Latest Odisha News

ସଭିଏଁ ଜାଣନ୍ତି ଡାକ୍ତରୀ ବିଦ୍ୟା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ଆଜ୍ଞା! ଏମିତି ହେବା ଭାରି ସହଜ । ଏଁ..? ଏକଥା ଶୁଣି, ଫେଁ ଫେଁ ହେଇ ହସୁଛନ୍ତି କ’ଣପାଇଁ ? କାହିଁ ମୁଁ କୋଉ ନାକରା କଥା କହିଲି କି.. ମୋ କଥା ପରତେ ଯାଉନାହାନ୍ତି । ଏ କାଗଜରୁ ପଢିନୁହଁ.. ମଗଜରେ ପୂରେଇ ହେଜନ୍ତୁ । ମୁଁ କଣ ଏ କଥା କହୁଛି? କିଏ କେମିତି କେତେବେଳେ କାହାକୁ କହିଥିଲେ.. ଶୁଣୁନାହାନ୍ତି ।

ରାଜସଭା ଭାରି ଭିଡ଼ ଥାଏ । ରାଜାଙ୍କ ମୁଣ୍ଡରେ ପଶିଲା.. କୋଉ ବିଦ୍ୟା ସହଜ.. ଆଉ ବେଶି ଲୋକ ଜାଣନ୍ତି । ଏ ପ୍ରଶ୍ନ ପଚାରିଲେ ସଭା ସଦମାନଙ୍କୁ । କିଏ କଣ କହିଲେ । ହେଲେ ରାଜାଙ୍କ ମନକୁ ପାଇଲାନି । ମନ୍ତ୍ରୀ ମହାଶୟ କହିଲେ , “ମହାରାଜ! କବିରାଜ ବିଦ୍ୟା ସବୁଠୁ ସହଜ ଓ ବେଶିଲୋକ ଜାଣନ୍ତି । ଏଇକଥା ଶୁଣି ଆପଣମାନଙ୍କ ପରି ସେଦିନ ସମସ୍ତେ ଠୋ ଠୋ ହୋଇ ହସିଲେ । ମନ୍ତ୍ରୀ କିନ୍ତୁ ନଛୋଡ଼ବନ୍ଧା । ସେ କହିଲେ.. ମତେ ଯଦି ମହାରାଜ ଅନୁମତି ସହିତ ସମୟ ଦେବେ.. ତେବେ ମୁଁ ଏହାର ପ୍ରଣାମ ଦେବାକୁ ରାଜିଅଛି । ରାଜା କହିଲେ.. ଠିକଅଛି.. ପ୍ରମାଣ ଦିଅ ।

ୟା ଭିତରେ କିଛିଦିନ ଚାଲିଗଲା । ହଠାତ ମନ୍ତ୍ରୀ ଅସୁସ୍ଥ ଅଛନ୍ତି କହି ରାଜକାର୍ଯ୍ୟରେ ଯୋଗ ନଦେଇପାରିକୁ ଅସମର୍ଥ ଜଣାଇ ଛୁଟିନେଲେ । ଢ଼େରେ ଦିନ ଗଲା । ତଥାପି ସୁସ୍ଥ ନହେବାରୁ ତାଙ୍କ ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ରାଜକର୍ମଚାରୀ ପ୍ରାୟଦିନ କେହିନା କେହି ତାଙ୍କ ଘରକୁ ଦେଖାକରି ଦୁଃଖ ସୁଖ ବୁଝିବାକୁ ଗଲେ । ମନ୍ତ୍ରୀ ଘୋଡ଼ିହୋଇ ଶୋଇ କୁନ୍ଥେଇ କୁନ୍ଥେଇ କହିଲେ… ପ୍ରବଳ ମୁଣ୍ଡ ବିନ୍ଧୁଛି । କଥା କମ କୁହନ୍ତି… ଓଃ.. ଆଃ. ବୋପାଲୋ ମାଲୋ କହି ଅଧିକ କୁନ୍ଥେଇ ମରିଯିବି.. ଆଉ ଭଲ ହେବିନି.. ମୁଣ୍ଡ ଉଠେଇହେଉନି କୁହନ୍ତି । ଏ କଥା ଶୁଣି ହିତାକାଂକ୍ଷୀ ଦର୍ଶନାର୍ଥୀ ଆଶ୍ୱାସନା ଦେଇ କିଛି କିଛି ଔଷଧ ଉପଚାର କହି ଭଲହୋଇଯିବାର ଉପାୟ ବତାନ୍ତି । କିଏ କହେ କପାଳର ଦି ପଟେ ଗୁଡ଼ ଚୂନ ମିଶେଇ ଟଙ୍କିକିଆ ସାଇଜିରେ ମାରିଦେଲେ, ମୁଣ୍ଡବିନ୍ଧା ଘଣ୍ଟାକେରେ ଛାଡି ପଳେଇବ । ତ କିଏ କହିଲାଣି ଏଇଟା ପେଟ ଗୋଳମାଳ ବାୟୁ ଦୋଷ । ତେଣୁ ସକାଳୁ ଖାଲି ପେଟରେ ପ୍ରଶାରୁଣୀ ପତ୍ରରେ ଅଢେଇଟା ଗୋଲମରିଚ ବାଟି ତିନି ଦିନ ପିଇଦେଲେ ମୁଣ୍ଡବିନ୍ଧା ସହିତ ହାତ ଗୋଡ ଅଣ୍ଟା ବିନ୍ଧା ଓ଼ଗେର ଛାଡି ଆରୋଗ୍ୟ ହେଇଯିବ । କିଏ ପୁଣି ବତେଇଲେ ଦୁବରସ ନଲେ ଖାଣ୍ଟି ଗୁଆଘିଅ ନାକରେ ତେଣ୍ଡିଦିଅ । କିଏ କହିଲେ ଯେ ସୂର୍ଯ୍ୟ ଉଦୟ ଆଗରୁ ବାସିପାଣି ଗିଲାସେ ଲେଖା ସବୁଦିନ ସକାଳୁ ନାକରେ ପିଅ । ଆଉ କେହି ଗ୍ୟାରେଣ୍ଟି ଦେଇ କହିଲେ ଚଉଠେ ଯାଇଫଳ ଚଉଠେ କାକୁଡି ଫାଳେ ଲେମ୍ବୁ ଚାରିଟା ଲବଙ୍ଗ ମିଶେଇ ବାଟିଦେଇ ମହୁରେ ଚାଟି ଚାଟି ଖାଅ… ଇତ୍ୟାଦି ।

