କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା। ଗୋଟିଏ ସମୟରେ ମମତାଙ୍କର ସବୁଠାରୁ ବିଶ୍ୱସ୍ତ ଏବଂ ତୃଣମୂଳ କଂଗ୍ରେସର ଯୁବ ଚେହେରା ଭାବେ ପରିଚିତ ସାୟନୀ ଘୋଷ ଏବେ ଦଳ ଛାଡିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏକ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇ ଏନଡିଏ ମେଣ୍ଟ ଆଡ଼କୁ ଢଳୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
ସାୟନୀ ଘୋଷଙ୍କୁ ଟିଏମସିର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବେ ଗଣାଯାଏ। ନିଜର ଆକ୍ରମଣାତ୍ମକ ଭାଷଣ ଏବଂ କଠୋର ବିଜେପି ବିରୋଧୀ ଆଭିମୁଖ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିଲେ। ଅଭିନୟ ଜଗତରୁ ଆସି ରାଜନୀତିରେ ପାଦ ଥାପିଥିବା ସାୟନୀ ମମତାଙ୍କର ଜଣେ ଘନିଷ୍ଠ ସମର୍ଥକ ଥିଲେ। ବିଭିନ୍ନ ସମୟରେ ଦଳ ପାଇଁ ସେ ଢାଲ ସାଜି ଠିଆ ହେଉଥିଲେ। କିନ୍ତୁ ଏବେ ତାଙ୍କର ଏହି ନୂଆ ଆଭିମୁଖ୍ୟ ଏବଂ ବିରୋଧୀ ଶିବିର ପ୍ରତି ଆକର୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ନିକଟରେ ପଶ୍ଚିମବଙ୍ଗରେ ଘଟିଥିବା ରାଜନୈତିକ ଉଥାନପତନ ପରେ ଟିଏମସି ଭିତରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦଳର ଅନେକ ନେତା ଅସନ୍ତୁଷ୍ଟ ଥିବା ସୂଚନା ମିଳୁଛି। ଏଭଳି ପରିସ୍ଥିତିରେ ସାୟନୀଙ୍କ ଭଳି ଜଣେ ପ୍ରଭାବଶାଳୀ ଯୁବ ନେତ୍ରୀ ଯଦି ଏନଡିଏ କ୍ୟାମ୍ପକୁ ଯାଆନ୍ତି ତେବେ ଏହା ଶାସକ ଦଳ ପାଇଁ ଏକ ବଡ଼ କ୍ଷତି ସାବ୍ୟସ୍ତ ହେବ।
କେବଳ ସେତିକି ନୁହେଁ ଆଗାମୀ ଦିନରେ ରାଜ୍ୟରେ ଏନଡିଏର ସ୍ଥିତି ଆହୁରି ମଜବୁତ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଯେଉଁ ନେତ୍ରୀ ଦିନେ ବିଜେପି ବିରୋଧରେ ଖୋଲାଖୋଲି ବିଷୋଦ୍ଗାର କରୁଥିଲେ ସେ ଏବେ ସେହି ଶିବିରରେ ସାମିଲ ହେବା ଏକ ବଡ଼ ରାଜନୈତିକ ବିଡ଼ମ୍ବନା। ଏହି ପରିବର୍ତ୍ତନ ବେଙ୍ଗଲ ରାଜନୀତିର ସମୀକରଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବାର ଆଶଙ୍କା ରହିଛି। ବର୍ତ୍ତମାନ ସମସ୍ତଙ୍କ ନଜର ସାୟନୀଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ରହିଛି।