ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ : ୮
ଜବା ଚାବିକାଢିଲା ତା’ ଜିନ୍ସ ପକେଟରୁ। ନିଜ ଘର ଭାବି ପଶିଲା ବୀରଦର୍ପରେ। ‘ଆଣ୍ଟି ଗୋ ନମସ୍କାର ‘ , କହିଲା ତା’ ମିଠା ସୁରରେ। ଏଥର ନିଜର ଲୁଗାପଟା ବଦଳାସହ ସଫାସୁତୁରା ପର୍ବ। ବଡ ଅଜବ ଅନୁଶାସନ ଏ ଘରେ। ମାତ୍ର, ଭଲଲାଗେ ପରିଷ୍କାର ପରିଚ୍ଛନ୍ନତା। ମନ ତ କୁହେନି ଏ ସ୍ବର୍ଗରୁ ଫେରିବାକୁ।କିନ୍ତୁ, ନାଚାର ସେ। ବାଧ୍ୟ ସେ ଚିରକାଳ ସମୟ ପାଖରେ। ମିଥିଳା ଦିଦିର ଆକଟ ବହୁତ। ମକବୁଲ୍ ଭାଇ ଆଉ କଡା। ରେହମାନ ଚାଚା ରାଗିଲେ ବି ବୁଝେ ମନକୁ।
ଲଙ୍କାରେ ହରି ଶବ୍ଦ ଭଳି ମାଆ ତା’ର ରାମନାମ ଲେଖି ଦି ପଟ ପରଦା ଝୁଲେଇଥାଏ ଦୁଆରମୁହଁରେ । ହାତରେ ପେଚୱାର୍କ, ଆପଲିକ୍ କାମ ନିଜେକରେ ଓ ଜବାକୁ କରିବାକୁ ବାଧ୍ୟ କରେ।ସବୁକିଛି ତ ମିଥିଳା ଦିଦିର। ତା’ ହାତଟେକାରେ ସମସ୍ତେ ବଞ୍ଚିଛନ୍ତି। ସେତିକି ହିଁ ବସ୍ତିର ସମ୍ପତ୍ତି। କେବେ କେମିତି ବେଡସିଟ ମିଳେ କାହା ଦାନରୁ। ଘୋଡେଇବା ଚାଦର ମିଳେ, ଶାଢୀ, ପୋଷାକପତ୍ର , ତେଲ,ସାବୁନ, ଶାମ୍ପୁ,ବ୍ରଶ ପେଷ୍ଟ, ବହି ଖାତା, କଲମ ପେନସିଲ, ଚକଲେଟ୍ ମିଳେ। ମିଳେ ଚାଉଳ, ଡାଲି, ପରିବା, ଚିନି, ଅଟା। ଫିନାଇଲ, ଡେଟଲ,ତୁଳା ଅନେକ କିଛି। ଡାହାଳ କୁକୁର ଭଳି ମିଥିଳା ଦିଦି ଚାହିଁ ବସିଥାଏ। ଚାଚାକୁ କହିପାରେନା ବିଶେଷ। ତା’ ଅଧିକାର ଛାଡେନା ସେ ଜମା। ଚାଚାର ଖାତିର ବହୁତ। କଥା ଟାଉଁଟାଉଁ। ବୁଢା ହେଲେବି ସେହିଁ ସମ୍ଭାଳେ ପୋଲିସକୁ, ନେତାଙ୍କୁ ,ଗରାଖଙ୍କୁ। ଅଚାନକ ଚଢାଉ ବେଳେ ମୁକ୍ତି ପାଇବା ଏକ ସମସ୍ୟା। ଚାଚା ଦଫାରଫା କରେ ସବୁ। ମାଆ ତ ଡରେନି। ଭୟ ତା ପାଇଁ ଅଜଣା ଶବ୍ଦ। ମାଡକୁ କି ମାନସମ୍ମାନକୁ ସମାନେ ନିଏ କି କ’ଣ, ନିର୍ବିକାର ଥାଏ। ଆତ୍ମସମ୍ମାନ, ସେଇଟା ଗୋଟେ କ’ଣ ? ହୁସ୍। ସେଇଟା ଆଉକାହାର ଚିଜ। ରଖନ୍ତୁ ସେମାନେ। ଆମର ତ ଜବା, ଝରା, ରୁବି, ନିଲୁ, ଜୁଲି ହେଲେ ହେଲା। ବାକିସବୁ ତୁଚ୍ଛ।
