Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୯

ଛୋଟରାୟ ବାବୁ  କୁନୁମାଉସୀକୁ ଯତ୍ନ ସହକାରେ ହୋଟେଲରେ ରଖି ନିଜଘରକୁ ଗଲେ। ଘରଟିଏ ଖୋଜୁଥିବା ଝିଅର ସ୍ବପ୍ନ ପାଇଁ ଦୁହେଁ ଫେରି ଆସିଥିଲେ ପୁରୁଣା ଜାଗାକୁ । ତାଙ୍କ ଘରେ ବହୁତ ଖୁସି ସମସ୍ତେ। ବାପାଙ୍କୁ ପାଇଲେ ପିଲାଏ ଖୁସି ହବାକଥା। ମାନିନୀ ଦେବୀ ସ୍ବାମୀଙ୍କୁ ପାଇ ଆନନ୍ଦିତ ହେବା ସ୍ବାଭାବିକ କଥା। ଘରକୁ ଘରମଣିଷ ଫେରିଲେ ମନତ ଖୁସି ହବ ନା। ବାବୁ ସିମ୍ ବଦଳେଇଦେଲେ। ମାଉସୀର ତ ଆଗରୁ ବଦଳି ସାରିଥିଲ। ସତ କହିବାକୁ ଗଲେ ଦୁର୍ବଳମନା ସବୁଦିନେ ଭୟାଳୁ।

ମାଉସୀ ଗଲାପରେ ମିଥିଳା ଦିଦି ସମସ୍ତଙ୍କ ଉପରେ ବର୍ଷିଲା ଖାଲି। ଆସୁଣୁ ଯାଉଣୁ ଶୋଧିଲା ନାନା ଅପଶବ୍ଦରେ। ମୋଟା ଅଙ୍କର ନୋଟ ବଦଳରେ ସବୁକିଛି ତା’ ସପକ୍ଷରେ କରାଇନେଲା ଆସ୍ତେକିନା । ସେ ଠିକ୍ ଜାଣିଥିଲା ଆସୁଥିବା ସମୟ  କିଭଳି ଦୁର୍ବିସହ ହେବ। ମକବୁଲ୍ ଭାଇ ସହ ଏଥର ଆଉ ଦୁଇଜଣ ନୂଆ ମଣିଷ ରଖିଲା ନିଜ ସୁବିଧା ପାଇଁ। ଜଣେ କାସିମ ଭାଇ , ଚାଚାର ଖାସ ଲୋକ କୁଆଡେ ସେ। ଆଉ ଜଣେ ମାଘୁ ,ନିହାତି ଅସୁନ୍ଦରିଆ ମଣିଷ।

ଖାଇପିଇ ଚାରିକାନ୍ଥ ଭିତରେ ରହିରହି ମାଉସୀ ବିରକ୍ତ ହେଉଥିଲା। ଅପେକ୍ଷାର ଶେଷ ନଥିଲା। ଫୋନ ଲାଗୁନଥିଲା। କାହାକୁ ବା ଆଉ ପଚାରିବ, କ’ଣ ପଚାରିବ ହୋଇ କାନ୍ଦୁଣୁ ମାନ୍ଦୁଣୁ ହେଉଥିଲା। ଧିକ୍କାରୁଥିଲା ଭାଗ୍ୟକୁ,  କର୍ମକୁ, ନିଜକୁ।ମିଥିଳା ଦିଦିର ଆକଟ ମନେ ପଡୁଥିଲା। ବାରଣ ନମାନିଲେ ଫଳ ଯେ ବିଷମ ହେବ ତାହା ଜାଣିପାରୁଥିଲା। ମନ ବୁଝୁନଥିଲା, ଏତେ ମିଠା ଶ୍ରଦ୍ଧାର ପରିଣତି ଏଭଳି କରୁଣ , ଅବିଶ୍ବସନୀୟ ଥିଲା ତା’  ପାଇଁ। ଡରୁଆ, ଭୀରୁ କହି ବୀର ବୋଲି ବରିଥିବା ମଣିଷକୁ ସମ୍ପୁଥିଲା ଏକା ଏକା । ଦୀର୍ଘଶ୍ବାସ ଓ କୋହ ଚାରିକାନ୍ଥ ଭିତରେ ରହିରହି ମିଳେଇଯାଉଥିଲା ଯାହା ।

