ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୦
ମନର ଯତ୍ନ ନିହାତି ଦରକାର। ଦେହର ଯତ୍ନ ବିନା ଅସମ୍ଭବ ସବୁ। ଉଭୟେ ଓତଃପ୍ରୋତ ଭାବରେ ଜଡ଼ିତ। ମନ ଭଲ ଥିଲେ ସବୁକିଛି ଭଲଲାଗେ, ନହଲେ ଗଲା ସବୁ । ମନ ପାଇଁ ଦରକାର ପଡେ, ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଚିନ୍ତାଚେତନା , ଅପରିସୀମ ଅନାବିଳ ଶ୍ରଦ୍ଧା।କିନ୍ତୁ, ବିପୁଳ ବ୍ୟସ୍ତତା ଭିତରେ ଏସବୁ ଆପଣେଇବା ସହଜ ନୁହେଁ, ଚେଷ୍ଟା କଲେ କ୍ଷତି ହେବନି ଜାଣି ବି ଅନେକେ ବିତସ୍ପୃହ। ପରିବାର, ବନ୍ଧୁବାନ୍ଧବ, ସମାଜ …ସମସ୍ତେ ଅଳ୍ପେ ବହୁତେ ଦାୟୀ…ଦୋଷ କାହାକୁ ଦବାଠାରୁ ନିଜେ ନିଜର ସହାୟତା କରିବାଛଡା ଉପାୟ ନାହିଁରେ ଅମୃତା, ନିଜକୁ ଫିଙ୍ଗିଲି ଏଥର ବାକ୍ୟ ବାଣ ।
ଛଉନାଚ ତ ସହଜ ନୁହେଁ ଆଦୌ। ଆଗେ କେବଳ ପୁଅ, ସେ ପୁଣି ରାଜଉଆସ ଭିତରେ ସୀମିତ ଲୋକଙ୍କ ମଧ୍ୟରେ ଯାହା ହେଉଥିଲା ଏବେ ସେସବୁ ଢେର ବଦଳି ଗଲାଣି। ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ଅନେକ ପରିବର୍ତ୍ତନ ହେବାକୁ ଆରମ୍ଭ କଲାଣି। ଝିଅଙ୍କ ସହିତ ଛୋଟ ପିଲାଏ ଶିଖିବା ଆରମ୍ଭ କଲେଣି। ଅବଶ୍ୟ, ଶିଖିବାପାଇଁ ଶୈଶବହିଁ ପ୍ରକୃଷ୍ଟ ସମୟ। ସନ୍ତୁଳନ ପ୍ରଧାନ କଥା।ଚରିତ୍ର ଭିତରେ ପଶିବା ମାନେ ମୁଖଭଙ୍ଗୀ ସହ ଅଙ୍ଗଭଙ୍ଗୀର ମଧୁର ସମନ୍ବୟ ରକ୍ଷା ସତରେ ଭୀଷଣ କଷ୍ଟକର। ରାଜେଶର ବଳିଷ୍ଠ ଶରୀର ସହ ତାଳେ ତାଳେ ତାଣ୍ଡବର ରୌଦ୍ରରୂପ ବେଶ୍ ଉପଭୋଗ୍ୟ। ନଟରାଜ କ’ଣ କମ୍ କଷ୍ଟ ! ଆଉ ଆମ ରାଜାଙ୍କର ସଂଯୋଜନାରେ ଯେଉଁ ଗଙ୍ଗାବତରଣ ତାହା ଅନନ୍ୟ। ଅନେକ ରସର ସମାହାର …।
ସମର ପାଇଁ ହେଉ କି ଲୋକଙ୍କ ପାଇଁ ହେଉ ଏ ନୃତ୍ୟ ଉପଭୋଗ୍ୟ। କେଉଟ କେଉଟୁଣି, ବୁଢୀଅସୁରୁଣି, ଏସବୁ ପ୍ରିୟ ଲୋକଙ୍କର। ଲୋକ ସଂସ୍କୃତି, ଲୋକକଳା, ଲୋକଙ୍କ କଥା କାହିଁକି ଆକୃଷ୍ଟ କରେ ସମସ୍ତଙ୍କୁ ? ଜୀବନ ସେଇଠି ଥାଏ। ଜୀବନ୍ତ ଲାଗେ ସେଇଥିପାଇଁ । ଜୀବନର କଥା ସମସ୍ତଙ୍କର ପ୍ରିୟ କାଳେକାଳେ । ସଞ୍ଚରିଯାଏ ହୃଦରୁ ହୃଦକୁ…ପ୍ରାଣରୁ ପ୍ରାଣକୁ।
