ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬
ରାତି ଜମୁଥିଲା ଠିକ୍ ଖଣ୍ଡେ ବରଫଭଳି ଧିରେ ଧିରେ। ଏଇ ଆପାର୍ଟମେଣ୍ଟର ସବୁକିଛି ବହୁତ ବଢିଆ। ନିରାପତ୍ତା ଦୃଷ୍ଟିରୁ ବହୁତ ଭଲ।ନହଲେ ଅସହାୟ ରାତିଟାରେ ନିପାରିଲା ମଣିଷ ସହ ଏକଲା ଝିଅଟି ରହନ୍ତା କିପରି ଯେ । ନାଃ , ଏଥର ଟିକିଏ ଗଡିପଡିବ ଅମୃତା। ଧିରେ ଅଥଚ ଠିକ୍ ଭାବରେ କାନ୍ଥକଡର ବେଞ୍ଚକି ଛୋଟ ଖଟଟିରେ ନିଜକୁ ସଜାଡି ନେଲା ।ସତେକି ମୁଠାଏ ଫୁଲ ସେ। ଉଁ ହୁଁ ସେ ତ ଭାଙ୍ଗି ପଡିଥିବା ଡାଳଖଣ୍ଡେ। ପ୍ରଭୁଙ୍କୁ ହାତଯୋଡି ମନେମନେ ପ୍ରାର୍ଥନା କଲା ରାତି ଠିକରେ ବିତୁ ବୋଲି ଆଉ ଆଣ୍ଟିଙ୍କର କିଛି ଅସୁବିଧା ନହେଉ କହି ,ଆଖି ବୁଜିଲାଟିପ୍ ଟିପ୍ ଚାଦରଟିରେ ଦେହଢାଙ୍କି।ଏକାଗ୍ର ତନୁମନ।ନିଦ ମାଉସୀ କି ପିୟୁସୀ ଆସିଗଲେ ବହୁତ ବଢିଆ। ମାଆର ଅଧା ମାଉସୀ ଆଉ ବାପାଙ୍କ ଅଧା ପିୟୁସୀ ସବୁବେଳେ ଶୁଣୁଥିଲା ପିଲାଦିନେ। ଉଁ…ପୁଣି ବାପା …,କାହିଁକି ପଶିଆସୁଚ ବନ୍ଦ ଝରକା, କବାଟ ଡେଇଁ। ନିବୁଜରେ ରୁନ୍ଧିସାରିଲା ପରେ ନିଜକୁ ଆଉ କ’ଣ ଅଛି ବାକି ଯେ ଧସେଇ ପଶିଆସିଲ। ଗୋଟେଇ ପୋଟେଇ ଆଖି ଚିପୁଡିଲା …।
କାନ୍ଥର ଅଧାଅଧି ମାଡିବସିଚି ଘଣ୍ଟାଟି।ଟିକ୍ ଟିକ୍ କରି ଜାହିର କରୁଛି ତା’ର ଅସ୍ତିତ୍ବ। ଭାରି ଅଡୁଆ ଲାଗେ ଏଇ ଗୋଟିକ। ମଜାଲାଗେ ତା’ର ଧିର ଗତି।କଢରୁ ଫୁଲଟିଏ ପରି ଫୁଟେ ମିନିଟ୍ କଣ୍ଟାଟି ବାଆର ପାଖରେ।ଛୋଟ ଛୋଟ ଜୁଆର ଭଳି କୁଳୁକୁଳୁ ଶବ୍ଦ। କେବେ କେବେ ତୀର ଓ ଧନୁ ଭଳି ଦିଶେ।କେଉଁଠି ବାଜିଯିବ ଯେ…।ଲକ୍ଷ୍ୟ ତା’ର କ’ଣ… କେଜାଣି …।
