Latest Odisha News

BREAKING NEWS

ପୁସ୍ତକ ପରିଚୟ : ପ୍ରୀତିନୀଡ଼

କବିତା ସଙ୍କଳନ : ପ୍ରୀତିନୀଡ଼
କବି : ନିରଞ୍ଜନ ସେଠୀ
ପ୍ରକାଶକ : ସାଇସ୍ମୃତି ପବ୍ଲିକେଶନ
ଏଲ . ପି ୮୩୨ ଓ ୮୩୪
ପ୍ରଶାନ୍ତି ବିହାର , ପଟିଆ
ଭୁବନେଶ୍ୱର,
ଯୋଗାଯୋଗ : ୮୯୮୪୬୯୨୨୨୯ 
ପୃଷ୍ଠା : ୧୩୭
ମୂଲ୍ୟ : ୧୬୦

କବିତା କହିଲେ ପ୍ରଥମେ ଭାବ, ଲୟ , ଏବଂ ଶବ୍ଦ ମାଧୁର୍ଯ୍ୟ କଥା ମନକୁ ଆସେ । ଗୋଟିଏ ଭାଷାର ସାହିତ୍ୟରେ କବିତା ଯେତେ ଆଦୃତ ସେଇ ଭାଷାର ସାହିତ୍ୟ ସେତେ ସମୃଦ୍ଧ ।

ସମ୍ପ୍ରତି ସାହିତ୍ୟରେ ଆଧୁନିକ କବିତାର ପ୍ରଭାବ ଅଧିକ ରହିଥିବା ବେଳେ, ଏକଶହ ତିନି ପଦ କବିତାକୁ ନେଇ କବି ନିରଞ୍ଜନ ସେଠୀଙ୍କର କବିତା ସଙ୍କଳନ ‘ପ୍ରୀତିନୀଡ଼ ‘ ଏକ ସ୍ୱତନ୍ତ୍ର ସୃଷ୍ଟି । ପ୍ରତିଟି କବିତା ତାର ଭାବ , ଛନ୍ଦ , ଲୟ ଏବଂ ମାଧୁର୍ଯ୍ୟ ସାହିତ୍ୟ ପ୍ରେମୀ ବ୍ୟକ୍ତିଙ୍କୁ ନିଶ୍ଚୟ ବାନ୍ଧି ରଖିବ । ପ୍ରେମର ସଂଜ୍ଞା କେତେ ଗଭୀର ହୋଇପାରେ ତାହା କବି ଖୁବ ନିଖୁଣ ଭାବରେ ଉପସ୍ଥାପିତ କରିଛନ୍ତି କବିତା ମାଧ୍ୟମରେ । କବିଙ୍କ ଭାଷାରେ ପ୍ରେମ କେବଳ ପ୍ରାପ୍ତି ନୁହେଁ , ପ୍ରେମ ଏକ ଦୀର୍ଘ ଅପେକ୍ଷାର ଅନ୍ୟନାମ ବି ହୋଇପାରେ କି ହୋଇପାରେ ସ୍ମୃତିର ଅତଳ ଗର୍ଭରେ ସାଇତି ହୋଇ ରହିଥିବା ମୋତିଟିଏ ପରି ! ପ୍ରେମ ଏତେ ଗଭୀର ଯେ ପ୍ରତାରଣା ଭିତରେ ବି ପ୍ରେମିକ ମନ ଭିତରେ ତାହା ସ୍ୱଚ୍ଛ ଓ ନିର୍ମଳ । କବିଙ୍କ ଭାଷାରେ :

ମୋ ମନ ଦରଜା ଆଢୁଆଳେ ତମେ
ପୀରତି ପସରା ମେଲି
କେଉଁ ଖଞ୍ଜେ ଖଞ୍ଜ କରି ମୋହିନେଲ
ସେକଥା ପାରୁନି ଭୁଲି !

ପ୍ରେମର ସତ୍ତା ସବୁବେଳେ ହୃଦୟ ଭିତରେ ଥାଏ । ପ୍ରତିଟି ଦିନ ପ୍ରତିଟି ରାତି ପ୍ରେମିକ ମନକୁ ପ୍ରେମ ଫଳଗୁର ଆଚ୍ଛାଦିତ କରି ରଖିଥାଏ । ବିରହ, ବିଚ୍ଛେଦ , ଯନ୍ତ୍ରଣା ଓ ପ୍ରତାରଣାର ସମ୍ମିଳିତ ଦୁଃଖରେ ବି ପ୍ରେମିକକୁ ଜୀଇଁବାର ବାଟ ଦେଖାଏ । ଆତ୍ମାର ଅନ୍ତଃସ୍ୱର ଥରେ ପ୍ରେମରେ ଉଦ୍ବୁଦ୍ଧ ହେଲାପରେ , ପ୍ରେମିକ କେବେବି ଆଉ ଭୁଲିପାରେ ନାହିଁ । ତା ମାନସ ଚକ୍ଷୁରେ ପ୍ରେମିକାର ପ୍ରତିଟି ସ୍ୱରୂପ ତାକୁ ସବୁବେଳେ ପ୍ରେମମତ୍ତ କରିରଖେ । ତାହା ଅତୁଳନୀୟ , ଅବିନଶ୍ଵର ଏବଂ ଅନନ୍ୟ ହୋଇଯାଏ । ଏକ ଭିନ୍ନ ଅନୁଭବ ସହ , ସେ ଏକ ଭିନ୍ନ ଦୁନିଆ , ଭିନ୍ନ ଇଲାକା ହୋଇଯାଏ । ଯେଉଁଠି କେବେଳ ପ୍ରେମିକର ଅବାଧ ପ୍ରବେଶ । ଅନ୍ୟକାହା ପାଇଁ ଇଞ୍ଚେ ଜାଗା ବି ନଥାଏ ।

