Latest Odisha News

BREAKING NEWS

ଅନୁବାଦ ଗଳ୍ପ : ପ୍ରତିଶୋଧ

ଭାରତୀୟ ଇଂରାଜୀ ସାହିତ୍ୟର ଜଣେ ସର୍ବମାନ୍ୟ ଗାଳ୍ପିକ ଓ ଔପନ୍ୟାସିକ ଭାବେ ସୁପରିଚିତ । କେବଳ ସାହିତ୍ୟ ଜଗତ ନୁହେଁ, ବଲିଉଡ଼ର ଜଣେ ଉଚ୍ଚମାନର ସଂଳାପ ଲେଖକ ଭାବେ ମଧ୍ୟ ତାଙ୍କର ବେଶ୍ ସୁନାମ ଥିଲା । ଦେଶ ବିଭାଜନ ଉପରେ ଆବ୍‌ବାସ ସାହେବ ଏକାଧିକ ହୃଦୟସ୍ପର୍ଶୀ ଗପ ଓ ଉପନ୍ୟାସ ରଚନା କରିଛନ୍ତି । ୧୯୮୭ ମସିହାରେ ଏହି ସାହିତ୍ୟ ରଥୀଙ୍କର ପରଲୋକ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧ 

ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌ 

ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି – ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା ।

ନାଲି – ସତେକି ମଣିଷର ତାଜା ରକ୍ତ!
ହଳଦିଆ – ଯେପରିକି ଶବ ମୁହଁରେ ଘୋଡ଼ା ହୋଇଥିବା ଖଣ୍ଡେ ହଳଦି ଗୁରୁଗୁରୁ କପଡ଼ା!

ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି, ସଦାବେଳେ ଆଖି ସାମ୍ନା ଆକାଶରେ ଉଡ଼ି ବୁଲୁଥିବା ବଡ଼ ବଡ଼ ଫୋଟକା! ହଳଦିଆ ଆଉ ନାଲି, ନାଲି ଆଉ ହଳଦିଆ, କେଉଁ ଏକ ବିଚିତ୍ର ଓ ଅଶୁଭ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମି ପରି ତାଙ୍କ ଆଖିକୁ ଜଳକା କରିଦେଉଥିଲା । ସିଧା ଆସି ତାଙ୍କ ମୁଣ୍ଡ ଭିତରେ ଛୁଞ୍ଚି ଭଳି ପଶି ଯାଉଥିଲା; ତାଙ୍କ ସର୍ବାଙ୍ଗରେ ପ୍ରବେଶ କରୁଥିଲା ଯେମତି ନାଲି ଆଉ ହଳଦିଆ ରଙ୍ଗର ଅଦୃଶ୍ୟ କଣ୍ଟାଟିମାନ!

ଦିନଠାରୁ ରାତି ପର୍ଯ୍ୟନ୍ତ, ସେ ଶୋଇଥାନ୍ତୁ କି ଚେଇଁଥାନ୍ତୁ, ଚାଲୁଥାନ୍ତୁ କି ବସିଥାନ୍ତୁ, ସେଇ ନାଲି ଓ ହଳଦିଆ ଆଲୁଅକୁ ସେ ସଦାବେଳେ ଦେଖିପାରୁଥିଲେ । ତାଙ୍କ ଆଖି ସାମ୍ନାରେ ସେଇ ହଳଦିଆ ଓ ନାଲିଆ ଜଳନ୍ତା ଅଗ୍ନିଶିଖା ଲହଲହ ବାଜୁଥିଲା- ଠିକ୍ ନର୍କର ସେଇ କାଳସର୍ପର ସହସ୍ର ଫଣାରୁ ବାହାରୁଥିବା ଜଳନ୍ତା ଜିଭ ପରି! ସୈତାନର ହୋମକୁଣ୍ଡରେ ସମୀଧ ପରିବର୍ତ୍ତେ ଶବଗୁଡ଼ାକ ଆହୁତି ଦିଆଯିବା ପରି! ଗୋଟିଏ ଜାଗାର ସେହିଭଳି ଶହ ଶହ ଚିତା ଜଳୁଥିଲା ଏବଂ ସେଇ ଜଳନ୍ତା ଚିତା ଚାରିପଟେ ହଜାର ହଜାର ପ୍ରେତାତ୍ମା ତାଣ୍ଡବ କରି ଚାଲିଥିଲେ, ଚିତ୍କାର ଛାଡ଼ୁଥିଲେ ଏବଂ ଉଚ୍ଚସ୍ୱରରେ କହିଚାଲିଥିଲେ:

ପ୍ରତିଶୋଧ!
ପ୍ରତିଶୋଧ !!
ପ୍ରତିଶୋଧ !!!

ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି – ଏଇ ଦୁଇଟି ରଙ୍ଗ ତାଙ୍କ ସର୍ବାଙ୍ଗ ଶରୀରକୁୁ ସତେ କି ଗୋଟାପଣେ ଆକ୍ରାନ୍ତ କରିରଖିଥିଲା- ଶରୀର, ଓ ମନ ଓ ଆତ୍ମା । ଚାରିଆଡ଼େ ବିଛେଇ ହୋଇ ପଡ଼ିଥିବା ସକାଳର ସୁନେଲୀ କିରଣରେ, ଅବା ଅସ୍ତସୂର୍ଯ୍ୟଙ୍କ ଲୋହିତ ଆଭାରେ ସେହି ଲେଲୀହାନ ଶିଖାକୁ ସେ ସବୁଆଡ଼େ ଦେଖି ପାରୁଥିଲେ । ରକ୍ତ ବଦଳରେ ତାଙ୍କ ଧମନୀରେ ସତେକି ତରଳ ଓ ଜ୍ୱଳନ୍ତ ଲାଭା ପ୍ରବାହିତ ହେଉଥିଲା! ତାଙ୍କ ନିଜ ନିଃଶ୍ୱାସ ପ୍ରଶ୍ୱାସରେ ସେ ଧୂଆଁର ସେଇ ତୀବ୍ର ଗନ୍ଧକୁ ସ୍ପଷ୍ଟ ବାରି ପାରୁଥିଲେ । ବେଳେବେଳେ ତାଙ୍କୁ ଲାଗୁଥିଲା ସତେ ଯେପରି ସେ ଆଉ ଜଣେ ମଣିଷ ହୋଇ ରହିନାହାନ୍ତି । ନର୍କରୁ ବାହାରିଥିବା କୌଣସି ଏକ କାଳ୍ପନିକ ଜଳନ୍ତା ଅଶୁଭ ଆତ୍ମା ପାଲଟି ସାରିଛନ୍ତି ।

ସମସ୍ତେ କହୁଥିଲେ ହରି ଦାସଟାର ମୁଣ୍ଡ ବିଗିଡ଼ି ଯାଇଛି, ସେ ବାଇଆ ହୋଇଯାଇଛି । କାହାକୁ ଭେଟିବା କି କାହା ସାଙ୍ଗରେ କଥାବାର୍ତ୍ତା ହେବାକୁ ସେ ଚାହୁଁନି । ଏପରିକି ନିଜ ଘରଲୋକ କି ସମ୍ପର୍କୀୟଙ୍କ ସାଙ୍ଗରେ ସୁଦ୍ଧା ନୁହେଁ । ବନ୍ଧୁମାନଙ୍କ କଥା ତ ଛାଡ଼ । ଯେହେତୁ ସେ ସଦାବେଳେ ଏମିତି ଗୁମସୁମ ରହୁଥିଲା ଓ କାହାରି ସାଙ୍ଗରେ କିଛିହେଲେ କଥାବାର୍ତ୍ତା କରୁନଥିଲା, ସେମାନେ ସମସ୍ତେ ବି ନିଶ୍ଚିତ ହୋଇ ସାରିଥିଲେ ଯେ ହରି ଦାସଟା ପାଗଳ ହୋଇଯାଇଛି । ତା’ ନହୋଇଥିଲେ ସେ ସେମାନଙ୍କ ସାଙ୍ଗରେ କାହିଁକି କଥାବାର୍ତ୍ତା ହେଉନଥାନ୍ତା? ତା’ ସାମ୍ନାରେ ଯେକୌଣସି ପ୍ରସଙ୍ଗରେ କଥାବାର୍ତ୍ତା ହେଲେ ସୁଦ୍ଧା ତା’ ମୁହଁରେ କୌଣସି ପ୍ରଭାର ଭାବକ୍ରିୟା ପ୍ରକାଶ ପାଉନଥିଲା । ସତେ ଯେମିତି ସେ ପଥର ପାଲଟି ଯାଇଛି! ଯେମିତି ସେ ମରିଯାଇଛି! କିମ୍ବା ସମ୍ଭବତଃ, ଦୃଷ୍ଟି ଓ ଶ୍ରୁତିବାଧିତ ପାଲଟି ସାରିଛି ଅଥବା ମୁକ
ପାଲଟିଯାଇଛି! କିନ୍ତୁ ଭୁଲରେ ଯଦି ତା’ ଆଗରେ ଦଙ୍ଗା କି ହାଣକାଟ କଥା ପଡ଼ିଲା, ସତେ ଯେମିତି ତା’ ଆଖି ଦିଓଟି ରଡ଼ନିଆଁ ପରି ସଙ୍ଗେ ସଙ୍ଗେ ଜଳିଉଠିବ । ସେଥିରେ ଘୃଣା ଓ କ୍ରୋଧ ଭରିଯିବ ଏବଂ ତୁଣ୍ଡରୁ ପଦୁଟିଏ ସୁଦ୍ଧା କଥା ନବାହାରିଲେ କ’ଣ ହେଲା, ଆଖି ଯେମିତି ରଣହୁଂକାର ଛାଡ଼ିବ:

‘ପ୍ରତିଶୋଧ! ପ୍ରତିଶୋଧ!! ପ୍ରତିଶୋଧ!!!’

