ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୦
ରୂପନାରାୟଣର ରୂପ ସତରେ ଅପୂର୍ବ। ଗାଁ ମୁଣ୍ଡରେ ସେ ଘୂରିଘୂରି ଆଙ୍କିବାଙ୍କି ଏକ ମିଠା ଛନ୍ଦରେ ବହୁଥାଏ। ବଡ ଗଣ୍ଡଟିଏ ପୁଣି ଅଛି। ନାଉରୀଆ ଡଙ୍ଗା ମେଲିଦିଏ ମନ ଖୁସିରେ, ଅକାତକାତ ପାଣିରେ । ଆଉ ଗିରି ଅଜା ଗାଆନ୍ତି ପ୍ରଣବ ପଟ୍ଟନାୟକଙ୍କ “ମାଝିରେ…” ଗୀତ। ପୁଣି, ଏକଲୟରେ ଗାଆନ୍ତି ବାଉଲ ସଂଗୀତ। ମନହେଲେ ସଲୀଳ ଚୌଧୁରୀ, ମାନ୍ନା ଦେ, ହେମନ୍ତ କୁମାର …. ସୁଲଳିତ, ଖୁବ୍ ମିଠା ସେ ସ୍ବର। ଗାଉଥିବା ଗୀତକୁ ବଡ ହେଲାପରେ ଚିହ୍ନିଲି। ଯେତେ ଚିହ୍ନିଲି ,ସେତିକି ନିଜଭିତରେ ହଜିଲି। ରୂପନାରାୟଣ ଆବୋରି ଯାଏ ସତ୍ତାକୁ ମୋ’ର। ବୁଣିହୋଇଯାଏ ମାୟାଜାଲ… କଳ୍ପନାର ସୌଧ। ତା’ ଭିତରୁ ହଳେ ଆଖିରେ ଦେଖେ ପୃଥିବୀକୁ, ହେଲେ ଏ ପୃଥିବୀ ଦେଖିପାରେନା ମୋତେ। କି ମିଠାଥିଲା ସେଇ ମୋ’ର ପିଲାଦିନ। ଅଭୁଲା ଅତୀତ।
ଖରାଦିନେ ସକାଳୁ ସକାଳୁ ନଈରେ ଗାଧୋଇବା ବାହାନାରେ ଓଦାବାଲିରେ ପାଦ ରଖି ,ମୁଠାମୁଠା ବାଲି ଥାପି ଘର ବନେଇ କାଠି , ପତ୍ରଦେଇ ସଜେଇବାର ମଜା ଭିତରେ ସ୍ବପ୍ନଟିଏ ଥିଲା। ଘର ହବ,କିନ୍ତୁ, ଏଇ ଇଗଲୁ ଭଳି ନୁହେଁ, ଆଉ ପ୍ରକାରେ । ପବନ ଛୁଇଁ ଦଉଥିବ ଆସ୍ତେକିନା, ବର୍ଷା ଆଉଁସି ଦଉଥିବ ଧିରେ, ଶୀତ ଆସିଲେ ସୂର୍ଯ୍ୟ କହୁଥିବ, ‘ରହ ରହ, ମୁଁ ଆଗ ଯିବି ।’ ସମସ୍ତଙ୍କ ସହ ତାଳମେଳ ରହୁଥିବ ମୋ’ର।ସତ ହେବ ଦିନେ ମୋ’ସ୍ବପ୍ନ ନିଶ୍ଚୟ ସତହେବ।
ଖରାକୁ ଖେଳରେ ବାନ୍ଧିଲେ ବି ଶୋଷ ଲାଗେ। ଗଗରା, ସଫାକନା ସହିତ ଗିନାଟିଏ ଯାଇଥାଏ । ଆଈ ବା ମାଆଙ୍କର ସେ କାମ। ଚୁଆ ଖୋଳାହବ, ନିଷ୍ଠାର ସହ।ବାଲି ଧସକି ଯିବ ବୋଲି ଧୈର୍ଯ୍ୟସହକାରେ ଆସ୍ତେ ଆସ୍ତେ ଧିରେ ଧିରେ।ପାଣି ଦିଶିଲେ ଟିକିଏ ଛାଡିଦିଅନ୍ତି ପୂରିବାକୁ। ଏଥର ଗଗରା ମୁହଁରେ ସଫାକନା ପକେଇ ଗିନାଏ ଗିନାଏ ଢାଳିବେ।