ଚନ୍ଦ୍ରା ଲେଖିଯାଇଥିବା କାଗଜକୁ ପଢିନେଲା ଜବା। ହଁ ଆଣ୍ଟିଙ୍କର ଦ୍ବିପହର ଔଷଧ ଯେମିତି ଚାଲୁଥିଲା ଚାଲିବ। ଠିକ୍ ଅଛି। ଦେଖିନେଲା ଆଜିର ମେନ୍ୟୁ। ଭାତ,ଡାଲି, ଆଳୁଚଟଣି ,ବାସ୍ ବଢିଆ । ସେ ନିଜେ ଅଣ୍ଡାଟେ ଖାଇପାରନ୍ତା। ନା , ଥାଉ। ରାଇସ୍ କୁକର ଅଛି। ଡେକଚି, ପ୍ରେସରକୁକର ଅଛି। ସବୁ ତ ଅଛି। ମନ ଖୁସିରେ କରିଯିବା କଥା। ଭାତ, ଡାଲି ବସେଇ ଗଲା ପ୍ରିୟ ମଣିଷଙ୍କ ପାଖକୁ।
‘ ଆଣ୍ଟି ଗୋ ଆଣ୍ଟି ଆଜି ଆସ ଟିକିଏ ଗପ ଶୁଣିବା।’ ସତେ ଯେମିତି ସେ ବିଷ୍ଣୁ ଶର୍ମା। ମାଆ ତା’ର ଗପରେ କହେ କେତେ କେତେ କଥା। ପଢି ଶୁଣାଏ କାହାଣୀ ପରେ କାହାଣୀ। କେଜାଣି କୋଉ ଘରର ଝିଅ ସେ, ଧର୍ମ, ସମାଜ, ପୁରାଣ, ଖେଳ, ସାହିତ୍ୟ, ରାଜନୀତି ସବୁ ତା’କୁ ଜଣା। ଡରେନି କାହାକୁ କି କୁହେନି କିଛି। ନିସ୍ପୃହ ସବୁଥିରେ। ଭାଙ୍ଗିଗଲେ କି ହଜିଗଲେ କିଛିରେ ପରୁୱା ନଥାଏ। ଆଜି କହିବ ‘ଶିଆଳ ଓ ଅଙ୍ଗୁରକୋଳି କଥା’। ଡିଆଁ ମାରିମାରି ହାଲିଆ ପଶୁ।ଖଟା କି ମିଠା ଜଣାପଡୁନି ସ୍ବାଦ।କିଏ ଦିଗଣ୍ଡା ଦଶଟା ଦିଅନ୍ତାନି ତୋଳି। ନହେଲେ ହଲେଇ ଦେଲେ ତଳେ ପଡନ୍ତା ଟପଟାପ୍। ସହଜରେ ଗୋଟେଇ ଖାଇପାରନ୍ତା। ନାଃ ସେକଥା ନାହିଁ। କଷ୍ଟ କରି କାମ କଲେ ଫଳ ବହୁତ ମିଠା।
କାହିଁକି ଏଭଳି ଗପ ଲେଖାଯାଇଚି ଯେ। କାମ କର ଫଳ ଆଶା ନରଖି। କି ଫଳ ମ । ଖଟା, ପିତା କଷା, ମିଠା କେଜାଣି କେମିତି ସ୍ବାଦ। ଜୀବନ ମାନେ କଷ୍ଟ। କଷ୍ଟ ମାନେ ଫଳ। ଫଳ ମାନେ ସ୍ବାଦ। ଗୋଲଗୋଲ ସବୁ ଘୂରିଲା ଯେମିତି। ମୁଣ୍ଡରେ ପଶେନି କିଛି। ମାଆ କହେ ,’ଭଲକାମର ଭଲ ଫଳ’, ଆଉ, ‘ଖରାପ କାମର ଫଳ’ ପଚାରେ ସେ । ‘ଫଳ ସବୁଠି ଅଛି’ , ମାଆ କହେ। ‘ଆଣ୍ଟି ଗୋ ଫଳ ସବୁଠି ଅଛି। ଡରିବ ତ ନିଜକୁ ଡର। ସେଇଲାଗି ମାଆ ଡରେନି କି ଗୋ। ଆଚ୍ଛା ଏ ଫଳକୁ କୋଉଠି ରଖିବା ଗୋ ଏବେ। ଦି ହାତରେ, ଅଣ୍ଟିରେ, ଗଣ୍ଠିଲିରେ , ପାଛିଆରେ। ଯାଉସବୁ। ଭାସିଯାଉ। ରହିଲେ ରହୁ।ଅଧିକାର କୋଉ ଅଛିଯେ!” ଫଳ ତ ଫଳ, ପାଚିଲା ଫଳ, ଆଣ୍ଟିଙ୍କୁ ଆଜି କରିବି ଗେଲ ।”
ଗେଲ କରିଦେବାକୁ ଇଚ୍ଛା ହେଉଥିଲା ଆଣ୍ଟିଙ୍କୁ ! ସଂଯତ କଲା ନିଜକୁ। ହସିଲେ କି ଆଉ, ତା’ର ଏ ଦୁଷ୍ଟାମୀରେ। ନା, ମ ସେ ବି ମାଆ ଭଳି ନିର୍ବିକାର ସବୁଥିରେ। ହସ ନାହିଁ କି କାନ୍ଦ ନାହିଁ। ଜଣେ ତ ରୋଗାକ୍ରାନ୍ତ ଆଉ ମାଆ ….ନିଜ ପୃଥିବୀରେ ଆବଦ୍ଧ।