ଦେଶ ବିଭାବନ ବେଳେ ପୂର୍ବରୁ ଲିଆଲପୁର ଯେତେବେଳେ ପଞ୍ଜାବରେ ଥିଲା ସେତେବେଳେ ହରି ଦାସ ଜଣେ ନାମଜାଦା ଓକିଲ ଥିଲେ । କିନ୍ତୁ ଯେତେବେଳେ ଦେଶ ବିଭାଜନ ହେଲା ଓ ପଞ୍ଜାବ ଭାଗ ଭାଗ ହେଲା ସେତେବେଳେ ସେ ସେହି ସାମ୍ପ୍ରଦାୟିକ ଦଙ୍ଗାର ନିଆଁରେ ଯୂପକାଠ ଭଳି ଆହୂତି ହୋଇଗଲେ । ଶରଣାର୍ଥୀମାନେ ତାଙ୍କୁ ଖବର ଦେଲେ ଯେ ଲିଆଲପୁରରେ ଲାଗିଥିବା ଦଙ୍ଗାରେ ତାଙ୍କ ପରିବାରର ସମସ୍ତେ ପ୍ରାଣ ହରାଇଛନ୍ତି । ସମୟକୁ ମଣିଷ ମନର କ୍ଷତକୁ
ଭରିବାର ସର୍ବଶ୍ରେଷ୍ଠ ମହୌଷଧି ବୋଲି କୁହାଯାଏ । ସେହି ଘଟଣା ଘଟିବାର ଦଶ ମାସ ବିତି ସାରିଥିଲା । ଏବେ ସମସ୍ତେ ନିଜ ନିଜ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ ଏବଂ ଭୁଲି ଆସିଥିଲେ । ସେମାନଙ୍କ ମନ ପୁଣି ସ୍ୱାଭାବିକ ହୋଇଆସୁଥିଲା । କିନ୍ତୁ କେହି ଜାଣିନଥିଲେ ହରି ଦାସଙ୍କ ପତ୍ନୀ ଓ କନ୍ୟା କେଉଁ
ପରିସ୍ଥିତିରେ ଅବା ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରାଣ ହରାଇଥିଲେ । ତାଙ୍କୁ ମାରିଲା କିଏ? ଅନ୍ୟ ଶହ ଶହ ଲୋକଙ୍କ ପରି କ’ଣ ସେ ଦୁହେଁ ନିଜ ଇଜ୍ଜତ ବଞ୍ଚେଇବା ସକାଶେ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ? ଅବା ନିଜ ଘରେ ସେମାନଙ୍କୁ କିଏ ଜୀଅନ୍ତା ଜାଳିଦେଇଥିଲା! ନା ଆତତାୟୀର ଛୁରିକାଘାତର ସେମାନେ ଶିକାର ହୋଇଥିଲେ! ହରିଦାସ କାହାରି ଆଗରେ କିଛି କହିନଥିଲେ, କାହାକୁ ବିଶ୍ୱାସ କରୁନଥିଲେ ।

ହରି ଦାସ ବାସ୍ତବ ପକ୍ଷେ ପାଗଳ ହୋଇଯାଇନଥିଲେ ଯଦିବା ସେ ବେଳେବେଳେ ନିଜେ ଆଶା କରୁଥିଲେ ସତରେ ଯଦି ତାଙ୍କର ମୁଣ୍ଡ ଖରାପ ହୋଇଯାଆନ୍ତା ତା’ହେଲେ ଭଲ ହୁଅନ୍ତା । କାରଣ ସେ ଅତୀତକୁ ଭୁଲି ପାରୁନଥିଲେ । ତାଙ୍କର ସବୁକଥା ବାରମ୍ବାର ମନେ ପଡ଼ିଯାଉଥିଲା – କେମିତି ତାଙ୍କ ଘର ଲୁଟ୍ ହେଲା, କେମିତି ଘରେ ନିଆଁ ଲଗେଇ ଦିଆଗଲା, କେମିତି ତାଙ୍କ ପତ୍ନୀ ନଦୀକୁ ଡେଇଁଲେ ଏବଂ କେମିତି ତାଙ୍କ ସାଙ୍ଗସାଥୀ ଓ ସାଇପଡ଼ିଶା ଲୋକମାନଙ୍କୁ ନୃଶଂସ ଭାବେ ତାଙ୍କର ଆଖି ସାମ୍ନାରେ ଜଣ ଜଣକରି ହତ୍ୟା କରାଯାଇଥିଲା । କିନ୍ତୁ ଯେତେବେଳେ ତାଙ୍କର ନିଜ ଝିଅ ଜାନକୀ କଥା ମନେ ପଡ଼ୁଥିଲା ତାଙ୍କ ମୁଣ୍ଡର କୌଣସି ସୂକ୍ଷ୍ମ ତନ୍ତ୍ରୀ ଯେମିତି ଗୋଳମାଳିଆ ହୋଇଯାଉଥିଲା । ତାଙ୍କ ସ୍ମ୍ମୃତିପଟ୍ଟରେ ଅତୀତର ସେଇ ଭୟଙ୍କର ଦୃଶ୍ୟ ନାଚି ଉଠୁଥିଲା କିନ୍ତୁ ସେଥିରେ କିଛି ହେଲେ କ୍ରମିକତା
ରହୁନଥିଲା । ସତେ ଯେମିତି ସିନେମା ପ୍ରୋଜେକ୍ଟର ଭିତରେ କିଛି ଗୋଟିଏ ଯନ୍ତ୍ର ଗୋଳମାଳ ଧରିଛି!

ଛବି । ସୁନ୍ଦର ଛବି । ଅତି ଭୟଙ୍କର ଛବି । ଜାନକୀ । ସତର ବର୍ଷର କିଶୋରୀ ଜାନକୀ । ମାଆର ଅଲିଅଳୀ ଝିଅ ଜାନକୀ । ବାପାଙ୍କ ନୟନର ପିତୁଳା ଜାନକୀ!ଜାନକୀର ଦେହର ରଙ୍ଗ ସତେକି ଗୋଲାପ ପାଖୁଡ଼ା ପରି, ଦୁଧ- ଅଳତାର ମିଶ୍ରଣ ପରି! ଆଉ ତା’ର ଆଖିଯୋଡ଼ିକ ତ ନର୍ଗିସ ଫୁଲକୁ ବି ସରମରେ ସଙ୍କୋଚ ବୋଧ କରିବ! ଶରୀର ଯେମିତି କମନୀୟ ସ୍ୱଭାବ ସେମିତି ସରଳ ତରଳ । ସତେକି ଛୁଇଁଦେଲେ ଝାଉଁଳି ପଡ଼ିବ! ସାରା ଲିଆଲପୁରରେ ତା’ ଭଳି ଏମିତି ରୂପବତୀ ଆଉ ଗୁଣବତୀ ଝିଅ କେଉଁଠି ନଥିଲେ । ଜାନକୀର ସେଇ ସୁନ୍ଦର ଓ ନିଷ୍ପାପ ମୁହଁ ।

ଆଉ ସେତିକିବେଳେ କିଛି ହୀନ ମାନସିକତା ଆଉ ପାଶବିକ ସ୍ୱଭାବର ଭୟଙ୍କର ରୂପ ସତେକି ହଠାତ୍ ସହରଟାକୁ ଦଖଲ କରିନେଇଥିଲେ । କେଡ଼େ ଜାନ୍ତବ ସେମାନଙ୍କ ଆଖିର ସେ ଲୋଲୁପ ଦୃଷ୍ଟି, କେଡ଼େ ଭୟଙ୍କର ସେମାନଙ୍କର ଚେହେରା, କେତେ ହୀନ ସେମାନଙ୍କର ଓଠର ହସ । ସେମାନଙ୍କ ସମସ୍ତଙ୍କ ହାତରେ କ୍ଷୁର ଭଳି ଧାରୁଆ ଛୁରୀସବୁ ସୂର୍ଯ୍ୟ କିରଣରେ ଚକମକ କରୁଥିଲା । ଆଉ କାହା କାହା ହାତରେ ଉଦ୍ୟତ କଳା କଳା ରାଇଫଲମାନ ।ସେହି ଭୟଙ୍କର ମୁହଁସବୁ ଧୀରେ ଧୀରେ, ଅତି ସତର୍କତାର ସହ ଆଗକୁ ପାଦ ବଢ଼ାଉଥିଲେ । ଜାନକୀ ଆଡ଼କୁ ଅଗ୍ରସର ହେଉଥିଲେ ।

ଦଶମାସ ପରେ ସୁଦ୍ଧା ହରି ଦାସ କାନରେ ଆଜି ସାହାଯ୍ୟ ପାଇଁ ନିଜେଛାଡ଼ୁଥିବା ଚିତ୍କାରର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା, ‘ମୋତେ ମାର । କିନ୍ତୁ ମୋ ଝିଅକୁ ଛାଡ଼ିଦିଅ ।’ କିନ୍ତୁ ସେଇ ଭୟଙ୍କର ମୁହଁସବୁ ଧୀରେ ଧୀରେ ଜାନକୀ ଆଡ଼କୁ ଅଗ୍ରସର ହେଉଥିଲେ । ‘ମୁଁ ମୁସଲମାନ ହେବାକୁ ପ୍ରସ୍ତୁତ ଅଛି । ମୋ ଝିଅ ବି ତୁମ ଧର୍ମ ଗ୍ରହଣ କରିବାକୁ ରାଜି ଅଛି । ଦୟାକରି ତା’ର କିଛି ଅନିଷ୍ଟ କରନାହିଁ ।’ କିନ୍ତୁ ହରି ଦାସଙ୍କ କୌଣସି ଅନୁନୟ ବିନୟ, ଆକୁଳ ନିବେଦନ, ବିକଳ କ୍ରନ୍ଦନ ସେ ନିଷ୍ଠୁର ଲୋକଙ୍କ ହୃଦୟରେ କିଛି ହେଲେ ପରିବର୍ତ୍ତନ ଘଟାଇ ନଥିଲା । ସେମାନଙ୍କ ମୁହଁର ସେହି ଭୟଙ୍କର ଭାବକୁ ବଦଳାଇ ନଥିଲା । କାମନାର ସେହି ଦୃଷ୍ଟିରେ ସେମାନେ ସେମିତି ଜାନକୀ ଆଡ଼କୁ ପାଦ ବଢ଼ାଉଥିଲା- ଠିକ୍ ଯେମିତି ଗୋଟିଏ ବିଷଧର ଗୋଖର ସାପ ତା’ର ଭୟାର୍ତ୍ତ ଶିକାର ଆଡ଼କୁ ଅଗ୍ରସର ହୁଏ ।

