ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୯
କିଛି କହିବାର ଥିଲା? ସୁକାନ୍ତିର ଅନ୍ୟମନସ୍କତା ଓ ଅସ୍ଥିର ଭାବକୁ ଲକ୍ଷ କରି ପ୍ରଶ୍ନ କଲା କୁମାର ।
ଆଜ୍ଞା । ମୁଁ ଟିକେ ଯାଇଥାଆନ୍ତି । ମାଆ ତ ଶୋଇଛନ୍ତି,
ଅତି ବିନମ୍ର ଭାବରେ ତଳକୁ ମୁହଁ ପୋତି କଥା ପଦିକ କହିଲା ।
ହେଉ ଯାଅ, ରେଷ୍ଟ ନିଅ, ମୁଁ ଦେଖୁଛି ।
ନାଇଁ ଆଜ୍ଞା ବିଶ୍ରାମ କରିବାର ଥିଲେ ମା’ଙ୍କୁ ଏ ଅବସ୍ଥାରେ ଛାଡ଼ି କେବେ ହେଲେ ଯାଇନଥାନ୍ତି । ମେଡ଼ିକାଲ ଯିବାର ଥିଲା ।
ଏମିତି ବି ସନ୍ଧ୍ୟା ହେଇଗଲାଣି । ଦିଦି କହିଥିଲେ ପନ୍ଦର ଦିନ ପରେ ଯାଇ ଦେଖା କରିବାକୁ । ପନ୍ଦର ଦିନରୁ ଅଧିକ ହେଲାଣି । ମା’ ଙ୍କୁ ଛାଡି ଯାଇପାରୁନି । ଆଜି ଆପଣ ଅଛନ୍ତି । ଯିବି?
ଦୂଆର ପଛପଟେ ରଘୁବୀର ଦୁଇହାତ ପାପୁଲିକୁ ମଳୁଛି । ମଝିରେ ମଝିରେ ନଖ କାମୁଡୁଛି । ମୁଣ୍ଡ କୁଣ୍ଡେଇ ରାମ୍ପିହୋଉଛି । ଚଙ୍ଗଚଙ୍ଗ ହୋଉଛି । କୁମାର ସାର୍ଙ୍କ ଅନୁମତିକୁ କାନପାରିଛି । ପର୍ଦ୍ଦା ଭେଦ କରି ଝାପ୍ସା ଛାଇଟି ଲମ୍ବି ଆସିଛି ଭିତର
ଯାଏ । ତା’ ହାବଭାବ ସ୍ପଷ୍ଟ ଭାସି ଆସୁଛି ଏପାଖକୁ ।
ଆଜ୍ଞା ମୁଁ ଜାଣେ, ଆଖି ଖୋଲୁ ଖୋଲୁ ମା’ ମତେ ଖୋଜିବେ । ଆମେ ଶିଘ୍ର ଫେରି ଆସିବୁ । ଆପଣ ଯଦି ଟିକେ ଅଟକି ଯିବେ..ତ ମୁଁ ନିଶ୍ଚିତରେ ଯାଇପାରିବି । ଯିବି? ପୁଣି ଅନୁମତି ଲୋଡିଲା ସୁକାନ୍ତି ।
ଉପାୟ ଶୂନ୍ୟ । ଏମିତି କେସରେ ମନା କରିବା ପାଇଁ ତା ମାନବିକତା ବାଧା ଦେବନି!
କୁମାରର ନୀରବତାକୁ ସମ୍ମତିର ସୁଚକ ମଣି ଚାଲିଗଲା ସୁକାନ୍ତି । ଏଆଡେ ସୁପ୍ ଥଣ୍ଡା ହେଇ ଆସିଲାଣି । ଅନେକ ଥର ଡାକିଲା ପରେ ଅଳ୍ପ ଟିକେ ଆଖି ଖୋଲି ଜୁଳୁଜୁଳୁ ଚାହିଁଲା ଆରାଧ୍ୟା । ଉଠିବସିବାକୁ ତା’ ଦେହରେ ସାମନ୍ୟ ବଳ କି’ ଆଗ୍ରହ ନାହିଁ । ଯାହା ବି ହେଉ କ’ଣ ଟିକେ ଖାଇଲେ ହିଁ ମେଡ଼ିସିନ୍ ଦେଇହେବ ।
ତଳକୁ ଝୁଙ୍କି ପଡ଼ି ଦି’ ବାହୁକୁ ଟେକି ଧରି ଉଠେଇଲା । ଖଟ ବାଡ଼ରେ ପିଠି ଦେଇ ବସେଇଦେଲା କୁମାର । ସୁପ୍ ଗିନାଟେ ବି
ଧରିଲାବେଳକୁ ହାତ ଥରୁଛି । ନା’ ଏ ପରିସ୍ଥିତିରେ ସବୁ ସଙ୍କୋଚତାକୁ ପଛରେ ପକେଇ କିଛି ନ’ ଭାବି ତା’କୁ ହିଁ, ପିଆଇ ଦେବାକୁ ହେବ । ଗୋଟିଏ ଚାମଚ୍ ସୁପ୍ରେ ଅଇ ଉଠେଇ ବାନ୍ତି କରିବା ପରିସ୍ଥିତି । ନିର୍ବିକାରରେ ମୁହଁ ପୋଛି ଶୁଆଇ ଦେଲା ଶେଜରେ ।
ସମୟ ଗଡୁଛି । ରାତି ବଢୁଛି । ସୁକାନ୍ତି ଆଉ ରଘୁବୀର ଫେରି ନାହାନ୍ତିଏ ଯାଏ । ମେଡ଼ିସିନ୍ ପରେ ବି ୟାଙ୍କ ଜର କମିବାର
ନାଁ ନେଉନି । ମୁଣ୍ଡରେ ପାଣି ପଟି ଦେଇ ଥର୍ମୋମିଟରରେ ଥରକୁଥର ଜର ମାପୁଛି କୁମାର । ଅଚେତନ ଭାବରେ ବାଉଳି ଚାଉଳି ହେଇ କ’ଣ କ’ଣ କହିଯାଉଛି ଆରାଧ୍ୟା । ଭାରି ଅସ୍ପଷ୍ଟ ଓ କରୁଣ ସେ ସ୍ୱର । ଏତେ ବିଳାପ! ଗୋଡ଼ହାତ ଘୋଳାବିନ୍ଧା । ଛଟପଟ ଲାଗୁଛି ବୋଧହୁଏ । ମଝିରେ ମଝିରେ ବେକ ପାଖରୁ ରେଜେଇ ଖସି ପେଟ ପର୍ଯ୍ୟନ୍ତ । ଅଙ୍ଗବାସ ଅସ୍ତବ୍ୟସ୍ତ । କେଶବାସ ଅସ୍ତବ୍ୟସ୍ତ । ଯନ୍ତ୍ରଣାରେ ବନ୍ଦ ଆଖିରୁ ନିଗିଡି ପଡୁଛି ଦୁଇବୁନ୍ଦା ଲୁହ । ଅସହାୟ ଭାବେ କୁମାରର ହାତକୁ ଖୁବ୍ ଯୋରରେ ଭିଡ଼ି ଧରୁଛି ନିଜ ହାତ ମୁଠାରେ । ଛାତି ଦାଉଁ ଦାଉଁ ହେଲା କୁମାରର ।
କ୍ରମଶଃ
Comments are closed.