ଏସବୁ ଉପଦେଶ ଉପଚାର ମନ୍ତ୍ରୀବର ଲେଖି ଲେଖି ଗୋଟେ ଖାତା ଫୁଲ କଲେଣି । ତେଣେ ମାସାଧିକ ଅନୁପସ୍ଥିତ ଦେଖି ଖୋଦ ରାଜା ଥରେ ମନ୍ତ୍ରୀଙ୍କୁ ଦେଖାକରିବାଜୁ ଆସିଲେ ।ମନ୍ତ୍ରୀ ମହାଶୟ ରାଜାଙ୍କୁଦେଖି ଉଚ୍ଚ ଶବ୍ଦରେ କୁନ୍ଥନ ପୂର୍ବକ ଶେଯରୁ ଉଠି ହାତଯୋଡ଼ି ପ୍ରଣାମକଲେ । ରାଜା ସବୁ ଶୁଣି କହିଲେ ଏଇ ସାମାନ୍ୟ ମୁଣ୍ଡବିନ୍ଧାକଥା ମତେ କହିଥିଲେ କେବେଠୁ ଭଲ ହୋଇସାରନ୍ତାଣି । ମୁଁ ଗୋଟେ ଭଲ ଉପାୟ ଜାଣିଛି । ହଉ ଯାହା ତ ଡେରିହେଲାଣି । ତମେ କାଲି ସକାଳୁ ଟିକେ ମୋଟା କମଳା କଣ୍ଟା ଆଣି ମୁଣ୍ଡର ଦି ପାଖରେ କାନ କପାଳ ମଝିରେ ଯୋଉ ନେଳିଆ ଶିରା ଅଛି… ତାଜୁ ଫୋଡିଦେଇ ସେଇ ଜାଗାରେ ଅରଖ ଗଛର କ୍ଷୀର ଲଗେଇକି ଦେଖ । ଗୋଟାଏ ଦିନରେ ମୁଣ୍ଡବିନ୍ଧା ଯିବ ଯେ ଆଉ ଜୀବନ ଥିବାଯାଏ ଆସିବନି ।

