Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୭

ସମସ୍ତ ଅପେକ୍ଷାର ଅନ୍ତଃ ଘଟେଇ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ର ଇହଲୀଳା ସମ୍ବରଣ କଲେ। ସମସ୍ତଙ୍କର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ସବୁ ପାଣି ଫାଟିଗଲା …. ପାଣି ଫୋଟକା ପରି ସବୁ ମିଳେଇଗଲା କ୍ଷଣିକରେ। ତଥାପି ଆମେ ଅପେକ୍ଷା କରୁ… ଭବିଷ୍ୟତ ପାଇଁ ଠୁଳେଇ ରଖୁ। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଜୀବନ ଗଡେ…ସମୟ ସରେ…। ମୋ’ ସାଙ୍ଗ ଚାଲିଗଲ ମୋତେ ଏକାକରି। ଥରେ ତ ଭାବିଲନି ମୋ’ କଥା କି ନିଜ ପିଲାଙ୍କ କଥା। ଦିନରାତି ଏକକରି କେତେ ଶୃଙ୍ଖଳା ,କେତେ ଆକଟ ଭିତରେ ପିଲାଙ୍କୁ ରଖି ଆମେ ଆଗଉଥିଲୁ ଧାପେଧାପେ …।ଆଉ ଦିନଟେ ବାକିଥିଲା ନାରଣଗଡକୁ ନିଜର କରିବାକୁ …। ଏବେ ସମସ୍ତଙ୍କୁ ଜଣେଇବି ମୁଁ ଏ ଖବର।ଡକ୍ଟର ଦେବିକା ମୋ କାନ୍ଧରେ ହାତ ରଖିଲେ। ମୁଁ ଝରିଗଲି ତାଙ୍କ କାନ୍ଧରେ। ସତରେ ଜୀବନ କେମିତି କ’ଣ ନ ଦେଖାଏ ଯେ! ସବୁ ଅର୍ଗାନ ଖରାପ ହେଉଥିଲା, ନିଜକୁ ନିଜେ ନଷ୍ଟ କରିଦେଲେ। ଟିକିଏ ଗ୍ରହଣ କରିନେଇଥିଲେ ହୁଏତ ଜୀବନ ଅନ୍ୟ ପ୍ରକାରେ ହୋଇଥାଆନ୍ତା। ଦୀର୍ଘଶ୍ବାସ ଆଉ କୋହକୁ ନେଇ କିଛି ସମୟ ବିତିବ …ସମସ୍ତେ ଯିବା, କିନ୍ତୁ ଏମିତି ..ନା ନା ..ବୁଝାମଣା ଠିକ୍ ଭାବରେ ଥାଉ।

ମାଟି ତ ମାଟିରେ ରହିବ। ଇଞ୍ଚେବି ଚହଲିବନାହିଁ। ସମସ୍ତଙ୍କର ଅଳ୍ପ ବହୁତ ଅବଦାନ ଆଉ ଦେବିକା ଓ ଶ୍ବେତପଦ୍ମା ଦେବୀଙ୍କ ମୂଳମାଟି ମିଶି ଏକାକାର ଏବେ। ଶ୍ବେତାବ୍ଜ-ଦେବୀ ନର୍ସିଂହୋମର ଆନୁଷ୍ଠାନିକ ଉଦଘାଟନ ହେବ। ଅମୃତାର ‘ଜୀବନବିନ୍ଦୁ’ର ନୂଆ ଶାଖା ,ଚନ୍ଦ୍ରାର ‘ଧାରା’ ,ଯୋଗମାୟା ଇତ୍ୟାଦିଙ୍କର କ୍ବେଷ୍ଟର କ୍ଲବ,ସଞ୍ଜୁ, ଅଞ୍ଜନା ଇତ୍ୟାଦିଙ୍କର ହସ୍ତଶିଳ୍ପ, ଜବା, ତିଥିଙ୍କର ପଟ୍ଟଚିତ୍ର, ଛଉ, ଓଡିଶୀ ପାଇଁ ଆଗ୍ରହୀ ପିଲା…ଏକାକାର ସମୟ …ନୂଆ ମନ.. ନୂଆ କଲୋନୀ ..ନୂଆ ସକାଳ..ଜବା କୁସୁମ ସଂକାଶଂର ଗୁଞ୍ଜରଣ ପୁଣି ଥାଙ୍କ୍ୟୁ ଲର୍ଡ ଫର ଦ ଗିଫ୍ଟ ଅଫ୍ ଦିସ ନ୍ୟୁ ଡେର ଉଚ୍ଚାରଣ … ମଧୁର କଣ୍ଠରେ ଆଜାନ୍ …ଆଃ ମାନବିକତାର ଜୟଗାନରେ ମୁଖରିତ ନାରଣଗଡ।

