Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ପ୍ରଥମ ଗେଟ୍ ପାର୍ ହେବା ପରେ ପଦ୍ମିନୀ ଆଗକୁ ଲକ୍ଷ୍ୟ ରଖି କହିଲା- ମତେ ଷ୍ଟେସନରେ ଓହ୍ଲେଇ ଦେ, ଟ୍ରେନ ଏବେ ଆସୁଥିବ ।

– କାହିଁକି ?

ପଦ୍ମିନୀ ଦ୍ୱିଧା ଜଡ଼ିତ କଣ୍ଠରେ ବାରଣ କଲା- ନାଁ, କାଳେ ତାଙ୍କ ଗାଡ଼ିରେ ତୋ ସହ ଯାଉଥିବା ଦେଖି ଚନ୍ଦ୍ରଭାନୁ ମତେ ଯଦି କିଛି ଅସ୧ାନ ଜନକ ଭତ୍ସନା କରନ୍ତି… ଛାଡ଼ିଲା ସ୍ତ୍ରୀର ମୁହଁ ଦେଖନ୍ତିନି ପରା…. !

– ହୋଇପାରେ; କିନ୍ତୁ ଆମେ ତ ବାରଙ୍ଗ ଟପିଲେଣି । ଭୁବନେଶ୍ୱରରୁ ଚନ୍ଦ୍ରଭାନୁଙ୍କ ଆଖି ଏତେ ଦୂର ଆସିପାରିବନି ।

ନିରୁତ୍ସାହିତ କଣ୍ଠରେ କେତେ ପଦ କହି ମୀନାକ୍ଷି ଗାଡ଼ିର ଗତିକୁ ଆହୁରି ତୀବ୍ର କଲା । ପ୍ରାୟତଃ ଜନହୀନ ରାସ୍ତାରେ ନୂଆ ଗାଡ଼ିଟି ଦୁଇ ପୁରୁଣା ସାଙ୍ଗକୁ ଆଶ୍ରୟ ଦେଇ ଆଗକୁ ଗଡ଼ି ଚାଲୁଥିଲା । ଗୋଟିଏ ଘଟଣାକୁ ନେଇ ଉଭୟଙ୍କ ମନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଖେଳୁଥିଲା ।

ମନ ମଧ୍ୟରେ ଏକାଧିକ ପ୍ରତିକ୍ରିୟା ଜନିତ ଚିନ୍ତା ହେତୁ ମୀନାକ୍ଷିର କପାଳ କ୍ରମଶଃ ସ୍ୱେଦାକ୍ତ ହୋଇ ଉଠୁଥିଲା । ଅସ୍ୱସ୍ତି ଅନୁଭବ କରି ସେ ଗୋଟିଏ ହାତରେ ଷ୍ଟିଅରିଂ ଧରି ଅନ୍ୟ ପାପୁଲିରେ କପାଳରୁ ଘର୍ମ ଅପସାରଣ କଲା ।

ପଦ୍ମିନୀ ଦେଖିଲା, ଝାଳ ପୋଛିବା ସମୟରେ ହାତ ପାପୁଲି ବାଜି ମୀନାକ୍ଷି କପାଳର ସିନ୍ଦୁର ଚିହ୍ନ ଲିଭି ଯାଇଛି ।

ହଠାତ୍ ତା’ ମୁହଁରୁ ବାହାରିପଡ଼ିଲା- ମୀନା…. ! ତା’ର ଚିତ୍କାରରେ ସମ୍ମୁଖ ରାସ୍ତାରୁ ଦୃଷ୍ଟି ଫେରାଇ ଆଣି ସେ ପଦ୍ମିନୀ ଆଡ଼କୁ ଚାହିଁଲା । – କିରେ, କାହିଁକି ଏମିତି ଚିତ୍କାର କଲୁ ?

ଦୀର୍ଘଶ୍ୱାସ ଛାଡ଼ି ଅସ୍ୱାଭାବିକ କଣ୍ଠରେ ସେ ଜବାବ ଦେଲା- ନାଁ, କିଛି ନାହିଁ…. ଗାଡ଼ି ଚଳାଅ… । ମୀନାକ୍ଷି ଅପେକ୍ଷାକୃତ ଅଧିକ ବେଗରେ ଗାଡ଼ିର ଗତିକୁ ବଢ଼ାଇଲା ।

କ୍ରମଶଃ…

Leave A Reply

Your email address will not be published.