‘ଭାଇମାନେ, ମୋ ଝିଅ ଯୁବତୀ । ସେ ସୁନ୍ଦରୀ । ତେଣୁ ତୁମମାନଙ୍କ ଭିତରୁ କେହି ଧର୍ମାନ୍ତରୀତ କରି ବିବାହ କରୁ । ସେଥିରେ ମୋର ଆଦୌ ଆପତ୍ତି ନାହିଁ । କିନ୍ତୁ ତାକୁ ଜୀବନରେ ମାରିଦିଅନାହିଁ ।’ କିନ୍ତୁ ସେହି ଭୟଙ୍କର ମୁହଁମାନଙ୍କ ଭିତରୁ ସବୁଠୁ ଭୟଙ୍କର ଦିଶୁଥିବା ମୁହଁଟି କାନରେ ଯେମିତି ସେ କଥା ପଡ଼ୁନଥିଲା । ତା’ର ମଇଳା ହଳଦିଆ ଦାନ୍ତ, ମୁହଁରେ ସେହି ଜାନ୍ତବ କାମନା । ଆଉ ଉତ୍କଣ୍ଠାରେ ତାଙ୍କର ସେଇ ଦାଢ଼ିପୁଳାକ ରହି ରହି ଥରି ଉଠୁଥିଲା । ଜାନକୀର ସେହି ଫୁଲଠାରୁ କମନୀୟ ଶରୀରଠାରୁ ମାତ୍ର କେଇ ଇଞ୍ଚ ମାତ୍ର ଦୂରରେ ସେ ଠିଆ ହୋଇଥିଲା । ତା’ପରେ ହରି ଦାସ ଆଉ ଜାନକୀକୁ ଦେଖି ପାରିନଥିଲେ । ଏକ କଳା,
ବୀଭତ୍ସ, ଅଶୁଭ କଳାବାଦଲ ସତେକି ପୂର୍ଣ୍ଣିମାର ଚାନ୍ଦକୁ ଗୋଟାପଣେ ଢାଙ୍କି ପକାଇଥିଲା । କିନ୍ତୁ ସେଇ ଜାନ୍ତବ ଅରଣା କ୍ଷୁଧା ସେଇ ନିରୀହପଣକୁ ଧୂଳିସାତ କରିବା ପୂର୍ବରୁ ହରି ଦାସ ନିଜ ଝିଅର ଆଖିରେ ଏକ ବିଚିତ୍ର ଅସହାୟପଣ ଲକ୍ଷ୍ୟ କରିପାରିଥିଲେ । ସେଥିରେ ଭୟ ଥିଲା, ଘୃଣା ଥିଲା, ଅସହାୟବୋଧ ଥିଲା, ନିରାଶା ବି ଥିଲା, ଦୟା ପାଇଁ ଆକୁଳ ନିବେଦନ ବି ଥିଲା । ଏବଂ ତାକୁ ସେକଥା ବି ଜଣା ଥିଲା ଯେ ତା’ର ସବୁ ନିବେଦନ ନିରର୍ଥକ । ଅସହାୟ ବାପା ଗୋଟିଏ ଗଛରେ ବନ୍ଧା
ହୋଇ ସେମିତି ଠିଆ ହୋଇଥାନ୍ତି । ତାଙ୍କୁ ଏଇଥିପାଇଁ ଜାଣିଶୁଣି ଜୀବନ୍ତ ରଖାଯାଇଥିଲା ଯେ ନିଜ ଆଖି ସାମ୍ନାରେ ସେ ନିଜ ଝିଅକୁ ବ୍ୟଭିଚାର କରାଯିବାର ଘୃଣ୍ୟ ଦୃଶ୍ୟକୁ ଦେଖିପାରିବ । ସେଭଳି ଦୃଶ୍ୟକୁ ସହ୍ୟ କରିନପାରି ନିଜ ଆଖି ବୁଜିଦେବ । ନିଜର ଶତ ପ୍ରୟାସ ସତ୍ତ୍ୱେ ଯେତେବେଳେ ବି ସେହି ସ୍ମୃତି ତାଙ୍କର ମନେ ପଡ଼ିଯାଉଥିଲା ତାଙ୍କ ହୃଦୟ ବିଦାରି ହୋଇଯାଉଥିଲା ଓ ଆଖି ଆପେ ଆପେ ମୁଦି ହୋଇଯାଉଥିଲା ।

ହରି ଦାସ ଭାବୁଥିଲେ ଯଦି ଏଭଳି ଦୃଶ୍ୟ ଦେଖିବା ଆଗରୁ ସେ ଆଖି ବୁଜିଦେଇଥାନ୍ତେ ତା’ହେଲେ କେଡ଼େ ଭଲ ହୋଇଥାନ୍ତା! ସେ ଆର୍ତ୍ତ ଚିତ୍କାର ତାଙ୍କ କାନରେ ପଡ଼ିନଥାନ୍ତା! ସେ ଦୃଶ୍ୟ ଓ ଚିତ୍କାର ଥିଲା ସଂସାରର ସବୁଠୁ ଭୟଙ୍କର- ନିର୍ଦ୍ଦୟ ଭାବେ ଜଣେ ଅସହାୟା କିଶୋରୀକୁ ବିବସ୍ତ୍ର କରିବା, ଜୋର ଜବରଦସ୍ତ ଗୋଟିକ ପରେ ଗୋଟିଏ ବସ୍ତ୍ର ବଳପୂର୍ବକ ଚିରିଫାଡ଼ି ପକାଇବା, ଆଉ, ତା’ପରେ ସେହି ରାକ୍ଷସର ଦୀର୍ଘଶ୍ୱାସ ଏବଂ ଜାନକୀର ଆର୍ତ୍ତ ଚିତ୍କାର, ଗୁମୁରି ଗୁମୁରି, ସକେଇ ସକେଇ କାନ୍ଦିବା ଓ ପରିଶେଷରେ ଏକ ହତାଶାର ଦୀର୍ଘଶ୍ୱାସ – ଏବେ ସୁଦ୍ଧା ତାଙ୍କ ସ୍ମୃତିକୁ ସେସବୁ ଆକ୍ରାନ୍ତ କରିପକାଉଥିଲା । ଏପରିକି ଆଖି ବୁଜିଲେ ସୁଦ୍ଧା ଗୋଟିକ ପରେ ଗୋଟିଏ ଭୟଙ୍କର ଚେହେରା ତାଙ୍କ ସ୍ମୃତିପଟରେ ଆପେ ଆପେ ଜୀବନ୍ତ ହୋଇଉଠୁଥିଲା । ଏକ, ଦୁଇ, ତିନି, ଚାରି, ପାଞ୍ଚ… ସେହି ଅସହାୟ ବ୍ୟାକୁଳ କ୍ରନ୍ଦନ ଓ କୋହଭରା ଗୁମରା କାନ୍ଦଣା ସଂପୂର୍ଣ୍ଣ ନୀରବିଯିବା ପର୍ଯ୍ୟନ୍ତ । ଆଉ ଛାତିଥରା ଆର୍ତ୍ତଚିତ୍କାରଠାରୁ ସେ ନୀରବତା ଆହୁରି ଭୟଙ୍କର ଲାଗୁଥିଲା । ପୁଣି ଥରେ ସେ
ଆଖି ଖୋଲି ଚାହିଁଲେ ।

ଜାନକୀର ଫୁଲ ଭଳି ମୁହଁ । ସତେକି ଫୁଲଟିକୁ କେହି ପାଦରେ ଦଳିଚକଟି ପକାଇଛି! ସେଥବରେ ଆଉ ନା ଥିଲା ରଙ୍ଗ, ନା ଥିଲା ବାସ୍ନା, ନା ଥିଲା ଜୀବନ । ତା’ର ଅଲରା କେଶ ଧୂଳି ସାଲୁବାଲୁ । ଗାଲରେ ସେହି ନରରାକ୍ଷସମାନଙ୍କ ନୃଶଂସ ନଖର ଦାଗ । ତା’ ଶରୀରର କ୍ଷତଗୁଡ଼ିକରୁ ତାଜା ରଙ୍ଗ ବହି ପଡ଼ୁଥିଲା । ସେ ସମ୍ପୂର୍ଣ୍ଣ ନିସ୍ତେଜ ଦିଶୁଥିଲା । ଠିକ୍ ମଉଳା ଫୁଲଟିଏ ପରି । ତା’ ମୁହଁରେ ଜୀବନର କୌଣସି ସଂକେତ ନଥିଲା! ନରପିଶାଚମାନଙ୍କ ସେଇ ଜାନ୍ତବ ଦାନ୍ତସବୁ ଜାନକୀର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି କରିଥିଲା । କେବଳ ତା’ ଗାଲରେ ନୁହେଁ, ତା କାନରେ, ତା’ନାକରେ, ତା’ଗଳାରେ – ତା’ର ଫୁଙ୍ଗୁଳା ଛାତିରେ ।

ହରି ଦାସ ମନ ଭିତରେ ରକ୍ତରେ ଅଙ୍ଗା ଏଇ ଚିତ୍ର ସବୁଦିନପାଇଁ ବସି ଯାଇଥିଲା । ସେ ତାକୁ ଭୁଲି ପାରୁ ନ ଥିଲେ । କାହାକୁ ବି କ୍ଷମା ଦେଇ ପାରୁନଥିଲେ । ଏ କାଣ୍ଡ ଅକ୍ଷମଣୀୟ! ନିଜ ଝିଅପାଇଁ ହରି ଦାସ ନିଜ ହାତରେ ଚିତା ସଜାଡ଼ିଥିଲେ । ଜାନକୀର ସେଇ କୋମଳ ଶରୀରକୁ କେଇଟା ମିନିଟ ଭିତରେ ଅଗ୍ନି ସମ୍ପୂର୍ଣ୍ଣ ଗ୍ରାସ କରିପକାଇଥିଲା । ତା’ ସହିତ ଜାନକୀର ନିରୀହପଣକୁ । ତା’ର କ୍ଷତକୁ, ତା’ର ଧର୍ଷିତାପଣକୁ, ତା’ର ଅପମାନକୁ । ସେଇ ଚିତାର ଶିଖା ବି ହରି ଦାସ ଆଖି
ଆଗରେ ନାଚି ଉଠୁଥିଲା । ସେଇ ନାଲି ଆଉ ହଳଦିଆ ରଙ୍ଗର ଲହଲହ ଶିଖା । ହରି ଦାସ ଅନୁଭବ କରୁଥିଲେ ସେ ଚିତାରେ ତାଙ୍କ ଝିଅ ଜାନକୀ ନୁହେଁ ସତେ ଯେମିତି ଭାରତର ମାନ, ଇଜ୍ଜତ, ଗୌରବ ସବୁକିଛି ପୋଡ଼ି ପାଉଁଶ ହୋଇଯାଉଛି! ମାନବିକତା ସେ ନିଆଁରେ ଭସ୍ମ ହୋଇଯାଉଛି! ଶାଳୀନତା ଆଉ କରୁଣା ବି କୁଆଡ଼େ ଅଗ୍ନିଶିଖାରେ ଉଭେଇ ଯାଉଛି । ଦୟା ବି ମୁଠାଏ ଅଙ୍ଗାର ପାଲଟି ଯାଉଛି! କେଇ ଘଣ୍ଟା ଭିତରେ ଝିଅର ଚିତା ଲିଭି ଯାଇଥିଲା । କିନ୍ତୁ ହରି ଦାସଙ୍କ ମନରେ ପ୍ରତିଶୋଧର ଯେଉଁ ନିଆଁ ସେମାନେ ଲଗାଇଥିଲେ ତାହା ପ୍ରଶମିତ ହୋଇ ନ ଥିଲା । ସେ ନିଆଁ କେବେ ବି ଲିଭି ପାରିବନି । କେବେ ନୁହେଁ… ନା … କେବେ ନୁହେଁ । ଅନ୍ତତଃ ପକ୍ଷେ ଜଣେ ମୁସଲମାନ ଯୁବତୀର ଫୁଙ୍ଗୁଳା ଛାତିରେ ସେ ପ୍ରତିଶୋଧର ଛୁରୀ ନ ଭୁଶୁବା ପର୍ଯ୍ୟନ୍ତ । ସେଇଥିପାଇଁ ତ ସେ
ଆଜିଯାଏ ବଞ୍ଚି ରହିଛନ୍ତି । ସେଇ ପ୍ରତିହିଂସାର ଅଗ୍ନିକୁ ଶାନ୍ତ କରିବା ପରେ ଆଉ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସେ ବଞ୍ଚି  ରହିବାକୁ ଚାହିଁବେନି ।

