Latest Odisha News

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩ 

ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା ନିଜକୁ, ନିଜର ଦେହ ମନକୁ। ସେ ଜାଣିଥିଲା ତା ଭିତରେ ଆରମ୍ଭ ହେଲାଣି ଏକ ମଧୁର ମହୋତ୍ସବ। ତାକୁ ଭଲ ଲାଗିଲାଣି ଗୋଲାପୀ ରଙ୍ଗ, କଣ୍ଟାର ଆଘାତ, ନିଜକୁ ନିଜଠୁ ନିରୁଦ୍ଧିଷ୍ଟ କରିଦେବାର କମନୀୟ ପ୍ରୟାସ।

ସେ ବୁଝିପାରିଲାଣି କାହିଁକି ଆକାଶ ପିନ୍ଧେ ମେଘର କଳା ଶାଢ଼ୀ। କାହିଁକି ବଂଶୀ ଦେଖିଲେ ପାଦ ପିନ୍ଧେ ନୃତ୍ୟର ସପ୍ତରାଗ। ଦେବୀକୁ ଏବେ ରାତିରେ ନିଦ ଆସେନି। ଯାହା ବି ଆସେ ସେଥିରେ ଖୁନ୍ଦି ହୋଇ ଥାଏ ସ୍ବପ୍ନ।ବେଳେବେଳେ ସେ ସ୍ୱପ୍ନରେ ଆସେ ଜଣେ।

ଢେଉଢେଉକା ପାଣି ଉପରେ ଚହଲା ନାଆ ପରି। ଦେବୀ କୁ ଖୁସି ଲାଗେ। ନଈର ମନ ତାର ସମୁଦ୍ର ମୁହାଁ ହୁଏ। ଆଃ..କେଡେ ସୁନ୍ଦର ଲାଗେ ସବୁ। ମାଟି-ଆକାଶ, ପାଣି – ପବନରେ ରଙ୍ଗ ଆଉ ବସ୍ନାର ମହୋତ୍ସବ। ଉଡନ୍ତା ଚଢେଇ ଡେଣାରେ ମନ ଉଡେ। ଦିଗନ୍ତ ଉହାଡୁ କଣେଇ ଚାହେଁ କଳ୍ପନା। ଦୁନିଆଁ ସତରେ ଅମୃତରେ ଭରିଯାଏ।

ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ ଏକ ପରିଚିତ ଦେହ ବାସ୍ନାରେ।

ସେଦିନ ଦେଵଭାଇ କାନ୍ଧ ଉପରୁ ଆଣି ବାପା ତାକୁ ଘରକୁ ନେବା ବେଳେ ତାକୁ ଲାଗୁଥିଲା ଯେମିତି ଗଛଟିଏକୁ ବଞ୍ଚିତ କରାଗଲା ତାର ପ୍ରିୟତମ ମାଟିରୁ। ସାରା ରାତି ସେ ଛାତିରେ ଘୋଡେ଼ଇ ରଖିଥିଲା ଆକାଶ,କାଳେ ଦେବଭାଇର ସ୍ପର୍ଶଟିକକୁ ଚୋରେଇ ନେବ ପବନ।ସେ ଆଖି ଖୋଲି ନଥିଲା ସାରା ରାତି,କାଳେ ସେ ଖୁବ୍ ପାଖରୁ ସଞ୍ଚିଥିବା ଦେବ ଭାଇର ମୁହଁଟି ହଜିଯିବ ଅନ୍ଧାରରେ।ସେ ଗଣିଗଣି ନିଃଶ୍ୱାସ ନେଉଥିଲା,ସମତାଳରେ ଶୁଣିଥିବା ଏକ ଦରଦୀ ହୃଦୟ ସ୍ପନ୍ଦନ ଯେମିତି ହଜି ନଯାଉ ।

ସେ ଡରୁଥିଲା ନିଜକୁ ନିଜେ। କିନ୍ତୁ ଭଲ ଲାଗୁଥିଲା ଏମିତି ଏକ ମଧୁର ଡରାଣ। ସେ ଧିରେଧିରେ ମାନବୀରୁ ଦେବୀ ହେବାରେ ଲାଗୁଥିଲା। ସତରେ ଦେବୀପଣ ଆଉ କଣ କି! ଏକ ଦିବ୍ୟ ଉତ୍ତରଣ ତ!

ବୋଉ କୁହେ ପ୍ରତି ମଣିଷ ଭିତରେ ଦେବତ୍ଵ ଲୁଚି ରହିଥାଏ। ପ୍ରେମ ଆଉ ସଦାଚାର ସମଗ୍ର ସାଂସାରିକ ଚେତନାକୁ ଆବୋରି ବସିଲେ ପୃଥିବୀ ପଲଟିଯାଏ ସ୍ବର୍ଗ।

ଏ ପ୍ରେମକଥା ମନକୁ ଆସିଲେ ସେ ଭିତରେ ଭିତରେ ପାଣିପାଣି ହୋଇଯାଏ। ନିଜ ଦେହକୁ ବି ଡର ଲାଗେ। ଘରର ଚାରିକାନ୍ଥ ପାଲଟିଯାଏ ଶତୃଦେଶର ବନ୍ଦିଶାଳା। ବଦଳିଯାଏ ମନର ପରିବେଶ। ତାଭିତରେ ତିଆରି ହୁଏ କେବଳ ଯୋଡିଏ ୠତୁ – ବସନ୍ତ ଆଉ ଶ୍ରାବଣ।

ଅନେକ ବର୍ଷ ୟା ଭିତରେ ବୋହି ଗଲାଣି। ପ୍ରେମିକା ଉପନ୍ୟାସରେ ବିଭୂତି ପଟ୍ଟନାୟକ ସତକଥା କହିଥିଲେ – ଆଗନ୍ତୁକ ସମୟ ଚାପରେ କେବେ ହେଲେବଢେ ନାହିଁ ପ୍ରେମିକା / ପ୍ରେମିକର ବୟସ ।
କ୍ରମଶଃ……..

କ୍ରମଶଃ……

Leave A Reply

Your email address will not be published.