ମାନିନୀ ଦେବୀ ଛୋଟରାୟ ବାବୁଙ୍କ ଅନ୍ୟମନସ୍କତା,  ବେଖାପ ବ୍ୟବହାର ପାଇଁ  ମନେ ମନେ ଗୁଣି ହେଉଥିଲେ। ଘରକୁ ଫେରିବା ପରେ ଏତେ ଗୋଟିଏ କ’ଣ ଗମ୍ଭୀର କାହିଁକି ଯେ। ଦିନେ ସାହସର ସହ ପଚାରିଲେ,’ କ’ଣ ହେଲା, ଏମିତି ଗୁମସୁମ କାହିଁକି ? ଖୋଲିକି କୁହ। ‘ ବାବୁ ‘କିଛିନାହିଁ’ କହି ଚୁପ୍ ରହିଲେ। ବଡ ଘର ବଡ ଗୁମର କଥା। ଦୁହିଁଙ୍କର ପାର୍ଥକ୍ୟ ବଢୁଥିଲା ଧିରେ।

ମାଉସୀର ମୁଣ୍ଡ ଗୋଳମାଳ ଏବେ ଏବେ ହୋଇଯାଉଥିଲା। ଅନ୍ଧାରି ଗୁମ୍ଫାରେ ରହୁଥିବା ମଣିଷ, ଆଉ କାହା ନିର୍ଦ୍ଦେଶରେ ଚାଲୁଥିବା ଜୀବନ, ଅସହାୟ ସବୁଦିନ। କିଛି  ତ ଜାଣିନଥିଲା  ସଂସାର  ବିଷୟରେ, ଡେଇଁ ପଡିଲେ ହାବୁକା ହାବୁକା ପାଣି  ପିଇ ଅଣନିଃଶ୍ବାସି ହେଉଥିଲା ଯାହା। ଫେରିବକି  ପୁଣି ଥରେ, ନା ମ ଜମା ନୁହେଁ। ପବନରେ ପିଟିହେଲା ନିଜକଥା କେବଳ।

ମାନସିକ ଚାପ ସହିନପାରି ରାୟବାବୁ  ଭୀଷଣ କ୍ରୋଧ ପ୍ରକାଶ କରିବାକୁ ଲାଗିଲେ। ବାଉଳି ଚାଉଳି ହେଲେ। ଅସଂଲଗ୍ନ  କଥା କହିଲେ।ଫୋପାଡିଲେ ଘରର ଦାମିକା ଜିନିଷ। ହାତ ଉଠେଇଲେ ଆଦରର ପିଲାଙ୍କୁ। ଅନିଦ୍ରା ରହି ଅଶ୍ରାବ୍ୟ ଭାଷାରେ ଗାଳିଦେଲେ।ଏଥର ଡାକ୍ତର ଆସିଲେ। କାଉନସିଲିଂ ଚାଲିଲା। ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ଦିଆଗଲା। ନିହାତି ଇଣ୍ଟରଭର୍ଟ ଲୋକକୁ  ପାରିବ କିଏ !  କିଛି କହିଲେ ତ ବୁଝିବ ମଣିଷ।କଥା ହେଉ ହେଉ ଦିନେ ବସ୍ତି ଓ ଆଲକହଲ କଥା ପଡିଲା , ମନର ମଣିଷକୁ ମଣିଷ ସହଜରେ ଭୁଲିପାରେନା।  କେତକୀ ,ଗୋଲାପ, ହେନା ଉଚ୍ଚାଟିତ କରେ ପ୍ରାଣକୁ। ଆଉ କଇଁ….  ସବୁଦିନ ପ୍ରିୟ ଜହ୍ନର। କୁମୁଦିନୀ  ପରା !

