Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୯

ଆରେ ଆମକୁ ସାଧାରଣ ଭାବୁଛ କାହିଁକି ….ଟିକିଏ ଆଦର ଦେଇ ଦେଖ,ଆମେ ମହକେଇଦେବୁ ତୁମ ପୃଥିବୀକୁ। ପରସ୍ତ ପରସ୍ତ କ୍ଷୋଭ ଆମର ତରଳିଯାଏ ସାମାନ୍ୟ ଆଦରର ଉଷ୍ଣ ପରଶରେ । ଅଥଚ , ତୁମେସବୁ କ୍ଷତାକ୍ତ କରିପାର ଅନେକ ପ୍ରକାରେ। ତୁମ ରାଗରୁଷା କେବେ ଛାପେନି କେହି, ଆମେ ପ୍ରତିକ୍ରିୟା ରଖିଲେ ଅସହିଷ୍ଣୁତା କହି ପ୍ରକାଶିତ ହୁଏ ସମ୍ବାଦପତ୍ରରେ ନହେଲେ ଟିଭିରେ। ତୁମେ ସଂଖ୍ୟା ଗରିଷ୍ଠ ଆଉ ଆମେ….ପୋକ, ମାଛି,ସଁମ୍ବାଳୁଆ …ପ୍ରଜାପତି ଦେଖିଛ କି ?ରଙ୍ଗ ଭରିବା ଆଗରୁ ରୂପାନ୍ତରିତ ହେବାକୁ ସେ ନୀରବିଯାଏ କେମିତି କୋକୁନ ଭିତରେ।

ରନ୍ଧା ଆମର ଏଇଠି ଖୁଣିହବନି ଜମାରୁ।ସଞ୍ଜୁଅପାର , ଖାଣ୍ଟି ଆଦର ଓ ଶ୍ରଦ୍ଧାର ମସଲାଦେଇ ଭାତ ଡାଲମା କି ଆଳୁ ଭର୍ତ୍ତା ହେଉପଛେ ଦିନରେ ଦୁଇଥର ମିଳିମିଶି ଖାଇବାକୁ ପଡେ ସମସ୍ତଙ୍କୁ। ଅନେକ ସମସ୍ୟା, ଅନେକ ଯୋଜନା ସେଇଠି ଆଲୋଚନା ହୁଏ।ସାରା ପୃଥିବୀରେ  ଏକଥା ଅନନ୍ୟ ଓ ସ୍ବତନ୍ତ୍ର।ସୁଶୃଙ୍ଖଳ ସମସ୍ତେ। ଏତେ ଟିକିଏ ବେନିୟମ ଅପାର ପସନ୍ଦ ନୁହେଁ। ଗିନିସ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ପ୍ରକାଶିତ ଏ ପାକଶାଳା ଓ ସ୍ନେହ ସୌହାର୍ଦ୍ଦର କଥା।

ଦିନେ ଦିନେ ସନ୍ଧ୍ୟା ପରେ ଜମେ ଖୁବ୍ ବଢିଆ। ଝୁମର ପ୍ରିୟ ଅପା ଗାଇବା ଓ ବଜେଇବା ଶିଖେଇଚି ବବଲି,ସାଇନା,ଜୁଲି, ମାରିଆ ଆଉ ରାଧିକାକୁ। ବଡ ସୁନ୍ଦର ଗାଆନ୍ତି ଓ ବଜାନ୍ତି ସେମାନେ।ସବୁ ଦୁଃଖ ଅବସାଦ ଲିଭିଯାଏ ମନରୁ ।ସେମାନେ ଗାଆନ୍ତି ଅପାର ଲେଖା ଓ ସ୍ବରରେ‐—
ଦଗାଦିଆ ବନ୍ଧୁ ମୋର ଛାଡିଗଲ କାହିଁ
ଝୁରିମରେ ଆଜି ଏକାଏକା କାହିଁ ପାଇଁ।
କଥାଦେଇ କଥା ତୁମେ ରଖିଲତ ନାହିଁ
ଆଶା ମୋର ରହିଲା ତୁମକୁ ଚାହିଁ ଚାହିଁ।
ଫେରିବା ପଥକୁ ତୁମ ବସିଚି ଅନେଇ
ପବନ ନେଇଚି ତୁମ ବାସକୁ ଚୋରେଇ …।
ଦଗାଦିଆ ବନ୍ଧୁ ମୋର ଛାଡିଗଲ କାହିଁ…. ଲହରେଇ ଲହରେଇ କି ସୁନ୍ଦର ଗାଆନ୍ତି, ସତରେ ଯେମିତି କିଛି ଘଟିଚି,ଆଉ କାହା ପାଇଁ ରାଈ ଅପେକ୍ଷାକରି ରହିଚି…. ଅନନ୍ତ ସେ ଅପେକ୍ଷା ।