ଭୋଃ ..ଭୋଃ …ବୁଲାକୁକୁରଙ୍କ ଶବ୍ଦ। ଚମକି ଗଲା ଟିକିଏ ଅମୃତା। ହଁ, ରାତିରେ ତ ଏଇସବୁ ଜନ୍ତୁ ଥାଆନ୍ତି ନିଦ ଚୋରେଇନେବାକୁ ।କାହିଁକି ତା’ର କାନ୍ଥଘଣ୍ଟାର ସ୍ବପ୍ନ ଚୁରମାର ହୋଇଗଲା। କ’ଣ କହେ ସେ।ବାରମ୍ବାର ଆସେ ସ୍ବପ୍ନରେ।କି ସନ୍ଦେଶ ଥାଏ ମ..।କଡେଇକି ଆଉ ଟିକିଏ ଶୋଇବାକୁ ଚେଷ୍ଟା କଲା।ଇଏ ତ ନିତିଦିନିଆ ଜୀବନ। ଭଲ ପଇସା ମିଳୁଛି ଏ କାମରୁ। ସୁଚେତା ମାଡାମଙ୍କ ସୁପାରିଶ ଆଉ ତା’ ମେହନତରୁ ମିଳିଚି ଏ କାମ।ଛାଡ ମ ସେସବୁ।ଆଉ ଟିକିଏ ଶୋଇଲେ ହେବ କହି ନିଜକୁ ଆକଟିଲା।
ଆଲାର୍ମ ବାଜିଲା ମୋବାଇଲ୍ ରେ ଭାଇବ୍ରେସନ ଖାଲି, ଶବ୍ଦ ନାହିଁ। ଧପ କରି ଉଠି ଦେଖିନେଲା ଆଣ୍ଟିଙ୍କୁ। ସବୁଦିନ ଭଳି ସବୁ ଠିକ୍ ଅଛି।କରେଇଦେଲା ଟିକିଏ।ମନ ହେଲେ ନିଜେ କରିବେ ନହେଲେ ସେମିତି ପଡିଥିବେ।
ଝପଝପ ଶବ୍ଦ ହେଲା। ବର୍ଷା ହେଲାକି କ’ଣ। ଅଦିନିଆ ମେଘ।ଅକ୍ଟୋବର ମାସ ବର୍ଷା ହେଲେ ପୂଜାଟା ନଷ୍ଟ ହୋଇଯାଏ ।ବେକାରିଆ ବର୍ଷା। ବର୍ଷା…ହା.. ହା.. ହା …।’ବର୍ଷା ଇନ’ରେ ତା’ ଚାକିରି। ଆଉ ହଷ୍ଟେଲର ବର୍ଷା, ଝଗଡେ ..ନିର୍ବୁଦ୍ଧିଆ।ରକମ ରକମ ବର୍ଷା ଆସେ ଜୀବନରେ।
ବର୍ଷା କହିଲେ ମନେପଡେ ଛତା। ବାପା ଆଣିଦେଇଥିଲେ ସୁନ୍ଦର ଛତା । ବେଣ୍ଟର ଶେଷ ଭାଗରେ ପ୍ଲାଷ୍ଟିକର ଫୁଲ ଭିତରେ ଟ୍ରାନ୍ସପାରେଣ୍ଟ ରବର ଯୋଡେଇ। ଘଷିଲେ ବଢିଆ ବାସେ ପୁଣି। ଟୁନୁନାନୀର ଦେଖି ଆସ୍ତେକିନା କହିଥିଲା ଯେ ଛତାସହ ବର୍ଷାଦିନିଆ ବଢିଆ ନରମ ଚପଲ ହଳେ ଆସିଥିଲା। ହେଲେ ଚାରିଦିନ ଧରି ବର୍ଷା ହେଲାନି।