କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୫
ଆଖି ଆଗରେ ଅଥଳ ସମୁଦ୍ର। ଚାରିଦିଗରେ ଅନନ୍ତ ନୀଳ ବିସ୍ତୃତି। ଖୁବ୍ ଦୂରରେ ଦିଶୁଛି ଘଞ୍ଚ ଜଙ୍ଗଲ ଘେରା ଛୋଟ ଏକ ଦ୍ଵୀପ। ଖଣ୍ଡେ ଭଙ୍ଗା ପଟାରେ ଭାସିଭାସି ଯାଉଛି ଦେବୀ । ସେ ଦ୍ଵୀପ ଯେତିକି ପାଖ ହେଉଛି ସେତିକି ଧୁଆଁଳିଆ ଦେଖାଯାଉଛି ଆଖି ଆଗର ଦୃଶ୍ୟ।
ପବନ ଏବେ ଖୁବ୍ ଧୀର। ଲହରୀ ସବୁ ବୋଲକରା ଭଳି ସାଉଁଳେଇ ଦେଉଛନ୍ତି ଦେବୀର ପାଦ। ଚୁନା ଚୁନା ବାଲି ଥରି ଉଠୁଛନ୍ତି ପବନର ଅତର୍କିତ ଛୁଆଁରେ । କୂଳରେ ପହଞ୍ଚି ସେ ଶାମୁକା ଗୋଟେଇ ଗୋଟେ କୁଡିଆ ତିଆରି କରୁଛି। ନିଜର କଳ୍ପନାକୁ ଖୁଣ୍ଟ କରି,ବିଶ୍ୱାସର ରୁଅ ବାଉଁଶକୁ ପ୍ରେମରେ ବାନ୍ଧି ବାଦଲରେ ଛପର କରୁଛି ଘର । ଚାରି ଦିଗ କବାଟ, ଆଉ ଆଖିକୁ ଝରକା କରି ସେ ଜଳ ପଲଙ୍କରେ ବିଛାଉଛି ଫେଣ ତିଆରି ଗଦି।
କେଉଁଠୁ ଗୋଟେ ବଂଶୀସ୍ଵନ ଶୁଣାଯାଉଛି। ଅଦୂରର ପାହାଡ଼ ରେ ପ୍ରତିଫଳିତ ହେଉଛି ଘୁଙ୍ଗୁର ନିନାଦ। ଫୁଲର ଚଢେଇ ଥଣ୍ଟରେ ଧରି ଆସୁଛି ଆକାଶ। ପବନରେ ସୁରା ମିଶାଉଛି ନଈ।
ପୁଣି ବଦଳି ଯାଉଛି ସମୟ। ଧୁଧୁ ଖରାବେଳେ ହଠାତ୍ ମାଡ଼ିଆସୁଛି ଝଡ଼। ପବନ ଆଉ ବର୍ଷା ମିତ୍ରପଣେ ସବୁ ଛାରଖାର କରିବାକୁ ପ୍ରତିଶ୍ରୁତିବଦ୍ଧ ଯେମିତି।
ଦେବୀ ଠିଆ ହୋଇଛି କେଉଁ ଏକ ଶୂନ୍ୟତାକୁ ଅପେକ୍ଷା କରି। ସିରିସିରି ହୋଇ ହାଲକା ହାଲୁକା ଶୀତ ପଞ୍ଜରା ଥରେଇ ଦେଉଛି। ସମୁଦ୍ରର ଅସୀମ ସୀମାନ୍ତ ଆଡ଼କୁ ଚାହିଁ ଦେବୀ ଭାବୁଛି ପଛଦିନର କେତେ କେତେ କାହାଣୀ। ଏଇ ସେ ସମୁଦ୍ରକୂଳ ଯାହାର ପ୍ରତିଟି ନାଲି କଙ୍କଡା ଚିହ୍ନିଛନ୍ତି ତାକୁ। ଦିନେ ଏଇଠି ଏଇସେ ବାଲିବନ୍ତକୁ ସାଖିରଖି ଦେବ ସହିତ ହୋଇଥିଲା ତାର କଣ୍ଢେଇ ବାହାଘର। ଏଇ ସମୁଦ୍ର ଯିଏ ଛାତିରେ ଖେଳେଇଥିଲା ଭଲପାଇବାର ଅମୂଲ୍ୟ ଭାବରସ। ଦେବୀ ମନେମନେ ଭାବେ ଗୋଟିଏ ଶ୍ରାବଣ କଥା।
କ୍ରମଶଃ…….