କେବେ ସୁଯୋଗ ଆସିବ,ମଞ୍ଚ ଉପରକୁ ଯିବାପାଇଁ! ରାତିରେ ତ କାମ। ଏଥର ଚୈତ୍ର ପର୍ବରେ ଛୁଟି ନେବି ଅନ୍ତତଃ ଦିନଟିଏ। ଦେଖିବାର ସୁଯୋଗ ହାତଛଡା କରିବାକୁ ମନ ହେଉନି ଜମା। ଅସହାୟ ମଣିଷକୁ ଛାଡିବାକୁ ବି ମନହୁଏନା ଆଦୌ । ରାତି ଉଜାଗର ହୋଇ ଜଗିବା, ସମସ୍ତଙ୍କ ଦେଇ ହୁଏନି। ନିରୁପାୟ ମୁଁ ସବୁଦିନ… ସବୁବେଳେ …।
ଶିଖିଗଲା ପରେ ନିଜେ କରିବି ସମସାମୟିକ ସମସ୍ୟାକୁ ନେଇ ସଂଯୋଜନା। ଆମ ସଂସ୍କୃତି ଆମ ପରମ୍ପରା ସହିତ ଏ ସମୟର କଥାକୁ ନେଇ ନୂଆ ଭାବରେ କରିବି ନିଶ୍ଚୟ। ଅନେକ କଳାକାର ଯାଉଛନ୍ତି ବିଦେଶ। କାହିଁ, ଭାଗ୍ୟ ବଦଳୁନି ତ ସେମାନଙ୍କର। ବିଦେଶୀ ଆସୁଛନ୍ତି କିଛି, କେବେ କେବେ। ସେମାନଙ୍କ ରହିବା ପାଇଁ ସେମିତି କିଛି ସୁବିଧା ନାହିଁ ଏଠାରେ। ଅକାରଣେ କିଏ ଆସିବ ଦୁଃଖ ବରିବାକୁ ! ନୂଆ ରୂପରେ ଭାବିବି, ସାକାର କରିବି ,ନୂଆ ଢଙ୍ଗରେ ଆଗେଇ ନେବି ପରମ୍ପରାକୁ। ସଂସ୍କୃତିର ଅବକ୍ଷୟ ନୁହେଁ ଉତ୍ତରଣ ହେବ।ମନରେ ଥାଉ। ‘ମନସା ଚିନ୍ତୟେତ କର୍ମ ବଚସା ନ ପ୍ରକାଶୟେତ’… ସୁଯୋଗ ଆସିବ ବୋଲି ଆଶା ଓ ବିଶ୍ବାସ ରଖି ନିଜକୁ ସଜାଡୁଥିଲି।
ଆଜିର ଖାଇବା ମୋ’ର ମେସ ସହିତ ଲେଖା ଯାଇଛି। ଗଡି ଦୋକାନରୁ ତ ହେବନି , ପ୍ରତୀକ ସହ ବି ନୁହେଁ। ବାହାରେ ଖାଇ ହୋଇ ଥାଆନ୍ତା। ଯାହାସବୁ ହବନି ତାକୁ ଆଉ ଭାବି ଲାଭନାହିଁ। ଅଙ୍କୁରିତ ଶସ୍ଯ, ସାଲାଡ, ଫଳ ,ଦୁଧ,ଦହି,ଛେନା , ଅଣ୍ଡା,ମାଛ ଖାଉଥିବା ମଣିଷ ଆଉ କ’ଣ ଖାଇ ପାରନ୍ତା ଯେ ! ଡାର୍କ ଚକଲେଟ୍ , ପ୍ରତୀକଟା ନିହାତି ସରଳିଆଟେ। କିଛି ବୁଝେନା ….କଫି …. ସାଙ୍ଗ ହୋଇ ବସି ପାରିଥାଆନ୍ତେ …। ମନଖୁସି ଲାଗୁଛି ଏତେ କଥା ଜାଣିହେଲା ଆଜି। ଏଇଖୁସି ଶକ୍ତି ଦବ ଆଗକୁ ବଢିବାକୁ ..। ଠେଲିନବ ଆଲୋକ ଆଡକୁ। ବଞ୍ଚିବାକୁ ଖୋରାକ ଯୋଗାଇଦେଲା । ଲେଖିଲି ବ୍ଲଗରେ —
ମନମୋ’ର କାଗଜର ଡଙ୍ଗା
ପଳାସୀ ହୃଦୟରେ ରଙ୍ଗା
ଉଜାଣି ସୁଅରେ ଭାସି
ବାହେ ଏକା ଏକା …।
ମେଘୁଆ ଆକାଶ ତଳେ
ମୁଁ ଆଉ ନାଆ
ନିଛାଟିଆ ଉଦାସିଆ
ଅଜଣା ପକ୍ଷୀର ସ୍ବର
ପବନର ମିଠା ଛୁଆଁ
ଆନମନା କରେ
ମଙ୍ଗୁଆଳ ସାଜି
ଫେରାଏ ନିଜକୁ ନିଜେ
ଆରମ୍ଭ ବିନ୍ଦୁକୁ ଯାହା।
Comments are closed.