କେତେ ଅପେକ୍ଷା ବାବା । ତାପରେ ବର୍ଷିଲା ଠିକ୍ ସ୍କୁଲ ଗଲାବେଳକୁ। ନହନହକା ଦେହରେ ବହିବସ୍ତାନିକୁ ଛତା , ସମ୍ଭାଳି ହେଲାନି। ଜ୍ୟୋତ୍ସ୍ନାଅପାଙ୍କୁ ବହି ଓ ଛତା ଧରେଇ ସେ ଧାଇଁଲା ଭିଜିଭିଜି ।କି ମଜା। ଚବର ଚବର ପାଣି। ମୁଣ୍ଡରୁ ଗୋଡ ସରସର ଓଦା। ପାଟି ଆଁ କରି ଆଖି ବୁଜି ଉପରକୁ ଅନେଇଲେ ବର୍ଷା ପାଣି ପାଟିରେ ପଶେ । କୋଉ ଡର ତା’ର । ମାଆ ଗରଗର ହବ। ଆଖି ଦେଖେଇବ। ବାପା ତ ଗେହ୍ଲୀଝିଅକୁ କହିବେ ‘ ହଁ ମ କରୁ ଯାହା କରୁଚି। ଆଉ କେତେ ଦିନ ଆମସହିତ ରହିବ ଯେ।’ ମା ମୁହଁ ଫୂଲେଇବ। ମିଠା ମିଠା ହସର ଫୁଆରା ଖେଳେ ଘରେ। ମହକିଯାଏ କେବେ ତ ଜୁଆରଭଳି ମାଡିଯାଏ କେବେ। ସତରେ କ’ଣ ବାପା ଜାଣିଥିଲେ ତାଙ୍କ କଥା।
ବାପାଙ୍କ ସହ କେତେ ଦିନର ବା ମିଳାମିଶା । ସପ୍ତମ ଶ୍ରେଣୀ ପାଖରୁ ସେ ବାରମ୍ବାର ଘରଛାଡି ପଳଉଥିଲେ। ଆଉ ହଠାତ୍ ରାତି ଅଧରେ ଆସି ହାଜର ହେଉଥିଲେ। ବୈଲୋଚନ ଜେଜେବାପା ଯିଏକି ପୋଷ୍ଟପିଅନ ଥିଲେ ସେ ହିଁ କେବଳ ସାହାଭରସା ଥିଲେ ସେଇ ଦୁର୍ଦ୍ଦିନର। ସେତୁ ଭଳି କାମ କରୁଥିଲେ ସେ। ମାଆ ବୋଧହୁଏ ଜାଣିଥିଲାସବୁ। ଆଉ ସେ …। କିଛି ବୁଝା କିଛି ଅବୁଝା ସେ ଗଣିତ। ଏକ୍ସ ଧରି କଲେବି ସମାଧାନ ହୋଇପାରେନା। କାମ କରିବା ଛଡା ଆଉ କିଛି ଦିଶୁନଥିଲା ଜମା। କାମ ହିଁ ଜୀବନ କହି ମନକୁ ବୁଝେଇଦିଏ।
ଆରମ୍ଭ ହେଲା କାମ।
ନିର୍ଦ୍ଧାରିତ ସମୟରେ କାମକଲେ ଆଣ୍ଟିଙ୍କ ପାଇଁ ଭଲ। କରିବାକୁ ପଡେ ସେଇଥିପାଇଁ ଠିକ୍ ଭାବରେ, ଠିକ୍ ସମୟରେ। ଟିକିଏ ଏପଟ ନାହିଁ କି ସେପଟ ନାହିଁ। ସମୟାନୁସାରୀ..।
ନୂଆ ସକାଳ ଆସିଯିବ !