ଦିବ୍ୟ ଉଦ୍ଦାତ୍ତ କଣ୍ଠରୁ ପୁଣି ଝରିପଡେ ‘ହେ ଚନ୍ଦ୍ରଚୂଡ ମଦନାନ୍ତକ ଶୂଳପାଣେ ….ସଂସାର ଦୁଃଖ ଦହନାୟ ଜଗଦୀଶ ରକ୍ଷ’…. ସତରେ ତୁମେହିଁ ତ ଅର୍ଦ୍ଧନାରୀଶ୍ବର ଭାବରେ ପ୍ରଥମେ ପ୍ରକଟିତ ହୋଇଥିଲ।ଅର୍ଦ୍ଧାଙ୍ଗ ଈଶ୍ବର ଆଉ ଅର୍ଦ୍ଧାଙ୍ଗ ପାର୍ବତୀ …ମଧୁର ସମନ୍ବୟ , ଦିବ୍ୟ ଭାବନା,ଶାଶ୍ବତ ମୂର୍ଚ୍ଛନାକୁ ସାଙ୍ଗରେ ଧରି।ତେବେ କାହିଁକି କପଟ କଲ ,କାହିଁକି ଖେଳିଲ କାହିଁକି, କାହିଁକି…..ଧରା ଦେବ ବୋଲି ନିଭୃତରେ …ନିଃସର୍ତ୍ତରେ …।କାହିଁକି ଆଉ ପ୍ରଶ୍ନ, ପରିପ୍ରଶ୍ନ ବା ମୀମାଂସା …ସବୁ ବନ୍ଧା ଗୋଟିଏ ସୂତ୍ରରେ, ଅନାବିଳ ପ୍ରେମ ପାଖରେ..।
ନିଜ ପ୍ରିୟ କଲୋନୀରେ ନିଜ ସଭ୍ୟତାର କ୍ରମବର୍ଦ୍ଧିଷ୍ଣୁ ବିକାଶ ପାଇଁ ଯେଉଁ ଆହ୍ବାନକୁ ସ୍ବୀକାର କରିବାକୁ ପଡେ ତାହା ଅବର୍ଣ୍ଣନୀୟ।ସମୂହ ପ୍ରଚେଷ୍ଟା, ସମ୍ମିଳିତ ଉଦ୍ୟମ ତଥା ସମଷ୍ଟିର ଆତ୍ମବିଶ୍ବାସ ଲକ୍ଷ୍ୟ ସାଧନରେ ସହାୟକ ସାଜେ।କେବେ କେବେ  ସ୍ବତନ୍ତ୍ର  ଭୋଜି ହୁଏ ରାତିରେ। ମିଳିମିଶି ଯୋଜନାବଦ୍ଧ ଭାବରେ କାମ କଲେ ବାଧେନି ଜମା। ତିଥି ନଆସିପାରିଲେ କେହି  ପହଞ୍ଚେଇ ଆସେ ତା’ ଘରେ ହଟକେଶରେ ସବୁ। ଏଇ ଆନ୍ତରିକତା ପାଖରେ ମୁଣ୍ଡ ନୁଆଁଏ ତିଥି। କେତେ ମନ ଦେଖ ଏ ଅପାଟିର, ସମସ୍ତଙ୍କ ସହ ସମାନ ଭାବ। ସଦା ହସହସ ମୁହଁରେ ସମାଧାନ କରେ ସମସ୍ତଙ୍କ ସମସ୍ୟା। କିଏ ପାରିବ ମ।ଗୋଟିଏ ଦୁଇଟି ପିଲାରେ, କେତେ ନାଚୁଚି, କାନ୍ଦୁଚି, କେତେପ୍ରକାର ହୋଇଯାଉଚି ଆଜିର ମଣିଷ । ଆଉ ସେ … ସମସ୍ତଙ୍କ କଥା ବୁଝିବ ମନଲଗେଇ।ସମାଧାନ କରିବ ଧୈର୍ଯ୍ୟ ଓ ସ୍ଥୈର୍ଯ୍ୟସହକାରେ। ସେବେଳେ ଝରିପଡୁଥିବ ଠୋପାଠୋପା  ଆଦର,ଦୟା,କ୍ଷମା …. ପାରିବ କିଏ ଦେଇ ଏମିତି !ଏଇ ନିଆରା ବ୍ୟକ୍ତିତ୍ବ ପାଖରେ ସଦା ନତମସ୍ତକ ତିଥି।