ପ୍ରତିଶୋଧ!
ପ୍ରତିହିଂସା!

ସେଇଥିପାଇଁ ସେ ସଦାବେଳେ ନିଜ ପକେଟରେ ଧାରୁଆ ଛୁରୀଟିଏ ଲୁଚେଇ ରଖୁଥିଲେ । କିନ୍ତୁ ମୁସଲମାନ ଯୁବତୀଟିଏ ଖୋଜି ସେ ଭଲା ପାଇବେ ।କଉଁଠୁ ଯାହା ଉପରେ ସେ ଏପରି ବଦ୍‌ଲା ନେଇପାରିବେ? ଦିଲ୍ଲୀରେ ବସବାସ କରୁଥିବା ମୁସଲମାନ ଲୋକଙ୍କ ଭିତରୁ ଅନେକଙ୍କୁ ହତ୍ୟା କରାଯାଇ ସାରିଥିଲା । ଆଉ ଥୋକାଏ ପ୍ରାଣ ଭୟରେ ଘରସ୍ୱାରା ଛାଡ଼ି ପାକିସ୍ତାନ ପଳେଇ ସାରିଥିଲେ । ଅବଶିଷ୍ଟ ଯେଉଁମାନେ ସେଠାରେ ଥିଲେ ସେମାନେ କବାଟ କିଳି ଘରେ ଲୁଚି ରହିଥିଲେ । ପଦାକୁ ବାହାରୁ ନ ଥିଲେ । କେବଳ ମୁସଲମାନ ବସ୍ତିରେ ସେମାନେ କାଁ ଭାଁ ଆତଯାତ ହେଉଥିଲେ । ଭୀରୁଗୁଡ଼ାକ!

ତା’ପରେ ଭାଗ୍ୟ ହରି ଦାସଙ୍କ ସାଥିରେ ଏକ ବିଚିତ୍ର ଖେଳ ଖେଳିଲା । ଶରଣାର୍ଣୀ ଥଇଥାନ ପାଣ୍ଠିରୁ ତାଙ୍କୁ ତିନିଶହ ଟଙ୍କା କ୍ଷତିପୂରଣ ରାଶି ମିଳିଲା । ଏତେଗୁଡ଼ାଏ ଟଙ୍କା ଏବେ ତାଙ୍କର କ’ଣ ହେବ? ଏବେ ତ ତାଙ୍କର ଘର ନାହିଁ କି ପରିବାର ବୋଲି କେହି ନାହାନ୍ତି । ଖାଦ୍ୟ ଖାଇବା କି ପୋଷାକପତ୍ର କିଣି ପିନ୍ଧିବାରେ ବି ତାଙ୍କର ଆଗ୍ରହ ନାହିଁ । ତାଙ୍କର ତ ବଞ୍ଚିବା ଲାଗି ତିଳେ ହେଲେ ମୋହ ନାହିଁ । ଆଉ ଖାଇବା ପିନ୍ଧିବା କଥା ପଚାରେ କିଏ? ତା’ହେଲେ ସେ ଏତେ ଟଙ୍କା କରିବେ କ’ଣ? ଏଇ କଥା ଭାବି ଭାବି ସିଏ ପୁରୁଣା ଦିଲ୍ଲୀ ଇଲାକାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାରିଆଡ଼େ ଘୂରି ବୁଲିଲେ । କନଟପ୍ଲେସରୁ ଚାନ୍ଦିନୀଚୌକ, ପୁଣି ଚାନ୍ଦନୀଚୌକଠାରୁ ଜାମା ମସଜିଦ୍ । ସେଇସବୁ ଇଲାକାର ଆକାଶକୁ ଉଠିଥିବା ଛୋଟ ବଡ଼ ମିନାରସବୁକୁ ଦେଖି ତାଙ୍କର ପ୍ରତିଶୋଧ  ନେବା କଥା ମନେ ପଡ଼ିଯାଉଥିଲା । ସବୁ ମୁସଲମାନଙ୍କ ଉପରେ ସେ ପ୍ରତିଶୋଧ ନେବେ! ପୁଣି ଜାମା ମସଜିଦଠାରୁ ସେ ଦରିଆଗଞ୍ଜ ଓ ତା’ପରେ ରାଜଘାଟ ଆଡ଼େ ଚାଲିଲେ । ସେଠାରେ ଏମିତିକି ମାହତ୍ମାଗାନ୍ଧୀଙ୍କ ସମାଧିପୀଠ ସୁଦ୍ଧା ତାଙ୍କ ମନର କ୍ରୋଧ ଓ ପ୍ରତିହିଂସାକୁ ଥମାଇ ପାରିନଥିଲା ।

ହରି ଦାସଙ୍କ ମନ ଭିତରେ ପ୍ରତିଶୋଧର ଅଗ୍ନି ସେମିତି ହୁତ୍‌ହୁତ୍‌ ହୋଇ ଜଳି ଚାଲିଥିଲା । ପୁଣି କେତେବେଳେ ସେ ଭାବୁଥିଲେ – ଗାନ୍ଧୀଜୀ ଜଣେ ମହାତ୍ମା ଥିଲେ । ସାଧୁ ପୁରୁଷ । କିନ୍ତୁ ମୁଁ ତ ମହାତ୍ମା ନୁହେଁ କି ସାଧୁ ନୁହେଁ । ସେଠାରୁ ସେ ଏଡୱାର୍ଡ ପାର୍କଆଡ଼େ ଫେରି ଆସିଲେ । ସେଠାରେ ପଥର ଘୋଡ଼ା ଉପରେ ପଥର ସମ୍ରାଟ ବସିଥିବା ପ୍ରତିମୂର୍ତ୍ତିକୁ ଚାହିଁଲେ । ମନେମନେ ସେଇ ପ୍ରତିମୂର୍ତ୍ତି ଆଡ଼େ ଚାହିଁ ଗୁଣୁଗୁଣୁ ହେଲେ : ‘ବାଃ ସମ୍ରାଟ ବାଃ! ତୁମେ ଗଲ । କିନ୍ତୁ ଆମକୁ ଏମିତି ଦୁର୍ଦ୍ଦଶାରେ ପକେଇଦେଇ ଗଲ!’ ସେତେବେଳକୁ ରାତି ହୋଇ ସାରିଥିଲା । ଏବେ ସେ ଅନ୍ୟ କେଉଁ ଅନାମଧେୟ ସ୍ଥାନଆଡ଼େ ଚାଲିଲେ । ଡାହାଣ ପଟେ ଲମ୍ବିଥିବା ରାସ୍ତା କଡ଼େକଡ଼େ ତାଙ୍କରି ଭଳିଆ ଅନେକ ଶରଣାର୍ଥୀ ଫୁଟପାଥ ଉପରେ ଶୋଇ ରହିଥିଲେ । ପବନରେ କେମିତି ଏଭ ଅସ୍ୱାଭାବିକ ଓ ଉଗ୍ର ଗନ୍ଧ ସେମାନଙ୍କ ଆଡ଼ୁ ଆସୁଥିଲା । ଦୁର୍ଗନ୍ଧ ଓ ସୁଗନ୍ଧର ଫେଣ୍ଟା ଫେଣ୍ଟି ବାସ୍ନା । ତା’ ସାଙ୍ଗକୁ ସେମାନଙ୍କ ଝାଳର ଦୁର୍ଗନ୍ଧ । ଚାରିଆଡ଼େ ଭିଜା ମାଟି, ମୂତ ଗନ୍ଧ । ଫୁଲ, ଫିନାଇଲ ଆଉ ପେଟ୍ରୋଲ ଗନ୍ଧର ସମାହାର । ବାଁପଟେ ଧାଡ଼ିଏ ଦୋକାନଘର, ମିଠା ଦୋକାନ, କ୍ଷୀର ଦୋକାନ ଓ ହୋଟେଲ । ସେଥିରୁ କେଇଟା ବନ୍ଦ୍ ଥିଲା ଓ ଆଉ କେଇଟା ଖୋଲା । କିନ୍ତୁ ସେଇ ବାଟଦେଇ ଯା’ଆସ କରୁଥିବା ପ୍ରତ୍ୟେକ ଲୋକଙ୍କ ଦୃଷ୍ଟି ଉପରକୁ ଆପେ ଚାଲିଯାଉଥିଲା । ପ୍ରଥମ ମହଲାର ସେଇ ବାଲକୋନୀ ଉପରକୁ
ଯେଉଁଠି ବତୀଟିଏ ଜଳୁଥିଲା । ସତେ ଯେମିତି ସେ ବଦୀଟି ଆଖିମିଟିକା ମାରି ସମସ୍ତଙ୍କୁ ସାଦର ଆମନ୍ତ୍ରଣ ଜଣାଉଥିଲା! ବାତାବରଣରେ ସଙ୍ଗୀତର ମୃଦୁ ମୂର୍ଚ୍ଛନା । ଏ ସ୍ଥାନଟି କ’ଣ ହୋଇଥାଇପାରେ?

