Latest Odisha News

BREAKING NEWS

ଅତି ସାଧାରଣ ମଣିଷ ଗାନ୍ଧୀ

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

ଆତ୍ମ ପ୍ରତ୍ୟୟର ଅଭାବ ଯୋଗୁଁ କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେ ପାରିବେ କି ନାହିଁ ବୋଲି ଅନେକ ବ୍ୟକ୍ତି ଦ୍ୱନ୍ଦରେ ପଡନ୍ତି । ସାମାଜିକ ସଂଗଠନ ଠାରୁ ରାଜନୈତିକ ସଂଗଠନ, ଏମିତିକି ସରକାରରୁ ଧାର୍ମିକ ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କର ଦରକାର ହେଉଛି ମୋଟା ଅଙ୍କର ବଜେଟ୍‍ ଓ ଲମ୍ବା କାର୍ଯ୍ୟସୂଚୀ । ଗୋଟିଏ ପଟେ ଅର୍ଥ ହିଁ ଅନର୍ଥର କାରଣ ବୋଲି କୁହାଯାଉଥିବାବେଳେ ଅର୍ଥ ନଥିଲେ କୌଣସି କାର୍ଯ୍ୟ କରିବା ସମ୍ଭବପର ନୁହେଁ ବୋଲି ଅନେକ ଲୋକ ବିଚାରକରି ଆହ୍ୱାନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ବଜେଟ୍‍ ଓ କାର୍ଯ୍ୟକ୍ରମର ଦ୍ୱାହି ଦେଇ ଆହ୍ୱାନର ମୁକାବିଲାକୁ ଏଡାଇ ଯାଉଥିବା ଲୋକଙ୍କ ଦ୍ୱନ୍ଦ ଦୂର ପାଇଁ ମୋହନଦାସ କରମଚାନ୍ଦ ଗାନ୍ଧୀ ହେଉଛନ୍ତି ଉଦାହରଣ । ସେ ଜାତିର ଜନକ କି ମହାତ୍ମା ହୋଇ ଜନ୍ମ ହୋଇନଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତି କିମ୍ବା ଦେଶରେ ପରିଚିତି ସୃଷ୍ଟି କରିବା ଭଳି ତାଙ୍କର ପାରିବାରିକ ପୃଷ୍ଠଭୂମି ବି ନଥିଲା । ଗାନ୍ଧୀ ଏକ ଅସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି, କେବଳ ଜଣେ ଅତି ସାଧାରଣ ବ୍ୟକ୍ତି । ସାଧାରଣରୁ ଅତି ସାଧାରଣ ସ୍ତରକୁ ଯିବା ସମୟରେ ସେ ଯେଉଁ ଅତି ମାନସ ଶକ୍ତିର ଅଧିକାରୀ ହେଲେ ତାହା ତାଙ୍କୁ ବିଶ୍ୱ ମାନବ ଭାବେ ଗଢିତୋଳିଲା । ସତ୍ୟ ତାଙ୍କର ଭଗବାନ ଓ କର୍ମ ଥିଲା ଉପାସନା ।

