ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୭
ଆପଣ ଗୋଟିଏ କାମ କରନ୍ତୁ, ମୁଁ ରେଫର କରିଦୋଉଛି, ମୋର ଜଣେ ସିନିୟର । ପ୍ରଫେସର କର । ସାଇକ୍ଆଟ୍ରିଷ୍ଟ । ତାଙ୍କ ପାଖକୁ ନେଇଯିବେ । ଏବେ ନୁହେଁ, ଚାରିପାଞ୍ଚ ଦିନ ମେଡ଼ିସିନ ଖାଇ ଜର ଭଲ ହେବାପରେ ।
ଆପଣ କରସାର୍ ଙ୍କୁ ଦେଖେଇଦେବେ । ସେ ତାଙ୍କ ସହ କାଉସିଲିଂ କରି ଡିଟେଲ୍ କହିଦେବେ ।
ଆରାଧ୍ୟା ଟେଷ୍ଟ ପାଇଁ ବ୍ଲଡ଼ ଦେଇ ଫେରି ଆସିବା ବେଳକୁ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ସରିଯାଇଥିଲା ।
ପଛ ସିଟ୍ରେ ନିଜର ଦୁର୍ବଳ ଶରୀରକୁ ଅଜାଡି ଦେଇ ଶୋଇ ଯାଇଥାଏ ଆରାଧ୍ୟା । ଡ୍ରାଇଭିଙ୍ଗ୍ କଲାବେଳା ଫ୍ରଣ୍ଟ ମିରରରେ ତାକୁ ଦେଖି ବାରମ୍ବାର ଅନ୍ୟମନସ୍କ ହେଇ ପଡୁଥାଏ କୁମାର । ବୁଢ଼ୀଆଣୀ ଜାଲ ପରି ଛନ୍ଦି ହେଇ ପଡୁଥାଏ ଅସଂଖ୍ୟ ଭାବନା । ୟାଙ୍କର ଏ କି ଅବସ୍ଥା? ଏଇ ପନ୍ଦର ଦିନ ଭିତରେ କେତେ ଝଡି ଯାଇଛନ୍ତି । କି’ ଅବସାଦ ଘାରିଥିଲା!
ହ୍ୟାଲୋ କୁମାର ସାର୍ । ଗୁଡ଼ଇଭିନିଂ । ଗୁଡ଼ ଇଭିନିଂ ବିନୋଦ, କୁହ । ଆପଣ କେବେ ଏଠାକୁ ଆସିବେ?
ଏଥର ଟିକେ ଲେଟ୍ ହେଇପାରେ । କ’ଣ ହେଇଛି କୁହ ।
ସାର୍, ଜାଣିଛନ୍ତି ତ’ ଅଫିସର ହାଲତ । ସେ ଇନ୍ଭେଷ୍ଟର ରୋହିତ ଶର୍ମାର ଲୋକ ଆସିକି ଡେଲି ଝମେଲା କରୁଛି । ବୈଭବ ସାର୍ କି ଆପଣ ଥିଲେ ତାଙ୍କୁ ହ୍ୟାଣ୍ଡଲ୍ କରିଦିଅନ୍ତି । ଆମେ ପାରିବୁନି । ସେଇ ଯୋଗୁ ଫୋନ୍ କଲି । ସମ୍ଭାଳି ଥାଅ । ମୁଁ ଏ ଭିତରେ କୋଉ ଦିନଗୋଟେ ଦେଖିକି ଯାଉଛି ।
କୁମାର ମୁଣ୍ଡରେ ହଜାରେ ଟେନସନ୍ । କେତେ ମାସ ହେବ ବିଜିପୁର ବ୍ରାଞ୍ଚର ଟାର୍ଗେଟ୍ ପୁରଣ ହେଇ ପାରୁନି । ଲସ୍ରେ
ଚାଲିଛି । ସେପଟକୁ ସବୁବେଳେ ଯାଇ ତଦାରଖ କରିବାଟା ବି ସମ୍ଭବ ହେଉନି । ସାର୍ଙ୍କୁ ଅନେକ ଥର କହିସାରିବା ମଧ୍ୟ, ମନ ଦେଉ ନାହାଁନ୍ତି । କ’ଣ କରିବ ? ଏପଟେ ସାରଙ୍କର ଫେରିବାଟା ବି ଠିକରେ ଜାଣାନାହିଁ ।
ଆଜ୍ଞା ଆସିଗଲେ । ଦୂରରୁ ଗାଡ଼ି ଆସିବାର ଦେଖି ସୁର ଆଗତୁରା ଲୁହାର ବିଶାଳ ଗେଟ୍କୁ ଠିଆମେଲା କରି ସାଇଡ଼ରେ
ଛିଡ଼ା ହେଇଛି । ଗାଡ଼ିର ହର୍ଣ୍ଣ ଶୁଣି ଧାଇଁ ଆସିଲା ସୁକାନ୍ତି ।
ମ୍ୟାଡ଼ମ୍ ଙ୍କୁ ଉପରକୁ ନିଆହେବ । ପଛ ଡୋର୍ ଖୋଲି ସୁକାନ୍ତି ଉଦ୍ଦେଶ୍ୟରେ କହିଲା କୁମାର ।
ସାର୍ ମା’ ଠିକ୍ ଅଛନ୍ତି ତ?
ହୁଁ.. ଦୁର୍ବଳ ଆଉ ଇଞ୍ଜେକ୍ସନ ପ୍ରଭାବରୁ ଏମିତି ।
ଆଗ ପଛ କିଛି ନ’ ଭାବି ନଇଁ ପଡ଼ିଲା ସୁକାନ୍ତି । ମା’ଙ୍କ ବାହୁକୁ ନିଜ କାନ୍ଧରେ ଭାର ଦୋଉଦେଉ ତା’ ପାଟିରୁ ଯନ୍ତ୍ରଣାର ସ୍ୱରଟେ ବାହାରି ଆସିଲା । ଆଃ … ଅଣ୍ଟା ଓ ତଳି ପେଟରେ ହାତ ଦେଇ ତଳେ ପଡ଼ି ଯାଉଯାଉ ନିଜକୁ ସମ୍ଭାଳି ନେଲା ।
କ୍ରମଶଃ
Comments are closed.