ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୬
କାମ ସହିତ ଦାୟିତ୍ୱ ! ବଡ ଫୋଟକୁ ବହୁତ ଗୁଡିଏ ଫ୍ଲେକ୍ସ ସିଟରେ କଲି।ବିଭିନ୍ନ ଜାଗାରେ ଲଗାଇବାକୁ ହବ। ଲାମିନେଟ୍ ବି କଲି। ସବୁ ନିମନ୍ତ୍ରଣ ପତ୍ରରେ ଫଟୋ ରଖିଲି। ଯେଉଁ ସମସ୍ତେ ଅତିଥି ହେବେ ତାଲିକା କଲି। ଦୌଡାଦୌଡିର ବେଳ ଇଏ। ମୋ ପିଲାଏ ଅକୁଣ୍ଠ ସାହାଯ୍ୟ କରୁଥିଲେ ମୋତେ।
ବ୍ଲଗରେ ଲେଖିବି ମନଖୋଲି ଭାବିଲି..
ଆଶାର ଆଲୋକ ବୁଣି
ଆସ ନୂଆ ସକାଳର
ଉଜ୍ବଳ ସୂର୍ଯ୍ୟ
ଗାଉଚି ମୁଁ ତୁମ ଆବାହନୀ।
କେତେ ଫୋନ କଲ୍ ମ … ଥାଉ ଏତିକି ..
ସଞ୍ଜୁ ଅପା ସହ ଅନ୍ୟ ଅନେକ କାମରେ ଯୋଗ ଦେଇଥିଲେ। ଆମ ନୂଆ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ନାରଣଗଡ ଆନନ୍ଦ ମୁଖରିତ ହେଉଥିଲା।
ଅଜଣା ନମ୍ବର , ଫୋନ ଉଠେଇବି କି ନାହିଁ ଭାବିଲେ ବି ଉଠେଇଲି,ହେଲୋ
: ନମସ୍କାର
:କୁହନ୍ତୁ
: ଯାହାଙ୍କ ଫଟୋ ଅଛି ଆପଣଙ୍କ ନିମନ୍ତ୍ରଣ ପତ୍ରରେ ସେ ମୋତେ
: କୁହନ୍ତୁ, ସେ ..
:ଶିଖେଇଥିଲେ କ୍ଲୋଜ ସର୍କିଟ କ୍ୟାମେରା ବିଷୟରେ। ମୋ’ ପାଖରେ ରହିଥିଲେ କେତେ ଦିନ।
: ଆପଣଙ୍କ ପରିଚୟ
:ନିହାତି ଦରକାର ନା କ’ଣ
:ହଁ, ଜୋରଦେଇ କହିଲି
:ଶିଖଣ୍ଡୀ
କଟିଗଲା ଫୋନ।ଲଗେଇଲି ନା …
ତନାଘନା ଜେରା ଚାଲିଲା ମୋ’ର ଜୋରସୋର…ଏ ପଟେ ଆଣ୍ଟି ଅସୁସ୍ଥ ଭୀଷଣ ଭାବରେ। ବାରମ୍ବାର ମନଟା ତାଙ୍କ ପାଇଁ ଖରାପ ହୁଏ। ତାଙ୍କ ପାଇଁ ମଣିଷ ଆଜି ଏଇଠି। ଅଥଚ ସେ … ।ଦେଇ ପାରିଲିନି ତାଙ୍କୁ କିଛି ନୁହଁ, ସୁଯୋଗ ପାଉନି ଏବେ କାମ ଚାପରେ।ଅପେକ୍ଷା କରିଚି ଅଥଚ ଦିନ ଯାଇ ରାତି ଆସି ଯାଉଚି … ଗଡିଯାଉଛି ବେଳ …।
ଆମକୁ ଯିଏ ଯାହା କହୁ ଆମେ ତ ମଣିଷ। ମଣିଷ ଜାତିରେ ଜନ୍ମ ମୋ’ର। କାହିଁକି ଅଙ୍ଗକୁ ନେଇ ଏତେ ଭେଦାଭେଦ … ଏତେ ଟଣାଓଟରା। ଆମେ ତୁମ ଭଳି କାମ କରୁଚୁ, ଭଲପାଇବା ଦେଉଚୁ ,ତୁମେ ଆଦର ଦେଉନ କିଆଁ ? ଆମ ଦୁଃଖ ନବକି ତୁମେ? ଛିଗୁଲେଇ ଅପଶବ୍ଦରେ ଆମକୁ ଡାକୁଚ କାହିଁକି ବାରମ୍ବାର ।ଆମ ଭିତରେ ମଣିଷପଣିଆ ଛଡା ବିଦ୍ରୋହର ନିଆଁ ଅଛି…ଜଳିବ କି ଜାଳିଦେବ ସମୟ କହିବ..