Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୪

ଅମ୍ଲାନଙ୍କ ସହ ଦେଖା ହେବା ପରଠୁ ଜୀବନର ଗତି ବଦଳି ଯାଇଥିଲା ସତ , କହିବାକୁ ଗଲେ ତାଙ୍କ ମାଙ୍କ ପାଇଁ ଏସବୁ ଗଢିଉଠିଥିଲା ।ପାର୍ଲୋରକୁ ଆସୁଥିଲେ ଆଣ୍ଟି। ତାଙ୍କର ଦାୟିତ୍ୱ ନେଇ ନିଜେ ମୁଁ ଦେଖୁଥିଲି ତାଙ୍କୁ।  ପିଗମେଣ୍ଟେସନ  ସହ ସ୍କିନ ଟାଇଟେନିଂ   ଥିଲା ତାଙ୍କର ଅସୁବିଧାର କଥା। କେମିକାଲସଠାରୁ ସେ ହର୍ବଲ ଉପଚାରକୁ ପ୍ରାଧାନ୍ୟ ଦେଉଥିଲେ। ଆଉ ସେଥିରେ ଚନ୍ଦ୍ରା ନିପୂଣା ଥିଲା।  ବାଃ, ମଣି କାଞ୍ଚନର ସଂଯୋଗ ଭଳି ଉପଚାର ଚାଲୁ ଥିଲା,  ମାସ ପରେ ମାସ , ବର୍ଷ ପରେ ବର୍ଷ । ପାଖାପାଖି ଦେଢବର୍ଷ ପରେ ବହୁତ କମିଯାଇଥିଲା ଆଉ ସୁନ୍ଦରୀ ଅଞ୍ଜନା ଆଣ୍ଟି ସହଜ ହୋଇଯାଉଥିଲେ। ପ୍ରତିଥର ନିଜକୁ ଦେଖି ଖୁସି ହେଉଥିଲେ।  ଆଣ୍ଟିଙ୍କୁ ସେଦିନ କୌଣସି କାରଣରୁ ଦେହ ଭଲ ଲାଗୁନଥିଲା। ଫଳତଃ, ସେ ବ୍ୟସ୍ତ ହେଲେ , ବିବ୍ରତକଲେ ଚନ୍ଦ୍ରାକୁ। ଆଉ, ଚନ୍ଦ୍ରା କର୍ତ୍ତବ୍ୟ ଖାତିରରେ ତାଙ୍କ ସହ ଆସିଥିଲା ଗାଡିରେ ଛାଡ଼ିବାପାଇଁ  ସେଇଠି ଦେଖା ହୋଇଥିଲା ଅମ୍ଳାନଙ୍କ ସହ।

ସତେକି ଯୁଗ ଯୁଗର ଆକର୍ଷଣ… କେହି ତ କିଛି ପାଟିରେ କହିଲେନି,  ହୃଦୟରେ ଆଙ୍କି ହୋଇଗଲା ଚିତ୍ର ,ଆଉ ଯୋଡି ହୋଇଗଲା ମନରେ ମନ।  ଧୀରେ ଧୀରେ ବଢ଼ିଲା ଏକ ଅଦ୍ଭୁତ ସମ୍ପର୍କ।   ଏଥର ମିସେସ ଅଞ୍ଜନା ବାନାର୍ଜୀଙ୍କର ଡାକ୍ତର କହିଲେ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ।ମୁଁ ଗଲି ଆବଶ୍ୟକ ସରଞ୍ଜାମ ଧରି ତାଙ୍କ ଘରକୁ। ସନ୍ଧ୍ୟା ପରେ ଫ୍ରି ହୁଏ ,ସେଇ  ସମୟରେ  ଯାଏ। ଆଉ ଫେରିଲା ବେଳେ ଅମ୍ଳାନ  ଆସନ୍ତି ଛାଡିବା ପାଇଁ।

ଆଜିକାଲି ଆମେ ରହୁଛୁ ଫ୍ଲାଟରେ ସପରିବାର । ଦିନେ ସାହସ ଯୁଟେଇ ଅମ୍ଲାନଙ୍କୁ  ଚା’ ପିଇବାକୁ ଘରକୁ ଡାକିଲି , ସେ ଆସିଲେ ମଧ୍ୟ ଭଦ୍ରତା ଖାତିରରେ। ଘରେ ସମସ୍ତଙ୍କୁ ଦେଖି ଖୁସି ହେଲେ। କେତେ ଶ୍ରଦ୍ଧାଳୁ ଅମାୟିକ ମଣିଷ ସତେ। ଏତେ ବଡ଼ ଘରର ମାଲିକ, ସାଧାରଣ ବାର ଶହ ପଚାଶ ଫୁଟ ଫ୍ଲାଟର ଅଳ୍ପ ଜାଗାରେ ନିର୍ବିକାର ଭାବରେ ବସୁଥିଲେ ସମସ୍ତଙ୍କ ସହ। ହସି ହସି ମିଶି ପାରୁଥିଲେ।ମୁଁ ଚା ସହିତ କୁକିଜ ନେଇ ଆସିଲାବେଳକୁ ସମସ୍ତଙ୍କୁ ନିଜର କରିନେଇଥିଲେ।  ସତେ ଯେମିତି ସେ ମୋ’ ଘରର ସମସ୍ତଙ୍କୁ ଆଗରୁ ଜାଣିଛନ୍ତି। ଏଇ ଅତ୍ମୀୟତା ପାଇଁ ମୋ  ମୁଣ୍ଡ ନାଇଁ ଯାଉଥିଲା ତାଙ୍କ ପାଖରେ। ତାଙ୍କୁ  ନିଜ   ଲୋକପରି  ନୀରବରେ ଗ୍ରହଣ କରିନେଇଥିଲି।

