Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଭାଗ ୪୦ 

ଆରାଧ୍ୟାକୁ କ’ଣ ମାଲୁମ୍ ତା’ ପାଖରେ କିଏ? ଯାହାକୁ ଖୋଜୁଛି, ଯାହା ସାନିଧ୍ୟ ପାଇଁ ବିକଳ ହେଉଛି, ସେ ବୈଭବ ନୁହେଁ, କୁମାର । ସେ କ’ଣ କରିବ? ଯନ୍ତ୍ରଣାରେ ଝାଉଁଳି ପଡୁଥିବା ତରୁଣୀଟିକୁ ଦୁଇ ବାହୁରେ ତୋଳିଧରିବ? ନିଦ୍ୱର୍ନ୍ଦରେ ପୋଛି ଦେଇ ପାରିବ ଦୁଇ ଆଖିରୁ ଦୁଇ ଧାର ଲୁହ? ଲାଘବ କରିପାରିବ ତା’ କଷ୍ଟ! ସଜାଡି ଦେଇ ପାରିବ ତା’ଶାଢ଼ୀ । ଏତେ ସବୁ କରିବା ପାଇଁ ତା’କୁ କିଏ ଭିତରୁ ବାଧା ଦେଉଛି! ସଂକୋଚତାରେ ବୁଡ଼ି ଯାଉଛି ସେ । ନା..ଅଜାଣତରେ ତା’ ହୃଦୟର ନିଭୃତ କୋଣରେ ସଂଚରି ଉଠିଥିବା ଇଛାଟିକୁ ନିଜ ଇଛା ବିରୁଦ୍ଧରେ ପରାସ୍ତ କରିନେବାଟା ହିଁ ଠିକ୍ । ଧିକ୍ ତା’ ପୁରୁଷପଣିଆକୁ । ଆରାଧ୍ୟାଠାରୁ ବି ଅଧିକ ଅସହାୟ ଆଜି ସେ ନିଜେ ।

ସେ ମଧ୍ୟ ରଘୁବୀର ଓ ସୁକାନ୍ତି ପରି ଜଣେ ସାଧାରଣ ବେତନଭୋଗୀ କର୍ମଚାରୀ । ତା ‘ର ଗୋଟେ ଲିମିଟ୍ ଅଛି । ଲିମିଟ୍ !

କେଉଁ ଲିମିଟ୍‌? ଦୁନିଆରେ ସମସ୍ତେ କ’ଣ ସେ ପରିଧି ଭିତରେ ସବୁବେଳେ ନିଜକୁ ବାନ୍ଧି ରଖିପାରନ୍ତି । ଏବେ ସେ ପ୍ରାୟ ଅର୍ଦ୍ଧ ଚେତନାରେ ଅଛନ୍ତି । କାଲି ଯେତେବେଳେ ସମ୍ପୂର୍ଣ୍ଣ ସଚେତନ ହେବେ , ଜାଣିବେ ସମସ୍ତଙ୍କ ଅନୁପସ୍ଥିତିରେ ସେ ତାଙ୍କୁ ଦୁଇ ବାହୁରେ ଉଠେଇ ବସେଇଛି । ନିଜ ହାତରେ ସୁପ୍ ପିଆଇଛି । କପାଳ ଆଉଁଶି ଦେଇଛି । କଥାଟିକୁ କେଉଁ ଭାବରେ ଗ୍ରହଣ କରିବେ? ଅନୁଚିତ୍ କିଛି ହେଉନିତ?

କାହିଁକି? କାହାକୁ ତା’ ଅସମୟରେ ଟିକେ ସାହାରା ଦେବା କ’ଣ ଭୂଲ୍‌? ଅନୁଚିତ୍ ? ତା’ ଜାଗାରେ ଆରାଧ୍ୟା ହେଇଥିଲେ କ’ଣ ତା’ ପାଇଁ ସେୟା କାରିନଥାନ୍ତା? ଗୁଡେଇ ତୁଡେଇ ହେଇ ମେଞ୍ଚେ ଅଡ଼ୁଆ ପ୍ରଶ୍ନ । ନିଜ ପ୍ରଶ୍ନର ଉତ୍ତର ଦେଇ ଦେଇ ଥକି ପଡିଲା ସେ ।

 

Leave A Reply

Your email address will not be published.