ପ୍ରତିଦିନ କିଛି ସମୟ ପାଇଁ ଯାଏ ସଞ୍ଜୁ ଅପା ପାଖକୁ । ନୂଆ ନୂଆ ସମସ୍ୟା ସବୁଦିନ ଥାଏ । ସମସ୍ତଙ୍କ ପ୍ରତିନିଧି ରୂପେ ଅପା ବଖାଣେ ସବୁ । ଧିରସ୍ଥିର ଭାବରେ କାମରେ ସାହାଯ୍ୟ କରେ ତିଥି। ସମସ୍ତଙ୍କର ସବୁ ଚାହିଦା ଯେ ପୂରଣହୁଏ ତା ନୁହେଁ,ଆଗପଛ ହୋଇ ବିଚାରକରି କରିବାକୁ ପଡେ କାମ।  ସମାଧାନ ହୁଏ ବିବେକ ବୁଦ୍ଧିରେ।

ତିଥିର ସେବା ମନୋଭାବ ହେତୁ ଅପା ସହିତ ଅନ୍ୟ ଅନେକ ଭଲପାଆନ୍ତି ତା’କୁ।ଏହାହିଁ ତ ବଞ୍ଚିବାର ରାହା କେବଳ ଆଜି। କିଏ ବା ଭଲପାଇବା ନଖୋଜେ ଜୀବନରେ।  ନିରୁତା ସ୍ନେହ ଟିକକ ପଶୁରୁ ଦେବତାକରାଏ ମଣିଷକୁ।ଏ ଦିବ୍ୟ ଅନୁଭବକୁ ଛାଡିବାର ନୁହେଁ।ପାଇଲେ ସାଉଁଟିନେଇ ନିଭୃତରେ ରଖିଦେବାକଥା।ଭାଗ୍ୟରେ ଥିଲେ ମିଳେ। ନହଲେତ ଖାଦ ସବୁଥିରେ। ହଁ, ଖାଦ ବିନା ଅଳଙ୍କାର ଗଢିହେବନି ପରା।ଆମର ଗହଣା କ’ଣ ହବ ମ। ଦେହସାରା ମଣିଷପଣିଆକୁ ନାଇଚୁ ଯେ !

‘ଆଣ୍ଟି ଗୋ  ଆଜି ସଞ୍ଜୁ ଅପା କଥାରେ ତୁମେ ଭଲ ହୋଇଯାଅ ଶିଘ୍ର। ତୁହାଇ ତୁହାଇ ମନେପଡୁଥିଲା ଅପାର ଖାଣ୍ଟିକଥା। ଏକ ଦିବ୍ୟ ଅନୁଭବକୁ ନେଇ ସୋପାନ ପରେ ସୋପାନ  ଅତିକ୍ରମ କରିବାକୁ ପଡିବ ଆମକୁ।ସହାୟ ହେବେ ପ୍ରଭୁ।  କିନ୍ତୁ ପ୍ରଥମେ ନିଜେ ନିଜକୁ  ଦମ୍ଭଦେଇ ଅମୃତକୁ ପିଇବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ରହିବା ଆବଶ୍ୟକ।ଆଉଁସି ଦେଉଦେଉ ମନେମନେ କହିହେଉଥିଲା ତିଥି, ଯେଉଁ ସ୍ପର୍ଶ ସେ ଗୋଟେଇ ଆଣିଥିଲା ଅପାଙ୍କ ପାଖରୁ,ତାହା ସଞ୍ଚରିଯାଉଥିଲା ଯେମିତି ପ୍ରିୟ ଆଣ୍ଟିଙ୍କର ଦେହରେ ମନରେ।ଖେଳିଯାଉଥିଲା ଦିବ୍ୟ ଚେତନା ତାଳୁରୁ ତଳିପା। ଉଜ୍ଜ୍ବଳି ଉଠୁଥିଲା ସୁପ୍ତ ସତ୍ତା। ଏଥର ଜୀବନ୍ୟାସ ପାଇବ ନବୀନ ଢଙ୍ଗରେ। ଅନନ୍ୟ ଭାବରେ।

Comments are closed.