ଅହେତୁକ ଖୁସି ଲାଗୁଥିଲା ତାଙ୍କୁ ଦେଖିଲେ, ପରମ ଆତ୍ମୀୟ ଯେମିତି… ସେ କଣ ମୋର ବଡ଼ ଭାଇ ନା ଆଉକିଛି ? ଏଇ ଯେଉଁ ଅନାବିଳ ଆକର୍ଷଣ ତାର ନାମ ବା କେଉଁ ସମ୍ପର୍କ ସହ ଯୋଡ଼ିବି ! ଖୁସିର ସୀମା ଲମ୍ବି ଯାଉଥିଲା ଦିଗବଳୟ ଦେଇ ଆରପଟକୁ…।ଭିତରେ ଭିତରେ ପିଉଥିଲି ଆନନ୍ଦର ପଣାପାଣି …ପ୍ରକାଶିତ ହେଉଥିଲା କି ମୋ’ ଚାଲିଚଳଣରେ…ଜାଣେନି।

ଅଞ୍ଜନା ଆଣ୍ଟିଙ୍କ ଘରକୁ ଗଲେ ସତରେ ମୁଁ ଯେମିତି ମାଲିକାଣି ହୋଇଯାଉଥିଲି, ନା ନା ମୁରବି ହୋଇଯାଉଥିଲି। ମୋ’ କଥା ଉପରେ ସେ ଆଦୌ କିଛି କହୁ ନଥିଲେ।ଆଉ ପରିସ୍ଥିତି ଏମିତି ହେଉଥିଲା, ବାରମ୍ବାର ମୋର ଶିଳ୍ପପତି ଅମ୍ଳାନଙ୍କ ସହ ଦେଖା ହେବା ସହ ଘନିଷ୍ଠତା   ବଢ଼ୁଥିଲା । ମୋ’ ଘରେ କାହାରି  କିଛି କହିବାର ନଥିଲା।କେହି କିଛି କହୁନଥିଲେ ଆଦୌ।  ନିଧଡ଼କ ହୋଇ ଆଗେଇ ଯାଉଥିଲି ମୁଁ।ଧନାଢ୍ୟ ଅମ୍ଳାନ ସହଜ ସରଳ ଭାବରେ ସାଧାରଣ ନିମ୍ନ ମଧ୍ୟବିତ୍ତ ଚନ୍ଦ୍ରା ସହ ମିଶିବା ହୁଏତ ଅନେକଙ୍କୁ ଭଲଲାଗୁନଥାଇ ପାରେ….ବେଫିକର ଥିଲି ସେ ସମୟରେ ମୁଁ।

ବଡ ଗୋଟିଏ ଜାଗାରେ ଔଷଧୀୟ ଗଛ କିଛି ଲଗେଇ ଡକ୍ଟର ଆଣ୍ଟି ଓ ଅଞ୍ଜନା ଆଣ୍ଟି ହାତଧରି ଆଗେଇ ଆଣିଲେ ମୋ’ତେ । କର୍ତ୍ତବ୍ୟ କରିବା ସହିତ ସମୟ ବାହାର କରି ମୋ’ ପ୍ରଡକ୍ଟ ପାଇଁ ମନ ଦେଉଥିଲି ଏଥର। ଏଦିଗରେ ଅମ୍ଳାନ ସହଯୋଗ କରୁଥିଲେ ବିଶେଷ ଭାବରେ ।ମୋତେ ଡର ଲାଗୁଥାଏ, ସତରେ କଣ ମୋ’ ମାମୁଲି ଜିନିଷ ବିକ୍ରି ହେବ। କିଏ ନବ ଦାୟିତ୍ୱ ବଜାରର..। ଡକ୍ଟର ଆଣ୍ଟି ବୁଝୁଥିଲେ ମୋ’ ମନକଥା। ମୁଣ୍ଡ ଆଉଁସିଦେଇ କହୁଥିଲେ, ସବୁ ଠିକ୍ ହେବ, ବ୍ୟସ୍ତ ହଅନା। ଆଈ ଓ ଜେଜିମା’ର ଗାଉଁଲି ଶିକ୍ଷାର ଜଡିବୁଟି ଜିନିଷ ଭଲ ଉପଚାର କରିପାରୁଥିଲା।ବିଜ୍ଞାନ ସହ ମିଳନ ଭଲଲାଗୁଥିଲା, ସଶକ୍ତ କରୁଥିଲା ।ଧିରେ ଧିରେ ସମସ୍ତେ ଆଗ୍ରହ ସହ ଅପେକ୍ଷା କରୁଥିଲେ ଏସବୁ ଜିନିଷକୁ।ବେଶି ଯୋଗାଇ ଦେବାକୁ ମୁଁ ସେତେବେଳେ କ୍ଷମ ନଥିଲି।

