Latest Odisha News

BREAKING NEWS

ଗଙ୍ଗା କୂଳରେ ମୂହୂର୍ତ୍ତଟିଏ

ଶ୍ୱେତପଦ୍ମା ପାଢ଼ୀଙ୍କ ସ୍ମୃତିର ଫରୁଆରୁ ……  

ଅନୁଭୂତି ଓ ସ୍ମୃତି ଭିତରେ ସର୍ବଦା ଏକ ନିଆରା ସମ୍ପର୍କ ରହି ଆସିଛି । ଏକ ସମତଳ ଭୂମିରେ ସମନ୍ଵିତ ହେଲା ପରି ଅନୁଭୂତ ହୁଅନ୍ତି ଦୁହେଁ । ଅନୁଭୂତି ବଡ଼ ବିଚିତ୍ର ଥାଏ । ଜୀବନରେ ସବୁଥାଇ ବି ଲାଗେ କିଛି ନାହିଁ ।

ବୟସ ଥିଲେ ପାଖରେ ସମୟ ନଥାଏ ; ଆଉ ସମୟ ଥିଲେ ବୟସଟା ଫିକା ପଡି ଯାଇଥାଏ । ପ୍ରେମ ଥିଲେ ପକେଟ୍ ଖାଲି ଥାଏ, କିନ୍ତୁ ପକେଟ୍ ଫୁଲ ହେଲାବେଳକୁ ପ୍ରତାରଣା ନିଜର ଛାଇ ହୋଇ ସାରିଥାଏ । ଅତୀତର ଅନୁଭୂତି ବର୍ତ୍ତମାନରେ ସ୍ମୃତି ରୂପେ ଦଣ୍ଡାୟମାନ ହେଇଯାଏ । ହସ କାନ୍ଦ ଲୁହର ସଙ୍ଗମ ବେଳାରେ ଜୀବନଟା ଠିକ୍ ପଦ୍ମ ପତ୍ରର ଢଳ ଢଳ ଜଳ ବିନ୍ଦୁ ପରି ଅନୁଭୂତ ହୁଏ । ବୟସର ଅପରାହ୍ନରେ ଜୀବନ ସମୁଦ୍ରର ଗଭୀରତାକୁ ଦୂରରୁ ଥାଇ ଦେଖିଲେ ଲାଗେ ଦୂରତା ଜମାରୁ ନାହିଁ, କିନ୍ତୁ ଗଭୀରତା ତ ମାପି ହୁଏ ନାହିଁ !

ଠିକ୍ ସେମିତି କିଛି ଅନନୁଭବ ହେଉଥିଲା ମୋତେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ । ଜୀବନଯାକ ବାପାଙ୍କ ଗୋଟିଏ ଝିଅ ବୋଲି ଗର୍ବ କରି ଆସିଥିଲି । ବାପା ସବୁବେଳେ କହୁଥିଲେ, ତୁ ଝିଅ ନୁହଁ…. ମୋ ବଡ଼ ପୁଅ ! ସେଥିପାଇଁ ମୋର ଥିଲା ଅଭିମାନ । ହେଲେ ସେଦିନ ଯେମିତି ସବୁ ଗର୍ବ ଅହଙ୍କାର ବନାରସର ରାମଦାସ ମନ୍ଦିର ସମ୍ମୁଖସ୍ଥ ଘାଟରେ ଭାସି ଭାସି ଯାଉଛି । ବନାରସ ଘାଟ ଗଙ୍ଗା ନଦୀ ଓ ଭଗବାନ ଶିବ ଉଭୟଙ୍କ ସଙ୍ଗମ ସ୍ଥଳ । ସକାଳୁ ପୂଜା ସାରି ତିଳ ତର୍ପଣ ଦେଇ ସାରି ନଦୀରେ ଅସ୍ଥି ବିସର୍ଜନ ଚାଲିଛି । ଏଠୁ ଗୟା ଆଡେ ଯିବୁ । ଭାଇ ଯେତେବେଳେ ମାଟି ହାଣ୍ଡି ସହ ଦୀପଟିଏ ଭସେଇ ଦେଲା, ମୋ ଦେହରେ ଖେଳିଗଲା ଆଶ୍ଚର୍ଯ୍ୟ ଜନକ ଶୀହରଣ । ପଛକୁ କେଇ ପାଦ ଫେରି ଚାହିଁ ରହିଲି ଗଙ୍ଗା ନଦୀକୁ । କାହିଁ କେଜାଣି ମନଟା ଶୂନ୍ୟତାରେ ଭରିଗଲା । ଶାନ୍ତ, ଧୀର, ନିଶ୍ଚଳ ଗଙ୍ଗା ନଦୀ ଆଜି ଅଧିକ ଭାବୋଦ୍ଦୀପକ ପ୍ରତୀତ ହେଉଥିଲା ।

