରେ, କିମ୍ବା ଅସୁର-ନାଶିନୀ ମା ଦୁର୍ଗାଙ୍କ ପୂଜା ନାଁରେ କି କେଉଁ ପୂଜା ପାର୍ବଣ ପାଇଁ ଜବରଦସ୍ତ ଚାନ୍ଦା ଆଦାୟ ବେଳେ ଗାଳିଗୁଲଜ -ମରାମରିଯାଏଁ ଯାଉ, ମାତ୍ର ସବୁ ଶାନ୍ତିପୂର୍ଣ ଭାବରେ ହେଉ । କାରଣ ପ୍ରତ୍ୟେକଙ୍କର ସ୍ୱାଧୀନତା ଜନ୍ମଗତ ଅଧିକାର । ଆମର କି ଅଧିକାର ଅଛିଯେ -ଅନ୍ୟର ସ୍ୱାଧୀନତାରେ ହସ୍ତକ୍ଷେପ କରିବା ? ତେଣୁ ମୋ କହିବାର ଅର୍ଥ.. ସମାଜରେ ଯିଏ ଯେତେ ବ୍ୟଭିଚାର, ଚୋରି, ଲୁଣ୍ଠନ, ନିଶାପାନ କରନ୍ତୁ.. ମନା ନାହିଁ । ମାତ୍ର ସବୁ ଶାନ୍ତିପୂର୍ଣ୍ଣ ଭାବରେ ହେବା ନିହାତି ଦରକାର । କାରଣ ଦୁନିଆଁରେ ସମସ୍ତେ ଶାନ୍ତି ଚାହୁଁଥିବାରୁ, ମୋ ଆଖିରୁ ଧାରଧାର ଲୁହ ବୋହୁଥିଲେ ବି, ମୋ ଶାନ୍ତି ଘରୁ ବାହାରକୁ ବାହାରି ଶାନ୍ତିପ୍ରାପ୍ତି ଆନ୍ଦୋଳନରେ କେବେଠୁ ନିଜକୁ ସାମିଲ କରିସାରିଲାଣି । ମୋର ପୁରା ବିଶ୍ୱାସ.. ଯାହାବି ହେଉଛି ବା ହେବାକୁ ଯାଉଛି.. ସବୁ ଶାନ୍ତିପୂର୍ଣ୍ଣଭାବରେ ହିଁ ସଫଳ ହେଉଛି । ବାସ୍! ଏଇ ଶାନ୍ତିପୂର୍ଣ୍ଣ ସାରଗର୍ଭକ ମୋ ମତାମତ ସଭାରେ ସମସ୍ତଙ୍କ ମନକୁ ପାଇବାରୁ, ସୋସିଆଲ ମିଡ଼ିଆ, ପ୍ରେସ ମିଡ଼ିଆ, ଇଲୋକ୍ଟ୍ର -ମିଡ଼ିଆ, ତୁଣ୍ଡ-ମିଡ଼ିଆ ମାଧ୍ୟମରେ କ୍ଷିପ୍ର ବେଗରେ ସାରା ଦୁନିଆଁରେ ପ୍ରଚାରିତ -ପ୍ରସାରିତ ହୋଇ, ଯେମିତି ଆମେରିକା କାନରେ ବାଜିଗଲା, ସେଇଠୁ ଶାନ୍ତିର ବିଶ୍ୱବିଖ୍ୟାତ ନୋବେଲ ପୁରସ୍କାର ମୋ ନାମରେ ଘୋଷଣାକରି -ଡାକୁଥିଲେ ମୋ ନାଁ ଧରି । କିନ୍ତୁ ହାୟ ତମେ ନାରୀ ! ତମେ ସବୁଦେଲ ସାରି ….!!

Leave A Reply

Your email address will not be published.