ରାମକୃଷ୍ଣ
ତମର ସବୁ ଅଭିଯୋଗ ସତ
ସ୍ବୀକାର କରୁଛି ତମର ସବୁ ଆକ୍ରୋଶ ,
ନିଜେ ନିଜର ଆଲୁଅରେ
ଛାଇଟିଏ ହୋଇ ଛିଡାହେବା
ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ
ଶୂନ୍ୟତାକୁ ଘେରିବା କେଡେ କଠିନ ସତରେ,
ଆଉ କେଡେ ମାରାତ୍ମକ ବି
ନିଜସହ ଲୁଚକାଳି ଖେଳିବାକୁ
ଟୁକୁଡା ଟୁକୁଡା ହୋଇ ଭାଙ୍ଗିବା
ଆଉ ମୋର କୃତକର୍ମର ଫଳ
ତମର ମୁଣ୍ଡରେ ପଡିବା ।
ତମେ ବୋଧେ ଭୁଲି ଯାଇଛ ଯେ
ତମର ଓ ମୋର ଛଡା
ଏଠି ଆଉ କେହି ନାହାନ୍ତି,
ଭୁଲି ଯାଇଛି ଯେ ପରସ୍ପରର ଦର୍ପଣରେ
ଆମେ ପରସ୍ପରର ପ୍ରତିବିମ୍ବ ,
ଅଜସ୍ର ଭଙ୍ଗା କାଚଖଣ୍ଡରେ ବଢା ନୀଳକୁ
ସାଉଁଟି ସାଇତି ରଖିବାପାଇଁ ମାଟିପାତ୍ରରେ
ଅନିବାର୍ଯ୍ୟ ଥିଲା ରକ୍ତପାତ
ନଚେତ ଇନ୍ଦ୍ରଧନୁ ଆଙ୍କିବାକୁ
କୁଆଡୁ ଆସିଥାନ୍ତା ଏତେ ରଙ୍ଗ
ପିତା ହାତରେ ପୁତ୍ରର
ପୁତ୍ର ହାତରେ ପିତାର କଟାମୁଣ୍ଡ ଦେଖି
ତମେ ଥରି ଉଠିଲ ଯୁଦ୍ଧର ବିଭୀଷିକାରେ
ଏମିତି କାହାଣୀ ଗଢିବାର
କିଛି ଦରକାର ନଥିଲା ବୋଲି
ଭୟରେ ତମେ ମୋର ଶରଣ ପଶିଲ
ଅଥବା ନିଷ୍ଠୁର ନିର୍ଦ୍ଦୟ କାଳସର୍ପ ବୋଲି
ମନଇଚ୍ଛା ସୋଧିଲ
କେମିତି ଜାଣି ପାରିଲେ ନାହିଁ ଯେ
ତମେ ଖୋଦ୍ ସେ କାହାଣୀରେ ଲେଖକ
ତମେ ଅଛ ଆଉ ତମ ଭିତରେ
ମୁଁ ଅଛି ବୋଲି ଜାଣିବା ପାଇଁ
ତମକୁ ପିନ୍ଧାଇ ଦେଇଥିଲି
ଅବିକଳ ମୋ ମୁହଁର ଗୋଟେ ନକ୍ସା
ଆଉ ତମର ଆଖିରେ ଲେପିଥିଲି
ଟୋପେ ନୀଳ ଯାହା ଶୂନ୍ୟତାକୁ
ରଙ୍ଗେଇବା ପାଇଁ ଥିଲା ପର୍ଯ୍ୟାପ୍ତ
ଯୁଦ୍ଧରେ କେହି ଯଦିବା ହତ ଓ ଆହତ
ସେ ଜଣକ ତ କେବଳ ମୁଁ
କାରଣ ମୋ ଛଡା ସେଠି କେହି ନଥାନ୍ତି
ଉଭୟ ପକ୍ଷରେ
ତମେତ ବହୁ ପରୀକ୍ଷା ନିରୀକ୍ଷାର ଫଳ
ଖୋଦ୍ ଯଦି ସମ୍ଭାଳି ପାରିଲ ନାହିଁ
ହତଯୁଦ୍ଧ ଗୋଟେ ମୁକ୍ତ ସାମ୍ରାଜ୍ୟ
ତମେ ନା ମୁଁ କିଏ ନିର୍ବୋଧ
କିଏ ନପୁଂସକ , ପଳାତକ
ତମ ଉପରେ ତ ନ୍ୟସ୍ତଥିଲା ଦାୟିତ୍ବ
ନିର୍ମାଣ କରବାକୁ ସେ ଅଦୃଶ୍ୟ ଦେହ
ଯେଉଁଠି ସର୍ବେ ଦିଶିଥାନ୍ତେ ଏକାକାର
ସେ ଅଧାଗଢା ଖଣ୍ଡିଆ ଖାବରା ଉଆସରେ
ଏତେବେଶୀ ଅନ୍ଧାର କାହିଁକି
ଜୀବନ କେମିତି ପାଲଟିଗଲା
ଭୁତପ୍ରେତ ଚୋର ଜୁଆଡୀଙ୍କ ଏକ ପଶାଖେଳ
ତମର ମୋର ଭିତରେ
ପୋଛିଦେବା ପାଇଁ ସବୁ ଦୂରତ୍ବ
ଦିବ୍ୟାସ୍ତ୍ର ଆଉ ଦିବ୍ୟଆଲୁଅରେ
ମାଲାମାଲ୍ କରିଦେଇଥିଲି ତମକୁ
ଅଥଚ ତମର ସବାଖିଆ ଭୋକରେ
ଜଳିଗଲା ଜୀବନର ସବୁ ରଙ୍ଗ
ମୁଁ ତମକୁ ନିମନ୍ତ୍ରଣ କରିଥିଲି
ସାମିଲ୍ ହେବାପାଇଁ ରାସଲୀଳାରେ
ତମେ ଛୁରି ଲୁଚାଇ ଆସିଲ ଅଣ୍ଟାରେ
ରାସଭୂମିକୁ ପରିଣତ କରିଦେଲ ରଣଭୂମିରେ
ଏଥିରେ ମୋର ବା ଦୋଷ କ’ଣ ?