ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫
ଅମୃତା ସବୁଦିନ ଭଳି ନିୟମିତ ଭାବରେ ଘରଭିତରକୁ ଗଲା। ହଲରେ ଲେମନସ୍ପ୍ରେର ବାସ୍ନା।ବହୁତ ଭଲ ଲାଗୁଥିଲା ତା’କୁ। କିଆ,କି ଗୋଲାପକୁ ସେ ସହି ପାରେନା।କେବେକେବେ ତିଥି ସେସବୁ ସ୍ପ୍ରେ କରେ। ଭାରି କଷ୍ଟ ହୁଏ।
ସବୁଦିନ ଭଳି ଚଟାପଟ୍ ଅଥଚ ନିଃଶବ୍ଦରେ କାମ ଆରମ୍ଭ କଲା ନିଜକୁ ପରିଷ୍କାର କରିନେଇ।ଦେଖି ଆସିଲା ପ୍ରିୟ ମଣିଷଙ୍କୁ ।ଶୋଇଚନ୍ତି ସେ। ଖାଇନେଲା ଧିରେ। ରାତି ଏଗାର ବାଜି କେଇ ମନିଟ୍ ହୋଇଚି।
ଆଣ୍ଟିଙ୍କ ରୁମରେ ଗୋଟିଏ କୋଣକୁ ପଡିଥିବା ଡେସ୍କ ଓ ଚେୟାରରେ ଟେବୁଲ ଲ୍ୟାମ୍ପଜାଳି ବହିଟିଏ ବାହାରକଲା ପଢିବା ପାଇଁ। କ’ଣ ସେ କରିବ ଆଉ।ବସି ବସି ନିଦ ଲାଗିବ।ବହି ପଢିବାକୁ ଭଲପାଏ ସେ। ସାରାରାତି ଚାହେଁନି। ଟିକିଏ ଶୁଏ । କିନ୍ତୁ , ସଜାଗଥାଏ।ଯେମିତି ଏପଏଣ୍ଟମେଣ୍ଟବେଳେ କୁହାଯାଇଥିଲା ଠିକ୍ ସେମିତି ସେ କରେ।ମଝିରେ ମଝିରେ ଦେଖିଦିଏ ଶୋଇଚନ୍ତି କି ନାହିଁ। ନହଲେ ଦେହ ହାତ ଆଉଁସି ଦିଏ।ତା’ର ବେଶି କାମ ରାତି ତିନିଟା ପରେ। ଝାଡା ପରେ ସଫାସଫି, ତେଲ ମାଲିସ, ଏକ୍ସରସାଇଜ , ବାଥରୁମ୍ ଧୋଇବା, ଲୁଗାପଟା ମେସିନରେ ଦେଇ ଡ୍ରାୟରରେ ପକେଇବା…ଏମିତି ଏମିତି ଯାବତୀୟ କାମ। ଭେକ୍ୟୁମକ୍ଲିନରରେ ଗାଲିଚା ବିଛା ସମଗ୍ର ଘରକୁ ସେ ହିଁ ସଫାକରେ।ପାପୋଛ ସବୁକୁ ବଦଳାଏ ।ହାତପୋଛା ତଉଲିଆ ବଦଳେଇ ନୂଆସବୁ ରଖେ । ଏସବୁ ନିତିଦିନିଆ। ଆଉ ଯଦି ଚନ୍ଦ୍ରା ଆସିବା ଡେରିହୁଏ ଖାଲିପେଟ ଔଷଧଠୁ ଆରମ୍ଭ କରି ଆଉ କିଛି ଆଗେଇ ନବାକୁ ପଡେ। ଡକ୍ଟର ଆଣ୍ଟି ଔଷଧ ନିୟମିତ ଓ ଠିକ୍ ସମୟରେ ଦବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ତାଛଡା କ୍ୟାମେରା ଅଛି ଯେ।
