ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୩୨
ଅତୀତ ସହ ବର୍ତ୍ତମାନ , ଆଶା ସହ ଆଶଙ୍କା ଏକବାରେ ଫେଣ୍ଟାଫେଣ୍ଟି ହୋଇ ନୂଆ ରଙ୍ଗରେ ଉଭା। ଉଃ , କାହିଁକି ଏମିତି ହୁଏ ଯେ ! ଧଇଁସଇଁ ହୋଇ ଫେରୁଥିଲେ ସେପଟ ଗଳିରୁ ତିନିଜଣଯାକ। ସଫଳତା କି ବିଫଳତାକୁ ମୁଠେଇଥିଲେ ସେକଥା ଜମା ଜଣାପଡୁନଥିଲା ତାଙ୍କ ମୁହଁରୁ। ବ୍ୟସ୍ତତା ଭିତରେ ଥିବାଭଳି ଲାଗୁଥିଲା ଚାଲିରୁ।
ମିଥିଳା ଦିଦିକୁ ଭଲପାଇ ଯେଉଁ ବୟସ୍କ ଜଣକ ତାଙ୍କ ଯୌବନକୁ ଜଳାଞ୍ଜଳି ଦେଇ ସଂସାର ଛାଡି କେଉଁ ଆଳରେ ନିଜକୁ ଏଇଠି ବାନ୍ଧି ରଖିଥିଲେ ଆମ ସମସ୍ତଙ୍କର ସେ ଦାଦାଭାଇ, ଆରପଟ ପକ୍କା ଘରେ ରହନ୍ତି। ସଉକିଆ ମଣିଷ। ସେ ନାଚ ଶିଖାଉଥିଲେ ଆଗରୁ। ଏବେ ତ ପ୍ରାୟ ଅଚଳ। ବହୁତ ଭଲଲାଗନ୍ତି ଦେଖିଲେ। ବ୍ୟବହାର ଅତିସୁନ୍ଦର। କିଛି ହୋଇନି ତ ତାଙ୍କର। ନା’ ମ, ଏକଥା ତ ଜାଣିବା କଥା। ଲୁଚାଇବା ଭଳି ନୁହଁ । ମନକୁ ମନ ଆସିଲା ଓ ଗଲା ଏ କଥା।
ପାଳି କରି ଜଣ ଜଣକୁ ଦିଦି ପଠାଏ ଦାଦାଭାଇଙ୍କ ପାଖକୁ। ତାଙ୍କ କାମସବୁ କରେଇନିଏ । ନିଜେ ବି ତଦାରଖ କରେ। ଗୋଲାପ କି ରଜନୀଗନ୍ଧା କିଣି ଆଣି ରଖି ଦିଏ, ମୁଣ୍ଡ ପାଖ ଫୁଲଦାନୀରେ କେବେ ପାଦ ପଟେ ଥିବା ଝରକା ପାଖ ଟେବୁଲରେ। ଭାରି ଖୁସି ହୁଅନ୍ତି ଏସବୁ ଦେଖିଲେ। ହସନ୍ତି ମନ ଖୋଲି। ଗଜରା ଭଲପାଏ ଦିଦି, ଲଗାଏ ଓ ଦିଏ ଆମକୁ। କେବେ କେମିତି କାଗଜ ଫୁଲ ଲଗାଏ। ଯୋଉଦିନ ଯାହା ମିଳିଲା। ଦାଦାଭାଇ ସତେଜ ଓ ସୁବାସିତ ଫୁଲକୁ ଭଲ ପାଆନ୍ତି। ଟିକିଏ ଶୁଖିଲେ ଫୋପାଡି ଦେବାକୁ କୁହନ୍ତି। ସମସ୍ତଙ୍କୁ ଚିହ୍ନିଛନ୍ତି, ଚିତ୍ରଗୁପ୍ତ ପାଞ୍ଜି ଭଳି ସବୁ ଆରମ୍ଭ ଓ ଶେଷ ତାଙ୍କ ପାଖରେ ଅଛି। ସେହିଁ ତ କହିଥିଲେ, ‘ଜବାରେ ତୁ ଜନ୍କିତ ନୁହେଁ, ପାଳିତା।’ ମନଟା ବିଷାକ୍ତ ହେଲାସିନା, ସହିବା ଓ ସହି ଲୁଚେଇବା କଳା ଶିଖି ହୋଇଗଲା ସେଇଦିନରୁ। କେବେ ମାଆକୁ ପଚାରେନି କି ଏ ବିଷୟରେ କୁହେନି କିଛି।