ଛୋଟପେଟ ତା’ର ଭର୍ତ୍ତି ହୋଇଯାଏ ଶିଘ୍ର।ତାପରେ ଆଞ୍ଜୁଳା ଦେଖାଇ ଏକ ଭିନ୍ନ ମୁଦ୍ରାରେ ଆଣ୍ଠେଇବାକୁ ପଡେ, ଆଉ ସେ ମିଠା ପାଣିରେ ପେଟ ପୂରିଯାଏ। କାହିଁ ସେ ମଜା ଏ ପାଇପ କି ଆର୍. ଓ ପାଣିରେ। କିଛି ସମୟ ପରେ ବାଲିରେ ପୋତିହୋଇଯାଏ ଚୁଆ। ଅସ୍ତିତ୍ବ ହଜାଏ। ଏକଥା ସବୁଦିନ ଘଟେ, ପ୍ରତିଥର ଘଟେ, ଖରାମାସରେ। ପରଦିନ ଗଲେ ଆଉ ନଥାଏ ସେ।ଏବେ ବୁଝୁଚି ପ୍ରକୃତି ନୂଆ ଘଟଣା ଘଟାଏ। ପୁଣି ନୂଆ ଭାବରେ ଠିଆହୁଏ। ଏକାଭଳି ଦିଶୁଥିବା ଜିନିଷରେ ବି ହଜିବା ଓ ଖୋଜିବା ଲୁଚିରହିଥାଏ। ଏକତ୍ଵ ଭିତରେ ବିଭିନ୍ନତା ଆଉ ବିଭିନ୍ନତା ମଧ୍ୟରେ ଏକତା ଅହରହ ଖେଳୁଥାଏ ।
ମାଆ , କୁହେ ବଡ ଆଗ୍ରହରେ ତା’ ପିଲାଦିନର କଥା। ଆଈର ଜନ୍ମ ବିବରଣୀ। ଆଈଙ୍କ ବାପା, ମାଆ କେମିତି ଭାବରେ କୋଉଠୁ ଆସିଥିଲେ। କେମିତି ପୁଣି କଠୋର ଶାସନ କାଳରେ ପରସ୍ପର ସହିତ ମିଶିଥିଲେ। ଇଂରେଜ ଶାସନ ସମୟରେ କେମିତି ନିର୍ଯ୍ଯାତିତ ହୋଇଥିଲେ ସେମାନେ। କୂଟନୀତି …ବଙ୍ଗଭଙ୍ଗର କଥା। ଜନ ଅସନ୍ତୋଷକୁ କିଭଳି ନାରକୀୟ ଢଙ୍ଗରେ ଦମନ କରାଯାଉଥିଲା ତା’ର ବ୍ୟଥା । ଅଖଣ୍ଡ ଭୂଭାଗକୁ ବିଖଣ୍ଡିତ କରି ମଣିଷ ମନରେ ବିଷ ସଞ୍ଚାର କରିବାର ନିର୍ମମ ଇତିହାସ। ଗୋଟିଏ ହିଁ ନୀତି। ଖଣ୍ଡଖଣ୍ଡ କରିବା ପରେ ଆଧିପତ୍ୟ ଲାଭ। ଚିମୁୁୁଟାଏ ଈର୍ଷା କେମିତି ଜାଳିପୋଡି ଛାରଖାର କରିଦିଏ ଶ୍ରଦ୍ଧାସବୁଜିମାକୁ। ବିଡାଏ ବାଡିକୁ ଏକାଥରେ ଭାଙ୍ଗି ନ ପାରିଲେ, ଖୋଲି ଅଲଗା ଅଲଗା କରିଦେଲେ ଥରକରେ କାମଶେଷ। ଭାରି ସହଜ ହୋଇଯାଏ କାମ। ଆମେସବୁ ସେବେଳେ ଜଳକା …ବୋକା ।ପଦଟିଏ ଫିଟେନି ଆମ ପାଟିରୁ , ଆଉ କାମରେ କରିବା ତ ଦୁରୂହ ବ୍ୟାପାର।ଏତେ କଥା ଏବେ ଏମିତି କାହିଁକି ମୁଣ୍ଡରେ ପଶେ ଯେ ଆଉ ଯିବାର ନାଁ ଧରେନି?