ପିଲାଦିନେ ଗାନ୍ଧୀ ଖୁବ୍‍ ଡରକୁଳା ଥିଲେ । ବିଶେଷକରି ଅନ୍ଧାରରେ ସେ ଭୂତ, ପ୍ରେତ, ଡାହାଣି, ଚିରୁଗୁଣି ଆଦିଙ୍କ କଳ୍ପନା କରି ଭୟରେ ଥରୁଥିଲେ । ତାଙ୍କୁ ଏହି ଭୟରୁ ମୁକ୍ତି ଦେଲେ ଧାଈ ମା’ ରମ୍ଭା ଓ ପତ୍ନୀ କସ୍ତୁରବା । ମା’ ପୁତୁଲିବାଈ ତାଙ୍କୁ ପିଲା ଦିନରୁ ଆଧ୍ୟାତ୍ମିକତାର ମାର୍ଗରେ ବାଟ କଢାଇ ସତ୍ୟ ଓ ଅହିଂସାର ଯେଉଁ ଦୀପଶିଖା ଦେଖାଇଥିଲେ ତାହା ତାଙ୍କ ପରବର୍ତ୍ତୀ ଜୀବନରେ ସମଗ୍ର ବିଶ୍ୱକୁ ନୂତନ ଆଲୋକରେ ଉଦ୍‍ଭାସିତ କରିଥିଲା । ଗାନ୍ଧୀ ବି ସେତେ ଭଲ ଛାତ୍ର ନଥିଲେ । ଚାଳିଶ ପ୍ରତିଶତରୁ କମ୍‍ ନମ୍ବର ରଖୁଥିବା ମୋହନ କିନ୍ତୁ ପରବର୍ତ୍ତୀ ଜୀବନରେ ସାଧନା ବଳରେ ବିଶ୍ୱର କୋଣ ଅନୁକୋଣରେ ପରିଚିତ ହେଲେ । ପିଲାଦିନେ ତାଙ୍କର ସ୍ୱାସ୍ଥ୍ୟ ଖୁବ୍‍ ଦୁର୍ବଳ ଥିଲା । କୁସଙ୍ଗରେ ପଡି ପିଲାଦିନେ ସେ ଅନେକ ଭୁଲ୍‍ କରିଥିଲେ । ସୁସ୍ଥ ସବଳ ହେବାପାଇଁ ସୁନା ଅଳଙ୍କାରରୁ ଖଣ୍ଡେ କାଟି ସାଙ୍ଗଙ୍କ ସହ ମିଶି ମାଂସ ଖାଇଥିଲେ । ଏମିତିକି ସାଙ୍ଗମାନେ ଥରେ ତାଙ୍କୁ ଗଣିକାଳୟକୁ ନେଇଥିଲେ ମଧ୍ୟ ସେଠାରୁ ସେ ଖସି ଆସିଥିଲେ । ଛାତ୍ର ଅବସ୍ଥାରେ ବହୁ ବାର ମଦୁଆମାନଙ୍କ ସଂସ୍ପର୍ଶରେ ଆସିଥିଲେ ବି ସେ ମଦ୍ୟପାନ କରିନାହାନ୍ତି । ସୁଟ୍‍ ବୁଟ୍‍ ପିନ୍ଧି ସୌଖିନ ଜୀବନ ବି ସେ ଗୋଟିଏ ସମୟରେ କାଟୁଥିଲେ । କିନ୍ତୁ, ନିଜ ଜୀବନରେ ଏକାଦଶ ବ୍ରତର ସଫଳ ଅନୁପାନଳ କରି ଏବଂ ଗୀତାକୁ ତାଙ୍କର ମା’ ଭାବେ ମାନିନେଇ ଗାନ୍ଧୀଜୀ ବିଶ୍ୱବାସୀଙ୍କ ନିକଟରେ ପରବର୍ତ୍ତୀ ସମୟରେ ଆଦର୍ଶ ପୁରୁଷ ଭାବେ ଉଭା ହୋଇପାରିଲେ ।

ବାରିଷ୍ଟରୀ ପଢିବାପାଇଁ ସେ ବିଲାତ ଯିବା ବେଳକୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବାବେଳେ ତାହାର ଲିଖିତ ଭାଷଣ ମଧ୍ୟ ସେ ଠିକଣା ଭାବେ ପଢିପାରିନଥିଲେ । ବିଲାତରୁ ବାରିଷ୍ଟର ହୋଇ ଫେରିବାପରେ ଭାରତରେ ବି ସେ ଆଦୌ ଭଲ ଓକିଲାତି କରିପାରି ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାରେ ଓକିଲ ହିସାବରେ ଭଲ ନାଁ କମାଇବା ସହ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରି ତାଙ୍କ ଚିନ୍ତା, କାମ ଓ କଥାରେ ଲକ୍ଷ ଲକ୍ଷ ଲୋକଙ୍କୁ ବାନ୍ଧିରଖି ପାରିଲେ । ଗାନ୍ଧୀଜୀଙ୍କ ବାପା ରାଜାଙ୍କ ଦେବାନ୍‍ ଥିଲେ ସତ, କିନ୍ତୁ ସେ ଏତେ ସଚ୍ଚୋଟ ଥିଲେ ଯେ ତାଙ୍କ ମୃତ୍ୟୁପରେ ପରିବାରର ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡିଥିଲା । ଏ ପରିପ୍ରେକ୍ଷୀରେ ବିଲାତ ଯିବାପାଇଁ ଅର୍ଥାଭାବ ଥିବାରୁ ଧାର କରଜ କରିବାକୁ ପଡିଥିଲା । ଏମିତିକି କସ୍ତୂରବା ମଧ୍ୟ ତାଙ୍କ ଗହଣା ବିକିବାକୁ ପ୍ରସ୍ତାବ ଦେଇଥିଲେ । ଗୋଟିଏ ସମୟରେ ଗାନ୍ଧୀଜୀ ସ୍କୁଲ ଶିକ୍ଷକଟିଏ ହେବାପାଇଁ ଚାହିଁଥିଲେ ବି ତାହା ସମ୍ଭବପର ହୋଇନଥିଲା । କିନ୍ତୁ ଠିକଣା ସାଧନକୁ ପୁଞ୍ଜିକରି ଲକ୍ଷ୍ୟ ପଥରେ ଆଗେଇଲେ ବିଭିନ୍ନ କ୍ଷେତ୍ରରେ କିଭଳି ସଫଳତା ମିଳେ ତାହାର ଉଦାହରଣ ହେଉଛନ୍ତି ଗାନ୍ଧୀଜୀ । ସେ ବି ଖୁବ୍‍ ବଦରାଗୀ ଥିଲେ ଏବଂ ପତ୍ନୀ କସ୍ତୂରବାଙ୍କ ଉପରେ ପ୍ରାରମ୍ଭରେ କିଛିବର୍ଷ ପାଇଁ ପ୍ରଭୁତ୍ୱ ଜାହିର କରିବା ସହ ସନ୍ଦେହ ବି କରୁଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ତାଙ୍କର ଏ ସ୍ୱଭାବ ବଦଳି ଯାଇଥିଲା ।