‘ବାବୁଜୀ!’

ହରି ଦାସ ସାମ୍ନାରେ ଜଣେ ମଧ୍ୟବୟସ୍କ ଲୋକ ଠିଆ ହୋଇ ତାଙ୍କୁ ଡାକୁଥିଲା । ତା’ଦେହରେ ମଇଳା ତେଲିଆ ପୋଷାକ । ମୁହଁରେ ଏକ ଧୂର୍ତ୍ତ ଅଭିସନ୍ଧିପୂର୍ଣ୍ଣ ଚାହାଣୀ । ‘ବାବୁଜୀ! ମୁଁ ଆପଣଙ୍କୁ ଖାସା ଚିଜଟିଏ ଦେଖେଇବାକୁ ଚାହୁଁଚି ।’

ହରି ଦାସ ପ୍ରଥମେ ଲୋକଟି କ’ଣ କହୁଚି ଠଉରାଇ ପାରିଲେନାହିଁ । ତେଣୁ ଯଥାରୀତି ଆଗକୁ ଚାଲିଲେ । କିନ୍ତୁ ଲୋକଟା ସହଜରେ ପିଛା ଛାଡ଼ିଲାନି । ପୂରା ତାଙ୍କ ଆଗରେ ଠିଆ ହୋଇଯାଇ କହିଲା, ‘ବାବୁଜୀ, ଯଦି ଆପଣ ପୂରା ସମୟ ସନ୍ତୁଷ୍ଟ ନହେବେ ତା’ହେଲେ ମୋତେ ଫଟା କଉଡ଼ିଟିଏ ବି ଦେବେନି ।’

ଲୋକଟିର କଥାରୁ ନୁହେଁ, ତା’ ମୁହଁର ଚାହାଣୀରୁ ହରି ଦାସ ତା’ର ଉଦ୍ଦେଶ୍ୟ ଠଉରାଇ ପାରିଲେ ।

ଏଥର ହରି ଦାସ କହିଲେ, ‘ଆରେ ବାବୁ, ମୁଁ ଜଣେ ଶରଣାର୍ଥୀ ।’

‘ମୁଁ ବି ଜଣେ ଶରଣାର୍ଥୀ ବାବୁଜୀ । ଆପଣ ଯଦି ଜଣେ ଶରଣାର୍ଥୀ, ତା’ହେଲେ ମୋ ସାଙ୍ଗରେ ଚାଲନ୍ତୁ । ଆମର ଏଠି ଜଣେ ମୁସଲମଳନ ଝିଅ ଅଛି । ମୁଁ ଦେଖେଇଦେବି । ଆପଣମାନେ ପାକିସ୍ତାନରେ କେତେ ଦୁଃଖକଷ୍ଟ ନିର୍ଯାତନା ସହ୍ୟ ନକରିଚନ୍ତି! ତେଣୁ ଏଠି ଦିଲ୍ଲୀରେ ଜଣେ ପାକିସ୍ତାନୀ ‘ହୁରୀ’କୁ ଉପଭୋଗ
କରିବା ଖାଲି ସୁଯୋଗ ନୁହେଁ, ଆପଣଙ୍କର ହକ୍ ।’

‘ମୁସଲମାନ ଝିଅ! ପାକିସ୍ତାନୀ ହୁରୀ!’

ଏକଥା ପଦକ ଶୁଣିବା ମାତ୍ରେ ହରି ଦାସଙ୍କ ଆଖି ସାମ୍ନାରେ ପୁଣି ଥରେ ସେଇ ଲାଲ ଓ ହଳଦିଆ ରଙ୍ଗର ପ୍ରତିହିଂସାର ନିଆଁ ହୁତହୁତ ହୋଇ ଜଳିଉଠିଲା । ସେ ନିଆଁ ସତେ ଯେମିତି ଜିଭ ଲମ୍ବେଇ ସବୁକିଛି ଚାଟି ପକାଇବ! ଯନ୍ତ୍ରବତ୍ ହରି ଦାସ ସେ ଦଲାଲଟି ପଛେ ପଛେ ଚାଲିବାକୁ ଲାଗିଲେ ।

ଆଗକୁ ଚାଲୁ ଚାଲୁ ଦଲାଲଟି ଆହୁରି ମଜାଦାର ଖବରମାନ ଶୁଣେଇ ଚାଲିଲା, ‘ବାବୁଜୀ, ଦୁର୍ଲ୍ଲଭ ପରୀଟିଏ! ସୁନ୍ଦର ଚିଡ଼ିଆଟିଏ! ବୟସ ମାତ୍ର ସତର କି ଅଠର ହେବ ।’ ଏଥର ତାଙ୍କ କାନ ପାଖକୁ ଲାଗିଆସି କହିଲା, ‘ଆମେ ତାକୁ ଜଳନ୍ଧରରୁ ଆଣିଚୁ । ଜଣେ ନାମଜାଦା ଲୋକର ଝିଅ । ତାକୁ ମଙ୍ଗେଇବା ଲାଗି ଆମକୁ ଦଶମାସ ଲାଗିଯାଇଥିଲା । ତା’ପରେ ଯାଇ ତାକୁ ଏ ଧନ୍ଦାରେ ପଶିବାକୁ ରାଜି କରେଇ ପାରିଥିଲୁ ।’

ଜାନକୀ ତ ସେଇ ବୟସର ହୋଇଥିଲା! ସିଏ ମି ତ ଜଣେ ନାଁକରା ଲୋକର ଝିଅ! ତଥାପି ସେ ଜହ୍ଲାଦମାନେ, ନରପିଶାଚମାନେ ତା’ ପ୍ରତି ତିଳେ ହେଲେ ଦୟାମାୟା ଦେଖେଇ ନଥିଲେ । ଜଣେ, ଦି’ଜଣ, ତିନିଜଣ, ଚାରିଜଣ, ପାଞ୍ଚଜଣ… ତା’ରି ନିଷ୍ପାପ ନିରୀହ ଶରୀର ଖିନଭିନ ହୋଇ ଭୂଇଁରେ ଲୋଟିବା ପର୍ଯ୍ୟନ୍ତ ସେମାନେ ତା’ ପ୍ରତି ପାଶବିକ ଅତ୍ୟାଚାର କରିଚାଲିଥିଲେ ।

ହରି ଦାସ ମନେ ମନେ ଚିନ୍ତାକଲେ: ତା’ହେଲେ ମୁଁ କାଇଁକି କାହା ପ୍ରତି ଦୟା ପ୍ରତର୍ଶନ କରିବି? – ଏପରି ଭାବି ହରି ଦାସ ନିଜ ଅଣ୍ଟାରେରେ ଲୁଚେଇ ରଖିଥିବା ଛୁରୀଟିକୁ ଅଣ୍ଡାଳିନେଲେ ।

ନାଚବାଲୀ କୋଠିର ସ୍ୱାଭାବିକ ପରିବେଶ । ଚଟାଣ ଉପରେ ପୁରୁଣା ମଇଳା ଧଳା ବେଡସିଟ୍ ବିଛା ହୋଇଥିଲା । ସିଲିଂରୁ ଝୁଲୁଥିବା ଝାଡ଼ବତୀର ନିଷ୍ପ୍ରଭ ଆଲୋକରେ ଭିତର ପରିବେଶ ବେଶ୍ ବିଚିତ୍ର ଲାଗୁଥିଲା । କାନ୍ଥରେ ଦିଓଟି ପୁରୁଷେ ଉଚ୍ଚର ଦର୍ପଣଟିଏ ଖଞ୍ଜାଯାଇଥିଲା । ହଲଟିର ଗୋଟିଏ କୋଣକୁ ଜଣେ ମଧ୍ୟବୟସ୍କା ମୋଟୀ ମହିଳା ବସି ପାନ ଭାଙ୍ଗୁଥିଲେ । ତାଙ୍କ ମୁହଁରେ ବସନ୍ତର ଦାଗ ସ୍ପଷ୍ଟ ଉକୁଟି ଦିଶୁଥିଲା । ହଲ୍ ଭିତରେ ଚାଲିଥିବା ସବୁ କାମ ଉପରେ ତାଙ୍କର
ତୀକ୍ଷ୍ଣ ନଜର ଥିଲା । ଆଉ ସଙ୍ଗୀତକାର ଓ ସେମାନଙ୍କ ବାଦ୍ୟଯନ୍ତ୍ର ମଝିରେ ବସି ସେଇ ପାକିସ୍ତାନୀ ହୁରୀ ତା’ର କଣ୍ଠସଙ୍ଗୀତର ସୁର ଜମେଇଥିଲା ।

ତା’ ପୂର୍ବରୁ ହରି ଦାସ କେବେ କୌଣସି ‘ହୁର’କୁ ଦେଖିନଥିଲେ । କେବଳ ଯାହା ରୂପଜୀବୀମାନଙ୍କ ବର୍ଣ୍ଣନା ଅନ୍ୟମାନଙ୍କଠାରୁ ଶୁଣିଥିଲେ । ଏ ଝିଅଟି ସତକୁ ସତ ହୁରୀଟିଏ ପରି ଦିଶୁଥିଲା । ତା’ ଦେହର ରଙ୍ଗ ଜାନକୀ ଠାରୁ ବି ତୋଫା ଲାଗୁଥିଲା । କିନ୍ତୁ କେମିତି ଶେତା ଧଳା । ଶରୀରର ଗଢ଼ଣ ଯେତିକି ପତଳା ସେତିକି ସୁନ୍ଦର ଦିଶୁଥିଲା । ବଡ଼ ବଡ଼ କଳା କଳା ଆଖି ଯୋଡ଼ିଏ, କିନ୍ତୁ ସେଥିରେ ପ୍ରାଣ ଥିବାପରି ଲାଗୁନଥିଲା । ଜାନକୀ ଆଖି ଭଳି ସେଥିରେ ସତେଜପଣ ନଥିଲା । ବରଂ ଭଲକରି ନିରୀକ୍ଷଣ କଲେ ଯେକେହି ସେ ଆଖିରୁ ଦୁଃଖର ଏକ କଳା ଛାଇ ଲକ୍ଷ୍ୟ କରିପାରିବ ।

