କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୧
ଦେବଙ୍କର କଥା ଶୁଣି ଦେବୀ ନିଜ କାନକୁ ବିଶ୍ଵାସ କରିପାରିଲା ନାହିଁ। ହେଲେ ଏଇ ପ୍ରଶ୍ନଟି ରକ୍ତରେ ମିଶି ଦେହର ପ୍ରତିଟି ଜୀବକୋଷ ଦେହରେ ସୃଷ୍ଟି କଲା ଅପାର ଆଲୋଡନ। ଦେବୀ ଆଶର୍ଯ୍ୟ ଚକିତ ହୋଇ ଦେବର ମୁହଁକୁ ଚାହିଁ ରହିଲା।କେତେ ସହଜରେ କହିଦେଲେ ଏତେକଥା। ଦେବୀ ଜାଣିଶୁଣି ଚୁପ୍ ରହିଲା। ତା ଭିତରେ ଅଳ୍ପ ହୋଇ ମୁଣ୍ଡ ଟେକିଥିବା ଅନୁରାଗ ଆହୁରି ବେଶୀ ଶକ୍ତ ଓ କମନୀୟ ଦିଶିଲା।ତାର ଇଚ୍ଛା ହେଉଥିଲମଲା ଦେବ ଏମିତି ଅସୁମାରୀ ପ୍ରଶ୍ନ ପଚାରି ଚାଲନ୍ତା।
ଲୁହ ଦୁଇବୁନ୍ଦା ଟଳମଳ ହେଉଥିଲେ ଆଖିରେ।
ଜୀବନରେ ପ୍ରଥମ ଥର ପାଇଁ ଦେବୀ ଏକ ପୁରୁଷ କଣ୍ଠରୁ ଭଲପାଇବା କଥା ଶୁଣୁଥିଲା। ଭଲପାଇବା ଏମିତି ଏକ ଅନୁଭବ ଯାହା ମଣିଷର ବନ୍ଦ ଚେତନାକୁ ନିମିଶକରେ ଖୋଲି ଦିଏ।
ଦେବୀ ହାତରେ ଧରିଲା ଆକାଶକୁ । ଓଠରେ ଖେଳେଇଦେଲା ହସର ରଙ୍ଗଣି ଫୁଲ। ତାକୁ ଲାଗିଲା ତା ନାରୀ ଜୀବନ ସାର୍ଥକ ହୋଇଯାଉଛି।
ଦେବୀର ନିରବତା ଆସ୍ତେ ଆସ୍ତେ ସଚଳ ହେଲା। ସେ ଖୁବ୍ ଧିରେ ଦେବକୁ କହିଲା ହଁ ହଁ ପ୍ରେମରେ ଅଛି। ତା ପରେ ଫିକ୍ କରି ହସିଦେଲା। ଦେବ ଭିତରେ ଏକ ବିଚିତ୍ର ଅନୁଭବ ତାକୁ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବାରେ।
ହଠାତ୍ ଦେବ ଦେବୀର ଖୁବ୍ ପାଖକୁ ଚାଲିଆସିଲେ। ଯେତିକି ପାଖରେ ଜଣେ ଜଣକର ନିଃଶ୍ୱାସ ପ୍ରଶ୍ଵାସକୁ ଅନୁଭବ କରିପାରିବ। ଦେବୀ ଭିତରେ ଗୋଟେ ଶୁଖିଲା କାଠରେ ନିଆଁ ଲାଗିବାର ପ୍ରକ୍ରିୟା ଆରମ୍ଭ ହେଲା।
ଦେବୀ ଦେଖିଲା ଦେବ ତା ଆଡ଼କୁ ହାତ ବଢ଼ାଉଛି। ସେ କାଳବିଳମ୍ବ ନକରି ସେ ହାତ ଭିତରେ ନିଜକୁ ବନ୍ଦୀ କରିଦେଲା।କେଜାଣି କାହିଁକି ଏଇ ଦୁଇ ହାତ ଭିତରେ ନିଜର ସମଗ୍ର ଜୀବନ ବିତେଇ ଦେବାର ଏକ ଦୃଢ଼ ସଂକଳ୍ପ ତା ଭିତରେ ତିଆରି ହୋଇଗଲା।
କ୍ରମଶଃ….
Comments are closed.