ଏ ମାଆ ଲୋ, ଭାତ ଜାଉ ହୋଇଯିବ ଯେ, ଦୌଡିଲା ଏକରକମ ରୋଷେଇ ଘରକୁ। ଯା’ହଉ କିଛି ସେମିତି ହୋଇନି।ସବୁ ଠିକ୍ ଅଛି। ଆଳୁଚଟଣିରେ ପିଆଜ,କଞ୍ଚା ଲଙ୍କା,ସୋରିଷ ତେଲ ଦେଇ ଚକଟିଲେ ବଡ ବଢିଆ ଲାଗେ। ଟିକିଏ ଲେମ୍ବୁ ଚିପୁଡିଲେ ପାଗଟା ଜମେ। ଆଣ୍ଟି କିନ୍ତୁ ମନ ନ ହେଲେ ଚୋବେଇବେନି। ଆଉ ପିଆଜ ଖଣ୍ଡ ତଣ୍ଟିରେ ଲାଗିଗଲେ….?ନିଜପାଇଁ କାଢିରଖି ତାଙ୍କ ପାଇଁ ଗୁଆଘିଅ ଟିପେ ଦେଇ ଚକଟି ରଖିଲା। ବାଲକୋନି ଆଡୁ ଘେରାଏ ମାରିଆସିଲା। ପାଣି ପିଇଲା ଓ ପିଏଇଲା। ଡାଇପର ବଦଳେଇଲା। ଆଉଁସିଲା ପାଖରେ ବସି। ଗାଇଲା , ‘ ମୈୟା ମୋରେ ମୈନେ ହି ମାଖନ ଖାୟୋ…. ମୁଁ ଖାଇଚି ଗୋ ମାଆ, ବୁଝ ଗୋ ମୋ’ କଥା। ‘ହେ କୃଷ୍ଣ, ତୁମେ ସଦା କପଟିଆ। ପାଖରେ ଥାଇ ଧରା ଦିଅନି ଆଉ ଦୂରରେ ଥାଇ ଛାଇଭଳି ଯୋଡି ଯାଉଥାଅ। ସତରେ ତୁମକୁ କିଏ ବୁଝିପାରିବ ଯେ…।’
ଥଣ୍ଡା ପବନ, ସମଗ୍ର ଘର ଗୋଟିଏ ତାପମାତ୍ରାରେ ସଦା ।ଆଣ୍ଟି ଆଖି ବନ୍ଦ କଲେ। ତା’ ମନମତାଣିଆ ସ୍ବର, ଆଉଁସା ସାଙ୍ଗକୁ ଥଣ୍ଡା ପବନ ନିଦ ଅଲବତ ଆସିବ ହିଁ ଆସିବ। ଢୋଳେଇ ପଡିବାକୁ ମନ ତ କହୁଚି। ଦାୟିତ୍ୱ ଦିଆଯାଇଛି ମାନେ ତ କରିବାକୁ ହବ। କି ବିକୃତ ତା’ ଜୀବନ ସତରେ? ଅନିଚ୍ଛା ସତ୍ତ୍ବେ ଜୀଇଁବାକୁ ପଡେ। ଭାଗବତ କହିବ, ‘ମନର ମୂଳେ ଏ ଜଗତ’ ଆଉ ଦେଖିଲାବେଳକୁ ଦେହସର୍ବସ୍ଵ । ରାତିର ଅନ୍ଧାରରେ ଦେହର ବାସ୍ନାରେ ଯେଉଁ ଭଅଁର ଆସନ୍ତି ସେମାନେ କେବେହେଲେ ମନକୁ ପଢନ୍ତିନାହିଁ।ଶବ ପାଲଟି ଯାଏ ମନ। ‘ପକା ପଇସା ଦେଖ ତାମସା’ ଆରମ୍ଭ ହୋଇଯାଏ।
ଏଇଆ ଚାଲେ ନିତିଦିନ। ମୁକ୍ତିକାମୀ ଖୋଜେ ମୁକ୍ତି, ମିଳେନି ତ କେବେହେଲେ। ବଦଳରେ ଅକଥନୀୟ ଯାତନା ମିଳେ। କାହାର ଯୁ ଅଛି ପ୍ରତିବାଦ କରିବାକୁ। ଲଟରପଟର ଧନ୍ଦା କଲେ ଏମିତି କଠୋର ଶାସ୍ତି ମିଳେ ଯେ,ସେ ଯେତିକି ଭୋଗେ ,ତା’ଠାରୁ ଢେର ଅଧିକ ଭୋଗନ୍ତି ତା’ ସଖୀ ସହଚରୀ ।ଆଉ ସେ ଭୁଲ ଦୋହରେଇବ କିଏ ମ କାହିଁକି …। ମିଥିଳା ଦିଦି, ରେହମନ ଚାଚା ଆଉ ମକବୁଲ୍ ଭାଇ ହେଲେ ହର୍ତ୍ତା କର୍ତ୍ତା ଦୈବ ବିଧାତା। ଆଉ କାଲୁ, ଭୋଲୁ ଦୁହେଁ ବି ସହଯୋଗୀ। କଥା କହି ନପାରିଲେ କ’ଣ ହବ ଚରମ ବିଶ୍ବସ୍ତ ପ୍ରାଣୀ।
Comments are closed.