ଅନାଦି କାଳରୁ ଗଛରୁ ଫଳ ଭୂମି ଉପରେ ପଡି ଆସୁଛି । ସମସ୍ତେ ଏହା ଦେଖନ୍ତି, କିନ୍ତୁ ନିଉଟନ ଏହାକୁ ଯେଉଁ ଦୃଷ୍ଟିରେ ଦେଖିଲେ ସେଥିରୁ ମାଧ୍ୟାକର୍ଷଣ ଶକ୍ତି ଥିବା ଆମେ ଜାଣିଲୁ । ପାଣିରେ ଗୋଡିଟିଏ ପଡିଲେ ତରଙ୍ଗ ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ଗାଲିଲିଓଙ୍କ ଅସ୍ୱଭାବିକ ଦୃଷ୍ଟିରୁ ଜଣାପଡିଲା ଶବ୍ଦ ତରଙ୍ଗର କଥା । ଏମିତି ଉଦାହରଣ ଅନେକ । ଟିକିଏ ଭିନ୍ନ ଦୃଷ୍ଟିରେ ସମାଜ ଓ ବ୍ୟବସ୍ଥାକୁ ଦେଖି ଗଭୀର ଭାବେ ଅନୁଶୀଳନ କଲେ ସେଥିରୁ ନିଶ୍ଚିତ ଭାବେ କିଛି ନୂଆକଥା ବାହାରିବ । ଗାନ୍ଧୀଜୀ ଏହି ସୂତ୍ରକୁ ତାଙ୍କ ଜୀବନରେ ପ୍ରୟୋଗ କରି ସତ୍ୟର ଅନୁସନ୍ଧାନ କରୁ କରୁ ବିବିଧ ସମସ୍ୟାବଳୀର ସମାଧାନ ସୂତ୍ର ପାଇଥିଲେ । ଏହାର ଠିକଣା ପ୍ରୟୋଗ କରି ସତ୍ୟାଗ୍ରହ ସଂଗ୍ରାମ ବଳରେ କେବଳ ଦେଶକୁ ସ୍ୱାଧୀନ କଲେ ନାହିଁ, ହଜାର ହଜାର ବର୍ଷ ପାଇଁ ବିଶ୍ୱକୁ ବି ମାର୍ଗଦର୍ଶନ ଦେଇଗଲେ । ଏଥିଲାଗି ଗାନ୍ଧୀଜୀଙ୍କର କୌଣସି ଏଜେଣ୍ଡା କି ବଜେଟ୍‍ ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇନଥିଲା । ସତ୍‍ର ସରଳରେଖା ଉପରେ ଚିନ୍ତା, କାମ ଓ କଥାକୁ ତିନୋଟି ବିନ୍ଦୁରେ ରଖି ସେବା ଓ ତ୍ୟାଗ ମନୋଭାବ ନେଇ ନିର୍ଭିକତାର ସହ କାର୍ଯ୍ୟ କରିବା ଫଳରେ ସେ ସାଧାରଣ ମଣିଷରୁ ମହାମାନବରେ ପରିଣତ ହୋଇପାରିଥିଲେ ।