ଏବେ ଚନ୍ଦ୍ରା ଅପେକ୍ଷା ‘ଧାରା’ ବେଶି ପ୍ରିୟ ସମସ୍ତଙ୍କର। ଧାରାର ଅନ୍ୟ ଅନେକ ଶାଖା ପାଇଁ ଅମ୍ଳାନ ବୁଝାବୁଝି କରୁଥିଲେ। ମୁଁ ବି ଚେରେଇଯାଉଥିଲି ଗଭୀରରୁ ଗଭୀରକୁ। ବହୁବର୍ଣ୍ଣା ସ୍ବପ୍ନ ଝୁଲୁଥିଲେ ଆଖିରେ। କଳ୍ପନା ସହ ବାସ୍ତବତାକୁ ମିଶେଇ ଗଢୁଥିଲି ନୂଆମହଲ।ନିଘା ରଖିପାରୁନଥିଲି ଅନ୍ୟାନ୍ୟ ଅନେକ ଜିନିଷ ଉପରେ। ଚାରିପାଖରେ କଣ ଘଟୁଥିଲା କେଜାଣି,ବିଭୋର ଥିଲି ମୁଁ ମୋ’ ପୃଥିବୀରେ।
ବିଶ୍ବାସ କଅଁଳିଯାଉଥିଲା ନିଜ ଉପରେ।ଅଜଣା ଜଗତରୁ ଶିଖି ଅନେକ କିଛି ବୁଝି ବିଚାରି ବ୍ୟବସାୟ କ୍ଷେତ୍ରରେ ପାଦ ଥାପୁଥିଲି।ଅସମ୍ଭବ ସମ୍ଭବପର ହେଉଥିଲା। ମାନସିକଭାବରେ ସୁଦୃଢ଼ ଥିଲା ସ୍ଥିତି।ଆର୍ଥିକ ସହାୟତା ପାଇଁ ଆଉ କାହାର ଦରକାର ପଡୁନଥିଲା ପ୍ରାୟ ସେମିତି …। ସଞ୍ଜୁ ଅପାଙ୍କ ସହ ତାଙ୍କ କଲୋନୀର ଆଉ କେତେଜଣ ଏ କ୍ଷେତ୍ରରେ ବିଶେଷ ସହଯୋଗ କରୁଥିଲେ। କହିବାକୁ ଗଲେ ବେଶ ବଦଳୁଥିଲା ସାମାଜିକ ପରିବେଶ ଅନେକଙ୍କର ଅକୁଣ୍ଠ ସାହାଯ୍ୟ ପାଇଁ। ଆମେ କରିବୁ , ଆମେ ପାରିବୁ , ଆମେ ବଢିବୁ, ଏସବୁ ସ୍ଳୋଗାନ ସମ୍ବଳଭାବରେ ମୋ’ ସହିତ ଥିଲା।ଏସବୁ ସାମୂହିକ ବିକାଶ …. ଉଦାହରଣ ଦେଉଥିଲେ ଅନେକେ …। ସମୟ ସହ ମୁଁ ମୁଣ୍ଡ ନୁଆଉଁଥିଲି ମୋ’ ପ୍ରିୟ ଆଣ୍ଟିଙ୍କ ପାଖରେ। ବଦଳି ଯାଉଥିଲା ଦିନ,ତାଙ୍କ ପାଇଁ କେବଳ।ତାପରେ ତ ଅନ୍ୟ ଅନେକ ଯୋଡି ହୋଇଗଲେ ଜୀବନ ପୃଷ୍ଠାରେ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଶବ୍ଦ ଅକୁଳାଣ ଥିଲା ମୋ’ର।

ମଣିଷଟିଏ ମଣିଷ ହେବାକୁ କେତେ ଚେଷ୍ଟା … । କେତେ ଲୋକଙ୍କର କେତେ ସହଯୋଗ ଲୋଡା ପଡେ ସତରେ….। (କ୍ରମଶଃ)

Comments are closed.