ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓରୁ ଅତି ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ ହଜିବା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏକ ବିଧିବଦ୍ଧ ଏତଲା ଦାଏର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସିଏମଓରୁ ଦୁଇଟି ବହୁଚର୍ଚ୍ଚିତ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟ ଗାଏବ ହୋଇଯାଇଛି। ପ୍ରଥମଟି ହେଉଛି କନ୍ଧମାଳର ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ନାଇଡୁ କମିଶନଙ୍କ ରିପୋର୍ଟ। ସେହିପରି ଦ୍ୱିତୀୟଟି ହେଲା ରାଜଧାନୀର ସମ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ସମ୍ପର୍କିତ ଆରଡିସିଙ୍କ ତଦନ୍ତ ରିପୋର୍ଟ। ଏହି ଦୁଇଟି ସମ୍ବେଦନଶୀଳ ଫାଇଲ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନଥିବା ଜଣାପଡିଛି।
ଫାଇଲ ହଜିବା ଘଟଣାକୁ ଗମ୍ଭୀରତାର ସହ ନେଇ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଛନ୍ତି। ଏହା ପୂର୍ବରୁ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ସିଏମଓରେ ଏହି ଦୁଇଟି ଫାଇଲ ଉପଲବ୍ଧ ନଥିବା କଥା ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ମନ୍ତ୍ରୀଙ୍କ ବୟାନ ପରେ ଗୃହ ବିଭାଗ ପକ୍ଷରୁ ତୁରନ୍ତ ଥାନାରେ ଅଭିଯୋଗ କରାଯାଇଛି।
ସବୁଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ କେମିତି ଏବଂ କୁଆଡେ ଗାଏବ ହେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି। କେହି ଜାଣିଶୁଣି ଏହି ଫାଇଲ ଲୁଚାଇଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସନ୍ଦେହ ଘେରରେ ଅଛି। କ୍ୟାପିଟାଲ ଥାନା ପୋଲିସ ଏହି ମାମଲାକୁ ଗ୍ରହଣ କରିବା ସହ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ପୋଲିସର ଖୋଳତାଡ଼ ପରେ ହିଁ ଫାଇଲ ହଜିବା ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।