ବିଜନ ବେଳାରେ କିଏ ତମେ ସଖି
ଧରା ଦିଅ ସପନରେ
ସପନ ଭଉଁରୀ ଖେଳି ସାରି ତମେ
ଫେରିଯାଅ ଗୋପନରେ ।

ସେ ବାସ ପରଶ ସତେ ସୁଦ୍ଧା ରସ
ହ୍ରୁଦକୁ ନିଅଇ କିଣି
ପ୍ରେମ ମନ୍ଦାକିନୀ କଳକଳ ସୁରେ
ମନକୁ ନିଅଇ ଟାଣି ।

ବିରହର ଯନ୍ତ୍ରଣା ସୀମାତୀତ । ତଥାପି ପ୍ରେମ ନିର୍ଲିପ୍ତ । ପ୍ରକୃତ ପ୍ରେମ ଭାଙ୍ଗେ ନାହିଁ କି ସରେ ନାହିଁ । ସବୁବେଳେ କୌଣସି ନ କୌଣସି ରୂପରେ ତାହା ଜୀବନର ପ୍ରତିଟି କ୍ଷଣରେ ଉଙ୍କି ମାରୁଥାଏ । ଦୁଃଖରେ ପ୍ରାଣ ବିଗଳିତ ହେଉ କି ହୃଦୟ ଦଗ୍ଧୀଭୂତ ହେଉ, ପ୍ରେମର ସବୁଜିମା ସବୁବେଳେ ସାବଜା ହୋଇ ରହିଥାଏ । ପ୍ରେମିକର ଆତ୍ମାରେ ଦୁଃଖର ଅନ୍ଧକାର କେବେବି ସେଥିରେ କାଳିମା ଭରିପାରେ ନାହିଁ । ଏକ ଅଲୌକିକ ଶକ୍ତିର ଅଫୁରନ୍ତ କଣିକା ଆଲୋକ ବର୍ତ୍ତିକା ହୋଇ ପ୍ରେମକୁ ବଞ୍ଚାଇ ରଖିଥାଏ ।

ଘନ ନିର୍ଜନତା କାୟା ଛାୟାପଥେ
ଶୁଭେ ତମ କୁହୁ ସ୍ୱର
ହୃଦୟ ସାଗରେ ଉତ୍ତାଳ ତରଙ୍ଗ
ପ୍ରାଣକରେ ତୃଷାତୁର

‘ପ୍ରୀତିନୀଡ଼’ର ପ୍ରତିଟି କବିତା ପ୍ରୀତିଯୁକ୍ତ । ପ୍ରେମ ପୁଣ୍ୟ , ପ୍ରେମ ଶାଶ୍ୱତ , ପ୍ରେମ ଚିରନ୍ତନ ଯେଉଁଠି ପ୍ରେମ ନୀଡ଼ ରଚିଯାଏ ସେଇଠି ବିରହ, ଛଳନା , ପ୍ରତାରଣା ଏସବୁର କୌଣସି ସମ୍ପର୍କ ନଥାଏ ।

ପ୍ରେମ ଚିରନ୍ତନ ପ୍ରେମ ତ ଶାଶ୍ୱତ
ଅଗଭୀର ଜଳ କଇଁ
ପ୍ରେମ ପରଶରେ ବହଳ ମଳୟ
ହୃଦୟକୁ ଯାଏ ଛୁଇଁ

ଚିନ୍ତା ଚେତନାର ବହୁ ଉର୍ଦ୍ଧ୍ଵରେ ପ୍ରେମର ସଂଜ୍ଞା । ରୂପ ରଙ୍ଗ ପରିପାଟୀ କି ବୟସର ଛାପ ପ୍ରେମରେ କେବେବି ପ୍ରଭାବ ପକେଇ ପାରେ ନାହିଁ । ଅପେକ୍ଷାରେ ଆୟୁଷ ସରିଯିବା ପର୍ଯ୍ୟନ୍ତ ପ୍ରେମମୟ ଜୀବନ ପ୍ରୀତିର ରାଗିଣୀ ଗାଉଥାଏ ।

କବି ନିରଞ୍ଜନ ସେଠୀଙ୍କର କବିତା ସଙ୍କଳନ ‘ପ୍ରୀତିନିଡ଼’ ବାସ୍ତବିକ ଭାବରେ ଏକ ପ୍ରେମିଳ ସୃଷ୍ଟି ।

Leave A Reply

Your email address will not be published.