ଏଥର ବହି ପଢିବା ଆରମ୍ଭ କଲା ଅମୃତା। କିଣ୍ଡଲରେ ବି ପଢେ ମନ ହେଲେ। ମୋବାଇଲ ସାଇଲେଣ୍ଟ ମୋଡ ରେ।ସବୁ ଝିଅଙ୍କ ଭଳି ସେ ଫେସବୁକ, ଟୁଇଟର ,ଇନଷ୍ଟାଗ୍ରାମ ବ୍ୟବହାର କରେ।ବହୁତ ବେଶି ନୁହେଁ। ସମୟ କାହିଁ ଯେ। ସମୟକୁ ସମ୍ମାନ କରେ। ତା’ର ସଚ୍ଚୋଟପଣିଆ ତା’କୁ ଏଇଠି ଆଣି ରଖିଛି। ସେତିକି ତାର ଶକ୍ତି।
ନା, ଆଜି ପଢି ହବନି।
‘କାଗଜଡଙ୍ଗା’ ବ୍ଲଗରେ ଲେଖିଲା କବିତା। ମନକୁ କିଛି ଉଦବେଳିତ କଲେ ନ ଲେଖି ରହି ପାରେନା । ଟାଇପ୍ କଲା ।
” ରେ ଜୀବନ ଡଙ୍ଗା
ତୁ ଭାସି ଯାଆ,
ମନଖୁସିରେ
ଯୁଆଡେ ଇଚ୍ଛା …
ପୃଥିବୀର ଅକ୍ଷାଂଶ ,ଦ୍ରାଘିମା ଡେଇଁ
ମହାକାଶ
ମହାଶୂନ୍ୟ
ମହାନ୍ଧକାରକୁ ଠେଲି
ନୀଳାଭଜ୍ୟୋତି ପାଖକୁ
ଆଃ, ପାରିଜାତ
ପଦ୍ମଫୁଲ
ମହମହ ମହକିତ
ବିଶାଳ ବ୍ୟାପ୍ତିକୁ।
ଆଉ ଲମ୍ବେଇଲେ ଭଲ ଲାଗିବନି। ଅନେକ ପାଠକ ,ପାଠିକା ପଢି ମତାମତ ରଖିବେ। ଭଲ ଲାଗେ ତା’କୁ ଏସବୁ।
ଏକମାତ୍ର ଅମୃତା ହିଁ ଶୋଇପାରେ ଏ ଘରେ। ବାକି ସମସ୍ତେ କାମ କରନ୍ତି। ଭାଗ୍ୟବତୀ ସେ। କାମ ସହିତ ଅନେକ ପ୍ରକାରର ସ୍ବାଧୀନତାକୁ ଉପଭୋଗ କରେ। ସ୍ବାଗତିକା ୱାର୍କିଂ ଓମେନସ୍ ହଷ୍ଟେଲରେ ରହେ।କାହାକୁ ହାତପାତେନି କି ମୁଣ୍ଡଭାଙ୍ଗେନି ଅଯଥାରେ। ନମ୍ରତା ଦେଖାଏ, ସମ୍ମାନ କରେ।ଯୋଉଠି ଯେତିକି ଦରକାର ସେତିକି। ହଷ୍ଟେଲରେ ତା’ ଝରକା ଆରପଟେ ବଡ ସୁଗନ୍ଧରାଜ ଗଛରେ ଫୁଲଫୁଟେ ବର୍ଷସାରା। କି ମହକ।ସେ ଆନମନା ହୁଏ।ଝରକା ଖୋଲି ଦେଲେ ଚେନାଏ ପଶ୍ଚିମ ଆକାଶ ଆଉ ପତ୍ରଫୁଲମିଶା ସୁଗନ୍ଧରାଜ। ଉପରମହଲାରେ ରହେ ତ । ଭଲ ଲାଗେ ବହୁତ। ସେ ଗୁଣୁଗୁଣାଏ ଚେନାଏ ଆକାଶସହ ବସିଲି ମିତ, ଗଛରେ ଗଛେ ସୁଗନ୍ଧରାଜ ….ଜୀବନ ଏଇତ…। ସବୁଠି ଜୀବନ ଦିଶେ।କିଏ କୋଉଠି ଉପଭୋଗେ ଜୀବନକୁ, ସେ ତ ଖାଲି ଦେଖେ …ନିରେଖି ନିରେଖି ….।