ଦି ଦିନ ପରେ ମନ୍ତ୍ରୀ ସୁସ୍ଥ ହୋଇଗଲି କହି ରାଜସଭାରେ ଉପସ୍ଥିତ ହେବା ଦେଖି, ରାଜା ପଚାରିଲେ.. କଣ ମନ୍ତ୍ରୀ ମୋ କହିଥିବା ଉପଚାର କେମିତି କାମଦେଲା ଦେଖିଲ ତ । ମନ୍ତ୍ରୀ ହସି ହସି କହିଲେ.. କ୍ଷମାକରିବେ ମହାରାଜ । ମୋ ଦେହ କି ମୁଣ୍ଡ କିଛି ଖରାପ କେବେ ନଥିଲା । ଖାଲି ଆପଣଙ୍କୁ କହିଥିବା କଥାର ପ୍ରମାଣ ଦେବାଜୁ ଏମିତି ଅଭିନୟ କରୁଥିଲି । ସାଙ୍ଗରେ ନେଇଥିବା ଖାତା ଦେଖେଇ କହିଲେ ଯଦି କେବଳ ମୁଣ୍ଡବିନ୍ଧାପାଇଁ ଏତେ ଲୋକ ଏତେ ଔଷଧ ଉପଚାର କହି ଏ ଖାତା ଫୁଲକରିଦେଲେ.. ତେବେ କୁହନ୍ତୁ କବିରାଜୀ ସବୁଠୁ ସହଜ ଓ ସର୍ବାଧିକ ଲୋକ ଜାଣନ୍ତି କି ନା ?

ଆଜ୍ଞା ! ଏଇ କବିରାଜୀ ପାଠ ଯେମିତି ବହୁତଲୋକ ଜାଣନ୍ତି.. ଠିକ ସେମିତି କବିତା ଲେଖି ଆଜିକାଲି ଆମ ରାଜ୍ୟରେ ଢ଼େରେ ଢ଼େରେ କବିହୋଇ ଯାଇଛନ୍ତି । ସେ ଶୁଣି କରି ହେଉ କି କାହା କବିତା ଚୋରୀକରି ହେଉ ଅଥବା ଫନ୍ଦି ଫୁନ୍ଧି ଛନ୍ଦ ପଦକୁ ଟାଣି ଘୋଷାରି ହେଉ.. ଚାରି ଆଠଧାଡି ଲେଖିଦେଇ କବି କଣ ବଡ କବି ବୋଲେଇ ଘରେ ଢ଼େରେ ମାନପତ୍ର ବିଭିନ୍ନ ଉପାଧି ଭୂଷିତହୋଇ ଝୁଲେଇ ସାରିଲେଣି। ଯାବତୀୟ କେଳେଙ୍କାରୀର କଳଙ୍କ ଭୂଷିତ ଯୁବକ ଯୁବତୀ ଏବେ ରାତାରାତି ବଡ କବି କଳାକାର ଭାବରେ ସୋସିଆଲ ମିଡିଆରେ ଭାଇରଲ ହୋଇଗଲେଣି । ଏମିତିକି ପଦ ଛନ୍ଦକୁ ଜୋରକରି ଟାଣି ଅନେକ ବି ରାତାରାତି ସୁମଧୁର ଗଧ ସ୍ୱରରେ ଗୀତ ଗାଇ ହାଇଲାଇଟ ହେଇ ପୁରୁଣା ଗାୟକ କବିଙ୍କ ସଙ୍ଗେ ଲଢ଼ିବାଜୁ ଶିଙ୍ଘ ଘସିଲେଣି । ଜୀବନରେ ଗୋଟାଏ ବହି ନଲେଖି ନପଢି ବି ବିରାଟ ପଦବୀଯୁକ୍ତ କବି ଏବେ ମାଳ ମାଳ । ଆଉ ଅନେକ ସମ୍ପର୍କ ବୟସ ନିର୍ବିଶେଷରେ ଗୋପନ ପ୍ରେମ ପତ୍ରକୁ ଓପନରେ କହି.. ନୂଆ ସ୍ୱରରେ କଣ୍ଠ ଫଟେଇ ଗାଇ କାନ ଅତଡ଼ା ପକେଇ ନିଜ ଢୋଲ ନିଜେ ବଜେଇ ଥେଇ ଥେଇ ନାଚି ଏକାଧାରରେ କବି, କଳାକାର, କଣ୍ଠଶିଳ୍ପୀ ବୋଲେଇ ସେଲିବ୍ରିଟି ବନିଗଲେଣି ।