ହରି ଦାସ ଚାହିଁ ଦେଖିଲେ ଝିଅଟି ଗୀତ ଗାଉଚି । କିନ୍ତୁ ସେ ଯେଉଁ ଗୀତ ଗାଉଥିଲା, ସେ ସ୍ୱର ତା’ ନିଜ କାନରେ ବି ପଡ଼ୁନଥିଲା । କେଠରୀଟି ସାରା କେତେଜଣ ଲୋକ ଚୁପ୍‌ଚାପ୍‌ ବସି ରହିଥିଲେ । ସେମାନଙ୍କୁ କାହାକୁ ଜଣକୁ ସୁଦ୍ଧା ହରି ଦାସ ଚିହ୍ନିନଥିଲେ । ସମସ୍ତେ ତାଙ୍କୁ ଜଣେ ଜଣେ ଚୋର କି ତସ୍କର, ଧନୀ ଅବା ଗରିବ, ଭଦ୍ରଲୋକ କିମ୍ବା ସଇତାନ ପରି ଦିଶୁଥିଲେ ।

ଗୋଟିଏ କୋଣରେ ଠିଆହୋଇ ସେହି ହୁରୀଟିକୁ ହରି ଦାସ ଆଉ ଥରେ ନିରୀକ୍ଷଣ କଲେ । ଏଥର ତାଙ୍କୁ ଲାଗିଲା, ଝିଅଟି ଆଖିରେ କାମନା ବୋଲି କାଣିଚାଏ ସୁଦ୍ଧା ନାହିଁ । ତା’ ବଦଳରେ ତା’ ଆଖିରେ ଏକ ଅଦୃଶ୍ୟ ନିଆଁ ଜଳୁଥିଲା । ସେ ନିଆଁର ଲାଲ ଓ ହଳଦିଆ ଶିଖାକୁ ହରି ଦାସ କିନ୍ତୁ ସ୍ପଷ୍ଟ ଦେଖିପାରୁଥିଲେ ।

ଦଲାଲ ହରି ଦାସଙ୍କୁ କହିଥିଲା ଯେ ତାଙ୍କୁ ରାତି ଅଧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ; ସମସ୍ତେ ଫେରିଯିବା ପର୍ଯ୍ୟନ୍ତ । ମୂଲଚାଲ ବି ଛିଣ୍ଡିଥିଲା – ରାତିକୁ ଦୁଇଶହ ଟଙ୍କା । ହରିଦାସ ମନେମନେ ଭାବୁଥିଲେ – ଆହୁରି ଦୁଇଶହ ଟଙ୍କା ବଳିବ । ସେ ଟଙ୍କାରେ ସିଏ କରିବେ କ’ଣ? ଏବେ ତାଙ୍କର ଟଙ୍କା ପାଇସାର ଆଉ କିଛି
ଆବଶ୍ୟକତା ନଥିଲା । କାଇଁକିନା ପରଦିନ ପର୍ଯ୍ୟନ୍ତ ଯେ ସେ ବଞ୍ଚିବେ ସେ ଗ୍ୟାରେଣ୍ଟି ନଥିଲା । ଜୀବନ ପ୍ରତି ତାଙ୍କର ସବୁ ମୋହ ତୁଟି ସାରିଥିଲା । ସମ୍ଭବତଃ ଆଜି ରାତି ହିଁ ତାଙ୍କ ଜୀବନର ଅନ୍ତିମ ରାତି! ଆସନ୍ତାକାଲି ସେ ସବୁଥିରୁ ମୁକ୍ତ ହୋଇଯିବେ – ଟଙ୍କାଠାରୁ, ପ୍ରତିଶୋଧଠାରୁ ଓ ଜୀବନଠାରୁ । ତେଣୁ ଥର ଥର କରି ଦଶଟଙ୍କିଆ ନୋଟ ଖଣ୍ଡିଏ ଲେଖାଏଁ ଗୀତ ଗାଉଥିବା ଝିଅଟି ଉପରକୁ ସେ ଫିଙ୍ଗି ଚାଲିଲେ । କୋଟିଏ ଥରରେ ଦୁଇଶହ ଟଙ୍କା ସରିଗଲା । ପ୍ରତିଥା ସେଇ ଦଶ ଟଙ୍କିଆ ନୋଟ ଖଣ୍ଡିକୁ ଉଠାଇବା ଲାଗି ପାକିସ୍ତାନୀ ହୁରଟି ସେ ବସିଥିବା ସ୍ଥାନ ପର୍ଯ୍ୟନ୍ତ ଆସୁଥିଲା ଓ ପ୍ରତିଥର ତାଙ୍କୁ ସଲାମଟିଏ ଲେଖାଏଁ ଠୁଙ୍କୁଥିଲା । ତା’ର ସଲାମ ଠୁଙ୍କା ହରି ଦାସଙ୍କ ତିକ୍ତ ହୃଦୟକୁ ଖୁବ୍‌ ଶାନ୍ତି ଦେଉଥିଲା । ସେ ମନେମନେ ଭାବୁଥିଲେ, ଏଇ ମୁସଲମାନ ଝିଅଟିକୁ ଏମିତି ଅପମାନିତ କରି ହରି ଦାସ ନିଜ ଝିଅ
ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଇ ଚାଲିଛନ୍ତି । କିନ୍ତୁ ଏହା ତ ତାଙ୍କ ସମଗ୍ର ପ୍ରତିଶୋଧ ଯୋଜନାର କ୍ଷୁଦ୍ର ଅଂଶ ମାତ୍ର!

ଅପଲକ ନୟନରେ, ସେଇ ଝିଅଟିର ପ୍ରତିଟି ଅଙ୍ଗଭଙ୍ଗୀକୁ ହରି ଦାସ ସେମିତି ଚାହିଁ ରହିଥିଲେ । ସେ ଭଲଭାବେ ଜାଣି ପାରୁଥିଲେ ଯେ ଝିଅଟି ଆଦୌ ପେଶାଦାର ନୁହେଁ । ତଥାପି କାହିଁକି କେଜାଣି ଏଇ ଧନ୍ଧା ପାଇଁ ଆବଶ୍ୟକ ସବୁପ୍ରକାର ଫନ୍ଦିଫିକର ଓ ଭାବଭଙ୍ଗୀ ପ୍ରଦର୍ଶନ ପାଇଁ ସେ ଯଥାସମ୍ଭବ ପ୍ରୟାସ କରୁଥିଲା । ନିଜର
ଫୁଙ୍ଗୁଳା ହାତକୁ କୋମଳ ଲତାଟିଏ ଭଳି ହଲାଉଥିଲା । ଗାଇବାବେଳେ ଆଖିକୁ ନଚାଉଥିଲା – କିନ୍ତୁ ସେଥିରେ ସ୍ୱାଭାବିକତା ନଥିଲା । ସବୁକିଛି ନିଷ୍ପ୍ରାଣ ଯନ୍ତ୍ରବତ୍‌
ଲାଗୁଥିଲା । । ଦର୍ଶକଙ୍କ ମନରେ କିଛି ଉନ୍ମାଦନା ସୃଷ୍ଟି କରୁନଥିଳା । ସତେ ଯେମିତି ଘଣ୍ଟାଉପରେ ଘୂରିବୁଲୁଥିବା ଛୋଟ କଣ୍ଢେଇଟିଏ । ହରି ଦାସଙ୍କ ମନରେ କେମିତି ଏକ ବିଚିତ୍ର ଭାବନା ଉଦ୍ରେକ ହେଲା ଯେ ସେ ନିଜ ଆଖି ସାମ୍ନାରେ ରକ୍ତମାଂସଧାରୀ ଝିଅଟିଏ ନୁହେଁ, ବରଂ ଶବଟିଏ ଦେଖୁଛନ୍ତି! କେହି ଜଣେ ଜାଦୁକର ଯେମିତି ସେ ଶବଟିକୁ ନଚାଉଛି! ହରି ଦାସଙ୍କ ନଜରରେ ଆଉ ଗୋଟିଏ ଦୃଶ୍ୟ ପଡ଼ିଲା । ଯେତେବେଳେ ବି କେହି ଜଣେ ସେ ଝିଅଟିକୁ ଛୁଇଁବାକୁ ଚାହୁଁଛି, ତା’ ହାତରେ ଖଡ଼ଖଡ଼ିଆ ନୋଟ୍ ଖଣ୍ଡିଏ ଧରାଇଦେବା ବାହାନାରେ ତା’ର କୋମଳ ହାତକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛି, ସେ ବେଶ୍ ସତର୍କତାର ସହିତ ନିଜ ହାତକୁ ଓହରାଇ ନେଉଛି । ଠିକ୍ ଜୀବନ୍ତ ବିଜୁଳି ତାର ଖଣ୍ଡିଏ ଛୁଇଁବା ପରି ହାତକୁ ଘୁଞ୍ଚାଇ ନେଇଯାଉଛି । କେହି ତାକୁ ଛୁଉଁ, ସେକଥା ସେ ଆଦୌ ଚାହୁୁଁନଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା, ତା’ମୁହଁରେ ଏଭଳି ପ୍ରତିବାଦ ଅଥବା ଭୟର ଲେଶମାତ୍ର ଭାବ ପ୍ରକାଶ ପାଉନଥିଲା । ସେଥିରେ କ୍ରୋଧ ନଥିଲା କି ବିରକ୍ତି ନଥିଲା । ସତେ ଯେମିତି ତା’ ମୁହଁରୁ କେହି ସବୁତକ ଭାବ ଓ ଆବେଗ ଚିପୁଡ଼ି ନିଗାଡ଼ି ନେଇଛି! ତଥାପି ଯେତେବେଳେ କେହି ତା’ ଆଗରେ ନୋଟ୍‌ଖଣ୍ଡିଏ ଧରି ଦେଖଉଚନ୍ତି, ସେ ଅତି ସତର୍କତାର ସହ ତାକୁ ନେଇ କୋଣରେ ବସିଥିବା ସେହି ପୃଥୁଳକାୟ ମଧ୍ୟବୟସ୍କା ଶ୍ୟାମଳୀ ମହିଳାଟି ହାତରେ ଧରାଇ ଦେଉଛି । ତା’ ମୁହଁଟା ବେଳକୁବେଳ ହରି ଦାସଙ୍କୁ କେମିମତି ଭାବହୀନ ଲାଗୁଥିଲା । ପୁଣି ଅର ମୁହୂର୍ତ୍ତରେ ତା’ର ସବୁ ବେକ ଓ ଅଣ୍ଟାର ଭାବଭଙ୍ଗୀ ଓ ଚଳନ କେମିତି ପରସ୍ପର ବିରୋଧୀ ଲାଗିଲା । ଉପସ୍ଥିତ ଲୋକମାନେ ରହି ରହି ତା’ ଉପରକୁ ନୋଟସବୁ ଫିଙ୍ଗି ଚାଲିଥିଲେ । ସତେ ଯେମିତି ସେ କହିବାକୁ ଚାହୁଥିଲା: ‘ଫେରେଇନିଅ ଏ ଟଙ୍କା ଯେଉଁଥିପାଇଁ
ମୋତେ ଏ ବଜାରରେ ଆଣି ତୁମେମାନେ ନିଲାମ କରୁଚ । ନେଇଯାଅ ସେ ଟଙ୍କା, ତୁମ ପାଖରେ ରଖି ସନ୍ତୁଷ୍ଟ ହୁଅ… ନେଇଯାଅ… ।’

