କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୭
ଝର୍କା ଦେଇ ଦିଶୁଥିଲା ତା’ ଜୀବନ ପରି ଆକାଶ,ଅଧା ଆଲୁଅ ଅଧା ଅନ୍ଧାର । ବେଳେବେଳେ ପୂର୍ଣ୍ଣ ଆଉ ବେଳେବେଳେ ଶୂନ୍ୟ-ମହାଶୂନ୍ୟ।
ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା ଚଢ଼େଇଟି ତା କେତେ ପୀଢ଼ିର ବଂଶଜଙ୍କ ଭିତରେ ହଜିଯିବଣି। ଦେବୀର ମନେ ନାହିଁ, କେବେଥରେ ଯାଇଥିଲା ସେ ସମୁଦ୍ର କୂଳକୁ। ସେଠି ଦେଖିଥିଲା ଦୁଇଟି ନଈ ଆଉ ସମୁଦ୍ର ଭିତରେ ରାସଲୀଳା। ସେ ଏକଥା ଜାଣିଥିଲା କି! ନା ନା। ତା’ର ବୟସ ଏମିତି କେତେ ହୋଇଥିଲା! ଦେବ ଭାଇ ସିନା ବୁଝେଇ ଦେଇଥିଲା ବୋଲି ସେ ଜାଣିଲା ନଈ ଆଉ ସମୁଦ୍ର ପ୍ରେମିକା -ପ୍ରେମିକ ବୋଲି।
ସେଦିନର ସେ ବର୍ଷା ବତୁରା ଅନୁଭବରେ ନିତ୍ୟ ମୁହୂର୍ତ୍ତ ଓଦା ହେଉହେଉ ଦିନେ ନିରୋଳରେ ଦେଖାହେଲା ଦେବ।
ଏତେ ପାଖରେ ନିଜର ଇପ୍ସିତ ପୁରୁଷକୁ ପାଇ ସେ ଖୁସିହେବ କି ନାଇଁ ଦ୍ବିଧାରେ ଥିଲାବେଳେ ଦେବ ତାକୁ ପଚାରିଲା
“ତୋତେ ଗୋଟେ କଥା କହିବି ଦେବୀ ?”
ଏଇଟା ଥିଲା ଦେବୀ ପାଇଁ ଦେବର ପ୍ରଥମ ପାଠ ବହିର୍ଭୁତ ପ୍ରଶ୍ନ। ଦେବୀକୁ ଖୁବ୍ ଲାଜ ଲାଗିଲା। ସତେ ଯେମିତି ତା ଶରୀରରେ ବହିଗଲା ମୃଦୁ ବିଜୁଳିର କମନୀୟ ଧାରାଟିଏ। ଏମିତି କ’ଣ ପଚରାଯାଏ! ସେ ତ’ ଦେବକୁ ଈଶ୍ୱରଙ୍କ ପରି ମାନେ ।
– ଆରେ ଖରାପ କଥା ନୁହେଁ ମ!
ଦେବ ଆଉଥରେ ଯୋଗ କଲା । ଏ କଥା ଶୁଣି ଦେବକୁ ଖୁବ୍ କଷ୍ଟ ଲାଗିଲା। ସେ କିଛି କହିଦେବାର ଥିଲା। ଏଇ କଥା ଭାବିଲା ବେଳକୁ ଦେବୀ ତା ଆଖିଏ ଲୁହ।
କଷ୍ଟମଷ୍ଟେ ଲୁହ ଚାପି ସେ କହିଲା – ଆପଣ ଏମିତି କଣ କହୁଛନ୍ତି। ଆପଣ ପରା ମୋର …..
ଆଉ କିଛି କଥା ସ୍ପୁରଣ ହେଲାନାହିଁ ଦେବୀକୁ। ସେ ତଳକୁ ମୁହଁକରି ଠିଆ ହୋଇଥିଲା । ଟପଟପ ଲୁହ ଝରି ପଡ଼ୁଥିଲା ତା ପାଦତଳ ମାଟି ଉପରେ।
ଆରେ …ଆରେ ….ତୁମେ କଣ କାନ୍ଦିଲଣି। ହେ ଭଗବାନ !
ନାଁ..ନାଁ….ଏମିତି କିଛି ନୁହେଁ, ଆପଣ ପଚାରନ୍ତୁ, କଣ ପଚାରିବେ!