ଏବେ। ସବୁତ ବନ୍ଦ ଏ ଘରେ। କାହିଁକି ଏସି ଲାଗିଚିର ବାହାନା ଏଇଠି। ଏ ଘର ଖବର କ’ଣ ପଳେଇବକି ସତେ। ନିଜ କାମ ସାରି ସେ ତାଜା ଚା’ ପିଇବାକୁ ମନ କଲା।
ଆଣ୍ଟି ସୁନା ଝିଅ। ସବୁଦିନ ଅପେକ୍ଷା ଆଜି ସେ ଭାରି ଭଲ ଲାଗୁଥିଲେ। ନିତ୍ୟକର୍ମ ଶେଷ। ତାଜା ତାଜା ଲାଗୁଥିଲେ।
ଚନ୍ଦ୍ରା ପାଇଁ ଉଦ୍ଦିଷ୍ଟ କାମ ଟିକିଏ ଲେଖିଦେଲା ଅମୃତା। ସବୁକାମ ସହ ସକାଳଟେ ଆସୁଥିଲା ମିଠା ଚାଲିରେ। ନୂଆ ସକାଳକୁ ଉପଭୋଗ କରିବା ପାଇଁ ନିରୁତା ମନଟିଏ ଦରକାର।
‘ଆଣ୍ଟି, ବାୟ’, କହି କହି ବାହାରିଲା ଅମୃତା। କବାଟ ଟାଣି ବାହାରେ ପାଦ ଦେଉଦେଉ ଚନ୍ଦ୍ରା ସହ ମୁହାଁମୁହିଁ ହୋଇଗଲା। ଯା’ହେଉ ଠିକ୍ ସମୟରେ ଆସିଯାଇଚି। ଶୁଭେଚ୍ଛା, ଅଭିନନ୍ଦନ ଆଦାନ ପ୍ରଦାନ ପରେ ଦୁହେଁ ଦୁହିଁଙ୍କ ରାସ୍ତାରେ ଆଗେଇଲେ।
ଏ…ଏ …କ’ଣ ମ ,ମୁଣ୍ଡଟା ବୁଲେଇଦେଲା ଯେ। ପଡି ଯାଉଯାଉ ଅଟକି ଗଲା ଅମୃତା। ରାତିରେ ନିଦ ହେଲାନି ବୋଲି ଏ ଅବସ୍ଥା ନା କ’ଣ କେଜାଣି? ବସିପଡିବ କି ଆଉ, ଭାବୁଭାବୁ ବସିପଡିଥିଲା ଗେଟ୍ ପାଖରେ ଥିବା ସିମେଣ୍ଟ ବେଞ୍ଚ ଉପରେ। ଆଜିବି ମି: ଡି’ସୁଜା ,ତାଙ୍କ ପୁଅ ଓ ବିଶାଳ ଗ୍ରେହାଉଣ୍ଡ ବାହାରିଗଲେ ମର୍ଣ୍ଣିଂୱାକରେ ନଜରଟେ ଫିଙ୍ଗି ଦେଇ।ସେମାନେ କାହିଁକି ୱିସ କରିବେ ମ। ସେ କରେ ବୋଲି ଉତ୍ତର ଫେରିପାଏ। ଆଜି ତ ନିସ୍ତେଜ ଲାଗୁଚି। ଅଭିବାଦନ କରିବ କ’ଣ.. ନିଜକୁ ସମ୍ଭାଳି ନେବାକୁ ଶକ୍ତି ଚାହୁଁଛି । ସେମାନେ କାହିଁ କେଉଁଠି ,ଆଉ ଛାର ଏ ବିଚରା। ଲମ୍ବା ଗାର ପାଖରେ ବିନ୍ଦୁଟିଏ ସେ। କିଏ ବା କାହିଁ ତାକୁ ଆଦର କରିବ। କିଏ ବା କୋଳେଇ ନେଇ ଆଉଁସି ଦେବ ଦେହମନ। ସାଉଁଳେଇ ଦେବ ଅଲରା ମୁଣ୍ଡକୁ। ନା’ ମାଆ ନା’ ବାପା … ଆହା କରିବାକୁ ଅଛି କିଏ ସେ। ହୁସ୍ କରି ଉଡେଇଦେଲେ କେମିତି ହୁଅନ୍ତା। ସେ କ’ଣ ଅସହାୟ..। ସମୟ ଯାହାସବୁ ତା’ଠୁ ଛଡେଇନେଲା ନେଇଚି, ସେ ଛଡେଇ ଆଣିବ ତାଠାରୁ ଆଉ ଅଧିକ ଦୁର୍ମୂଲ୍ୟ ସମ୍ପଦକୁ। ଭରସା….ନା, ନା…ବିଶ୍ବାସ ଅଛି … ଅଛି ଆତ୍ମପ୍ରତ୍ୟୟ..।
Comments are closed.