Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୯

ବନ୍ଦ ଆଖିରେ ଅନୁଭବ କରୁଛି ବୈଭବଙ୍କ ସ୍ପର୍ଶ, ଆଲିଙ୍ଗନ, ତାଙ୍କ ଭଲପାଇବା । ସେଇ ନିସ୍ତବ୍ଧ ପ୍ରହରରେ ସେ ତା’ ସ୍ୱାମୀର ବାହୁ ବନ୍ଧନରେ ଆବିଷ୍ଟ । ସଂସାରର ସବୁ ସୁଖ ତା’ ପାଖରେ । ସେ ବନ୍ଦ ଆଖିରେ ଦେଖିପାରୁଛି, ଡ଼୍ୟାନ୍ସ ଫ୍ଲୋରରେ ଆଲିଆ ଯାଗାରେ ସେ ନିଜେ ।

ତା’ କଟିରେ ବାହୁ ଛନ୍ଦି ସଙ୍ଗୀତର ତାଳେତାଳେ, ପାଣିର ପ୍ରତିଟି ବୁନ୍ଦା ସ୍ୱରରେ ସ୍ୱର ମିଶାଇ, ତାଳରେ ତାଳ ମିଶାଇ, ନାଚି ଚାଲିଛନ୍ତି ବୈଭବ । ଡିମ୍ ଲାଇଟ୍ ଧପ୍‌ଧପ୍ ହେଉଛି । କେତେବେଳେ ନୀଳ ନାଲି, ରଙ୍ଗୀନ । କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ଧାର । ଅନ୍ଧାର ଓ ଆଲୁଅର ଖେଳ । ଓଦା ଲୁଗାରେ ହିଁ କେତେବେଳେ ଆସି ବିଛଣା ଉପରେ ଅଜାଡି ଦେଇଛି ତା’ ଅବଶ ଶରୀର । ତା’ର ଚେତା ନାହିଁ ।

‘ପନ୍ଦର ଥର ଖଣ୍ଡେ ଫୋନ୍ କଲିଣି, ଏବେ ରିସିଭ୍ କରୁଛ? ଦେଖ କେତେ ବେଳ ହେଲାଣି?’

ଆଖି ମଳିମଳିଦେଖିଲା ଆରାଧ୍ୟା , ଦିନ ଦଶଟା ପଚିଶ । ରାତିର ନୀରବତା ନାହିଁ । କାଚ ଝର୍କାର ମଖମଲ୍ ପରଦା ଭେଦ କରି କିଶୋର ସୂର୍ଯ୍ୟର ଦୁଷ୍ଟ କିରଣ ତା’ ବିଛଣା ଉପରେ ଲୋଟି ପଡିଛି ।

ମାଇଁ ଗଡ଼ ! ଏତେ ଡେରିଯାଏ ସେ କେବେବି ଶୁଏନ।।

ସରି ଶୋଇଯାଇ ଥିଲି । ତମେ କେତେବେଳେ ଫେରିବ? ଫେରିବିନି । ମତେ ଯିବାକୁ ହବ ।

କୁଆଡେ?

ସିଙ୍ଗାପୁର । କାଲିର କ୍ଲାଏଣ୍ଟ ତାଙ୍କ ଫ୍ଲାଇଟ୍ କ୍ୟାନସଲ୍ କରି ଅପେକ୍ଷା କଲେ । ଅବଶ୍ୟ ଆଜି ନୁହଁ, କାଲି ବାହାରିବୁ । ଆଜି ଓ
କାଲି ସୁଧା ସବୁ ଆରେଞ୍ଜ କରିବାର ଅଛିା । ମୁଁ ଆଉ ଘରକୁ ଯାଇପାରୁନାହିଁ । ଯିବା ଆଗରୁ ଏଠି କମ୍ପାନୀର କିଛି ଗୁରୁତ୍ୱପୂର୍ଣ୍ଣ କାମ ଏମାନଙ୍କୁ ବୁଝେଇ ଦେଇ ଯିବାକୁ ହବ । ଆଉ କିଛି ବ୍ୟାଙ୍କ କାମ ବି । ମୋ ପାଖରେ ଆଉ ବିଲ୍‌କୁଲ ଟାଇମ ନାହିଁ ।

ମୁଁ ଫେରିଆସିବି ଶୀଘ୍ର ।’

‘କେବେ?’

କହି ପାରୁନି । ଜଲ୍‌ଦି ଆସିବାକୁ ଚେଷ୍ଟା କରିବି । ଏଥର ଫେରିଲେ, କିଛିଦିନ ଯାଏ ଆଉ କୁଆଡେ ଯିବିନି ଭାବୁଛି । ତମକୁ ସମୟ ଦେବି । ହେଲା?

ଶୁଣ, କୁମାର ଡାଇରେକ୍ଟ ଅଫିସରୁ ସେଠିକି ଯିବ । ହୁଏତ ପହଞ୍ଚୁଥିବ, ତା’ହାତରେ ମୋ ଟ୍ରାଭେଲ୍ ବ୍ୟାଗ୍‌, ସେଥିରେ ସବୁ ଭିସା ପାସପୋର୍ଟ । ଗଲା ଥର ଠାରୁ ଆଉ ବାହାର କରିନି । ରେଡି ହେଇକିି ଅଛି । ସେଇଟା.. ଆଉ କିଛି ଫାଇଲ୍‌, ଦେଖ ସେ ସେଲ୍ଫ ଭିତରେ…ପାଇବ?

ଛାଡ଼ ତମେ ତାକୁ ଦେଖେଇ ଦବ, ସେ ଜାଣିଛି କେଉଁ କେଉଁ ଫାଇଲ୍ ..ବାସ୍ ସେତିକି ଫଠେଇ ଦିଅ । କିଛି ଦର୍କାର ହେଲେ କୁମାର ଅଛି । ତାକୁ ଡ଼କେଇବ । ବାଏ..ଟେକ୍ କ୍ୟାୟର ।’

କ୍ରମଶଃ….

 

Comments are closed.