ଏଇଠୁ ଗଲେ ଅମୃତାର ଆରମ୍ଭ ଜଗିଂ। ଚାଲି ଚାଲି ଯାଏ। ଅଳ୍ପ କିଛି ଖାଇ ଶୋଇପଡେ କିଛି ସମୟ। ତାପରେ ଅଫିସ୍ ଦୌଡ। ଛଉ ଶିଖେ । ସମୟକୁ ପଛ କରି ଧାଉଁଥାଏ । ପ୍ରଚଣ୍ଡ ଆତ୍ମବିଶ୍ବାସୀ ସହ ସ୍ବାଭିମାନୀ ସେ।ବହୁତ ଇଚ୍ଛା କରିଥିଲା ଇଞ୍ଜିନିୟରିଂ କରିବାକୁ। ଆର୍ଟସ, ସାଇନ୍ସ ସବୁଥିରେ ସମତୁଲ, ବାଲାନ୍ସଡ। ସମସ୍ତେ ଜାଣିଥିଲେ ସେ ଯାହା ପଢିଲେ ଭଲ କରିବ।ବାପାଙ୍କ ଭରସା ଆଉ ତା’ ମନ, ବିଜ୍ଞାନ ଆଡକୁ ଟାଣି ହେଉଥିଲା। ଏସ = ୟୁଟି + ୧/୨ ଏଟି ସ୍କୋୟାର…….ଛାଡ ସବୁ ସ୍ବପ୍ନ; ସମୟ କୋଉଠି ନେଇ କୋଉଠି ଥୋଇଲା।
କଡ ଲେଉଟାଇ ଦେଲା ଆଣ୍ଟିଙ୍କୁ ଏଥର। ପତଳା ନରମ ଦେହକୁ ଘୋଡାଇ ଦେଲା। ପାଣି ପିଇଲା ନିଜେ। ଶୋଇବ ଟିକିଏ।
ୱାସରୁମ୍ କୁ ଗଲା। ଖଡଖାଡ ଶୁଭିଲା।କାହିଁ କିଛି ନାହିଁ ତ। ଡର କ’ଣ ମ।ସେ ତ ଡରେନି। ‘ଡରକାହାକୁ, ଭୟ କାହାକୁ ‘….ଚଉପାଶେ ଚଉବାହା ତୋଳି ଯିଏ ଛିଡା ତା’ ପାଖରେ …ହୁଁ କହିଲେ ହାଁ ହେବ ପରା। ଅନ୍ଧକାର ,ବର୍ଷା ତୋଫାନ୍ ରାତିରେ ବାପା କୁଆଡେ ଗଲେ ବୋଲି ମାଆ ଯେତେବଳେ ବୁକୁଫଟା କାନ୍ଦଣା କାନ୍ଦିଲା, ଅଣନିଃଶ୍ବାସି ଲାଗିଲା ତା’କୁ। ରୁମ ଟାଙ୍କୁରିଗଲା ତା’ର। ଲଣ୍ଠନଟେ କିଏ ଧରେଇଲେ କି ସେ ନିଜେ ଧରିଲା କିଛି ମନେ ନାହିଁ, ସପ୍ତମ ଶ୍ରେଣୀର ଝିଅଟି ଏକଲା ବାହାରିଗଲା ଘରୁ। କେହିତ ନଥିଲେ କୋଉଠି ଆଖପାଖରେ । କୋଉ ତା’ର ଭାଇ ନା ଭଉଣୀ ଅଛନ୍ତି ! କଣ୍ଠଫଟେଇ ବାହାରୁଥିବା ସେ ବିକଳସ୍ବର ଭେଦିଯାଉଥିଲା ଭିତରକୁ। ଚରିଯାଉଥିଲା ତାଳୁରୁ ତଳିପା’ । ଏକରକମ ଧାଉଁଥିଲା ଆର ଗାଁ ଆଡକୁ। ପବନର ଦାଉ, ଧପ୍ ଧପ କରି ଲିଭିଗଲା ଲଣ୍ଠନ। ଠିକ୍ ଗାଁ ମୁଣ୍ଡ ଆମ୍ବଗଛ ମୂଳେ। ଯେଉଁଠି ବ୍ରହ୍ମରାକ୍ଷସ ଗୋଡଲମ୍ବେଇ ବସେ ଏପଟରୁ ସେପଟକୁ। ଆଉ ତା’ ତଳେ ଯିଏ ଗଳିଯିବ ତା’କୁ ସେ ଉଠେଇନବ ଉପରକୁ। ନିଃଶ୍ବାସ ବନ୍ଦ ହୋଇଗଲା କି ଆଉ। ଲଣ୍ଠନ ଖସିଗଲାକି ହାତରୁ ନା ସେ ଫିଙ୍ଗି ଦେଲା, ଧାଇଁଲା ଏକାନିଃଶ୍ବାସକେ ଆରଗାଁ ଆଡକୁ, ଅଣଚାଶ ବୁହାଇ । ରାସ୍ତା ଯୋଉଠି ସରେ ସେଇଠୁ ବିଲ। ଧାନ କିଆରୀ । ଧାନଗଛ ତା’ଠାରୁ ଲମ୍ବା । ହିଡେ ହିଡେ ଗଲେ ପହଞ୍ଚିବ । ବିଜୁଳି, ଘଡଘଡି, ବର୍ଷା, ପବନ ସବୁ ମିଶି ଏକାକାର। ଅନ୍ଧକାର ରାତି। ବିଜୁଳି ଏକମାତ୍ର ଭରସା। ଭୁତ ତ ଖାଇବ, ଆଉ ସାପ ଯଦି ଗୁଡେଇଯିବ …। ଓଃ , କଷ୍ଟକର ସେ ପରିସ୍ଥିତି।
