କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫
ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା’ କୋମଳ ମନର ପ୍ରତିଟି କୋଠରୀ ଭରିଗଲା ଏକ ଅପୂର୍ବ ସନ୍ତୁଷ୍ଟିରେ।
ସେଦିନ ରାତି ଥିଲା ଦେବୀ ଜୀବନର ଏକ ମୂଲ୍ୟବାନ ରାତି।ସେ ବାରମ୍ବାର କେବଳ ମନେପକାଉଥିଲା ସେଇ କେଇ ଘଣ୍ଟାର ସମୟକୁ। ତାର ପ୍ରତ୍ୟେକ ପଲକକୁ ଖୋଜୁଥିଲା ଆଉ ନିରେଖି ଦେଖୁଥିଲା ଦେବ ଭାଇଙ୍କ ପ୍ରତିଟି ଶବ୍ଦକୁ। ସବୁ ଶବ୍ଦରେ ସେ ପାଉଥିଲା ଏକ ଅପୂର୍ବ ସ୍ପନ୍ଦନ। ସତେ ଯେମିତି କେଉଁ ଅଦୃଶ୍ୟ ଉତ୍ସରୁ ଝରି ଆସୁଛି ଅମୃତର ଧାରା ପରି ଅତି ପବିତ୍ର ଧ୍ଵନୀ। ଯାହାକୁ ଶୁଣି ଧିରେ ଧୀରେ ସତସତିକା ଦେବୀ ପାଲଟି ଯାଉଛି ସେ। ଶୋଇପଡ଼ିଲେ କାଳେ ତା ଅନୁଭବ ସବୁ ହଜିଯିବ ସେଥିପାଇଁ ସେ ଜାଣିଶୁଣି ଶୋଇଲା ନାହିଁ। ସାରା ରାତି ଅନ୍ଧାର ଭିତରେ ସେ ଵିନ୍ଦୁଏ ଆଲୋକ ଦେଖୁଥିଲା। ସେଇ ବିନ୍ଦୁଟିକୁ ନେଇ ଆଗନ୍ତୁକ ଅନ୍ଧାର ଭିତରୁ ନିଜକୁ ପୃଥକ ଭାବେ ସାଇତି ରଖୁଥିଲା। ତା’ ଆଖି ଆଗରେ କଳ୍ପନାର ଫୁଲ ଭର୍ତ୍ତି ବଣ। ସେ କେବେ ପ୍ରଜାପତି କେବେ ପ୍ରଣୟୀନି ହୋଇ ସେ ବଣ ଭିତରେ ଉଡ଼ି ବୁଲୁଥିଲା।
ତା’ ପରଦିନ ସକାଳେ ସେ ଜାଣିଶୁଣି ବିଛଣାରେ ପଡ଼ି ରହି ବିଗତ ରାତିର ଅପହୃତ ଉଷ୍ମତା ଆଉ ଟିକେ ଅନୁଭବ କରିବାକୁ ଚାହୁଁଥିଲା। ବୋଉ ଚିଲ୍ଲେଇବାରୁ ବିଛଣାରୁ ଉଠି ବାରି ପଛକୁ ଯାଇ ନୂଆ ଏକ ପୃଥିବୀ ଦେଖିଲା। ସତେ ଯେମିତି ଏଇ ରାତିକ ଭିତରେ ସଂସାରରୁ ଉଭେଇ ଯାଇଛି ଭୋକ, ଶୋଷ ଓ ସନ୍ତ୍ରାସର ବିଭେଷିକା। ଚାରିଆଡ଼େ ଆନନ୍ଦର ଅସରନ୍ତି ପ୍ରବାହ।
ଦେବୀ ତା’ ସତର ବର୍ଷର ଜୀବନ ଭିତରେ ଏମିତି ଆନନ୍ଦ କେବେ ପାଇନଥିଲା। ତାକୁ ଲାଗୁଥିଲା ଯେମିତି ତା ଭିତରେ ଏକ ବ୍ୟକ୍ତିତ୍ଵ ନିର୍ମାଣ ଚାଲିଛି । ସକାଳର ସୂର୍ଯ୍ୟ ଆଜି ନୂଆ ଲାଗୁଥିଲେ। ଅଫୁରନ୍ତ ଶୂନ୍ୟତା ଭିତରେ ଚକଚକ କରୁଥଲେ ସ୍ବପ୍ନ।ସେ ସ୍ବପ୍ନ ସବୁ ଚିରାଚରିତ ସଂସାର ଭିନ୍ନ ଆଉ ଏକ ନୂଆ ପୃଥିବୀର ଉନ୍ମାଦନା।
ସେ ଦିନ ଦେବୀ ଆଉ କୁଆଡେ ଗଲା ନାହିଁ । ତା ଭିତରେ ସଜାଡି ହେଉଥିଲା ତାର ସବୁ ଅଧାଗଢ଼ା କଳ୍ପନା। ଜୀବନ ଶକ୍ତିର ଚିରନ୍ତର ପ୍ରବାହ ହେଉଥିଲା ତା’ ପ୍ରତିଟି ଶିରା ପ୍ରଶିରା ଭିତରେ।
ଖରାବେଳେ ଅଭଡ଼ା ଆସିଥିଲା। ଦେବୀର ଚାଲିଚଳନ ଦେଖି ତାକୁ ସନ୍ଦେହ ହେବାରୁ ବାହାରକୁ ଥରେ ଆଖି ବୁଲେଇ ଆଣି ପଚାରିଲା – କ’ଣ ହୋଇଛି ଅଭଡ଼ା। ତୁମ ଦେହ ଭଲ ଅଛିଟି। ସୁନା ମୁଁହ ସୁଖି କଳାକାଠ ପଡ଼ିଯାଇଛି। ଓଠ ଶୁଖିଲା। ଆଖିରେ ଆହତ ହରିଣୀର କାତରତା। କ’ଣ ପାଇଁ ଏମିତି ଦିଶୁଛ ତୁମେ?
ଅଭଡ଼ା ସବୁ ଜାଣିପାରେ। ଦେବୀ ଅଭଡ଼ାକୁ ପାଖରେ ପାଇ ନିଜର ଅନିୟନ୍ତ୍ରିତ ଖୁସିକୁ ତା’ ସହିତ ବାଣ୍ଟିବା ପାଇଁ ଅତିସଜ୍ୟ ଆନନ୍ଦରେ ତାକୁ କୁଣ୍ଢେଇ ଧରିଲା ।
କ୍ରମଶଃ…..
Comments are closed.