କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୯
ଶାନ୍ତ ଶିଶୁଟି ପରି ବାପା ଶୋଇଥିଲେ। ତାଙ୍କ ଦାଢ଼ରେ ବୋଉ।
ମିନତି ଭାଉଜ କହୁଥିଲେ, ଅନେକ ଦିନ ହେଲା ବୋଉ ଶାନ୍ତିରେ ଶୋଇନାହିଁ। ସାରା ରାତି ବାପା ପ୍ରଳାପ କରନ୍ତି। ଘାଇଲା ବାଘର ବଳହୀନ ହେଣ୍ଟାଳ ପରି। ସାରା ରାତି ଜଗି ବସିଥାଏ ବୋଉ।
ଆଜି କେମିତି ହଠାତ୍ ଶାନ୍ତ ହୋଇଗଲେ ବାପା। ସେ କ’ଣ ଥାକିଗଲେ! ଯାବତ୍ ଜୀବନ ନିଜେ ସୁଖରେ ରହିବାକୁ ସେ ସାମ – ଦଣ୍ଡ – ଭେଦ ପ୍ରୟୋଗ କରିଛନ୍ତି। ଗୋଟିଏ ତୁଠରେ ବାଘ – ଛେଳିକୁ ପାଣି ପିଆଇବା କଳା ତାଙ୍କୁ ଢେର୍ ଜଣା।
ହେଲେ ଆଜି। କୁଆଡେ ଗଲା ସେ ଶରୀର, କୁଆଡେ ଗଲା ସେ ପରାକ୍ରମ, କୁଆଡେ ହଜିଗଲା ବୁଦ୍ଧି – କୌଶଳ।
ରାତି ଅଧ ହେଲାଣି। ଝର୍କା ଦେଇ ଆଉ ଅଷ୍ଟମୀର ଜହ୍ନ ଦିଶୁନି। ଦେବୀକୁ ବି ନିଦ ନାହିଁ। କେଜାଣି କାହିଁକି ଅସ୍ତବ୍ୟସ୍ତ ଲାଗୁଛି ତାକୁ। ଆଗରୁ ଯେତେଥର ଗାଆଁକୁ ଆସିଛି, ଆଜିଭଳି ସେ କିଛି ଅନୁଭବ କରିନି। ତାକୁ ଲାଗୁଛି ତା ଭିତରୁ ଜଣେ ଷୋଳ ବର୍ଷର ନବଯୌବନା କିଶୋରୀ ବାହାରି ତାକୁ ପଚାରୁଛି, ତୁମେ କିଏ?
ହଁ, ଦେବୀକୁ ସେତେବେଳେ ଷୋଳ ବର୍ଷ। ଦୁନିଆକୁ ନୂଆ ଆଖିରେ ଦେଖିବାର ବୟସ। ଫୁଲ ପ୍ରଜାପତିକୁ ନେଇ ସ୍ବପ୍ନ ସଜେଇବାର ବୟସ।ଦେହ ସହିତ ଘନିଷ୍ଠ ହେବାର ବୟସ।
ପିଲାଟି ଦିନରୁ ଦେବୀ କେମିତି ଏକ ଉଦାସ ଭିତରେ ଥାଏ। କାହିଁକି କେଜାଣି ତାକୁ ଲାଗେ ଏ ପୃଥିବୀ ଭିତରେ ସବୁତକ ଦୁଃଖ କେବଳ ତା’ପାଇଁ । ତା ଭାଗର ପୃଥିବୀରେ ସିନା ହସିବା ମନା, ଫୁଟନ୍ତା ଫୁଲକୁ ପବନରେ ଦୋଳି ଖେଳିବା ମନା। ହେଲେ ସ୍ବପ୍ନ ଦେଖିବାକୁ ମନା ନାହିଁ। ସେ ଆଜିକାଲି ଆଉ ବଉଳ ସହିତ ଯାଇ କୋଳି ତୋଳି ପାରୁନି। ତାକୁ ଲାଗୁଛି ଯେମିତି ଅନ୍ଧାରର ଅଦୃଶ୍ୟ ହାତ ତାକୁ ଜାବୁଡି ଧରି ବଦ୍ଧ ଭୂମିକୁ ନେଇଯାଉଛି।
କେଜାଣି କାହିଁକି ଦେବୀ ବାହାରକୁ ଗଲା। ଶିରିଶିରି ପବନରେ ଓଠ ଥରି ଯାଉଛି।ସତେ ଯେମିତି ବରଫ ହୋଇଯିବ ସବୁକିଛି। ସୁଦୂର ପର୍ବତ ଉପରୁ ମାଡ଼ି ଆସୁଛି ତୁଷାର ଝଡ। ଆଉ ସେ ଝଡ଼ ଭାଙ୍ଗିଦେଉଛି ସ୍ୱପ୍ନର କଣ୍ଢେଇ। ଆଉ ତାର ଲୁହ ଛଳଛଳ ମୁହଁକୁ ପାପୁଲିରେ ଧରି କହୁଛି ଜଣେ କାନ୍ଦ ନା ଦେବୀ !
କ୍ରମଶଃ…..
Comments are closed.