ଜଣେ କିଷାନଗଞ୍ଜରୁ ଆଉଜଣେ ପଦ୍ମାତୀରରୁ ଆସି କେମିତି କେଜାଣି ମିଶିଗଲେ ରୂପନାରାୟଣର କୂଳରେ। ଭାଷା ଅଲଗା କିନ୍ତୁ ହୃଦୟ ଦେଇଦେଲେ ଜଣେଜଣଙ୍କ ପାଇଁ। ଭାରତର ସନ୍ତାନ ପରା ! ସେଇଥିପାଇଁ ସମବେଦନା ରହୁଥିଲା ମନରେ। ଅତୁଟ ରହୁଥିଲା ଶ୍ରଦ୍ଧା, ସ୍ନେହ। ଆଈ ଜନ୍ମ ନେଲା। ଆଉ ଅଜା ଥିଲେ ସେଇ ଅଞ୍ଚଳର ଥିଲାବାଲା ବାପର ପିଲା। ସହଜରେ ତେଣୁ, ମିଠା ସମ୍ପର୍କ ଗଢିଉଠିବା ସହିତ ବିବାହ ହୋଇଗଲା। ମାଆ ଆସିଲା ତାଙ୍କ ଜୀବନରେ। ମୋ’ବାପା କୋଉ କାରଣ ପାଇଁ ଯାଇଥିଲେ ସେଠାକୁ କେଜାଣି, ଏଇ ନଈ କୂଳରେ ମାଆ ସହ ଦେଖାହେବାପରେ ବାରମ୍ବାର ଆସିଲେ । ଫଳତଃ, ସମସ୍ତଙ୍କ ସହମତିରେ ବିବାହ ହେଲା ।ମୋ’ର ଜନ୍ମ ହେଲା ବୁଢାବଳଙ୍ଗ କୂଳରେ। ମାଆ ପାଖରୁ ଏକଥା କେତେଥର ଯେ ଶୁଣିଚି ତା’ର ଠିକଣା ନାହିଁ। ମୁଖସ୍ଥ ହୋଇଯାଇଛି।
ଆଜି ଯେମିତି ଦେଖୁଚି, ମୋ’ ପିଲାଦିନେ ବାପା ସେମିତି ନଥିଲେ ଜମା। ଚାଷବାସ ସହିତ ଦୋକାନଟିଏ କରିଥିଲେ। ଖୁବ୍ ସୁନ୍ଦର ଥିଲା ସେ ସମୟ। ବେଶ ସ୍ବଚ୍ଛଳ ଥିଲା ଆମ ଅବସ୍ଥା। ସବୁ ଠିକ୍ ଚାଲୁଥିଲା ଯେତେଦିନ ପର୍ଯ୍ୟନ୍ତ ଅନନ୍ତ ସହ ଦେଖା ହୋଇ ନଥିଲା। ସେ ହିଁ ବିଗାଡିଲା ଆମ ଘରକୁ। ନୂଆ ନୂଆ ବୁଝି ପାରୁନଥିଲା ମାଆ। ବୁଝିଲାବେଳକୁ ସରିଆସିଲାଣି ସବୁ। ଜୁଆ ଖେଳରେ ମାତି ପ୍ରଥମେ ଭଲ ଆୟ ହେଉଥିଲା। ସେଇଟା ଚାଲ୍ ଥିଲା ଅନନ୍ତର। ପରେ ହରେଇବା ଦୁଃଖ ଘାରିଲା ବାପାଙ୍କୁ । ଭୁଲିବାପାଇଁ ନେଲେ ମଦର ଆଶ୍ରା । ଆଉ ଚାଷଜମି ବିକ୍ରିକରୁୁୁୁଥିଲେ ଚୁପଚାପ୍ । ଶେଷକୁ ଘରଡିହ ବିକ୍ରି ହୋଇଗଲା। ସୁଧାର ପିଲା ଭଳି ବାପାଙ୍କର ସବୁ ଉତ୍ତର ,ଅଜାଙ୍କ ଆଗରେ, ହସମାଡେ ମନେ ପଡିଲେ। କରଜ ଥିଲା, ଚାଷ ଭଲ ହେଲାନି, ଜମିଦାର ଦଖଲ କରିନେଲା ଇତ୍ୟାଦି ଇତ୍ୟାଦି..।
