ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୧
ନୂଆ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଉଥିଲି। ବଦଳୁଥିଲା ଆମ ଗାଁର ଭୂଗୋଳ ଓ ଭାଗ୍ୟ। ନାଗଲୁ, ସୌରୀ, ରତିଆ, ପଦୁଅଁ, କାଳୀଇତ୍ୟାଦିଙ୍କୁ ନେଇ ମୋ’ ପରିବାର ପୁଷ୍ଟ ହେଉଥିଲା।ପୁରୁଖା ଲୋକେ ମିଶିକି ଜଗୁଆଳି କାମଠାରୁ ଆରମ୍ଭ କରି ଯାବତୀୟ ଚେଷ୍ଟା କରୁଥିଲେ ସହଜ ସାବଲୀଳ କରିବାପାଇଁ। କେନାଲ ପାଣି ଆସିଲା…। ସମସ୍ୟାର ସମାଧାନ ହେଉଥିଲା।ପୁଣି, ନୂଆ ସମସ୍ୟା ମୁଣ୍ଡ ଟେକୁଥିଲା। ଏକପ୍ରକାର ମ୍ୟାନେଜ କରିବାର କୌଶଳ ପାଇଯାଇଥିଲି।
ସରକାରୀ ପ୍ରୋତ୍ସାହନ ମିଳୁଥିଲା। ବିଭିନ୍ନ ସେମିନାରରେ ଯୋଗଦେଉଥିଲି।କର୍ମଚଞ୍ଚଳ ଜୀବନ…ବାପା ଦେଖ, ତୁମ ଅମୃତାକୁ… ଏକା ଏକା କହିହେଉଥିଲି। ମାଆଗୋ, ଟିକେ ଟିକେ କଥାରେ ଅଭିମାନ କରୁଥିବା ଝିଅଟି ଆଜି ଖୋଜିହେଉଚି ସେଇ ସେଦିନଗୁଡିକୁ …ବର୍ଷୁକୀ ସନ୍ଧ୍ୟାକୁ…ମନକଥା ମନରେ ରଖି ଭିଜିଯାଉଥିଲି ନୀରବରେ।ତୁ ବିନ୍ଦୁ ଥିଲୁ ,ଦେଖ ଆଜି ସିନ୍ଧୁ କେମିତି ହେଉଚି ସେସବୁ …।ବୁନ୍ଦାଟିଏ କେତେବେଳେ ମହାସାଗର ହୋଇଯାଏ!’ଜୀବନବିନ୍ଦୁ’….ମୋ’ ସ୍ବପ୍ନର ପ୍ରଜେକ୍ଟ।
ସମୟ କୋଉ ପାଉଥିଲି ଯେ ଭାବିବି ବେଶିକିଛି ନିଜ ବିଷୟରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବିଭାଗଦ୍ବାରା ବିଭିନ୍ନ ପ୍ରକାର ସହଯୋଗ ଯୋଗାଇଦେବା ଫଳରେ ସୁବିଧା ବହୁତ ହେଉଥିଲା।ଜଞ୍ଜାଳ ଥିଲା ସତ ମିଠା ମିଶି ରହିଥିଲା ଓତଃପ୍ରୋତ ଭାବରେ।
ନିଜ ରାଜ୍ୟରେ ପାଦ ଥାପୁଥିଲି ଦୃଢତାରସହ । ‘ଜୀବନବିନ୍ଦୁ’ର ସଫଳତା ରାଜ୍ୟ ବାହାରେ ଏବେ..। ବଜାର ଅନୁସାରେ ବେପାର..।ସମ୍ଭାଳି ପାରୁଥିଲି। ଅନେକ ସହଯୋଗୀ ମିଳିଗଲେଣି ଏବେ। ଇରା, ସୋଫିଆ, ସାର୍ଥକ, ଚିରାଗ ବେଶ ଆଗ୍ରହର ସହ କାମକରୁଛନ୍ତି।