ଡାକ୍ତର ଖିଅଟେ ପାଇଲେବି ଦୋ ଦୋ ପାଞ୍ଚ ହେଲେ। ପ୍ରମାଣ କ’ଣ, କେବଳ ସନ୍ଦେହରେ ଚାଲିଲେ, ଅନ୍ଧାରକୁ ଟେକା ମାଡ ଭଳି। ବାବୁ ଜଣକ ଦୁଇ ନାଆରେ ଗୋଡଦେଇ ପସ୍ତଉଥିବେ ନିଶ୍ଚୟ।ଡାକ୍ତର  ଚେଷ୍ଟା ଜାରି ରଖିଲେ।

ମାଉସୀର ଦେହ ଆଉ ଲୁଚାଇ ହେଉନଥିଲା। ମାଆ ହେବାକଥା ତା’କୁ ଘାରିଥିଲା।  ଅସହାୟତା  ସହ ସନ୍ଧି କରି  ଧୈର୍ଯ୍ୟ ସହକାରେ  ଅପେକ୍ଷା  କରୁଥିଲା ଚବିଶଘଣ୍ଟା । କାହା ଛତ୍ରଛାୟା ତଳେ ବିତୁଥିବା ଜୀବନ ଏବେ ଏକାକୀ ଲଢେଇ କରିବାକୁ ଅଣ୍ଟା ଭିଡୁଥିଲା। ଦିଦି ଦିଶୁଥିଲା ତା’କୁ ମାଆ ଭଳି। ନିଜର ଯାହାହେଉଚି ହେଉ, ନୂଆ ଅତିଥି ଆସିବ , ମାଆ ଡାକିବ , ଏଇ ଲୋଭରେ ସେ ବଞ୍ଚିବାକୁ ଶ୍ରେୟ ମଣୁଥିଲା। ଦିଦି ମନା କରିଦବ ଯଦି ସେ ଯୁକ୍ତି କରିବ। ନହେଲେ ଅଶୁଣା ହୋଇ ରହିବ। ନିଜର ରକ୍ତକୁ  ଫିଙ୍ଗି ଦେବନାହିଁ  ଆଦୌ , ଯାହା ବି ହୋଇଗଲେ। ସେ ମାଆ ଡାକିବ। ମାତୃତ୍ବ  ବର୍ଷାରେ ଗାଧୋଇବାର ଆଶା ମଣିଷକୁ  ବାୟା କରୁଥିଲା। କି ମିଠା ସେ ଡାକ…।

‘ ମୋ’ ମାଆ …ମାଆ ଗୋ , ମାଆ…ବଡ ପାଟିରେ ଡାକିବାକୁ ଭୀଷଣ ଇଚ୍ଛା ହେଉଥିଲା ନିଜେ ନକରିପାରିଥିବା କାମ  ସନ୍ତାନ କରୁବୋଲି ସବୁ ମାଆ ବାପା ଚାହିଁଲା ପରି  ମୁଁ ଚାହିଁଲି,  କ୍ଷତି କ’ଣ ହବ ଯେ।’ ମାଉସୀର ମନୋଲଗ, ଶୁଣୁଥିଲା କାନ୍ଥ, କବାଟ ,ଝରକା, ପବନ , ଆସବାବପତ୍ର ଆଉ ନିଜ ହୃଦୟ।ଅସରା ଅସରା ଝରୁଥିଲା ବର୍ଷା ଆଖିରୁ, ହୃଦରୁ… ମନର ଅନ୍ଧାରି କୋଣରୁ।