ସେଇ କଥା ବିଶ୍ବାସ କରି ଅଜା ସହରର ଉପାନ୍ତରେ ମାଆ ନାମରେ ଚାଖଣ୍ଡେ ଜମି କିଣି ମାଟିଗାରାରେ ଖପରଲି ଘର ଖଣ୍ଡେ କରିଦେଲେ। ନୂଆ ଘର, ନୂଆସାଙ୍ଗ, ନୂଆ ସ୍କୁଲ ଏମିତି ଏମିତି ସବୁ ନୂଆ। ପିଲାମନଟା ମୋର ଖୁସି ଲାଗିଲେ ବି ଝୁରିହୁଏ ନଈକୁ, ବୁଢାବରଗଛ ଓ ଖୋଲାମେଲା ପବନକୁ। ବସ୍ତି ମୁଣ୍ଡରେ ନଳକୂଅ। ପାଣି ପାଇଁ ଧାଡି ଦେବା, ଟେକା ପାଣିକୁ ମାପିଚୁପି ଖର୍ଚ୍ଚ କରିବା ଭୀଷଣ କଷ୍ଟ ଦିଏ। ଚିତ୍ରା ସହିତ ଲିପୁନର ଦାୟିତ୍ୱ ଆଉରି କଷ୍ଟକର। ସବୁକିଛି ଭାଗଭାଗ ।ସବୁଥିରେ ମାପ ଯୋଖ, ହିସାବ ।ରୋଜଗାର କହିଲେ, କ’ଣ ନା ପରିବା ବେପାର। କୁସଙ୍ଗରେ ପଡି ସବୁ ନଷ୍ଟ। ଥରେ ଯିଏ ବସି ଖାଇବା ଶିଖିଲା ସେ ଆଉ ଖଟି ଖାଇଲାନି। ମାଆ ପରିବା ବୋଝ ବୋହି ବେଶିଦିନ ଚଳେଇ ପାରିଲାନି। ସେଇଠୁ ଝଗଡା ଆରମ୍ଭ ହେଲା। ୟା ପରେ ମିସ୍ତ୍ରି କାମ । ସେଇଟା ଭଲ ରୋଜଗାର କରେଇଲା। କିନ୍ତୁ ନିଶାରେ ପ୍ରଚୁର ସରିଲା। ପଢାପଢିରେ ଯୋଉ କଷ୍ଟ , କହି ହବକି ଆଉ। ମାଆ କୋଉଠି ଦୁଇ ପାଇଟି କରେ, ପୁଣି ବାପା ଆଖି ଆଢୁଆଳରେ; ସେଥିରେ ଚିତ୍ରା ଓ ଲିପୁନର ପେଟ ପୂରେ । ମାଆ ଓ ମୁଁ ଖାଲି ପାଣି ପିଇ ବଞ୍ଚୁ ଦିନଦିନ । ମଧ୍ୟାହ୍ନ ଭୋଜନ ଏକମାତ୍ର ସାହା। ସେଥିରୁ କିଛି ଲୁଚେଇ ଆଣିଲେ ମାଆ ଖାଏ। ବଳ ସରେ। କେବେକେବେ ବାପା କିଛିକିଛି ଦେଲେ ଘର ଚଳେ। ଭତ୍ତା କ’ଣ ଟିକିଏ ମିଳେ, ସେଥିରେ କିଛିଦିନ ଗଡେ। ଏମିତି ଏମିତି ଚାଲେ। ଅଜା ବୁଢା ହେଉଥିଲେ। ଧିରେ ଧିରେ ବହୁତ କମ ଆସୁଥିଲେ। ସାହାଯ୍ୟ କରିବ କିଏ ? ପାଖ ଆପାର୍ଟମେଣ୍ଟର ଜଣେ ମାଉସୀ ମାଆ ସହିତ କଥା ହୋଇ ଗୋଡ ଘଷିଦେବାକୁ କହି ଡାକୁଥିଲେ ମୋତେ । ବଦଳରେ ଦୁଇଟଙ୍କା କି ପାଞ୍ଚ ଟଙ୍କା ଦେଉଥିଲେ । ସେଇ ଭିତରେ ବାସନ ମଜେଇ ନେଉଥିଲେ ଦିନେ ଦିନେ। କ୍ରିମ ବିସ୍କୁଟ ଦେଉଥିଲେ ଫେରିବା ବେଳେ। ଆଜି ଏସବୁ ଅସ୍ତବ୍ଯସ୍ତ କରିଦେଉଚି। ଫୁଲଫୁଟା ଦିନଗୁଡ଼ିକରେ କୁହୁଡିଆ ଅନ୍ଧକାର ଝାପସା କରିଦିଏ ଆଖିକୁ। ମନତ ଜଳିପୋଡି ଯାଏ , ଜଳିଯାଏ ସ୍ବପ୍ନ। ମେଘକୁ ହାତଠାରି ଡାକେ ଯେମିତି କିଏ । ଝରଝର ଝରିଯିବକି ଆଉ ।
Comments are closed.