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇତିହାସ ଓ ସଭ୍ୟତା ବିଭାଗର ସ୍ୱନାମଧନ୍ୟ ପ୍ରଫେସର ସୟଦ ହୁସେନ ୧୯୩୭ ମସିହାରେ ‘ଗାନ୍ଧୀ – ଦି ଆଜ୍‍ ଷ୍ଟେଟସ୍‍ମ୍ୟାନ’ ପୁସ୍ତକ ଲେଖିଥିଲେ । ଏଥିରେ ସେ ଲେଖିଛନ୍ତି ଯେ ବିଶ୍ୱ ମାନବସମାଜର ଦୁଃଖର ବୋଝ ବହନ କରିବାର ଶକ୍ତି କେବଳ ଗାନ୍ଧୀମାନଙ୍କର ହିଁ ଥାଏ । ହିଂସାରେ ଅଭ୍ୟସ୍ତ ଥିବା ଲୋକେ ସବୁବେଳେ ଭୟଭୀତ ଅବସ୍ଥାରେ ଥାନ୍ତି ଏବଂ ଏଥିପାଇଁ ସେମାନଙ୍କ ଲାଗି ନିରାପତ୍ତା ଖୋଜା ପଡେ । କିନ୍ତୁ ସତ୍ୟ ଅହିଂସାର ମାର୍ଗରେ ଚାଲିଥିବା ପଥିକର ଅଭିଧାନରେ ଭୟ ଶବ୍ଦଟି ନଥାଏ । ଅର୍ଥନୀତି, ରାଜନୀତି, ସମାଜନୀତି, ଆଧ୍ୟାତ୍ମିକତା ଆଦି କ୍ଷେତ୍ରରେ ସତ୍ୟ ଅହିଂସାର ସଫଳ ପ୍ରୟୋଗ ହେଲେ କେତେ ଚମତ୍କାର ଫଳ ମିଳିପାରିବ ତାହାର ପରୀକ୍ଷା କରି ଗାନ୍ଧୀ ଦେଖାଇ ଯାଇଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ସତ୍ୟର ସରଳ ମାର୍ଗକୁ ଛାଡି ଅସତ୍ୟର ଜଟିଳମାର୍ଗରେ ଚାଲିବା ଫଳରେ କେବଳ ସମସ୍ୟା ସାଗରରେ ଉବୁଟୁବୁ ହେଉଛୁ । ଏ ପରିପ୍ରେକ୍ଷୀରେ ଆଜିର ଜଗତିକରଣ, ଉଦାରିକରଣ, ବଜାରିକରଣ ଆଦି ଅସଭ୍ୟତାର ମାୟାଜାଲରେ ଛନ୍ଦିହୋଇ ଧ୍ୱଂସର ସ୍ରୋତରେ ଆମେ ଉବୁଟୁବୁ ହେଉଛୁ । ସ୍ୱାଭିମାନ ଓ ସ୍ୱାବଲମ୍ବନକୁ ଛାଡି ପୁଣି ପରାଧିନ ହେଉଛୁ । କିନ୍ତୁ ଗାନ୍ଧୀଜୀଙ୍କ ପନ୍ଥା ସମ୍ପୂର୍ଣ୍ଣ ନିଆରା । ସ୍ରୋତର ଅନୁକୂଳରେ କୁଟା, କାଠି, ପତର, ମୁର୍ଦ୍ଦାର ଭଳି ଭାସିନଯାଇ ପ୍ରତିକୂଳ ଦିଗରେ ସନ୍ତରଣ କରି ଜୀବନର ସଫଳତା ହାସଲ କରିବା ସହ ବ୍ୟବସ୍ଥାରେ କିଭଳି କ୍ରାନ୍ତି ଅଣାଯାଇ ପାରେ ସେ କଥା ଗାନ୍ଧୀଜୀ ଦେଖାଇ ଯାଇଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବାପାଇଁ ସେ ସତ୍ୟାଗ୍ରହର ଯେଉଁ ସାଧନ ଛାଡି ଯାଇଛନ୍ତି ତାହା ଉପରେ ଅଧିକ ସାଧନା କରାଗଲେ ଯେ ଚମତ୍କାର ଫଳ ମିଳିବ ଏଥିରେ ସନ୍ଦେହ ନାହିଁ । ସତ୍ୟାଗ୍ରହରେ ହିଂସା, ଦ୍ୱେଷ, ପରଶ୍ରୀକାତରତା, ଭୟ, ଲୋଭ, ଲାଭକ୍ଷତି ଆଦିର ପ୍ରଶ୍ନ ନଥାଏ । ଏହା ସ୍ନେହ, ପ୍ରେମ, କରୁଣା, ମାନବବାଦ, ସେବା ଓ ତ୍ୟାଗର ଏକ ପ୍ରମାଣସିଦ୍ଧ ମଞ୍ଚ ।