ଘନ କାକା  ଦୁଷ୍ଟ ବୋଲି ଜାଣିବ କିଏ କେମିତି ଯେ। ମାଆ ବିଶ୍ବାସ କଲା ପ୍ରଥମେ। ଘର ଚଳିବାକୁ  ହାତଗୁଞ୍ଜା ପାଇଗଲା।  ଚକଲେଟ୍,  ସାମ୍ପୁ,  ଫ୍ରକ,  କାନଫୁଲ ବଦଳରେ କମଳି, ଯମୁନା ସହ  ପାଦ କାଢିବା ସମୟରେ  ମାଆର ଦୀର୍ଘଶ୍ବାସ ମନେ ଅଛି, ସେ ଖୁସି ନଥିଲା କାହିଁକି?  ଜାଣିଥିଲା କି ସବୁ? କଣ୍ଟାକୁ ଫୁଲ ମଣି ଘରୁ ପାଦକାଢିଥିବା ସାତ ବର୍ଷର ଝିଅ ବୁଝିଥିଲା କ’ଣ, ଏ ପାଦ ଅଣଲେଉଟା ବୋଲି ।ସେଇଦିନୁ ତ ଅଛି। ଟଙ୍କା ପାଇଁ ଜୀବନ ସହିତ ଖେଳ….। ତା’ ରାଗ,ଅଭିମାନ ସବୁ ନିଷ୍ଫଳ ହେଲା। ମିଥିଳା ଦିଦି ଜାଣେ ସାପକୁ ବଶୀଭୂତ କରିବାର ଅପୂର୍ବ କଳା।  ରେହମାନ ଚାଚା ଜାଣେ ଦେହକିଳା ମନ୍ତ୍ର।  ଫଁ ଫଁ କରୁଥିବା ନାଗୁଣୀ ଜାକିଜୁକି ନୀରବି ଗଲା। ଆଉ, ସେ ସ୍ନେହୀ ଦାଦାଭାଇ ଶିଖେଇଲେ ଜୀଇଁବାର କଳା। ଆରମ୍ଭ ହେଲା ନୂଆ ଜୀବନ। ମୁକ୍ତି କାହିଁ? ସବୁ ଜାଣି , ସବୁ ବୁଝି ଏଇ କୁନୁ ବିଶ୍ବାସଘାତକତା କଲା। ପୁଣି, ଫେରିବ ସେଇ ଅନ୍ଧକାରକୁ। ବାଃ , ବାଃ ରେ  ଜୀବନ ତୁ କେତେ ବାଗରେ ଖେଳେଇପାରୁଚୁ ରେ … ନିଷ୍ଠୁର !

ଜବା ପଚାରିଲା ରୁବିକୁ,  ‘ତୁ ଏତେକଥା  ସତରେ ଜାଣିଲୁ କିପରି? କାହିଁ ଆଉ କେହି ତ କହୁନି। ଏସବୁ ସତ ନା ମନଗଢା ମ ?’ ରୁବି ରାଗିଲା ସ୍ବରରେ ଖିଙ୍କାରି ହେଲା, ‘ ବିଶ୍ବାସ ନହଲେ ନାହିଁ, ଯାହା ଜାଣିଚି କହୁଚି। ତୋ’ର ଇଚ୍ଛା ହେଲେ ଶୁଣିବୁ ନହଲେ ନାହିଁ … ଢେର କାମ ମୋ’ର ପଡିଚି ତେଣେ। ଯାଉଚି… ‘  କହି ଆଗକୁ ଆଗକୁ ପାଦ ପକେଇଲା।’  ‘ଏ,ଏ ରହ ମ, କହ ନା ଶୁଣିବି’ କହି କହି ଜବା ଗୋଡେଇଲା।  ପଛକୁ ଅନେଇ ହସିଲା ସେ ଅଳ୍ପ ଫୁଲେଇ ରୁବି। ‘ହଉ ହଉ କହୁଚି ଶୁଣ’ କହି ଆରମ୍ଭ କଲା।

Comments are closed.