ଅବଶ୍ୟ ଆପଣ ଉପରୋକ୍ତ କବିରାଜ.. ଯିଏ ରୋଗୀଙ୍କୁ ଯାଚି ଯାଚି ଔଷଧ ଉପଚାର ବତାଉଥିବା ଲୋକଙ୍କୁ କ୍ଵାକ ଓ ଏମାନଙ୍କୁ ଅଣକବି କହି ଆକ୍ଷେପ କରିପାରନ୍ତି। କିନ୍ତୁ ସେଥିରେ ତାଙ୍କର କିଛି ଫରକ ପଡ଼ିବନି । , ଗବେଷଣା ନକରି କବିରାଜ ଏବଂ ଶାସ୍ତ୍ର ଜ୍ଞାନ, ଛନ୍ଦ ପଦ ଶବ୍ଦ ଚୟନ ସାଧନ ନକରି କବି ନୁହନ୍ତି.. ଏ କଥା ଆପଣ କହିପାରିବେନି। ତାଙ୍କ ଯୁକ୍ତି ହେଲା ଏମିତି ତ କୋଉ ଶାସ୍ତ୍ର କହିନି ନା । ଅବଶ୍ୟ ବେଳେ ବେଳେ ଏଇ କ୍ଵାକମାନେ ଅସଲ ଡାକ୍ତର କବିରାଜଙ୍କୁ ଉପହାସ କରି ମୂର୍ଖ କହି ସାଧାରଣ ଲୋକଙ୍କୁ ଆପଣାର କୁଆଭଳିଆ ବୁଦ୍ଧିରେ ଭକୁଆ ବନେଇ ଭଲ ରୋଜଗାର କଲାପରି ଏଇ ଅଣକବିମାନେ ପ୍ରକୃତ କବିଙ୍କୁ ଅଟ୍ଟହାସ୍ୟ -ଉପହାସ କରିଥାନ୍ତି । ତଥାପି ସେମାନେ ଏବେ ଢ଼େରେ ଆଗୁଆ ଅଛନ୍ତି। ମାଛ ଚାଷୀ ସଜମାଛଧରି ବସିଥାଉ। କୁହଳିଆ ତାଙ୍କରି ଆଗରେ ପଚାମାଛ ବିକି ଲାଭ ଖାଉ । ଯୁଗ ତ ଆଗେଇଛି ନା । ମୁଁ ଆଗରୁ ଗୋଟାଏ ଜାଗାରେ ଥିଲି । ସେଇଠି ଯାହାକୁ ପଚାରିବେ ଆପଣ କଣ ? ଉତ୍ତର ମିଳିବ ଓକିଲ ନଲେ ସାମ୍ବାଦିକ ନଲେ ବରିଷ୍ଠ କବି । ଏମିତି କହିବାଦ୍ବାରା କୁଆଡେ ତାଙ୍କର ମାନ ସନମାନ ପତିଆରା ବଢିଥାଏ ।

ଆପଣ ଦେଖିଥିବେ.. କରୋନାବେଳେ ଯେଉଁଠି ବିଶ୍ୱର ତଥା ଭାରତର ବୈଜ୍ଞାନିକ ଔଷଧ କି ଭ୍ୟାକ୍ସିନି ବହୁତ କଷ୍ଟକରି ବାହାର କରିପାରିନଥିଲେ… ସେତେବେଳେ ଆମ ମଦୁଆ ଭାଇମାନେ କରୋନାର ନିରାକରଣ ଓ ସାନିଟାଇଜର ତାଙ୍କ ବୋତଲଭିତରେ ଅଛିବୋଲି ଛାତିରେ ହାତପିଟି କହୁଥିଲେ । ସେମିତି ଆଉ ଅନେକ ଗ୍ୟାରେଣ୍ଟିଯୁକ୍ତ ଔଷଧ ଉପଚାର ପ୍ରତିଦିନ ସୋସିଆଲ ମିଡିଆରେ ପ୍ରଚାର କରି କିଏ ନାକରେ ଲେମ୍ବୁରସ ପକେଇବାକୁ ତ କିଏ ପିଆଜରସ ଢାଳିବାକୁ ଉପଦେଶ ଦେଉଥିଲେ। କିଏ ଆପଣା ମୁଣ୍ଡରୁ ପ୍ରବଳ ବୁଦ୍ଧି କାଢି କୋଉ କୋଉ ପତ୍ରରସ ନିଗାଡ଼ି ସେବନ କରିବାର ବିଧି ବତାଉଥିଲେ ।

ତେବେ ସେ ଯାହାହେଉ. ଏବେ ଆମ ରାଜ୍ୟରେ କବି ଓ କବିରାଜଙ୍କ ଜନ୍ମରେ ବନ୍ଧ୍ୟାକରଣ ନହୋଇ ପରିବା ବଡ଼ ସୌଭାଗ୍ୟର କଥା । ତେଣୁ ଏମିତି ରାତାରାତି ପ୍ରବଳମାତ୍ରାରେ କବି ଓ କବିରାଜ ଙ୍କ ଜନ୍ମବୃଦ୍ଧି ହୋଇସାରିଲାଣି ।

ଆଜ୍ଞା ! ତେବେ ଆଉ ଡେରି କାହିଁକି କରିବା ? ଚାଲନ୍ତୁ ନା ଆମ ରାଜ୍ୟକୁ “କବି -କବିରାଜ “ଙ୍କ ରାଜ୍ୟବୋଲି ଘୋଷଣା କରିବାକୁ ଦାବୀପତ୍ର ଦେବା ।

 

Comments are closed.