ଦେଶ ଭିତରେ କାମକଲେବି ବିଦେଶରେ କିପରି ପ୍ରତିଷ୍ଠିତ ହେବ ସେପାଇଁ ସେମାନେ ଆଗ୍ରହୀ। ଆମ ହସ୍ତଶିଳ୍ପ ଓ ଛଉ ଉପରେ କାମ କରିବାକୁ ସାରଦା,ଉତ୍କର୍ଷ,ଇଭା,ମେଘନା,ମଲ୍ଲାର ମୋ’ ପଛରେ ପଡିଥିଲେ।ଧୈର୍ଯ୍ୟ ଧରକହିଲେ,ତର ନଥିଲା କାହା ପାଖରେ।ସମୟ ନଷ୍ଟ ନକରି କାମ …ଆଉ କାମ…ପାହାଚ ପରେ ପାହାଚ … ।
ନୂଆ ଜିଲ୍ଲାପାଳ ଶ୍ରୀହର୍ଷ କାମର ତାରିଫ ସହ ବେଶ ସହଯୋଗ କରୁଥିଲେ। ପଶି ଆସୁଥିଲେ କେବେ କେମିତି ମୋ’ ଜୀବନ ପରିଧିକୁ।ଆସ ଯିଏ ଆସିବ…। ଅନନ୍ୟା ଯେ…କ’ଣ ଧରାଦେବ… ଗୋଟେଇ ପୋଟେଇ ଚାଲିଥିଲି। ସହର ମୁହାଁ ଲୋକେ ଗାଁରେ ସବୁ ସୁବିଧା ପାଉଥିଲେ। ସବୁଠାରୁ ବଡକଥାହେଲା, ଏଆରପୋର୍ଟ ହୋଇଗଲା ପାଖରେ। ଆମ ‘ଜୀବନବିନ୍ଦୁ’ର ଉନ୍ନତି ପଥ ଖୋଲିଗଲା। ଆଖ ପାଖରେ ଆଉ ଅନେକ ଆରମ୍ଭ କଲେ ଛୋଟ ବଡ ଶିଳ୍ପାନୁଷ୍ଠାନ। ପ୍ରଥମେ ଆରମ୍ଭ ଆମେ କଲୁ,ଆଗୁଆ ରହିଲୁ । ଚକ୍ଷୁଶୂଳ ହେଉଥିଲୁ,ହାରିବାକୁ କେହି ରାଜି ନଥିଲୁ।ମିଳିମିଶି କାମ କରିବାର ମଜା ନେଉଥିଲୁ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ତଥା ଅଧା ପାଠୁଆଙ୍କୁ ନେଇ ସଂଗଠିତ ହେଲା ଆଉ ଏକ ନୂଆ ରାସ୍ତା।ଦାୟିତ୍ୱ ବଢୁଥିଲା। ବଢୁଥିଲା ସମୟ…କେତେ ଜଲଦି କଟିଯାଉଥିଲା ମ । ଏକା ନୁହେଁ ସାଙ୍ଗ ହୋଇ କାମ ହେଉଥିଲା ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ ଭାବରେ।ଜୀବନ ଆରମ୍ଭ ହେଉଥିଲା ବୋଧହୁଏ …।କୋଉଦିନ କୋଉଠି କେତେ କାମ,କେତେ ସଂଗଠନ, କେତେ ଉତ୍ସାହ,କେତେ ପ୍ରେରଣା, କୋଉଠି ମୁଖ୍ୟ ଅତିଥି ,ମୁଖ୍ୟ ବକ୍ତା …ଏସବୁ ଚାଲୁଥିଲା।ସବୁ ସହିତ ଡକ୍ଟର ଆଣ୍ଟି ଓ କ୍ବେଷ୍ଟର କ୍ଲବ ସହ ସମ୍ପର୍କ ଠିକ୍ ରହିଥିଲା।ମୋ’ ପରିବାରର ଅଗଣିତ ସଦସ୍ୟ,ସଦସ୍ୟାଙ୍କୁ ଅନେକଥର ଆଣ୍ଟି ଅନେକ କଥା ବୁଝେଇ ବଞ୍ଚିବାର ନିର୍ଭୁଲ ରାସ୍ତା ଦେଖାଉଥିଲେ। ( କ୍ରମଶଃ )
Comments are closed.