ଗୀତପ୍ରିୟ ମଣିଷ ଏ ଦାଦା ଭାଇ। ତାଙ୍କ ବରାଦିଆ ଗୀତ ଗାଇବାକୁ ପଡେ ତାଙ୍କ ପାଖରେଥିବା ମଣିଷଙ୍କୁ । ଭୁଲ୍ ସଜାଡି ଦିଅନ୍ତି ଅନାୟାସରେ । ଭଙ୍ଗା ଦେହମନକୁ ଯୋଡିବା ସେ ଶିଖିଛନ୍ତି। କେତେ ଗପ ତାଙ୍କ ଜିଭ ଅଗରେ । ଆଗେ ସେହିଁ ସମସ୍ତଙ୍କ ଶିକ୍ଷା ଗୁରୁ ଥିଲେ। ମିଥିଳା ଦିଦିକୁ ଛାଡିଦେଲେ ଆଉ କାହା ସହ କୌଣସି ପ୍ରକାର ସମ୍ବନ୍ଧତାଙ୍କର ନାହିଁ। ମନେପକେଇ ସମସ୍ତଙ୍କ ହାନି ଲାଭ, ସୁଖଦୁଃଖ ବୁଝନ୍ତି ଆଗ୍ରହର ସହ। ସତେ ଯେମିତି ଆମ ବସ୍ତିର ବାପା ସିଏ। ପ୍ରଚୁର ଭଲପାଇବା ସମସ୍ତଙ୍କ ପାଇଁ ତାଙ୍କର। ପାତର ଅନ୍ତର କରନ୍ତି ନାହିଁ। ମତଭେଦ ନାହିଁ କି ଅସନ୍ତୋଷ ନାହିଁ। ଅମାପ ସ୍ନେହର ଗନ୍ତାଘର ସେ। ଶ୍ରଦ୍ଧା ଦେଲେ ହିଁ ମିଳେ।
ନ ହେଲେ କିଏ କରନ୍ତା ତାଙ୍କ କାମ ! ପାଖ ଛାଡିବାକୁ କାହାରି ମନ ହୁଏନି ସେଇଥି ପାଇଁ । ଏ ବୟସରେ ବି ସେ ସତେଜ ଦିଶନ୍ତି ଓ ସ୍ପଷ୍ଟ କୁହନ୍ତି । ମଣିଷ ଭଳି ମଣିଷ ସେ । ସକାରାତ୍ମକ ଶକ୍ତିର ଉତ୍ସ ସେ। ତାଙ୍କୁ ତାଙ୍କର ନିଜ କଥା ପଚାରିବାକୁ ସାହସ ହୁଏନା। କିଛି ଦୁଃଖ ନାହିଁ। ଅବସାଦ ନାହିଁ। ଜୀବନ ପ୍ରତି ବିରାଗ ନାହିଁ। କେଜାଣି କେଉଁ ଧାତୁରେ ଗଢା ସେ ! ସୁଠାମ ସୁନ୍ଦର ମଣିଷ। ସମୟାନୁସାରେ କିନ୍ତୁ ବିରକ୍ତ ହୁଅନ୍ତି ନାହିଁ ଭୁଲ୍ ହୋଇଗଲେ। ପାଖ ଲୋକ ସଙ୍କୁଚିତ ହୋଇଯିବ ତାଙ୍କ ପାଖରେ। ନିର୍ବିକାରରେ ହସିହସି ସେ କ୍ଷମା କରି ଦେବେ। ଏଭଳି ଦେବୋପମ ବ୍ୟକ୍ତି ଏ ଜାଗାରେ କାହିଁକି ? ଥରେ ଥରେ ଅୟୁତେ କି ଲକ୍ଷେ କାହାଣୀ କହନ୍ତି ସେ। କୋଉ ରାଜା ଏସବୁ ଘର ଆରମ୍ଭ କରିଥିଲେ, ଆଉ କୋଉ ଜମିଦାର ଶେଷ କଲେ, ଛୋଟ ଛୋଟ ଥାକଥାକ ଘର। ପାରା ଭାଡି ତ । ଜାଗା କେମିତି ମିଳିଲା, କିଏ କୋଉ ଢଙ୍ଗରେ ଉପସ୍ଥାପନା କଲେ ଓ କିଏ ସୁପାରିଶ କଲେ, ଏମିତି ଅନେକ କିଛି। ଜବା ତ ଇତିହାସ ଛାତ୍ରୀ ନୁହେଁ, ସବୁ ନାଁ, ମସିହା ମନେ ରଖିବ। ଏବେ ତ ରଙ୍ଗ ଛଡା କାନ୍ଥ, ଇଟା ଦାନ୍ତ ଦେଖେଇ କୋଉଠି କୋଉଠି ହସିଲେଣି। ଗୁନ୍ଥିଯାଇଚି ଝରକା ଠିକ୍ ଗୁଡାଏ ଖୋଳ ଭଳି।ସେଥିରେ ପୁଣି ପର୍ଦ୍ଦା। ନା ପବନ ନା ଆଲୋକ କିଛି ପଶେନି। ସେସବୁ ଆଉ କାହାର ଚିଜ । ଆମର ତ ଅନ୍ଧାର ଦରକାର କିଟି କିଟି ଉଆଁସ ଦରକାର।
Comments are closed.