କିଏ ନେଇଗଲା କିଛି ଯିବାବେଳେ…ସବୁ ପଡିରହିଛି ସେମିତି …। ଦାଦାଭାଇ ଅସୁସ୍ଥ, ଆଉ ମିଥିଳା ..ଦୁହେଁ ବିଶେଷ ଭଲ ନାହାଁନ୍ତି। ଯିବେ ଯିବେ ବୋଲି ଗୋଡ କାଢି ବସିଚନ୍ତି। ସାମାନ୍ୟ ପରିବର୍ତ୍ତନ ଆମନ୍ତ୍ରଣ କରିଆଣେ ଅଫୁରନ୍ତ ଆନନ୍ଦକୁ। ହସ୍ତାକ୍ଷର ଲାଗୁଥିବା ପ୍ରଥମ ଶ୍ରେଣୀର ପିଲା ସ୍ନାତକୋତ୍ତର ଶ୍ରେଣୀରେ ଲେଖେକି…ଏତିକି କଥା ବୁଝେଇ ବୁଝେଇ ଥକ୍କିଲେବି ବୁଝୁନାହାଁନ୍ତି। ଅବୁଝା ପଣରୋ ନିଜେ କଷ୍ଟ ଭୋଗିବାସହ ଅନ୍ୟକୁ ଦେଉଛନ୍ତି ବୋଲି ଜାଣିବିପାରୁନାହାଁନ୍ତି। ଛାଡ , ଯିଏ ଯେତିକିର ସେତିକିରେ ହିଁ ରହିବ।

ମାଆ…ମାଆ ଗୋ… ଚାଲିଗଲ ପଛେ ମୋତେ ଗ୍ରହଣ କରି ପାରିଲନି ନା .. ଯୋଉଦିନ ଡକ୍ଟର ଆଣ୍ଟି କହିଦେଲେ ଏକାଧିକ ଅର୍ଗାନ ଖରାପ ବୋଲି ସେଦିନରୁ ଲୁହ ସହ ଲହୁ ଝରେଇଚି। ବାପା ନୀରବରେ ଏକାକରି ଚାଲିଗଲେ…ଆଉ ତୁମେ? ଗ୍ରହଣ କରିପାରିଲନି ନା… ନିଃସଙ୍ଗ ମୁଁ, ରଞ୍ଜନ କମ୍ ବେଶୀ ରଞ୍ଜୁ …ନା ମୁଁ ପୁଅ ,ନା ମୁଁ ଝିଅ, ମୋତେ ସହି ପାରିଲନି… କାହିଁକି କଷ୍ଟ ପରେ କଷ୍ଟ ଦେଲ ନିଜକୁ… ମୁଁ ଦୂରେଇନେଲି ନିଜକୁ, ହଜିଗଲି ଲୋକଙ୍କ ମେଳରେ, ଖୋଜିଲି ଶ୍ରଦ୍ଧା …. ପାଇଲି ଜୀବନକୁ। ତୁମର ଦୋଷ ତ ନୁହେଁ, ନୁହେଁ ମୋ’ର ଦୋଷ …ଭାଗ୍ୟ ଭବିଷ୍ୟତ କାହା ହାତରେ ଥାଏ ଗୋ… କିଏ ଆଙ୍ଗୁଠି ଦେଖାଏ ଖ୍ବାଜା ସରାଫ ଆଡକୁ ,କିଏ ନୀଳ ଓ ଗୋଲାପିକୁ ଲେସିଦିଏ… ମୁଁ ଭିନ୍ନ ମଣିଷ …ଆମେ ମିଳିମିଶି ରହିବାକୁ ତଥାପି କେତେ ଅପେକ୍ଷା ଆଉ … କେତେ ଚେଷ୍ଟା କରିଥିଲି ଖୁସି ଦେବାକୁ, ସବୁ ପାଣି ଫାଟିଗଲା। ମାଆ ଜନ୍ମ ଦିଏ ସିନା କର୍ମଫଳ ତ ପିଲା ତା’ ଅନୁସାରେ ପାଏ ..ଦେଖ ଏବେ ସମସ୍ତଙ୍କର ଆଦର ପାଉଚି, ଆଗକୁ ଯାଉଚି,କିନ୍ତୁ ସ୍ନେହପିପାସୀ ମୁଁ ଚିରକାଳ ବନ୍ଦୀ ତୁମପାଖରେ। ଦେଖୁନ, ଆମ ପାଇଁ ସମସ୍ତେ ଏବେ କେମିତି ସ୍ବତନ୍ତ୍ର ବ୍ୟବସ୍ଥା କରିଦେଉଚନ୍ତି। ଏଇ ତୁମରି ପାଇଁ ମୁଁ ଦର୍ଶନକୁ ଭଲ ପାଇଲି, ଜୀବନକୁ ଅନୁଶୀଳନ କଲି..ବୁଝିଗଲି ବୋଲି ବୁଝାଇପାରିଲି…ସିସି ଟିଭି ଫୁଟେଜରୁ ଜାଣେ ସବୁ। ଦେଖିପାରେ କ୍ଲୋଜ ସର୍କିଟ କ୍ୟାମେରାରୁ। ସେଇ ଦୂରରୁ ସବୁ। ଛୁଇଁ ପାରେନି ତ ,କହିପାରେନି ନିଜର କଥା… ଆଉଥରେ ସେମିତି ହାତଧରି ନେଇ ଯାଆନ୍ତନି ନଈ ପାଖକୁ କି ସମୁଦ୍ର ପାଖକୁ… ବସି ବସି ପବନକୁ ମୁଠେଇଧରନ୍ତି। ବାଲିରେ ଲେଖନ୍ତି … ମୋ’ର ଅନ୍ତଃହୀନ ଅପେକ୍ଷା ରହିଲା ଆଉ ଗୋଟିଏ ଜନ୍ମକୁ ମାଆ…..। ( କ୍ରମଶଃ )

Leave A Reply

Your email address will not be published.