Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭

ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା’ ବାଟରେ ଗଲା। ଦୁଃଖ – ସୁଖକୁ ସମସ୍ଥାନରେ ଥୋଇ ନିଜକୁ ସମୟରେ ଭସେଇ ଦେଲା ସେ।

ନଈ କୂଳିଆ ଗାଆଁ ପ୍ରୀତି ପୁର ତାର ଜନ୍ମମାଟି। ସେଇ ଗାଁର ପାଣି ପବନରେ ଗଢା ତାର ଅନୁର୍ବର କଳେବର। ପିଲାଦିନରୁ ସେ ନିଜକୁ ନେଇ ଗଭୀର ପ୍ରଶ୍ନାକୁଳ। କେବେ ନଈକୁ କେବେ ଆକାଶକୁ ସେ ପଚାରେ ଅଗଣିତ କାରଣ।

ତେବେ ସେ ଉତ୍ତର ପାଏନା। କେବଳ ଜଣେ ହିଁ ତା ପ୍ରଶ୍ନର ଉତ୍ତର ଦେବ ବୋଲି କଥା ଦେଇଥିଲା। ହେଲେ ସମୟ ସୁଅରେ ଶୁଖିଲା ପତ୍ର ପରି କିଛିଦିନ ପାଖରେ ରହି ପୁନଶ୍ଚ ମହାକାଳ ଡାକରେ ନିଜ ରାସ୍ତାରେ ଚାଲିଗଲା । ସେଇ ଦିନଠୁ ଦେବ ଏକୁଟିଆ ହୋଇଗଲା। ଜୀବନରେ ସାଂସାରିକ ସମସ୍ତ ସୁଖ ସୁବିଧା ପାଇଥିଲେ ହେଁ ଗୋଟିଏ ଆଦେଖା କ୍ଷତ ତାକୁ ଅସହ୍ୟ ଯନ୍ତ୍ରଣା ଦେଲା।

କିଏ ଜାଣେ ଆଜି ପୁଣି ସେ କ୍ଷତରେ ମଲମ ଲାଗିବ କି ଲୁଣ ?

ରାତି ଅନେକ ହେଲାଣି ଯିବି ଯିବିନି ହୋଇ ସେ ଘଣ୍ଟାଏ ହେଲା ଗାଆଁ ଦାଣ୍ଡରେ ବୁଲୁଛି। ଆଜି କାହିଁକି ଅତୀତ ଏତେ ଫର୍ଚ୍ଚା ଦିଶୁଛି। ଏଇଠି କେଉଁଠି ଶୁଭୁଛି ସମକାଳର ଗୀତ।

ବର୍ତ୍ତମାନ ବିନ୍ଦୁରୁ ସିନ୍ଧୁ ହୋଇ ପବନ ସହ ଖେଳ ଖେଳୁଛି। ଝାପ୍ସା ଅନ୍ଧାର ଭିତରୁ ଝାଟି ମାଟିର ଏକ ଚାଳିଆ ଆଡେ ଚାହିଁ
ସେ କାହାକୁ ଖୋଜୁଛି ଯେମିତି। ସେ ଜାଣେ ଅପେକ୍ଷିତ ଆଖିକୁ ଅଫେରା ବସନ୍ତର ରଙ୍ଗ ଦିଶେନା। ଥରେ ବାଟ ବଣା ହେଲେ ଗଛର ଚଢେଇ ଆଉ ଗଛର ହୋଇ ରୁହେନା। ସେମିତି ବାଟ ବଣା ହୋଇ ଚଢେଇ ଗଲା ଯେ ଗଲା।