ହଠାତ ଭିନ୍ନ ଏକ ଆଭାରେ ଆଭାନ୍ବିତ ହୋଇ ଉଠିଲା ସେ ଘାଟ । ସେ ପ୍ରଖର ଆଭାରେ ମୋ ଆଖି ଯୋଡିକ ମଧ୍ୟ ବୁଜି ହୋଇ ଆସିଲା କିଛି ସମୟ ପାଇଁ । ସେଇ ବନ୍ଦ ଆଖିରେ ଦେଖିଲି ସେଇ ସୁନ୍ଦର ଗଭୀର ଅକୁହା ଆଖି ଯୋଡିକୁ । ମୁହଁରେ ସେଇ ମନଲୋଭା ଚେନାଏ ହସ ନେଇ ମୋତେ କହୁଥାନ୍ତି, ମୋ କଥା ମନେ ଅଛି ତ !

ମନେ ପଡିଗଲା ମୋର ସେଦିନର କଥା । ବାଇକ୍ ଦୁର୍ଘଟଣାରେ ସାଂଘାତିକ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାପା । ଅତ୍ୟଧିକ ରକ୍ତଚାପ ଓ ଡାଇବେଟିସ ହେତୁ ତୁରନ୍ତ ଅସ୍ତ୍ରୋପଚାର କରି ହେଲା ନାହିଁ । ଔଷଧ ଦେଇ ସବୁ କଣ୍ଟ୍ରୋଲ କରିଲା ବେଳକୁ ଫୁସଫୁସରେ ପାଣି ଜମି ନିମୋନିଆ ହେଇ ସାରିଥିଲା । ପୁଣି ଅସ୍ତ୍ରୋପଚାର ପାଇଁ ବିଳମ୍ବ ହେଲା । ଶେଷରେ ବାପାଙ୍କୁ ଭେଣ୍ଟିଲେଟର୍ ଲାଗିଗଲା । ଦୀର୍ଘ ୧୭ ଦିନ ଜୀବନ ଯୁଦ୍ଧରେ ଲଢି ଲଢି ପରିଶେଷରେ ସେ ହାରିଗଲେ । ଆମେ ହାରିଗଲୁ ସମୟ ପାଖରେ ।

ଏବେ ବି ସେ ଭୋର ସକାଳ କଥା ଭାବିଲେ ମୋ ଲୋମ ଟାଙ୍କୁରି ଉଠେ । ଏମିତି ଲାଗିଲା ଯେମିତି, ବାପା ମୋ ପାଖରେ ବସି ମୋ ଦେହ ହାତ ଘସି ଦେଉଛନ୍ତି । ମୋତେ କହୁଥାନ୍ତି “ମୁଁ ଯାଉଛି….ଆଉ ଯନ୍ତ୍ରଣା ସହି ପାରୁନିରେ ମା’…. ଯାହା ବି ହେଇଯାଉ ଦୁର୍ବଳ ପଡ଼ିବୁ ନାହିଁ …. ତୋ ମାମି କଥା ବୁଝିବୁ !” ହଠାତ୍ ଚମକି କି ମୋ ନିଦ ଭାଙ୍ଗିଗଲା । ସମୟ ଭୋର ପାଞ୍ଚଟା ହେଇଥିଲା । ଚତୁର୍ଦ୍ଦିଗ ଘର ଭିତର ଅନ୍ଧକାରକୁ ନିସ୍ତବ୍ଧ, ନିଶଦ୍ଦ ଥିଲା । ଘଣ୍ଟା କଣ୍ଟା ଟିକ୍ ଟିକ୍ ଶୁଭୁଥିଲା । କହନ୍ତି ଭୋର ସକାଳ ସ୍ବପ୍ନ ସତ ହେଇଯାଏ । ଦେହରୁ ମୋର ଗମ୍ ଗମ୍ ଝାଳ ବୋହି ଯାଉଥିଲା । ହଠାତ୍ ଫୋନ୍ ରିଂ ରେ ମୋ ଭାବନାରୁ ବାହାରିଲି । କଲର ଆଇଡି ଆଉ ନ ଦେଖି ଫୋନ୍ ଉଠେଇ ଦେଲି । ସେପଟୁ ହସ୍ପିଟାଲରୁ କଲ୍ ଥିଲା । ମାଡାମ୍ … ମାଡାମ୍ ଆପଣ ଟିକେ ଜଲଦି ଆସିବେ କି? ମାନେ ଉଇ ଆର୍ ରିୟଲି ସରି (କ୍ଷମା କରିବେ ! ଆପଣଙ୍କ ବାପା)….

