ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୦
ଆରାଧ୍ୟା କ’ଣ କାନ୍ଦି ପକେଇବା ଉଚିତ! ନା କାନ୍ଦିବ କାହିଁକି? ତା’ ସ୍ୱାମୀ ସାଧାରଣ ଲୋକ ନୁହେଁ ଯେ, ଏନି ଟାଇମ୍ ସ୍ତ୍ରୀ ପାଖରେ ନଙ୍ଗର ପଙ୍ଗର ହୋଉଥିବେ? ସେ ଜଣେ ସକ୍ସସେସ୍ଫୁଲ୍ ବିଜିନେସମ୍ୟାନ୍ । ତାଙ୍କ ଅଣ୍ଡରରେ କେତେ ଲୋକ କାମ କରୁଛନ୍ତି । ଆହୁରି ଆଗକୁ ବି ଏ ଯାତ୍ରା ଜାରି ରହିବ । ଯିବାକୁ ତ’ ପଡିବ ବାହାରକୁ । ନ’ହେଲେ କେମିତି ହବ!
ମାସ ମାସ ଧରି ତାଙ୍କୁ ସମୟ ହୁଏନା । କେତେ ଖଟୁଛନ୍ତି କାହା ପାଇଁ? ଖଟୁଛନ୍ତି ବୋଲି ତ’ ଅଳ୍ପ ଦିନ ଭିତରେ କେଉଁଠୁ ଯାଇ
କେଉଁଠି ପହଞ୍ଚିଲେଣି ।
ମିରରରେ କ’ଣ ଲାଗିଛି! ହାତ ମାରି ପୋଛିଲା । ହେଲେବି ତା ଚେହେରା ଅସ୍ପଷ୍ଟ ଦିଶୁଛି । ଆଖିକୁ ପୋଛି ଦେଲାରୁ ସ୍ପଷ୍ଟ
ଦିଶିଲା ।
ଛିଃ ଇଏ କି ବେଶ! ଓଦା ବାଳ ତା’ ମନକୁ ଶୁଖିଯାଇ ଅଲୁରୁ ବାଲୁରୁ ହେଇ ମୁହଁରେ ପଡ଼ିଛି । ଆଖି ଫୁଲିକି ଡିମାଡିମା ।
ଏମିତି କାନ୍ଦୁରା ଶୁଖିଲା ମୁହଁ! କୁମାର ଆସିବେ । କ’ଣ ଭାବିବେ? ଯା’ ହେଲେ ବି ସେ କମ୍ପାନୀର ଜଣେ କର୍ମଚାରୀ । ଅନ୍ୟ ଆଗରେ ନିଜ ଷ୍ଟାଟସ୍କୁ ଜଗି ବାକୁ ହବ । ମେଣ୍ଟନ୍ ହେଇ ରହିଲେ ତା’ ସମ୍ମାନ ରହିବ? ସେସବୁ କଥା ଜଣେଇବା କି ଦର୍କାର? ତାଙ୍କୁ କ’ଣ କାହାକୁ ବି ଜଣେଇବାର ଆବଶ୍ୟକତା ନାହିଁ ।
ସେ ଚଟାପଟ୍ ୱାସ୍ରୁମ୍ ଭିତରକୁ ପଶିଗଲା । ମୁହଁ ଧୋଇଲା ।
କୁମାରର ଗାଡ଼ି ଲୁଇସ୍ ଭିଲ୍ଲା ଭିତରକୁ ପ୍ରବେଶ କରୁକରୁ ଧାଇଁ ଯାଇ ବାଲକୋଲୀରୁ ଅନେଇଲା । କୁମାରକୁ ସାମ୍ନା କରିବାକୁ
ତା’ର ଇଛା ହୋଉନି ଆଜି ।
ଗୋଟିଏ ଡାକରେ ରଘୁବିର୍ ର ସ୍ତ୍ରୀ ସୁକାନ୍ତି ବ୍ରେକଫାଷ୍ଟ ବନେଇବା ଅଧାରୁ ଛାଡ଼ି ଆସି ହାଜର ।
ମା’! ଡାକିଲେ?
ତୁ ଯା, ତ’ ଉପର ଘରକୁ, ସାର୍ଙ୍କ ଷ୍ଟଡି ରୁମ ଖୋଲି ଦବୁ, କୁମାର ସାର୍ କିଛି ଫାଇଲ୍ ନେବାକୁ ଉପରକୁ ଆସୁଛନ୍ତି ।
ତୋ’ର କିଛି କରିବାର ନାହିଁ, ସେ ତାଙ୍କର ବାଛିକି ନେବେ । ଆଉ ଏ ଲଗେଜ୍ ବ୍ୟାଗ୍ଟା ନେଇକି ଗାଡ଼ିରେ… ତୁ ଉଠାନା ବହୁତ ଭାରି । ସୁରକୁ ଡାକିଦେ । ସେ ନେଇଯାଉ । ସେ ଟେବୁଲ୍ ଉପରୁ ବାମଟା
ଦେଇକି ଯାତ । ମୁଣ୍ଡଟା ଟାଇଁଟାଇଁ ବିନ୍ଧୁଛି । ଗଲେ ସେ? ଦେଲୁ?
ହଁ ..ମା..
କିଛି କହୁଥିଲେ?
କ୍ରମଶଃ……
Comments are closed.