କମାରଶାଳ ପାଖରେ ପହଞ୍ଚିଲା ପରେ ବି ସରୁନି ଦୁଃସ୍ଥିତି। ପଛକୁ ଫେରି ହେଉନି କି ଆଗେଇ ହଉନି। କି ଭୟଙ୍କର ସେ ସମୟ। ବର୍ଷାରେ ଗୋଟାପଣେ ଓଦା। ଅନ୍ଧାର ସହ ସନ୍ଧି ଆଉ ପବନ ସହ ବନ୍ଧୁତା କରି ଘଡଘଡିକୁ ପିଠିରେ ପକେଇ ଧାଉଁଥା। ଏଇଠି ଡହଡହ ହୋଇ ହସେ ଲୁହ ! ବିଲୁର ବଳୁଆ ହାତରେ ମାଡବସେ ଲୁହା ଉପରେ ଠିକ୍ ରୂପଦେବାକୁ। ଆଉ ପାଣିରେ ପଡିଲେ ନାଲି ହସ କଜଳଗାର ପରି ହୋଇଯାଏ। ସ୍କୁଲ ଯିବା ବାଟରେ ନିତିନିତି ଦେଖେ ଏସବୁ। ହାତରେ ଚେନ୍ ଟାଣିଲେ ହାଉହାଉ ପବନ ପଶେ ଭାଟିକୁ। ନିଆଁ ହସେ। ଲୁହା ହସେ। ହସେ ବିଲୁ। ବାପା ତା’ର ନିର୍ବିକାରରେ କାମକରେ । ଖଞ୍ଜଣି ପିଟେ।ବିଶ୍ବକର୍ମା ପୂଜା ଦିନ କି ସୁନ୍ଦର ସଜେଇଥାଆନ୍ତି ସେ ଶାଳକୁ କଇଁ ଫୁଲରେ। ଆଃ …ଟିକିଏ ନିଆଁ ଥିଲେ ତ ଅନ୍ଧାର କଟନ୍ତା। ନିଆଁ କାହିଁ। ତୁଚ୍ଛା ପାଉଁଶ।ଅନ୍ଧାର ଖାଲି। ଆକୁଳରେ ପାଟିରୁ କିଛି ବାହାରୁ ନଥିଲେ ବି ମନରେ ମନରେ ‘ହେ ଶିବାପତି,ପାର୍ବତୀପତି ତ୍ରାହି ମାଂ ଭବସାଗରରମ୍’ ଗାଉଥାଏ, ଯାହା ସେ ନଡରିବାକୁ ବାପାଙ୍କଠୁ ଶିଖିଥାଏ। ଭୟଙ୍କର ଶବ୍ଦକରି ଘଡଘଡି ମାରିଲା। ଝିଲ୍ ଝାଲ୍ ବିଜୁଳି। କାଳିଆ ଅଜା ଘରକୁ ପଶିଯିବକି ଆଉ। ନା ,ନା , ଥାଉ ଥାଉ ବାବା। କାହାକୁ କାହିଁକି କହିବ ସେ ତା ଦୁଃଖ। ସେଇ ପାନ ଘରକୁ ଯିବ।ବୈଲୋଚନ ଜେଜେବାପାଙ୍କୁ କହିବ ସବୁ।ସେ ହିଁ କିଛି କରି ପାରିବେ। ବାପାଙ୍କୁ ସେ ଭଲ ପାଆନ୍ତି। ବାପା ତାଙ୍କୁ ଖାତିର କରନ୍ତି। ସେଇ ରାତି ତା’ର ଡର କାଢିନେଇଥିଲା ଦେହରୁ ମନରୁ। ଆଉ କି ଡର ଯେ। ଡରସବୁ ଉଡନ୍ ଛୁ ସେଇଦିନରୁ।
Comments are closed.