କେମିତି କେଜାଣି ଝିଅଟିର ଭାବଭଙ୍ଗୀ ହରି ଦାସଙ୍କ ମନରେ ଯେଉଁ ଭ୍ରମ ସୃଷ୍ଟି କରିଥିଲା ତାହା ତାଙ୍କୁ ଭଲ ଲାଗୁଥିଲା । ଝିଅଟିର ନିରୀହପଣ ଓ ଉଦାସ ଭାବରେ ସେ ଗୋଟାପଣେ ଚେତନାରହିତ ହୋଇ ପଡ଼ିଥିଲେ । ଏବେ ସେ ନିଶ୍ଚିତ ହୋଇ ସାରିଥିଲେ ଯେ ଏ ଝିଅଟି ଅବଶ୍ୟ କେଉଁ ସମ୍ଭ୍ରାନ୍ତ ଓ ସମ୍ପନ୍ନ ପରିବାର ହୋଇଥିବ । ତା’ର ଶବ୍ଦ ଉଚ୍ଚାରଣ ଓ ସଙ୍ଗୀତର ମୂର୍ଚ୍ଛନା ସୂଚାଇଥିଲା ଯେ ସେ ବେଶ୍ ଉଚ୍ଚଶିକ୍ଷିତା ବି, ହରି ଦାସଙ୍କ ହୃଦଗୌରବ ଓ ଅସମ୍ମାନ, ଅପମାନ ଓ ଲାଞ୍ଛନାର ପ୍ରତିଶୋଧ ନେବାକୁ ସବୁ ଦୃଷ୍ଟିରୁ ଉପଯୁକ୍ତା ।

ରାତି ସେତେବେଳକୁ ଅଧାରୁ ଗଡ଼ି ସାରିଥିଲା ପ୍ରାୟ ସବୁ ଅତିଥି ବିଦାୟ ନେଇ ସାରିଥିଲେ । ହରି ଦାସଙ୍କ ଆଡ଼କୁ ଆଡ଼ଆଖିରେ ସୁଦ୍ଧା ନଚାହିଁ ଝିଅଟି ତା’ର ଶୟନକକ୍ଷ ଭିତରକୁ ପଶିଗଲା । ହରି ଦାସ ଭାବିଲେ, ଆଜି ରାତିରେ ଯେ ଯେ ତା’ର ଅତଥି! ଏଥର ହରି ଦାସ ଦଲାଲ ହାତକୁ ଖଡ଼ଖଡ଼ିଆ ଦୁଇଶହ ଟଙ୍କା ବଢ଼େଇଦେଲେ । ଦଲାଲଟି ପ୍ରଭୁଭକ୍ତ ଶ୍ୱାନଟି ପରି ସେ ନୋଟ୍‌ତକ ସେଇ ପୃଥୁଳା ମହିଳାଜଣକ ହାତରେ ଗୁଞ୍ଜିଦେଲା । କୋଠାର ମାଲିକାଣୀ ସେଇ ମହିଳାଜଣକ ଟଙ୍କାତକ ଗଣିଚାଲିଲେ । ଆଲୁଅ ପାଖରେ ସେ ଟଙ୍କା ବେଶ୍ ତାଜା ଲାଗୁଥିଲା । ଏଥର ମନଖୁସିରେ ସେ ସେଥିରୁ ଖଣ୍ଡିଏ ଦଶଟଙ୍କିଆ ନୋଟ ଦଲାଲ ହାତକୁ ଫେରେଇଧଲେ । ଆନନ୍ଦ ମନରେ ସଲାମଠୁଙ୍କି ଦଲାଲଟି ସେଠାରୁ ନିଷ୍କ୍ରାନ୍ତ ହୋଇଗଲା । ଏଥର ସେଇ ମହିଳାଜଣକ ନିଜର ହଳଦିଆ ରଙ୍ଗର ମଇଳା ଦାନ୍ତକୁ ନେଫେଡ଼େଇ ହରି ଦାସଙ୍କୁ ଆଖିରେ ଇସାରା କଲା ଯାହାର ଅର୍ଥ ହେଲା: ‘ଭିତରକୁ ଯାଆନ୍ତୁ ବାବୁଜୀ! କିନ୍ତୁ ହୁସିଆର! ସେ ଏ ଧନ୍ଦାରେ ସମ୍ପୂର୍ଣ୍ଣ ନୂଆ । ତେଣୁ ସାବଧାନ ରହିବ ।’ ପର ମୁହୂର୍ତ୍ତରେ ହରି ଦାସ ଶୟନ କକ୍ଷରେ ପହଞ୍ଚି ସାରିଥିଲେ ।

ଅତି ସତର୍କତାର ସହ ଓ ସଯତ୍ନରେ ହରି ଦାସ କୋଠରୀର ଦରଜାକୁ ଭିତରପଟୁ ବନ୍ଦ୍ କଲେ । ପଲଙ୍କଟି ଉପରେ ଝିଅଟି ନୀରବରେ ସେମିତି ବସି ରହିଥିଲା । ଏଥର ସେ ତା’ର ଆଡ଼େ ଧୀରେ ଅଗ୍ରସର ହେବାକୁ ଲାଗିଲେ । ଝିଅଟି କାନ୍ଥ ଆଡ଼କୁ ମୁହଁ କରି ବସିଥିଲା । ହରି ଦାସ ଠଉରାଇ ପାରୁନଥିଲେ ପ୍ରକୃତରେ ସେ କ’ଣ
ଭାବୁଥିଲା! ହରି ଦାସଙ୍କୁ ଦେଖବ ସେ ଅତି ସମ୍ମାନର ସହ ପଲଙ୍କରୁ ଉଠିପଡ଼ି ଠିଆହେଲା; କିନ୍ତୁ ଆଖି ଯୋଡ଼ିକ ସେମିତି ତଳମୁହାଁ ହୋଇ ରହିଥିଲା । ତା’ପରେ ହରି ଦାସଙ୍କ ପାଦରୁ ଜୋତାହଳକ ଖୋଲିବା ଲାଗି ସେ ତଳେ ବସିପଡ଼ିଲା । ସମ୍ଭବତଃ, ଏହା ଥିଲା ତା’ର ପ୍ରାରମ୍ଭିକ ଖାତିରଦାରୀ ଏବଂ ସେପରି ପରିବା
ଲାଗି ତାକୁ କଡ଼ା ନିର୍ଦ୍ଦେଶ ଥିଲା ।

ହରି ଦାସ ଅତି ରୁକ୍ଷ କଣ୍ଠରେ ନିର୍ଦ୍ଦେଶ ଦେଲାଭଳି କହିଲେ, ‘ଥାଉ, ଏସବୁ କରିବା କିଛି ଦରକାର ନାହିଁ ।’ କିନ୍ତୁ ମନେ ମନେ ମୁସଲମାନ ଝିଅଟିଏ ତାଙ୍କ ପାଦତଳେ ଏମିତି ଅସହାୟ ଭାବେ ନଇଁପଡ଼ି କାଦରୁ ଜୋତା ଓହ୍ଲାଇବା ତାଙ୍କ ମନକୁ ଆତ୍ମସନ୍ତୁଷ୍ଟି ପହଞ୍ଚାଉଥିଲା ।

ଏଥର ସେ ପୁଣି ନିର୍ଦ୍ଦେଶ ଦେଲେ, ‘ଦେହରୁ ସବୁ ଲୁଗାପଟା କାଢ଼ି ପକା ।’

ଝିଅଟି ଥରଥର ହାତରେ ଡରି ଡରି ନିଜ ଦେହରୁ ଖଣ୍ଡକ ପରେ ଖଣ୍ଡେ ବସ୍ତ୍ର ଓହ୍ଲାଇ ଚାଲିଲା । ଏବେ କେବଳ ଯାହା ପୋଟିକୋଟ୍ ଓ ବ୍ଲାଉଜ୍ ଖଣ୍ଡି ତା’ର ଶରୀରକୁ ଢାଙ୍କିଥିଲା ।

‘ସେସବୁ ବି ଉତାରିପକା!’

ହରି ଦାସଙ୍କ ତୁଣ୍ଡରୁ ଏଭଳି କଥା ଶୁଣି ଝିଅଟି ସରମରେ ନିଜ ମୁହଁକୁ କାନ୍ଥଆଡ଼କୁ ବୁଲାଇନେଲା । ପର ମୁହୂର୍ତ୍ତରେ ପେଟିକୋଟ୍‌ଟି ତଳେ ଖସିପଡ଼ିଲା । ହରି ଦାସ ନିଜ ପକେଟ ଅଣ୍ଡାଳି ଛୁରୀଟି ଯଥାସ୍ଥାନରେ ଅଛି କି ନାହିଁ ତାହା ଭଲକରି ପରଖିନେଲେ ।

ପୁଣି ଥରେ ହରି ଦାସଙ୍କ କର୍କଶ କଣ୍ଠସ୍ୱର ଶୁଭିଲା, ‘ମୁଁ ତୋତେ ସମ୍ପୂର୍ଣ୍ଣ ବିବସ୍ତ୍ର ଦେଖିବାକୁ ଚାହେଁ । କିଛି ମୋଫତରେ ନୁହେଁ । ହକ୍ ଦି’ଶହ ଟଙକା ହାଡ଼େ ହାଡ଼େ ଗଣିଚି ।’