ଅପେକ୍ଷା କର…ତଥାପି ମନ କହେ ନିଆଁ ପାଖରେ ଛଳଛଳ ହୃଦୟଟେ ଅଛି…ଏକରେ ନିଆଁ ଲିଭେ, ନହଲେ ଜାଳିବାର ସ୍ପୃହା ମରେ..। ବିପର୍ଯ୍ୟସ୍ତ ମନ ଦେହ ଉପରେ କାହିଁକି ଅତ୍ୟାଚାର ହୁଏ ବାରବାର।ମୁଁ ମୋ’ ମାଆ ,ବାପାଙ୍କ ପାଖରୁ ବେଶ ଆଦର ପାଉଚି, ବଞ୍ଚିଯାଉଚି।ସମସ୍ତେ ଏମିତି ପାଆନ୍ତେନି ! ଘାଣ୍ଟି ହେବାପାଇଁ କି ଘାଣ୍ଟି ଦେବାପାଇଁ କିଛି ଜନ୍ମ ନେଇଥାଆନ୍ତି। ବୁଝନ୍ତି କିଛି ନା ଶୁଣନ୍ତି କାହାକଥା…। କଷ୍ଟ ପାଆନ୍ତି, ଦିଅନ୍ତି ଆଉ ଅଧିକ …।
‘ସଂସାର କୂପେ ପତିତ କେନାପି
ମୋହାନ୍ଧପୂର୍ଣ୍ଣ ବିଷୟାଭିତସ୍ତେ
କରାବଲମ୍ଯମ୍ ମମଦେହୀ ବିଷ୍ଣୁ
ଗୋବିନ୍ଦ ଦାମୋଦର
ମାଧବେତି…. ।’
ଉଠେଇ ନିଅ ଏ ସଂସାର କୂଅରୁ …ଉଠେଇ ନିଅ ଉପରକୁ ..ଚେତନାର ଊର୍ଦ୍ଧ୍ବକୁ, ମହାନ୍ଧକାରକୁ ଠେଲି ନୀଳାଭ ଜ୍ୟୋତି ଆଡକୁ …।ଏଇ ତିଥି ଆଉ କଣ ଚାହେଁ ଯେ, ଖାଣ୍ଟି ସ୍ନେହ ଟିକକ। ଆଣ୍ଟି ଏତେ ଖରାପ ଆଡକୁ ଯାଉଛନ୍ତି ଯେ ଘରେ କମ୍ , ବେଶି ନର୍ସିଂହୋମରେ ସମୟ ଯାଉଚି।କେଜାଣି .. ବେକାରିଆ ….ଘୂଣଖିଆ ଜୀବନ…।ମୋ’ର ଅପେକ୍ଷା ଆଉ ଏକ ନୂଆ ସକାଳକୁ…।
ଶ୍ବେତାବ୍ଜ ନର୍ସିଂ ହୋମକୁ ଆଉ ଫେରିବାର ନଥିଲା ମୋ’ର। ସିଷ୍ଟରମାନେ ଚଳେଇନେବେ ସେସବୁ । ଏଇ ନାରଣଗଡରେ ରହିବି।ଯାହାସବୁ ଅଛି ମୋର ସବୁ ଦେଇଦେବି।କାମ ସେଇଠି କରୁଥିଲି, ଏବେ ଏଇଠି କରିବି। କ୍ବେଷ୍ଟର କ୍ଲବର ଶାଖା ରହିବ…ମୋହ ମୁଦଗର ମନେ ପଡୁଥିଲା… ବାରମ୍ବାରଯିବି , ଆସିବି , ତଥାପି ଅପେକ୍ଷା କରିବି…ପୁନଃ ପୁନଃ … ନୀଳାଲୋକରେ ସମାହିତ ହେବା ପାଇଁ।
ଅଞ୍ଜନା ଆଣ୍ଟିଙ୍କର ସେଇ ଗୋଟିଏ କଥା। କେବେହେଲେ ଅମ୍ଳାନ କି ଚିତ୍ରା ଆସିବେନି।ଉଦାସିଆ ହୋଇ ଘରେ ରହିବାଠାରୁ,ସବୁକିଛି ନାରଣଗଡ ପ୍ରଜେକ୍ଟ ପାଇଁ ଦେଇ ସେଇଠି ସମସ୍ତଙ୍କ ମେଳରେ ରହିଲେ …ମିଳିବ ଜୀବନ।ଆଉ ଅଛି କଣ… ଟିକିଏ ଆଦର, ଟିକିଏ ଭଲପାଇବା … ପରସ୍ପର ପାଇଁ କେବଳ ବଞ୍ଚିବାକୁ ପଡିବ ଏଥର ।ବାଣ୍ଟିଦେବି ଅକପଟ ଶ୍ରଦ୍ଧା ଟିକକ, ନିଜପାଇଁ ଆଉ ଲୋଡା କ’ଣ…
ଅପେକ୍ଷାରେ ରହିଲିରେ ସମୟ…!! ( କ୍ରମଶଃ )
Comments are closed.