ରଞ୍ଜିତା ରାଣୀ ହୋତା
ଭୁଲି ପାରୁନାହିଁ ସେ ନୟନ ଦୁଇ ଅନୁରାଗ ଦୃକପାତ
କ୍ଷଣପ୍ରଭା ସମ କ୍ଷଣିକେ କଲା ଯେ ହୃଦୟରେ ରେଖାପାତ।
ସେ କିବା ମଧୁର ମାଦକତା ଯାହା ମଗ୍ନ ରଖିଲା ମତେ,
ନୀଳତୃଷ୍ଣାର ପିଆଲାଟେ ପରି ମୋଠାରୁ ମାଗିଲା ମତେ।
ଚକିତ ହୁଏ ମୁଁ ସେ ଆଖିକୁ କେବେ ଥରେ ଦିଏ ଯେବେ ଚାହିଁ
ଇଚ୍ଛା ମୋ ହୁଏ ଢାଳି ହୋଇଯିବି ଯେତେ ଭାବେ ନାହିଁ ନାହିଁ ।
ସେ ନୟନ ଚାରୁ ସମ୍ମୋହନର ଯାଦୁକରଟିଏ ଭଳି,
ଈଶାରାରେ ମତେ ଦେଖାଏ ଅୟୁତ ନିୟୁତ ସ୍ୱପ୍ନ କଳି।
ଅଧିର ଆବେଗେ ସେଇ ଆଖି ଯେବେ ଅପଘନ ମୋର ଛୁଏଁ
କୋଟି କଡମ୍ବର ଶିହରଣେ ମୁହିଁ ଆନମନା ହେଉଥାଏ ।
ଯୋଜନ ଯୋଜନ ଦୂରରୁ ସେ ଆଖି ଦେଖିପାରୁଥାଏ ମତେ,
ମୋ ନୟନ ଦୁଇ ଯୋଜିତ ହେବାକୁ ଚାହେଁ ସେ ନୟନ ସାଥେ ।
ସେ ଆଖି ଆଇନା ମୋ ପାଇଁ ବାହାନା ଦେଖିବାକୁ ନିଜ ଛବି ,
କୁଣ୍ଠା ମୋ ନାହିଁ ସେ ଆଖି ଦାହରେ ପାଲଟିବା ପାଇଁ କବି।