ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନାମରେ ଏଭଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ସ୍ୱାଧୀନ ଭାରତର ଇତିହାସରେ ଅନ୍ୟ କାହା ପାଖରେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିବାର ରେକର୍ଡ ଭାଙ୍ଗିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହାତରୁ ‘ଝାଲମୁଢି’ ଖାଇଥିଲେ। ଏହି ସମୟରେ ସେଠାରେ ବିଜେପିର ବହୁ ବରିଷ୍ଠ ନେତା ଏବଂ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଏହା ପରେ, ଏନ୍ଡିଏ ସହଯୋଗୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ
ସେ କହିଥିଲେ ଯେ, ‘ଆପଣମାନେ ଆଜିର ଦିନକୁ ମୋ ପାଇଁ ସ୍ମରଣୀୟ କରିଦେଇଛନ୍ତି। ରାଜନୈତିକ ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛୁ। ସବୁଠାରୁ ଲମ୍ବା ସମୟ ଧରି ସେବା ସୁଯୋଗ ପାଇଁ ସୌଭାଗ୍ୟ ମନେ କରୁଛି। କଂଗ୍ରେସ ବିଶ୍ବାସଘାତକତା କରିବା ପରେ ଲୋକେ NDAକୁ ଭରସା କରିଛନ୍ତି। ୨୦୧୪ରେ ନୂଆ ସୂର୍ଯ୍ୟୋଦୟ ହୋଇଥିଲା, ଆଜି ତାର ସୁଫଳ ମିଳୁଛି। ବିଗତ ୧୨ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ମିଳିଛି। ଯୁବକ, ମହିଳା ଓ ମଧ୍ୟବିତ୍ତ ଶ୍ରେଣୀର ବିକାଶ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ ଚାଲିଛି। ବିକଶିତ ଭାରତର ସ୍ବପ୍ନ ଆଉ କୌଣସି ଜଣେ ବ୍ୟକ୍ତି ପାଖରେ ସୀମିତ ନାହିଁ। ଆଜି ଦେଶର ପ୍ରତିଟି ବ୍ୟକ୍ତି ବିକଶିତ ଭାରତ ନେଇ ସ୍ବପ୍ନ ଦେଖୁଛନ୍ତି।’
ସେ ଆହୁରୀ କହିଛନ୍ତି, ‘୨୦୧୪ରେ ୭୪ ଏୟାରପୋର୍ଟ ଥିଲା, ୨୦୨୬ରେ ୧୬୦ ଏୟାରପୋର୍ଟ। ୨୦୧୪ରେ କେବଳ ୫ ସିଟିରେ ମେଟ୍ରୋ ଥିଲା, ଏବେ ୨୦ ସିଟିରେ ମେଟ୍ରୋ। ୨୦୧୪ରେ ପ୍ରତିରକ୍ଷା ରପ୍ତାନୀ ୭ ଶହ କୋଟି ଥିଲା, ଏବେ ୨୩ ହଜାର କୋଟି। ୨୦୧୪ରେ ୨୫ କୋଟି ଇଣ୍ଟରନେଟ ସୁବିଧା ପାଉଥିଲେ, ଏବେ ୧୦୦ କୋଟିଙ୍କୁ ସୁବିଧା। କେବଳ ସେତିକି ନୁହେଁ ପିଏମ୍ ମୋଦି କହିଛନ୍ତି, ଦେଶର ଜନତା ଲଗାତାର ସରକାରଙ୍କ କାମକୁ ଦେଖୁଛି ଓ ପ୍ରଶଂସା ମଧ୍ୟ କରୁଛି। ଏହି ସଫଳତା ପୁରା ଏନଡିଏ ପରିବାରର ସାମୁହିକ ଉପଲବ୍ଧି। ଆଜି, ମୁଁ ସନ୍ତୁଷ୍ଟ ଏବଂ ଗର୍ବିତ ଯେ ଏନଡି ପରିବାର ଭାବରେ, ଆମେ ସର୍ବଦା ଦେଶର ବିଶ୍ୱାସକୁ ସୁଦୃଢ଼ କରିଛୁ।’