Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ତମେ କେଉଁଠି ସୁଜାତା ? କି ପରିସ୍ଥିତିରେ ମୁଁ ତମକୁ କେଉଁଠି ହଜାଇ ଦେଇଛି ? ମୁଁ ଜାଗ୍ରତ ଥିବା ଅବସ୍ଥାରେ ତମେ କେଉଁଠି ଲୁଚିଗଲ ? ଆଜି ଆସ ସୁଜାତା… ଆମେ ନନ୍ଦିନୀ କୂଳକୁ ଯିବା… ତମ ପ୍ରେରଣାରେ ମୋ ତୂଳୀ ସଜୀବ ହୋଇଉଠିବ… ଓଃ ସୁଜାତା… ତମେ କେଉଁଠି ଜିତା… ?

ବିରହ, ବ୍ୟାଧି ଓ ଭାବାବେଶର ମିଶ୍ରିତ ପ୍ରଭାବରେ ତାଙ୍କ ଆଖିରୁ ଧାରଧାର ଅଶ୍ରୁ ଝରିଯାଉଥିଲା । ତାଙ୍କ ଜୀବନର ପ୍ରିୟତମା ନାରୀ ଉଦ୍ଦେଶ୍ୟରେ ଝରୁଥିବା ଲୁହକୁ ପଦ୍ମିନୀର ଦୁଇ ପାପୁଲି ଅଟକାଇ ପାରୁନଥିଲା । ନିୟତିର ପ୍ରସ୍ତର ଆଘାତରେ ହୃଦୟର ସର୍ବାପେକ୍ଷା ନମନୀୟ ସ୍ଥାନରେ ଯେଉଁ ଆଘାତ ଲାଗେ; ତା’ର ଉପଶମ କିଏ ଅବା କରିପାରିବ ?

ପଦ୍ମିନୀ ପାରିଲାନି ।

କେବଳ ସ୍ନେହ-ମମତା ଓ କରୁଣାର ଶୀତଳ ହାତରେ ତାଙ୍କ ଲୁହଧାରକୁ ପୋଛି ଦେଉ ଦେଉ କହିଲା- ମୁଁ ପଦ୍ମିନୀ ସରୋଜବାବୁ ! ସୁଜାତା ନୁହେଁ…. । ସଚେତନ ହୋଇଉଠିଲେ ସରୋଜ । ପଲକ ଉଠାଇ ଦେଖିଲେ ଯେଉଁ ନାରୀର ଅପାଶୋରା ସ୍ମୃତିରେ ଏତେବେଳଯାଏ ସେ ବିଭୋର ଥିଲେ, ସେ ନାହିଁ ।

ତାଙ୍କ ଶଯ୍ୟାଧାରରେ କାରୁଣ୍ୟ ଓ ସହାନୁଭୂତିର ନାରୀ ପ୍ରତିମାଟିଏ ନିରବରେ ବସି ତାଙ୍କ ଉପରୁ ଆଖି ଫେରାଇ ପାରୁନି ।

ସରୋଜ ବିମର୍ଷ ହୋଇଉଠିଲେ । ତାଙ୍କ ମନ ଫରୁଆରୁ ଅନେକ କଥା ଫିଟି ପଡ଼ିବାକୁ ଉଦ୍ୟତ ହେଉଥିଲା । ସେ କିନ୍ତୁ କିଛି କହିପାରିଲେନି । ସରୋଜ ମୁହଁରୁ ବାରଂବାର ‘ସୁଜାତା’ ନାମ ଶୁଣି ପଦ୍ମିନୀ ମନରେ ଭାବାନ୍ତର ସୃଷ୍ଟି ହୋଇଥିଲେ ସୁଦ୍ଧା ସେ ବିଷୟରେ ତାଙ୍କୁ ପଚାରିବା ଏବେ ଉଚିତ ନୁହେଁ ଭାବି ସେ ଚୁପ ରହିଲା । ପାଖ କୋଠରୀରୁ ବିଶ୍ୱାସର ଡାକ ଶୁଭିଲା ।

 

କ୍ରମଶଃ

Leave A Reply

Your email address will not be published.