ଓଢ଼ଣୀରେ ଲୁହପୋଛି ପାଉଁଶିଆ ହସ ମୁହଁରେ ଖଞ୍ଜି କହିଲା,ଦେବୀ। ସେ ଦେଖିପାରୁଥିଲା ଦେବ ମୁହଁରେ ଏକ ଅଦରକାରୀ ବ୍ୟସ୍ତତା। ସେ କେବେ କଳ୍ପନା ହିଁ କରିନଥିଲା ତା ପାଇଁ ଦେବ ଦୁଃଖୀ ହେବେ। ସେ ପରିବେଶକୁ ଆହୁରି ହାଲ୍କା କରିବା ପାଇଁ ଦେବ ମୁହଁକୁ ଚାହିଁଲା।
ଆରେ ଏମିତି କିଛି ନାହିଁ। କିଛି ଦିନ ହେଲା ମୋ ମନରେ ଏକ ଅଦ୍ଭୁତ ପ୍ରଶ୍ନ ଜନ୍ମ ନେଉଛି। ଯେତେ ଚେଷ୍ଟା କଲେ ବି ୟାର ଉତ୍ତର ଖୋଜିପାଉନି !
ଦେବୀକୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା । ଏମିତି କିଛି ପ୍ରଶ୍ନ ଥାଏ କି! ଯାହାର ଉତ୍ତର ଦେବ ପାଖରେ ନାହିଁ। ସେ ଶତ ଚେଷ୍ଟାକରି ବି ବିଶ୍ୱାସ କରିପାରିଲା ନାହିଁ। ସେ ତ ଭାବେ ଦୁନିଆଁରେ ଏକମାତ୍ର ମଣିଷ ଦେବ ଯାହାଙ୍କ ପାଖରେ ସଂସାରର ସବୁ ପ୍ରଶ୍ନ ହାର ମାନନ୍ତି।
ସେଦିନ ଖରା କି ବର୍ଷା ହେଉଥିଲା ଦେବୀର ମନେ ପଡୁନଥିଲା। ସେ କେବଳ ମନେ ରଖିଛି ଗୋଟିଏ କଥା – ବାରମ୍ବାର ତା ମନରେ ଋତୁ ବଦଳୁଥିଲା।ପରିଚିତ ପୃଥିବୀରେ ସେ ଥିଲା ସବୁଠୁ ଖୁସି ଝିଅଟିଏ।
ଦେବ ତା ମନ କଥା ବୁଝି ପାରୁଥିଲା ,ନହେଲେ କାହିଁକି କହିଥାଆନ୍ତେ ଗୋଟେ କଥା କହିବେ ବୋଲି।
ସେ କଳନା କରୁଥିଲା ମନେ ମନେ । କାଳେ ଦେବ ପଚାରିଦେବ ତୋ ଆଗରେ ଫୁଟିଥିବା ଗୋଲାପର ରଙ୍ଗ କେମିତି? କାହିଁକି ମଣିଷ ମଣିଷ ଭିତରେ ଏତେ ସଂଘର୍ଷ। କାହିଁକି ଲୋକ ପ୍ରେମରେ ପଡନ୍ତି ଆଉ ହସିହସି ମରି ଯାଆନ୍ତି!
ସତରେ ଏ ସବୁ ପ୍ରଶ୍ନର ଉତ୍ତର ତା ପାଖରେ ନାହିଁ। ସେ ତ କେବଳ ଜଣେ ମଣିଷକୁ ଚିହ୍ନିଛି । ସେ ଜଣକ ହେଲା ଦେବ ।
ଏତେ ଆଦର କାହିଁକି ଦେବକୁ ତାର ! ସେ ତ କଙ୍କି ପ୍ରଜାପତି ଧରିବା ପିଲା। ସଖି ସଙ୍ଗାତଙ୍କ ଗହଣରେ ବାହାଘର ବାହାଘର ଖେଳ ଖେଳିବା କଥା। ତାକୁ କି ଜଣା ଦୁନିଆ ବିଷୟରେ। କଣ ବା ଶିଖିଛି ସେ ଏଇ ଜୀବନରେ ।
ଦେବ ସମୁଦ୍ର ଆଡ଼କୁ ମୁହଁକରି ଠିଆ ହୋଇଥିଲା। ପବନ ଆଉଁଶି ଦେଉଥିଲା ତା କେଶକୁ। ମୂର୍ତ୍ତିଟିଏ ପରି ଠିଆ ହୋଇଥିଲା ଦେବୀ। ଦେବର ପ୍ରତିଟି ଶବ୍ଦ ତା ପାଇଁ ଶ୍ଲୋକ ପାଲଟି ଯାଉଥିଲା।
କ୍ରମଶଃ…..
Comments are closed.