ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୧
“ଅଫିସର ପରିସ୍ଥିତି ଠିକ୍ ନାହିଁ । ତୁମେ ଅନୁମାନ କରିସାରିଥିବ । ଏଠି ରହିଲେ କେବେ ବି ଶାନ୍ତିରେ ରହି ପାରିବିନାହିଁ । ମୁଁ ବଞ୍ଚିବାକୁ ଚାହେଁ । ତେଣୁ ଚାଲିଯାଉଛି, ମୋ ଉଡାଣ ଆରମ୍ଭ ହେଇସାରିଲାଣି । ଆଉ ଇଣ୍ଡିଆ ଫେରିବି କି ନା କହିପାରୁନାହିଁ । ବର୍ତ୍ତମାନ କିଛି ବି କହିବା ମୋ ପକ୍ଷେ ସମ୍ଭବ ନୁହେଁ । ୟା’ ପରେ ମୋ ସିମ୍
ବଦଳି ଯିବ । ମତେ ତୁମେ ଆଉ ପାଇବନାହିାଁ । ତେଣୁ ଖୋଜିବାରେ ବୃଥା ସମୟ ନଷ୍ଟ କରିବ ନାହିଁ । ତୁମକୁ ଏକୁଟିଆ ଛାଡ଼ି ଯାଉଥିବାରୁ ମୁଁ ଦୁଃଖିତ । ତୁମେ ଯଦି ଚାହଁ, ତେବେ ତୁମ ମାମୁଁଙ୍କ ପାଖକୁ ଫେରିଯାଇପାର । ବା ନିଜେ କିଛି ଜବ୍ କରିପାର । ମୋର କୌଣସି ଆପତ୍ତି ନାହିଁ । ମତେ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ତୁମ ସହ କାଟିଥିବା ପ୍ରତ୍ୟେକ ମଧୁର ମୁହୂର୍ତ୍ତ ମନେ ରହିବ । ସରି ଅରୁ । ଟେକ୍ କେୟାର । ଗୁଡ଼୍ ବାଏ ।
ପାହାଡଟେ ଛିଡି ପଡ଼ିଲା ତା’ ମୁଣ୍ଡରେ । ବୈଭବ ଆଉ ଜୋକ୍ କରୁନାହାନ୍ତି ତ? ସେ ତ’ ଟେନସନ୍ରେ ଥିଲେ । ଏମିତି ସମୟରେ କେବେ ହେଲେ ଜୋକ୍ କରୁ ନ’ଥିବେ । କିନ୍ତୁ ସେ ତାକୁ ଏକୁଟିଆ ଛାଡି କୁଆଡେ ପଳେଇବେ ବୋଲି କହୁଛନ୍ତି? ସାଙ୍ଗେ ସାଙ୍ଗେ କଲ୍ କଲା ।
ନଟ୍ ରିଚେବଲ ଏଟ୍ ଦ ମୋମେଣ୍ଟ ।
ଯେତେ ଥର କଲ୍ କଲା ସେଇଆ । ତା’ ଛାତି ଦାଉଁ ଦାଉଁ ହେଲା । ଏମିତି କ’ଣ କିଏ କାରିପାରେ! ଏତେ ରାତିରେ କାହାକୁ କହିବ? କାହାକୁ ପଚାରିବ? ଏତେ ବଡ଼
ନିଷ୍ପତି ତ’ ସେ, କଦାପି ସାଙ୍ଗେସାଙ୍ଗେ ନେଇ ନ’ ଥିବେ ।
କ’ଣ କରିବ ଏବେ? କେମିତି ଜାଣିବ କୁଆଡେ଼ ଯିବାର ଯୋଜନାରେ ଥିଲେ ସେ । ବିଚଳିତ ହେଲେ ସବୁ ଭୁଲ୍ ହେଇଯିବ । ଧୈର୍ଯ୍ୟ ହିଁ ଏବେ ସବୁ ଠାରୁ ବଡ଼ ବଳ ।
ଦୀର୍ଘ ନିଃଶ୍ୱାସ ନେଲା । ଆଖି ବନ୍ଦ କରି ଶାନ୍ତ ଭାବରେ କ୍ଷଣଟିଏ ବସିଲା । ତା’ର ମନେ ପଡ଼ିଲା, କିଛି ଦିନ ହେବ, କୁଆଡ଼େ ବାହାରକୁ ଯିବେ ବୋଲି ପ୍ଲାନ୍ କରୁଥିଲେ ବୋଧହୁଏ । ବାର୍ରେ ବସି ଅନେକ ବେଳଯାଏ କାହା ସହ ଗପୁଥିଲେ । ଅଫିସ କଥାରେ ଇଣ୍ଟରଫେୟାର କଲେ ତାଙ୍କୁ ପସନ୍ଦ ନୁହେଁ ବୋଲି ସେ କିଛି ହେଲେ ପଚାରିପାରେନା । କିଛି ସୁରାକ୍ ତ ଛାଡ଼ି ଥିବେ ! ଗଲେ କୁଆଡେ?
ସେ ଦୌଡ଼ିଗଲା । ବୈଭବଙ୍କ ୱାର୍ଡରୋବ ଖୋଲିଲା । ଗୋଟିଗୋଟି କରି ସବୁ କାଗଜ ପତ୍ର ଖେଳେଇ ଦେଖିଚାଲିଲା । କୋଉଠି କିଛି ସୁରକ୍ କାଳେ ମିଳିଯିବ!
କ୍ରମଶଃ
Comments are closed.