ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୨
ଯାହା ହେଉ ସେ ଏଯାଏ ଡିନର୍ କରିନାହିଁ । ବୈଭବ ନିହାତି ଏତେ ଶୀଘ୍ର ଖାଇକି ଆସିନଥିବେ । ଅନେକ ଦିନ ପରେ ଆଜି ମିଶିକି ଖାଇବା ହବ । ସେ ଉଠି ଗଲା ଖାଦ୍ୟ ଗରମ କରିବାକୁ । ସୁକାନ୍ତି ଡିନର୍ ରେଡି କରି, ଏଇ କିଛି ସମୟ ଆଗରୁ ଯାଇଛି । ହୁଏତ ଗରମ ଥିବା ।
ବେଡ଼ ଉପରେ ବୈଭବଙ୍କ ଛାତିରେ ମୁହଁ ଗୁଞ୍ଜି ଗେହ୍ଲେଇ ହେଇ ପ୍ରଶ୍ନ କଲା ଆରାଧ୍ୟା,
ଏମିତି କହୁଛ! ଏ କଥା ତୁମ ମୁଣ୍ଡକୁ ଆସିଲା କାହିଁକି ଯେ! ଆଗରୁ ତ କେବେ..
ଦୀର୍ଘ ନିଃଶ୍ୱାସଟେ ଛାଡ଼ି, ଏସିର ଟେମ୍ପ୍ରେଚର ଅଠର କଲେ ଓ ଟିକେ ହାଲିଆ ମାରି ଉତ୍ତର ଦେଲେ ବୈଭବ,
ଜାଣିଜାଣି କିଛି ଭାବୁନାହିଁ । ଆପେଆପେ ମନକୁ ଛୁଉଁଛି ।
ତାପରେ ଏଥିରେ କଣ ଅଛି ! ମୋ ଭାବନାରେ କିଛି ବାସ୍ତବତା ବି ଥାଇପାରେ !
ଯାହା ବି ହୋଉ, ତମର ସବୁ ପ୍ରକାର ଟେଷ୍ଟ ସରିଥିଲା । ଇଉ ଆର ପର୍ଫେକ୍ଟ । ଏବେ ମୋର ପାଳି । ମୁଁ କେବେ ଟିକେ ସମୟ ବାହାର କରି କ୍ଲିନିକ୍ ଯିବି । ନିଜର ଟେଷ୍ଟ କରେଇ ନେବି ଭାବୁଛି । ମୋ ପାଖରେ କଣ ଅଭାବ! ଖାଲି ସେଇ ଶୂନ୍ୟ ସ୍ଥାନଟିକୁ ଛାଡି ?’ ସେ ସବୁ କ’ଣ କାହା ହାତରେ ଥାଏ? ଭଗବାନ ଚାହିଁଲେ ସବୁ ହବ ।
ସେ ବେକାର କଥା କୁହନା ଜମାରୁ । ତୁମେ ଭଲରେ ଜାଣିଛ ମୁଁ ନାସ୍ତିକ । ମତେ ଯାହା ଦର୍କାର ତାକୁ ହାସଲ କରିବା ମତେ ବେଶ୍ ଜଣା ।
ମୁଁ ସେମିତି ଭାବେ ବଞ୍ଚି ବି ଆସିଛିା ତୁମମାନଙ୍କ ପରି ନୁହେଁ । ଟିକେ କିଛି ନହେଲା ମାତ୍ରେ ଆଉ ଆଗକୁ ଚେଷ୍ଟା ନ କରି,
ଉପରକୁ ହାତଟେକି, ଠାକୁରଙ୍କୁ ଅନେଇ ରହିବା “ଦିଅ ପ୍ରଭୁ , ତୁମେ କିଛି କର ପ୍ରଭୁ ।” ଏ ସବୁ କଥା ମୋର ଆଦୌ ପସନ୍ଦ ନୁହେଁ, ଆଇ ନିଡ ଏ ବେବି ।
ଦେଖ ଅରୁ, ମାନୁଛି, ଯେତେବେଳେ ତୁମେ ଚାହୁଁ ଥିଲ, ମୁଁ ରାଜି ନଥିଲି, ସେ ସିଚୁଏସନ୍ ଅଲଗା ଥିଲା । ଏବେ ମୁଁ ଚାହୁଁଛି,
ହୋଉ ।’
ଟିକେ ବିରକ୍ତି ମିଶା କଣ୍ଠରେ ଏକାଥରକେ କହିଗଲେ । ଏବେଏବେ ଟିକେଟିକେ କଥାରେ ଚିଡି ଉଠନ୍ତି । ବୋଧହୁଏ ହେଭି