ଏକଥା ଶୁଣି ଝିଅଟି ଧୀରେ ବୁଲିପଡ଼ି ତାଙ୍କ ଆଡ଼େ ଚାହିଁଲା । ତା’ ଆଖିରେ କେମିତି ଏକ ଅବ୍ୟକ୍ତ ଅନୁନୟର ମୁଦ୍ରା ସ୍ପଷ୍ଟ ବାରସ ହୋଇ ପଡ଼ୁଥିଲା । ସମ୍ଭବତଃ ସେ ଆଶ କରୁଥିଲା ଯେ ତା’ ଆଖିର ସେଇ କରୁଣ ଭାବ ମଧ୍ୟବୟସ୍କ ସେଇ ଅତିଥିଙ୍କ ହୃଦୟକୁ ବିଗଳିତ କରିବ । କରୁଣାର ଭାବ ଉଦ୍ରେକ କରିବ । ଦୟା ପରବଶ ହୋଇ ସେ ଆଉ ତାକୁ ବିବସ୍ତ୍ର ହେବାକୁ ଜିଦ୍ ଧରିବେନାହିଁ । କିନ୍ତୁ ହରି ଦାସଙ୍କ ଚିତ୍କାର ପର ମୁହୂର୍ତ୍ତରେ ତା’ କାନରେ ପଡ଼ିଲା, ଜଲଦି କର୍ । ମୋ ପାଖରେ ସମୟ ନାହିଁ ।’ ଏତିକି କହି ସେ ପୁଣି ଥରେ ପକେଟ ଭିତରେ ନିଜ ଛୁରୀର ଧାରକୁ ପରଖିନେଲେ ।

ଏବେ ଝିଅଟି ଧୀରେ ଇଲେକ୍ଟ୍ରିକ୍ ସୁଇଚ୍ ଆଡ଼କୁ ବଢିବାକୁ ଦେଲେନାହିଁ । କର୍କଶ ସ୍ୱରରେ ସେମିତି ପ୍ରତିବାଦ କଲାଭଳି କହିଲେ, ‘ନା, କୋଠରୀ ଅନ୍ଧାର ହେବା ମୁଁ ଚାହେଁନା ।’ ହରି ଦାସ ମନେ ମନେ ଭାବୁଥିଲେ – ମୋ ଜାନକୀକୁ ତ ସେମାନେ ସ୍ପଷ୍ଟ ଦିବାଲୋକରେ, ବିଚ୍ ସଡ଼କ ଉପରେ ଅପମାନିତ କରିଥିଲେ । ଝିଅଟି ଅତି ସନ୍ତର୍ପଣରେ ନିଜ ବ୍ଲାଉଜ୍‌ଟି ଖୋଲିଲା । ନିଜର କୁଆଁରୀ ଛାତିର ପୁଷ୍ପକଳିକାକୁ ଏବେ କେବଳ ଯାହା ବ୍ରେସିଏରଟି ଆଚ୍ଛାଦିତ କରି ରଖିଥିଲା ।

ହରି ଦାସ ତା’ରି ଆଡ଼କୁ ଅଙ୍ଗୁଳି ଦେଖାଇ ସେତକ ଖୋଲିବା ଲାଗି ନିର୍ଦ୍ଦେଶ ଦେଲେ । ତାଙ୍କ ପକେଟ ଭିତରେ ନିଜର କର୍ତ୍ତବ୍ୟ ସଂପାଦନ ଲାଗି ଶାଣିତ ଛୁରୀଟି ସତେକି ବ୍ୟଗ୍ର ହୋଇଉଠୁଥିଲା ।

ଝିଅଟି ପୁଣି ଥରେ ହରି ଦାସଙ୍କ ଆଡ଼କୁ ବିକଳ ଦୃଷ୍ଟିରେ ଚାହିଁଲା । ସେ ଚାହାଣିରେ ଦୟା ପାଇଁ ନିବେଦନ ଥିଲା । ଜାନକୀ ତ ସେମିତି ଅନୁନୟଭରା ଲୁହ ଛଳଛଳ ଆଖିରେ ସେଇ ନିଷ୍ଠୁର ଜହ୍ଲାଦଙ୍କ ଆଡ଼େ ଚାହିଁଥିଲା । ସେମାନେ କିନ୍ତୁ ତା’ପ୍ରତି ତିଳେମାତ୍ର ଦୟା ଦେଖାଇ ନଥିଲେ । ହରି ଦାସ ଭାବିଲେ, ସେ ବି ଦୟା
ଦେଖାଇବେନାହିଁ । ଅନନ୍ୟୋପାୟ ହୋଇ ଝିଅଟି ଦି’ହାତରେ ନିଜ ମୁହଁକୁ ଘୋଡ଼ାଇଦେଇ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା । ଆଖିରୁ କେଇବୁନ୍ଦା ତତଲା ଲୁହ ତା’ର ବ୍ରେସିଏର ଉପରେ ଆସି ପଡ଼ିଲା ।

ହରି ଦାସଙ୍କ ହାତମୁଠାରେ ଏବେ ଧାରୁଆ ଛୁରୀଟା ଚକମକ କରୁଥିଲା । ସତେକି ପର ମୁହୂର୍ତ୍ତରେ କିଛି ଗୋଟିଏ ଅଘଟଣ ଘଟାଇ ବସିବ! ନିଜ କର୍ତ୍ତବ୍ୟ ସଂପାଦନ କରିବ । ସାମନାରେ ଠିଆ ହୋଇଥିବା ଆତଙ୍କିତ ହରିଣୀଟିକୁ ଶରବିଦ୍ଧ କରିବା ପରି ଲହୁଲୁହାଣ କରିପକାଇବ । ଆର ହାତରେ ହରି ଦାସ ଝିଅଟିର ବାହୁମୂଳକୁ ଧରି ଭିଡ଼ି ଆଣିଲେ । ସେ ଜଣାଇବାକୁ ଚାହୁଁଥିଲେ ପର ମୁହୂର୍ତ୍ତରେ ସେ କ’ଣ ଘଟାଇବାକୁ ଯାଉଛନ୍ତି । ଝିଅଟି ଅନୁମାନ କରିପାରୁଥିଲା ଆଖି ପିଛୁଡ଼ାକେ ତା’ ଅବସ୍ଥା କ’ଣ ହେବାକୁ ଯାଉଛି । ଏଇ ମୁହୂର୍ତ୍ତଟି ଲାଗି ତ ହରି ଦାସ ଦୀର୍ଘ ଦଶମାସ ଧରି ଅପେକ୍ଷା କରି ରହିଥିଲେ । ତାଙ୍କ ସାମନାରେ ପ୍ରତିହିଂସାର ସେଇ ନାଲି ଓ ହଳଦିଆ ରଙ୍ଗର ଅଗ୍ନିଶିଖା ଲହଲହ ହୋଇ ପୁଣି ଥରେ ଉଦ୍ଦଣ୍ଡ ନୃତ୍ୟ କରିବାକୁ ଲାଗିଲା ।

ହରି ଦାସ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ । ଗୋଟିଏ ହାତରେ ଧାରୁଆ ଛୁରୀଟି ଧରି ଅନ୍ୟ ହାତଟିକୁ ଝିଅଟିର ସେଇ ମୁକୁଳା ବ୍ରେସିଏର୍ ଆଡ଼କୁ ବଢ଼ାଇଲାବେଳେ ଝିଅଟି ଏକ ଆର୍ତ୍ତ ଚିତ୍କାର ଛାଡ଼ିଲା । ସତେକି ତା’ଆଖି ଆଗରେ ସେ ସାକ୍ଷାତ ଜହ୍ଲାଦକୁ ଦେଖୁଛି । ସେଇ ଆର୍ତ୍ତ ଚିତ୍କାର ଭିତରେ, ସେଇ ଆଖି ଭିତରେ ହରି ଦାସଙ୍କୁ ଆତଙ୍କଠାରୁ ଅଧିକ କିଛି ଦୃଶ୍ୟ ହେଲା – ସେଥିରେ ଭୟ ଥିଲା, ଘୃଣା ବି ଥିଲା, କରୁଣା ପାଇଁ ବିନତି ଥିଲା ଓ ସମ୍ପୂର୍ଣ୍ଣ ଅସହାୟପଣ ଥିଲା । ସେଇ ଏକା ଆଖି ଏକା ଭାବେ ସେ ଜାନକୀ ଆଖିରେ ଦେଖିଥିଲେ ଆଜକୁ ଦଶମାସ ତଳେ । କିନ୍ତୁ ସେ ଦୃଷ୍ଟି ତ ଜାନକୀକୁ ବଞ୍ଚାଇ ପାରିନଥିଲା! ହଠାତ୍ ଏକ ଆବେଶରେ ହରି ଦାସଙ୍କ ବାଁହାତ ଝିଅଟିର ଛାତିରୁ ତା’ର ସେଇ ଶେଷ ସଂକ୍ଷିପ୍ତ ଆବରଣଟିକୁ ଭିଡ଼ି ଆଣିଲା । କିନ୍ତୁ ସେଇ ମହୁର୍ତ୍ତରେ ସେଇ ଚାଖଣ୍ଡକ କନା ତାଙ୍କୁ
ଯେମିତି ଧରିତ୍ରୀଠାରୁ ଗରୁ ମନେହେଲା…କିନ୍ତୁ ସେତେବେଳକୁ ତାହା ଝିଅଟିର ଛାତିରୁ ଅଲଗା ହୋଇସାରିଥିଲା । ଆଉ ତା’ ସହ… କିନ୍ତୁ ହରି ଦାସଙ୍କ ଛୁରୀଧର ଉଦ୍ୟତ ହାତଟି ସେମିତି ଉପରକୁ ଉଠି ସ୍ଥିର ହୋଇ ରହିଯାଇଥିଲା । ଲଜ୍ଜା ଓ ଗ୍ଳାନିରେ ସେ ନିଜ ମୁହଁ ବୁଲାଇନେଲେ ।

ତାଙ୍କ ତୁଣ୍ଡରୁ କେବଳ ଗୋଟିଏ ଅସ୍ପଷ୍ଟ ଶବ୍ଦ ବାହାରି ଆସିଲା:

‘ଝିଅ!’

ସେଇ ବକ୍ଷବନ୍ଧନୀ ତଳେ, ଯେଉଁ ହରି ଦାସ ତାଙ୍କ ଛୁରୀଟିକୁ ଭୁଷିବାକୁ ଉଦ୍ୟତ ହେଉଥିଲେ ସେଠାରେ କୋମଳ ବକ୍ଷୋଜ ନଥିଲା… କିଛି ନଥିଲା ।  କିଛି ବୋଲି କିଛି…. ଥିଲା ଦୁଇଟିଭୟଙ୍କର ଓ ଚକ୍ରାକାର ଶୁଷ୍କ କ୍ଷତ ଚିହ୍ନ!

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Leave A Reply

Your email address will not be published.