Latest Odisha News

ଚରମ ସୀମାରେ ପ୍ରଦୂଷଣ: ନ ରୋକିଲେ ନିଶ୍ଚିହ୍ନ ହୋଇଯିବ ମାନବତା !

ନୂଆଦିଲ୍ଲୀ:ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ରୋକିବାକୁ ପଡିବ । ପ୍ରଦୂଷଣ ଯୋଗୁ ଜଳବାୟୁ ପରିବର୍ତ୍ତନ ଏକ ବଡ ବିପର୍ଯ୍ୟୟକୁ ଆମନ୍ତ୍ରଣ କରୁଛି । ଯଦି ଏହି ସମ୍ଭାବ୍ୟ ବିପର୍ଯ୍ୟୟ ରୋକିବା ପାଇଁ ମଣିଷ ପାଖରେ ଏବେ ବି ସୁଯୋଗ ରହିଛି । ହେଲେ ଏହା ଶେଷ ସୁଯୋଗ । ଏହି ସୁଯୋଗ ହାତଛଡା କରିଦେଲେ ସ୍ଥିତି ଅସମ୍ଭାଳ ହେବ । ଏପରିକି ମାନବ ସମାଜ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ବି ରହିଛି । ଜାତିସଂଘ ବୈଜ୍ଞାନିକଙ୍କ ଶୀର୍ଷ କମିଟି ଏମିତି ସତର୍କ ସୂଚନା ଜାରି କରିଛି । ଶୀର୍ଷ କମିଟି ଏ ନେଇ ଏକ ସ୍ୱତନ୍ତ୍ର ରିପୋର୍ଟ ଜାରି କରି ଏହାକୁ ମାନବତା ଲାଗି ସରଭାଇଭାଲ ଗାଇଡ ବୋଲି କହିଛି ।

ବୈଜ୍ଞାନିକ କମିଟି ପକ୍ଷରୁ କୁହାଯାଇଛି, ୨୦୩୫ ସୁଦ୍ଧା ଅଙ୍ଗାରକ ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାରକୁ ପାଖାପାଖି ଦୁଇ ତୃତୀୟାଂଶ କମାଇବାକୁ ହେବ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି, ଆଗାମୀ ଦଶନ୍ଧି ମଧ୍ୟରେ ସମସ୍ତ ରାଷ୍ଟ୍ର ଶୂନ୍ୟ ଅଙ୍ଗାରକ ନିର୍ଗମନ ରାସ୍ତା ଆପଣେଇବା ଆବଶ୍ୟକ । ଧନୀ ରାଷ୍ଟ୍ରଗୁଡିକ ୨୦୪୦ ସୁଦ୍ଧା କୋଇଲା, ତେଲ ଏବଂ ଗ୍ୟାସର ଉପଯୋଗ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର ।

ରିପୋର୍ଟରେ କୁହାଯାଇଛି, ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସରକାରମାନେ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସଠାରୁ ଅଧିକ ନ ହେବାକୁ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । କିନ୍ତୁ ବିଶ୍ୱ ତାପମାତ୍ରା ୧.୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇସାରିଛି । ୨୦୩୦ ଦଶକ ସୁଦ୍ଧା ଏହା ୧.୫ ଡିଗ୍ରୀ ସେଲସିୟସ ପାର କରିବା ନେଇ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେଣୁ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଦେଶଗୁଡିକ ପ୍ୟାରିସ ଜଳବାୟୁ ଚୁକ୍ତି ଅନୁସାରେ ୨୦୩୫ ସୁଦ୍ଧା ପ୍ରଦୂଷଣ ହ୍ରାସ ଳକ୍ଷ୍ୟ  ଉପରେ ଗୁରୁତ୍ୱ ଦେଇ କାମ କରିବାକୁ ପଡିବ  । କମିଟି ଆହୁରି କହିଛି, ପ୍ୟାରିସରେ ଧାର୍ଯ୍ୟ ତାପାମାତ୍ରା ସୀମା ଅନୁସାରେ ବିଶ୍ୱକୁ  ୨୦୧୯ ତୁଳନାରେ ୨୦୩୫ ସୁଦ୍ଧା ନିଜ ସବୁଜ ଗୃହ ବାଷ୍ପ ନିର୍ଗମନରେ ୬୦ ପ୍ରତିଶତ ହ୍ରାସ ଆଣିବାକୁ ପଡିବ । ଜଳ ବୈଜ୍ଞାନିକ ଅଦିତି ମୁଖାର୍ଜୀ କହିଛନ୍ତି, ‘ଆମେ ଠିକ ରାସ୍ତାରେ ଯାଉନାହୁଁ । କିନ୍ତୁ ଏବେ ବି ବିଳମ୍ବ ହୋଇନାହିଁ ।’

ସେହିପରି ରିପୋର୍ଟରେ ସହ ଲେଖକ ଫ୍ରାନ୍ସିତ ଏକ୍ସ କହିଛନ୍ତି, ୧.୫ ଡିଗ୍ରୀ ପରେ ବିପଦ ଆହୁରି ବଢିଯିବ । ଏହାଯୋଗୁ ଜଳବାୟୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ ।

ତେଣୁ  ରିପୋର୍ଟରେ ଜଳବାୟୁ ପରିବର୍ତ୍ତନକୁ ମାନବ କଲ୍ୟାଣ ଏବଂ ଗ୍ରହର ସ୍ୱାସ୍ଥ୍ୟ ପାଇଁ ବିପଦ ଦର୍ଶାଇ କୁହାଯାଇି, ଚଳିତ ଦଶକରେ ଲାଗ ହୋଇଥିବା ବିକଳ୍ପ ଏବଂ କାର୍ଯ୍ୟର ପ୍ରଭାବ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ରହିବ । ତେଣୁ ଏହାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର ଆଗେଇ ଆସିବା ଉଚିତ । ନଚେତ ମାନବତା ନିଶ୍ଚିହ୍ନ ହୋଇଯିବାର ଆଶଙ୍କା କରିଛନ୍ତି ପରିବେଶ ବିଜ୍ଞାନୀ । ।

Leave A Reply

Your email address will not be published.