ଗାନ୍ଧୀ ଥରେ ମାତ୍ର ୧୯୨୪ରେ ବର୍ଷକ ପାଇଁ କଂଗ୍ରେସର ସଭାପତି ହୋଇଥିଲେ । ସେ କୌଣସି ସରକାରୀ ପଦ ପଦବୀରେ କେବେ ବି ନଥିଲେ । ୧୯୩୪ ମସିହାରେ ତ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏମିତିକି କଂଗ୍ରେସକୁ ଭାଙ୍ଗି ଲୋକସେବକ ସଂଘରେ ପରିଣତ କରିବାକୁ ବି ସେ ଚାହିଁଥିଲେ । ଜୀବନକାଳ ମଧ୍ୟରେ ଗାନ୍ଧୀଜୀ ୨୩୩୯ ଦିନ ଜେଲ୍‍ରେ କାଟିଥିବା ବେଳେ ବିଭିନ୍ନ ସମୟରେ ୮ମାସରୁ ଅଧିକକାଳ ଅନଶନରେ ବିତାଇଥିଲେ । ତାଙ୍କ ଆହ୍ୱାନରେ ଲକ୍ଷ ଲକ୍ଷ ଲୋକ ସ୍ୱାଧୀନତା ଓ ସଂସ୍କାର ପାଇଁ ଜୀବନକୁ ବାଜି ଲଗାଇ ଦେଇଥିଲେ । ସପ୍ତାହରେ ଦିନଟିଏ ମୌନବ୍ରତ ରଖୁଥିଲେ । ସାଧାରଣରୁ ଅତି ସାଧାରଣ ସ୍ତରକୁ ଯାଇ ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ବରଣ କରି ଆଣ୍ଠୁଲୁଚା ଖଦି ଖଣ୍ଡେ ପିନ୍ଧି ତାଙ୍କ ଅମ୍ଳାନ ବିଚାର ଆଧାରରେ ଧ୍ରୁବ ତାରା ପାଲଟି ଯାଇଥିଲେ । ଭଗବାନ ବୁଦ୍ଧଙ୍କ ମହାନିର୍ବାଣର ଓ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ ହେବାର ଶହ ଶହ ବର୍ଷ ପରେ ସେମାନଙ୍କ ଜୀବନ ଦର୍ଶନ ଯେଭଳି ଫୁଟି ଉଠିଲା ସେହିପରି ଗାନ୍ଧୀଜୀ ଯେଉଁ ନୂଆ ଆଲୋକରେ ବିଶ୍ୱକୁ ଉଦ୍‍ଭାସିତ କରିଛନ୍ତି ତାହା ବି ସହସ୍ରାବ୍ଦୀ ଧରି କେବଳ ଇତିହାସର କଥାବସ୍ତୁ ହୋଇ ରହିବନାହିଁ, ସମୟର ମୋଡ ବଦଳାଇବାରେ ମାର୍ଗଦର୍ଶକ ହେବ ବୋଲି ଏବେ ଦେଶ ବିଦେଶର ଚିନ୍ତାନାୟକମାନେ ମତବ୍ୟକ୍ତ କରୁଛନ୍ତି । ଏଥିଲାଗି ଗାନ୍ଧୀଜୀଙ୍କ ଅମ୍ଳାନ ବିଚାର ସବୁ ସମୟ ପାଇଁ ପ୍ରାସଙ୍ଗିକ ହୋଇ ରହିଛି ଓ ରହିଥିବ । ତେବେ ଏହାର ସଫଳ ପ୍ରୟୋଗ ଲାଗି ଆମକୁ ଅସାଧାରଣ ନୁହେଁ ଅତି ସାଧାରଣ ହେବାକୁ ପଡିବ । ଏହା ହେଉଛି ଗାନ୍ଧୀ ବିଚାରର ବୀଜ ମନ୍ତ୍ର ।

ଇ ମେଲ : prahalladsinha@gmail.com
ମୋ ୯୪୩୭୦୧୭୩୯୫

Leave A Reply

Your email address will not be published.