ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୮
ବିଛଣାରେ ଗଡି ପଡି ଶୋଇବାକୁ ଚେଷ୍ଟା କଲା । ନାଁ ହବନି । ମନେ ପଡିଲେ ଛାତି ଭିତରେ କିଛି ଘଟୁଛି ଯେମିତି । ଯେମିତି
ଘୂର୍ଣ୍ଣିଝଡଟେ ବାରବାର ମୁଣ୍ଡ ଟେକୁଛି । ଭାରି ଉଛନ୍ନ ବାହାରିଯିବ ପଦାକୁ । ଏଇଥି ପାଇଁ ସେ ତାଙ୍କ ବିଜିନେସ୍ ପାର୍ଟିକୁ
ଯିବାକୁ ଅନିଚ୍ଛା ପ୍ରକାଶ କରେ । ସେ ମାହୋଲ୍ରେ ଆଜିଯାଏ ନିଜକୁ ଆଡ୍ଜଷ୍ଟ କରି ପାରିଲା ନାହିଁ । ବୈଭବ ଠିକ୍ କୁହନ୍ତି ।
ତାକୁ ଟିକେ ମର୍ଡନ ହେବାକୁ ହେବ । ସେ କଥାକଥାରେ ଭାବପ୍ରବଣ ହେଇପଡେ ।
ଡ଼୍ୟାନ୍ସ କଲେ ତ, କଣ ହେଲା? ସମସ୍ତେ କରୁଛନ୍ତି । ଭଲ ତ! ତା’କୁ ଆସେନା, ସେ କରି ପାରେନା, ତା’ ବୋଲି କ’ଣ ଆଉ କିଏ କରିବେନି?
ଆଲିଆ କେତେ ସ୍ମାର୍ଟ, ଖୁବ୍ ସୁନ୍ଦର । ବିଜନେସ୍ ମ୍ୟାନେଜମେଣ୍ଟ ସାଙ୍ଗକୁ ଆଉଟ୍ ନଲେଜ ପ୍ରଖର । ସେ ହ୍ୟାଣ୍ଡଲ୍
କରିପାରୁଛି, ତା ପ୍ରଫେସନାଲ୍ ଓ ପର୍ସନାଲ୍ ଲାଇଫ୍କୁ । କମ୍ପାନୀ ପାଇଁ ଏକଦମ୍ ଫିଟ୍ ।
କିନ୍ତୁ ତା’ ଛାତି କାହିଁକି ଉଠପଡ଼ ହୋଉଛି? ଇର୍ଷା! ଧୁତ୍
.. ଇର୍ଷା ପୁଣି କାହା ପାଇଁ! ସେ ତ’ ମାଲିକାଣୀ ।
ହେ ପ୍ରଭୁ! ଏ ଭାବନା ତା’ ଆଖିରେ ଦେଖିଲେ, ବୈଭବ ଆଉ ରଖିବେନି । ପଦେ ହେଲେ କଥା ହେବେନି ମାସମାସ ଧରି ।
ତାକୁ ଅସମ୍ଭବ ଭାବେ ବ୍ୟସ୍ତ ଲାଗୁଛି । କିଏ ତା’କୁ ଭିତରୁ ଏତେ ଅସ୍ଥିର କରୁଛି? ବ୍ୟତିବ୍ୟସ୍ତ କରୁଛି । କ୍ଲାନ୍ତ ଶରୀରକୁ ବିଛଣା ଉପରୁ ଉଠେଇ ନେଇ ଚାଲିଗଲା ୱାସ୍ରୁମ୍ । ସାୱାର ଖୋଲି ଛିଡା ହେଲା । ଭିଜିଲା । ଆଖି ବନ୍ଦ କରି ଭିଜିଲା । ଝରଝର ହେଇ ମୁଣ୍ଡ ଉପରୁ ପାଣି ବୋହିଯାଉଛି ଆଖିର ଲୁହକୁ ଧୋଇନେଇ ପାଦ ଯାଏ । ସମ୍ପୂର୍ଣ୍ଣ ଶରୀରରେ ହାତ ବୁଲେଇ ନିଜକୁ ନିଜେ ଅନୁଭବ କଲା ।
ନୂଆନୂଆ ମ୍ୟାରେଜ୍, ସାତ ଆଠ ଦିନ ହେଇଥିବ । ଗାର୍ଡେନ୍ରେ ପାଣି ଦୋଉଦୋଉ ଗମାତ କରି ବୈଭବଙ୍କ ଉପରକୁ
ପାଇପ୍ଟା ବୁଲେଇ ଦେଇଥିଲା । ସେ ସାମାନ୍ୟ ଓଦା ହେଇଥିବେ କି ନାହିଁ, ଏପଟ ସେପଟ ହେଖିଲେ, କିଏ କୁଆଡେ ନାହାଁନ୍ତି । ପାଇପ୍ଟା ତା ହାତରୁ ଛଡେଇ ନେଇ ଦୂରକୁ ଫିଙ୍ଗି ଦେଲେ । ସିଧା ତାକୁ ଶୂନ୍ୟେଶୂନ୍ୟେ ଟେକି ଆଣିଲେ ରୁମକୁ ।
‘ରୁହ ନା କିଏ ଦେଖିବ ଯଦି,’ ତାର ମିଠା ପ୍ରତିବାଦକୁ ତାଙ୍କର ଖାତିର ନଥିଲା ।
ବାଥ୍ରୁମର ସାୱାର ଖୋଲିଦେଲେ , ଭିଡ଼ି ଧରି ପୁରା ତିନ୍ତେଇଦେଲେ । ଆଖିରେ ତାଙ୍କର ଆଖିଏ ଦୁଷ୍ଟାମୀ , ସ୍ମିତ ହସ । ଛାତି
ପାଖକୁ ଟାଣି ନେଇ କାନ ପାଖେ ଫିସଫିସ ହେଇ କହିଲେ, ‘ଦେଖ ଓଦା କେମିତି କରାନ୍ତି । ବୋକି ଠିକରେ ତିନ୍ତେଇ ବି ଜାଣିନ! ସବୁ ଗୁଡା କ’ଣ ମୁଁ ଶିଖେଇବି?’
‘ହେଇ..ଓଦାତହେଲେଣି , ପିଠିକି ତ ହାତ ପାଉନଥିବ! ଖୋଲ ମୁଁ ସାବୁନ ଘଷି ଦିଏ । ତା ନରମ ପାପୁଲିର କୃତ୍ରିମ ମିଠା ଆଘାତକୁ ଛାତିରେ ସହିଲେ ସେ ଦିନ ବାଥ୍ଟବରେ ଘଣ୍ଟାଏ କାଳ କଟିଥିଲା ଦିହିଁଙ୍କର ।
Comments are closed.