କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଏତେବେଳେ ଯାଇ ମୀନାକ୍ଷି ମୁହଁ ଖୋଲିଲା- ଆଉ ସେ ପଠାଇଥିବା ବିବାହ ବିଚ୍ଛେଦ ଦଲିଲକୁ କ’ଣ କଲୁ ?
ତା’ ହାତକୁ ମୁଠେଇ ଧରିଲା ପଦ୍ମିନୀ- ଏଇ ଗୋଟିଏ ଭୁଲ କରିଛି ମୀନାକ୍ଷି ।
ଶତଚେଷ୍ଟା କରି ମଧ୍ୟ ସେଥିରେ ଦସ୍ତଖତ କରିବାକୁ ହାତ ମୋର ଗଲାନାହିଁ । ବାକ୍ସ ତଳେ କାଗଜ ଖଣ୍ଡିକ ସେମିତି ପଡ଼ି ରହିଛି । ଜୀବନର ପରାଜିତ ଅଧ୍ୟାୟକୁ ଏକ ନିଃଶ୍ୱାସରେ ଖୋଲି ଧରିବା ପରେ ପଦ୍ମିନୀ ଏକ ରକମ ସ୍ୱସ୍ତିର ଦୀର୍ଘଶ୍ୱାସଟିଏ ଛାଡ଼ିଲା । ମୁହଁ ଉଠାଇ ମୀନାକ୍ଷିକୁ ଚାହିଁଲା । ଏତେ ସମୟ ଧରି ନିଜକୁ ଅପରାଧି ଭାବୁଥିବା ତା’ର ସୁଢଳ ସୁନ୍ଦର ମୁହଁରେ ଆଉ ସରସତା ନଥିଲା । ମଉଳା ଫୁଲଟିଏ ଭଳି ସେ ମନେ
ହେଉଥିଲା ।
ପଦ୍ମିନୀ ମୀନାକ୍ଷିର ଅଧିକ ନିକଟର୍ବୀ ହୋଇ ପଣତକାନିରେ ଲୁହ ପୋଛି ଦେଉଦେଉ କହିଲା- ନଦୀର ସ୍ରୋତ କେତେ ଘାତ ପ୍ରତିଘାତର ସମ୍ମୁଖୀନ ହେଲେ ବି କୂଳର କିଛି କ୍ଷତି ହେବାକୁ ମୁଁ ଦେବିନି ମୀନା ! ତୁ କାନ୍ଦେନି… ।
ଲୁହ ଢ଼ଳଢ଼ଳ ଆଖି ନେଇ ସେ ଚାହିଁଲା ପଦ୍ମିନୀକୁ ।
– ଆମ ବନ୍ଧୁତାକୁ ଭୁଲିଗଲୁ ପଦ୍ମିନୀ ? ଏମିତି କ’ଣ ପାଗଳୀଙ୍କ ଭଳି କହୁଛୁ ? ତୁ ଘାତ ପ୍ରତିଘାତ ସହିସହି ଆଗକୁ ବଢ଼ୁଥିବା ନଦୀର ଧାରା ହେଲେ, ମୁଁ ତୋର ଦୁଇ ଅଥର୍ବ କୂଳ ହୋଇ ରହିବାକୁ କେବେ ବି ଚାହିଁବିନି । ତୋ ଧାରା ସହ ଗୁଡ଼େଇ ହୋଇ କେତେ ମୁଠା ଭିଜା ଫୁଲ ଭଳି ଭାସିବାକୁ ଚାହେଁ । ଭୁଲ ବୁଝିବୁନି ସାଙ୍ଗ, ଏ ସବୁ ମୁଁ କିଛି ଜାଣିନି । ବହୁତ ହେଇଗଲା ପଦ୍ମିନୀ, ଆଉ ଏବେ ମୁଁ ତୋ ରାସ୍ତାରେ ପାଚେରୀ ହେଇ ଛିଡ଼ା ହେବିନି । ଦୀପଶିଖା ହୋଇ ତୋର ଅନ୍ଧାର ପଥକୁ ସହଜ କରିବାକୁ ଚେଷ୍ଟା କରିବି । ଯାହା ବା ଘଟି ଯାଇଛି, ସେଥିପାଇଁ ମୁଁ ଅନୁତପ୍ତ । ବୁଝି ବିଚାରି ବିବାହ କରିବାକୁ ତତେ ପରାମର୍ଶ ଦେଇଥିଲି । ମନେଥିବ ତୋର । ଅଥଚ ମୁଁ ଏ ଭୁଲ କିପରି କରିବସିଲି । କ୍ଷମାଦେବୁ…. ଆସୁଛି ।
ଲୁହ ଧାରରେ ଚିକ୍ଚିକ୍ ଦିଶୁଥିବା ଗୌରଗଣ୍ଡକୁ ଦୁଇ ପାପୁଲିରେ ପୋଛି ପୋଛି ଏକରକମ ଦୌଡ଼ି ଚାଲିଗଲା ମୀନାକ୍ଷି ।
ପଦ୍ମିନୀ ତାକୁ ଅଟକାଇ ପାରିଲାନି ।
କ୍ରମଶଃ
Comments are closed.