Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫

ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର… ଅଶେଷ ଜ୍ଞାନର ଅମାର… ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ … ମୁଁ ଯିବି । ମୋ’ ଜାଗାରେ ମୁଁ ଉଡି ବୁଲୁଥିଲି ମନ ଇଚ୍ଛା …ଏବେ ପଚାରି ବୁଝି ଯିବି। ଯିବି ତ… ନିଶ୍ଚୟ , ମାଆ ଆକଟୁଥିଲା, ମିଥିଳା ଦିଦି ଆଖି ଦେଖାଉଥିଲା ,ତଥାପି ମୁଁ ଉଡୁଥିଲି ମନଇଚ୍ଛା ,ମୋ ଜାଗା ,ମୋ’ ଡେଣା।ବେଡି ସବୁଠି।

ଏଇ ଜବା ମୋ’ ଝିଅ  ! ହଜେଇ ଦେଇଚି ଯାହାସବୁ ଆଉ ପୁଣି ଉନ୍ମାଦନା …ହଜିଯିବନି ତ… ନା , ନା, ପାରିବିନି ଆଉ ଶ୍ରୀମନ୍ତ ଓ ସଂହିତା ସହ ଜବା ମିଳିମିଶି ରହୁ, ଗାର୍ଜନ ଭାବରେ। ଭଲ ଝିଅଟିଏ …ନାରଣଗଡ ପ୍ରଜେକ୍ଟ କାମରେ ଲାଗୁ। ମୋ’ ଜନ୍ମକଲା ଝିଅ ନହେଲେ ବି ମୋ ସ୍ବାମୀଙ୍କ ରକ୍ତ ତା’ ଦେହରେ…। ଜାବୁଡି ଧରି ଗେଲ କରିବାକୁ ମନ ହେଉଛିରେ । ତୁ ମୋ’ ହଜିଲା ଦୀପ …। ଅମାପ ସମ୍ପତ୍ତି …ମାଟି ସବୁ…ମାଟି ତ ମାଟିରେ ରହିବ…କିଏ ନବ …କାହାକୁ ଦେବି…ବସୁଧା ବହୁଧା ବିଭକ୍ତ ହୋଇପାରେ….ପ୍ରତି ଅଣୁରେ ସେଇ ମାଟି…. । ସବୁତ କ୍ଷଣଭଙ୍ଗୁର …ମାଟିକୁ ନବ କିଏ…ସହିସହି ନୀରବରେ ପଡିରହିଛି ଯିଏ…।

କିଏ ଛନ୍ଦି ଦେଉଚି, କେମିତି କେମିତି ସମୟ ଖେଳୁଛି …ବିଚିତ୍ର ଖେଳ … ଜୀବନ ସହ ଭେଟବି ଏମିତି ହୁଏ… ! ପୃଥିବୀ କମଳାଲେମ୍ବୁ ପରି ପରା ! ବୃତ୍ତର ଆରମ୍ଭ ଯେଉଁଠି ସେଇଠି ଶେଷ… ଅନୂଢା କିଶୋରୀ ଜୀବନ, ଲୁଚିଲା କି କିଛି … ? ଲାଜ ତ ଲାଗୁଛି ଏକଥା ସତ , ପ୍ରାୟଶ୍ଚିତ କରିବାର ଉପାୟ ହେଲା ପ୍ରକାଶିତ ହୋଇଯାଉ ସତ …। ଆଉ କୁଣ୍ଠାବୋଧ କଲେ…ହେତ୍ ଜବା ବଡ ହେଲାଣି। ଗ୍ରହଣ କରି ପାରୁଛି କି ନାହିଁ ମୋତେ… ବାପା ବୋଲି ତାଙ୍କୁ …ଆଉ ଡକ୍ଟର ଦେବିକା …ବାପରେ, ଏସବୁ ସହଜ ନୁହେଁ ଆଦୌ …।

କିଏ ପଢିବ ମନକୁ ମ…କେତେ ବି ପଢିବ। ମନଟା ବହି କେତେବେଳେ , କେତେବେଳେ ସାଧା କାଗଜ…ଲେଖ ,ପଢ, ଚିତ୍ର କର, ଚିତ୍ରିତ କଳେବର ..ବହୁବର୍ଣ୍ଣା ।

ଦାଦାଭାଇଙ୍କ ପାଖକୁ ଆମେ ଗଲୁ ସିନା , ମୋତେ ଏକୁଟିଆ ଯିବାକୁ ମନହେଉଥିଲା। ଅସୁସ୍ଥ ମଣିଷ, ନର୍ସିଂ ହୋମରେ ସେ…ଏଇଠି କି କଥା। ଦୁଇ ଡାକ୍ତର ଆଣ୍ଟିଙ୍କ ସହ ଆଉଜଣେ ନୂଆ ମଣିଷ, ମାଆ ଡାକି ପାରୁଛି କି ତାଙ୍କୁ …। ଏପଟେ ଦେବିକା ଆଣ୍ଟି ବି ମାଆ…କିଏ ଜନ୍ମ ଦିଏ,କିଏ ପାଳେ, ଆଉ କିଏ ଉତ୍ତରୋତ୍ତର ଉନ୍ନତି କଳ୍ପେ କୁନି ଦୀପଟିଏ ହୋଇଯାଏ …।ସମସ୍ତେ ମାଆ, କେତେ ପ୍ରକାର..କେତେ ବାଗର…ଲକ୍ଷ୍ମୀ, କାଳୀ ,ସରସ୍ବତୀ, ଦୁର୍ଗା … କେତେ ନାମ, କେତେ କଥା।

ଦାଦାଭାଇ ଚିହ୍ନି ପାରିଲେନି କି ନ ଚିହ୍ନିବାର ଅଭିନୟ କଲେ କେଜାଣି ! ବୟସ୍କ ପୁଣି ଅସୁସ୍ଥ..। ମିଥିଳାଦିଦି କୋଉ ଭଲ ଅଛି ଏବେ…କିଏ କରିବ ତାଙ୍କର…ମୋ ମୁହଁକୁ ଦେଖି ବୁଝିଗଲେ ଆଣ୍ଟି, ‘ବ୍ୟସ୍ତ କାହିଁକିରେ, ସବୁ ଠିକ୍ ହବ। ନାରଣଗଡ କାମ ଆଗେଇଛି ମାନେ ଆଗକୁ ଆଗକୁ ସବୁ ଭଲ ହେବ।’ ଆଶ୍ବସ୍ତ ହେଲି। କିନ୍ତୁଟିଏ ମନକୁ ଆମ୍ପୁଡି ରାମ୍ପୁଡି ଦେଉଥିଲା।

ମୁଁ ଯାହାକୁ ମା’ ଡାକୁଥିଲି ତାକୁ ହିଁ ମାଆ ବୋଲି ଡାକିବି। ନଥାଉ ସେ ମୋ’ ଡାକ ଶୁଣିବାକୁ, ସେ ହିଁ ମାଆ। ବାକି ସବୁ ଆଣ୍ଟି ମୋ’ର। ଡାକରେ କଣ ଅଛି ? ଭାବରେ ଭାବରେ ପ୍ରକାଶିତ ହେଉଛି … ହେଉଥିବ …। ଦାୟିତ୍ୱ ମୋ’ର ,ତୁଲାଇବାକୁ ପଡିବ ନିଶ୍ଚୟ ମୋତେ । ( କ୍ରମଶଃ )

Comments are closed.