Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ :  ୨୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ଚିନ୍ତା କରିବା ମାତ୍ରେ ମନ ମଧ୍ୟରେ ଉଙ୍କି ମାରନ୍ତି ଅତିବଡ଼ି ଜଗନ୍ନାଥ ଦାସ । ଆଖି ଆଗରେ ଉଦ୍ଭାସିତ ହୁଏ “ଶ୍ରୀମଦ ଭାଗବତ “ଓ ତାର ଆମର ପଦ୍ୟାବଳୀ ”

ଏଣୁ ସୁଜନେ ବିଚାର, ଚଞ୍ଚଳ ଚିତ୍ତ ସ୍ଥିର କର ।
ସର୍ବ ଇନ୍ଦ୍ରିୟ ମନ ରୁନ୍ଧି, ନିୟତ କର୍ମେ ଦେଇ ବୁଦ୍ଧି ।
ଆତ୍ମାକୁ ଦେଖ ସର୍ବମୟେ, ବିବେକ ସୁଜ୍ଞାନ ଉଦୟେ ।
ସମାଧି ବସି ଯୋଗ ଧ୍ୟାନେ, ଆତ୍ମାକୁ ଦେଖ ଆତ୍ମାଜ୍ଞାନେ ।
ଏଣୁ ସନ୍ତୋଷ ମନେ ଥାଅ, ଖଣ୍ଡିବୁ ସକଳ ସଂଶୟ ।

ଉପରୋକ୍ତ ପଦରେ ବର୍ଣ୍ଣିତ ଯୋଗ, ଶାରୀରିକ ଯୋଗ ନୁହେଁ । ଏହା ହେଉଛି ଭଗବାନଙ୍କ ସହ ନିତ୍ୟ ସମ୍ପର୍କ ସ୍ଥାପନର ମାର୍ଗ । ଆଗରୁ ଆଲୋଚନା କରିଛେ ଯେ ସମ୍ପର୍କ ସ୍ଥାପନର ତିନୋଟି ଧାରା ଅଛି ଯଥା କର୍ମଧାରା, ଜ୍ଞାନଧାରା ଓ ସରଳ ଭକ୍ତିଧାରା । କିନ୍ତୁ ଏଠାରେ ଯେଉଁ ଯୋଗର ଧାରା କଥା କୁହାଗଲା ତାହା ଏହି ତିନି ଧାରାର ସମନ୍ୱିତ ଧାରା । ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥ, କର୍ମଧାରାର ପ୍ରତୀକ ପ୍ରଭୁ ଶ୍ରୀ ରାମ, ଜ୍ଞାନ ଧାରାର ପ୍ରତୀକ ଭଗବାନ ଶ୍ରୀକୃଷ୍ଣ, ତଥା ସ୍ୱୟଂ ଭକ୍ତି ଧାରାର ପ୍ରତୀକ ଭାବରେ ବିରାଜମାନ କରିଛନ୍ତି । ଯେହେତୁ ସେ ଯୋଗିନାମ ଧ୍ୟାନଗମ୍ୟଂ, ଅର୍ଥାତ ଯୋଗୀମାନଙ୍କ ଧ୍ୟାନରେ ପ୍ରକାଶିତ ହେଉଥିବା ସର୍ବମୟ କର୍ତ୍ତା, ତଥା ଏ ଦେହର ଦେହୀ (ଆତ୍ମା )ଭାବରେ ବିବେଚିତ ।

ସେଥିପାଇଁ ସକଳ ସଂଶୟ ତ୍ୟାଗ କରି ଶୋକ ଦୁଃଖ ରହିତ ହୋଇ ନିଜର ବୁଦ୍ଧି ଓ ବିବେକ ଜାଗ୍ରତ କରି ଆତ୍ମା ଙ୍କୁ ସର୍ବମୟ ବିବେଚନା କରିବାକୁ ପ୍ରକୃତ ପରମାତ୍ମା ଉପଲବ୍ଧି ବୋଲି ଜାଣିବାକୁ ହେବ । ସକଳ ଘଟରେ ତାଙ୍କର ଉପସ୍ଥିତି ହିଁ ଗୀତା ବର୍ଣ୍ଣିତ ସେ ବିରାଟ ପୁରୁଷ ଯାହାଙ୍କର ସକଳ ଦିଗରେ ହସ୍ତ ଓ ପାଦ ରହିଛି । ସକଳ ଦିଗକୁ ଶୀର ଓ ମୁଖ ଇତ୍ୟାଦି ରହିଛି । ଅର୍ଥାତ ସେ ସାରା ସଂସାରକୁ ବ୍ୟାପି ରହିଛନ୍ତି । “ସର୍ବତଃ ପାଣି ପାଦଂ ତତ ସର୍ବତୋ ଅଖିଶିରୋମୁଖମ, ସର୍ବତଃ ଶ୍ରୁତିମଲ୍ଲକେ ସର୍ବମାବୃତ୍ୟ ତିଷ୍ଟତି । “

ଏଥିରୁ ପ୍ରମାଣିତ ଶ୍ରୀଜଗନ୍ନାଥ ସର୍ବ କାରଣର କାରଣ ପ୍ରକୃତ ରୂପେ ଜଗତ ନାଥ ଅଟନ୍ତି । ଜୟ ଜଗନ୍ନାଥ । ଓଁ ନମୋ ଭଗବତେ ବାସୁଦେବାୟ ନମଃ ।

Leave A Reply

Your email address will not be published.