ଆଉ ଦୁଇଟି ଘର ପରେ ସୁଧୀର ମଉସାଙ୍କ ଘର । ଘର ଆଗରେ ଦରୁଆନ ପରି ଦୁଇଟି ଦେବଦାରୁ ଗଛ। ଗଛ ପଛରେ ତୁଳସୀ ଚଉରା। ଚଉରାକୁ ଲାଗି ସିମେଣ୍ଟ ଚାନ୍ଦିନୀ। ଅନେକ ଦିନ ହେବ ରଙ୍ଗ ନଦିଆ ହୋଇଥିବା କୋଠା ଘର। କାନ୍ଥରୁ ଠା ଠା ପଲସ୍ତରା ଛାଡ଼ିଲାଣି। ଦିନେ ଏ ଘର ଗାଆଁର ପ୍ରଥମ କୋଠା ହୋଇ ସଗର୍ବେ ଠିଆ ହୋଇଥିଲା। କୋଠା ଆଗ ଖାଲି ଜାଗାରେ ଗୋଟାଏ ଶାଗୁଆନ ଚଉକି ଉପରେ ବିରାଜମାନ ହେଉଥିଲେ ରଣସିଂହ ମଦନ ଗୋପାଳ ମହାନ୍ତି , ସୁଧୀର ମଉସାଙ୍କ ବାପା।

ସେ ଦିନ ଆଉ ଆଜି ଦିନ ଭିତରେ ଆକାଶ ପାତାଳ ଫରକ। ଯେଉଁମାନେ ଦିନେ ମହାନ୍ତି ଘରେ ବେଠି ଖଟୁଥିଲେ, ସେମାନଙ୍କ ପିଲା ଆଜି ଦଶଟା ମହାନ୍ତିଙ୍କୁ କିଣି ପକେଇବେ।

ସୁଧୀର ମଉସାଙ୍କ ଏକମାତ୍ର ପୁତ୍ର ବିନୟ ଦେବର ସାଙ୍ଗ। ପିଲାଦିନରୁ ସେ ଦୁହେଁ ପରସ୍ପର ପ୍ରତି ବିଶ୍ଵାସ ଯୋଗ୍ୟ। ଅଳ୍ପ କେଇମାଣ ଚାଷ ଜମିରେ ଚଳୁଥିବା ସଂସାରର ଶେଷ ପୁଅ ହେଲା ଦେବ। ପିଲାଦିନେ ଗଭୀର ଦାରିଦ୍ର୍ୟ। ସେଥିପାଇଁ ବିନୟ ସବୁବେଳେ ଦେବକୁ ଘରକୁ ଡାକେ।

ବିନୟର ସାନ ଭଉଣୀ ଦେବୀ। ଉଜ୍ଜ୍ୱଳ ଗୋରା ରଙ୍ଗର ଦେହ।

ଦେବକୁ ଖୁବ୍ ମାନେ। ଶହେ ପଦରେ ପଦେ ଉତ୍ତର ଦିଏ। ବେଳେବେଳେ ଅଙ୍କ ବୁଝେ।

ଦୀର୍ଘଶ୍ୱାସ ସହିତ ବାହାରି ଆସିଲା ଗୋଟେ ରୁଗ୍ଣ ଅତୀତର ମୃତ ଦେହ। ଶଙ୍କିଗଲା ଦେବ ! ଏ ବେଳ ଭାବପ୍ରବଣ ହେବାର ସମୟ ନୁହେଁ। ଧର୍ଯ୍ୟର ସହିତ ଆଗନ୍ତୁକ ଅନିଶ୍ଚିତତା ସହିତ ଲଢ଼ିବାକୁ ହେବ। ପରିସ୍ଥିତି ଯାହା ହେବାକୁ ହେଉନା କାହିଁକି
ତାକୁ ମୁକାବିଲା କରିବାକୁ ହେବ।

ସାମାନ୍ୟ ଉତ୍ତେଜନା ସହିତ ଦେବର ଦେହ ଉତପ୍ତ ହୋଇଗଲା। ପାହାଚ ଚଢିବା ପୂର୍ବର ଅଦୃଶ୍ୟ ଆଡେ ମୁଣ୍ଡିଆ ମାରିଲା ସେ।

କ୍ରମଶଃ…..

Leave A Reply

Your email address will not be published.