ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩
ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ… ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ… ‘ଦେବୀ ଭବନ’ର ଭାବି ଉତ୍ତରାଧିକାରୀ ଏ ଦୁହେଁ .. ଖୁସିର ଲହରୀ ଡକ୍ଟର ବସା ଓ ଡକ୍ଟର ଦେବିକାଙ୍କ ଚେହେରାରେ … ଯୋଗମାୟା ସହ ଏବେ ଯୋଡି ହୋଇଥିଲେ ଅନିନ୍ଦିତା, ଆରତି, ସୂର୍ଯ୍ୟମଣି ଓ ମାହେଶ୍ବରୀ। କ୍ବେଷ୍ଟର କ୍ଲବର ଅନେକ ଶାଖା ଖୋଲାଯିବା ସହ ବିଦେଶରେ ବେଶ ପ୍ରଚାର ପ୍ରସାର ହେଉଥିଲା। ବୈଦିକ ଭାବନା ଖେଳିଯାଉଥିଲା ଧୂପବତୀର ସୁଗନ୍ଧଭଳି…। ଆମ ମାଟିର ମହକ ଖେଳିଯାଉଥିଲା ପୃଥିବୀସାରା…।
ଡକ୍ଟର ବସାଙ୍କ ସସ୍ନେହ ଡାକରେ ମୁଁ ଆଉଥରେ ଝରିଗଲି …। ମାଆ ମନେ ପଡୁଥିଲା କି…ମାଆକୁ ଖୋଜୁଥିଲି ।ଜବା ବୋଲି ବଡ ସୁନ୍ଦର ଡାକେ ସେ।ଆଉ ଏଇ ମୋ’ ମାଆ .. ସବୁ ଶୁଣି ସାରିଥିଲେ ଆଣ୍ଟି। ମୋ’ ହାତଧରି ଏକପ୍ରକାର ଟାଣିନେଇଗଲେ ସେ … ଘୋଷାରିହୋଇ ଯାଉଥିଲି।ଛାତି ଧଡପଡ।ସତରେ ମୁଁ ଯାଉଚି ତ ମାଆଙ୍କୁ ଭେଟିବାକୁ …ନା ପୁଣି ଆଉ କୋଉ ନୂଆ ଜାଗାକୁ …କେଜାଣି।
: ଦେଖନ୍ତୁ, ମୁଁ କାହାକୁ ଆଣିଚି
:ମା, ତୁମକୁ ମୁଁ ଚିହ୍ନି ପାରୁନି
:ମୁଁ ଜବା । ମନେମନେ ଖୁସିହେଲି ଓଡିଆ ଭାଷା ଶୁଣି।
ଡକ୍ଟର ଆଣ୍ଟି କହିଲେ ଦେଖନ୍ତୁ ଶ୍ବେତପଦ୍ମା ଦେବୀ ଆପଣଙ୍କ ଝିଅକୁ
:ଝିଅ !
: ହଁ,ଯୋଉକଥା କହୁଥିଲେ ପିଲାଙ୍କୁ, ସେଇକଥା ଶୁଣି ଜବା ଜାଣିଲା ସବୁ ମାଆ ଝିଅ ଖାଲି ଚାହିଁ ରହିଲେ ପରସ୍ପରକୁ। ଖୁବ୍ ଖୁସି ମାଆହେଲେ, ଜବା ଅସରା ଅସରା ଝରୁଥିଲା।
ମୁଁ ରହିଲି ସେଇଠି। ମାଆ ବୋଲି ଡାକିବାକୁ ପାଟି ଫିଟୁ ନଥିଲା ଆଦୌ ।ଖୁବ୍ ସୁନ୍ଦର ..ବୁଝିଲାସୁଝିଲା ମଣିଷ ..ଜୀବନ କଣ ନଦେଖାଏ ଯେ !
ଡକ୍ଟର ଆଣ୍ଟି ବୁଝୁଥିଲେ ମୋ’ ମନକଥା।
ଯାହାକୁ ମାଆ ବୋଲି ଜାଣିଲି ସେ ନୁହେଁ ଅଥଚ ଘୂରିଘୂରି ଆସି ପହଞ୍ଚିଲି ଯୋଉଠି ସେଇଠି ମିଳିଲେ ମାଆ… ଗ୍ରହଣ କରିବା କଷ୍ଟକର ଥିଲା।
ଆଣ୍ଟି ବଡ ସୁନ୍ଦର ବୁଝେଇକି କହୁଥିଲେ ପର ଆପଣାର ଭେଦ ନରଖି ସମ୍ତଙ୍କୁ ନିଜର କରିବାକୁ। କେତେ କେତେ ସମୟ ଖେଳେ ମୋ’ ସହିତ। ଯାହାକୁ ଅପେକ୍ଷା କରିଥିଲି ତାକୁ ପାଇଲା ପରେ ବି ମନ ବୁଝୁ ନଥିଲା। ମାଆ… ଡାକିଲି ବଡ ପାଟିରେ…ଶବ୍ଦ ବାହାରିଲାନି କଣ୍ଠରୁ।ମାଆ ତ ଶବ୍ଦଟିଏ …କାହିଁକି ରୁନ୍ଧିଦେଉଥିଲା ମୋତେ ?
ନିସ୍ପୃହ ମଣିଷ ସହିତ ରହିଲି ଯେ ରହିଲି ।ଆଉ ଏବେ ପର୍ଯ୍ୟାପ୍ତ ଭଲପାଇବାକୁ ନିଜର କରିପାରୁନି…।ସେ ଯା’ ହେଉ କାଲି ଆମେ ତିନିଜଣ ଉଡିଯିବୁ ଆଉଥରେ ଆମ ସହରକୁ।ସେ ଆଣ୍ଟି କେମିତି ଅଛନ୍ତି। ଡକ୍ଟର ଦେବିକା ଆଣ୍ଟି, କ୍ବେଷ୍ଟର କ୍ଲବ …ସବୁକିଛି ଛୁଇଁ ଯାଉଥିଲେ ଭିତରେ ଭିତରେ। ( କ୍ରମଶଃ )
Comments are closed.