ୱାର୍କଲୋଡ । ତାଙ୍କୁ କଥାଟେ କହିବା ଆଗରୁୁ ପାଞ୍ଚ ଥର ଭାବିବାକୁ ପଡେ । ସେ ବି ଚାହେଁନା ଛୋଟ ଛୋଟ କଥାରେ ବିଭୁ ବିରକ୍ତ ହୁଅନ୍ତୁ । ହେଲେ ବି ଏମିତି ଏକ ଅନ୍ତରଙ୍ଗ ମୂହୁର୍ତ୍ତରେ ତାର ସାହସ ଓ ଅଧିକାର ବଢ଼ି ଯାଏ ଯେମିତି । ସେ ବେଶୀ କିଛି ନ ଭାବି କିଛି ବି କହିପକାଏ ।
ସେ ଶାନ୍ତ ସ୍ୱରରେ ପୁଣି କହିଲା, କେମିତି ହବ କୁହତ? ଖାଲି ଦୁନିଆ ଟେଷ୍ଟ କରି ଟେନସନ୍ ବଢେଇବା ଛଡ଼ା ଆଉ କ’ଣ ! ମତେ ବୁଝିବାକୁ ଚେଷ୍ଟା କର । ସବୁ ହବ । ସମୟ ସହ ସବୁ ହବ । ଦେଖ ତୁମ ପାଖରେ ତ’ ବେଳ ନାହିଁ । ତୁମେ ଆଗ
ଟିକେ ସ୍ଥିର ହୁଅ । ଘରେ ଟିକେ ଟାଇମ୍ ଦିଅ । ଦେଲି ତ ଆଜି । ଜଲ୍ଦି ଆସିଛି କି ନା?
ହଁ ଦେଲ,ଅନେକ ଦିନ ପରେ ଆଜି ସମୟ ପାଇଲ । ମାନୁଛି, କିନ୍ତୁ ଏମିତି ନୁହେଁ !
ଆଉ କେମିତି?
ଏକୁଟିଆ ବସିବସି ମୁଁ ବୋର୍ ହେଉଛି । ଚାଲୁନ ଟିକେ କୁଆଡେ ବାହାରକୁ ଯିବା । ଦେଖନା ଫାର୍ଷ୍ଟ ହନିମୁନ୍ ପରେ ତ’ ଆଉ
କୁଆଡେ ଆମେ ଯାଇନାହାନ୍ତି । କିଛି ନ ହେଲେ, ତୁମେ ଟୁର୍ରେ ଗଲା ବେଳେ ମତେ କେବେ କେମିତି ସାଙ୍ଗରେ ନେଲେ ହୁଅନ୍ତାନି ?
ବୁଲିବାକୁ ବୁଲିବା ଆଉ ତୁମ କାମ ବି ଦିଟା ଯାକ ଏକ ସାଙ୍ଗରେ ।
ସତ କହୁଛି ମୁଁ ତୁମକୁ ଜମାରୁ ବ୍ୟସ୍ତ କରିବିନି । ହୋଟେଲ୍ରେ ବସିଥିବି । ତୁମେ ଫ୍ରି ହେଲେ ପରସ୍ପର ସମୟ କାଟିବା ।
ଉଁ..କ’ଣ କହୁଛ?
ଯିବା ଏଥର?’
ନୁହଁ ଆଉ କ’ଣ !
ମୁଁ ତ ମୌଜ କରିବାକୁ ଯାଉଛି, ତମକୁ ନେବି! ସଃ ମଣିଷର କେତେ ଚିନ୍ତା..ସେଠି ତୁମକୁ ଧ୍ୟାନ ଦେବିନା, କାମ
କରିବି ? ତମର କ’ଣ ଅଛି ? ତୁମରି ସୁଖ ପାଇଁ ତ, ଏତେ ସବୁ ।
ଦେଖ ତୁମ ପାଖରେ ଆଜି କ’ଣ ନାହିଁ? ତୁମର କେତେ ଜଣ ସାଙ୍ଗସାଥି ଏମିତି ଐସ୍ ଆରାମରେ ଥିବେ? ତାହେଲେ? ଛାଡ଼
ବୁଝିପାରିବନି ତମେ ।
ଓକେ.. ତୁମକୁ ଯଦି ବୋର ଲାଗୁଛି, ଯାଉନ କୁଆଡେ ହେଲେ ବୁଲି ଆସୁଥିବ । ଗାଡ଼ି, ଡ଼୍ରାଇଭର, ସମୟ ସବୁ ତ’ ପାଖରେ ।
ଆଉ କ’ଣ ଅସୁବିଧା ?
Comments are closed.