ଆଖି ଖୋଲି ଦେଖିଲା ବେଳକୁ, ବାପାଙ୍କ ଅସ୍ଥି କଳସଟି ଧରି ଢାଳୁଥିବା ମୋ ଭାଇ ଆଜି ଯେମିତି ମୋତେ ବାପାଙ୍କ ପରି ପ୍ରତୀତ ହେଉଛି । ଆଜି ଇଚ୍ଛା ହେଉଛି, ମୁଁ ସାନ ହେଇଯାଆନ୍ତି ଆଉ ସେ ମୋ ଠାରୁ ବଡ଼ ହେଇଯାଆନ୍ତା କି? ବଡ଼ ହେଇ ସବୁ ଦାୟିତ୍ଵ ସମ୍ଭାଳୁ ଥିବା ମଣିଷଟି ଭିତରେ ଥିବା ସମ୍ବେଦନଶୀଳ ହୃଦୟଟି ଦମ୍ଭ ଧରି ରହିଥାଏ ସତ, ହେଲେ ଆପଣାର ପ୍ରିୟ ମଣିଷକୁ ହରେଇଲେ ସେଇ ଶକ୍ତ ହୃଦୟଟି ଭାଙ୍ଗି ଚୂରମାର୍ ହେଇଯାଏ । ଆଉ ଏତେ ଦୁର୍ବଳ ହେଇଯାଏ ଯେ ଓଲଟା ସିଏ ଖୋଜେ ତାକୁ କିଏ କୋଳେଇ ନେଇ ସାନ୍ତ୍ଵନା ଟିକେ ଦିଅନ୍ତା କି? ଦି ପଦ କହନ୍ତା କି? ମୁଁ ଅଛି ବାପାଙ୍କ ଜାଗା ମୁଁ ପୂରଣ କରିବି !

ସତରେ କ’ଣ କିଏ କାହା ସ୍ଥାନ ନେଇ ପାରେ? ଆକାଶ ଠାରୁ ବିଶାଳ, ସମୁଦ୍ର ପରି ଶକ୍ତ, ବରଗଛ ଛାଇ ପରି ଶୀତଳ, ଗୋଲାପ ପରି ସୁନ୍ଦର ହୃଦୟବାନ୍ ପିତାର ସ୍ଥାନ କ’ଣ କିଏ ନେଇପାରେ? ହୁଏତ ଦାୟିତ୍ଵ ତୁଲାଇ ପାରେ କିନ୍ତୁ, ସେ ଶୂନ୍ୟସ୍ଥାନ ସବୁବେଳେ ଶୂନ୍ୟ ହିଁ ରହିଥାଏ । ବର୍ଷ ପରେ ବର୍ଷ, ଋତୁ ପରେ ଋତୁ ବିତିଗଲାଣି । ତଥାପି ସେ ଦିନର ସ୍ମୃତି ଅଲିଭା ହେଇ ରହିଯାଇଛି । ଏ ଅବୁଝା ମନ ବ୍ୟତିବ୍ୟସ୍ତ ହେଇଯାଏ ଯନ୍ତ୍ରଣାରେ ! ହେଲେ ଏ ବେଦନା କିଏ ବା ବୁଝିପାରେ? ଜୀବନ ରଙ୍ଗମଞ୍ଚରେ ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳି ଚଳିବାକୁ ହୁଏ । ଜୀବନରେ ଦୁଇ ପ୍ରକାର ଅନୁଭୂତି ମିଳିଥାଏ । ଭଲ ଓ ମନ୍ଦ । ଭଲ ଅନୁଭୂତି ମିଠା ମିଠା ସ୍ମୃତି ଦେଇଥାଏ ; ତ ସେଇଠି ମନ୍ଦ ଅନୁଭୂତି ଯନ୍ତ୍ରଣା ଦେଇଥାଏ । କିନ୍ତୁ ସବୁ ଅନୁଭୂତି ମନରେ ଘର କରି ଅଲିଭା ହେଇ ରହିଯାଏ ମଶାଣି ଜୁଇରେ ଜଳି ପାଉଁଶ ହେବା ଯାକେ ।

ପୁନେ, ମହାରାଷ୍ଟ୍ର

Leave A Reply

Your email address will not be published.