ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୬
କର ସାର୍ଙ୍କ କହିବା ମୁତାବକ ତାଙ୍କୁ କୈଣସି ମାନସିକ ଚାପଠାରୁ ଦୂରେଇ ରଖିବାକୁ ପଡିବ । ଯେତେ ଏକୁଟିଆ ହେବେ, ସେତେ ୟାଡୁସିଆଡ଼ୁ ଭାବିବେ ।
କଥା ବୁଲେଇ ଦେଲା କୁମାର । ହୋଉ ତେବେ ଚାଲନ୍ତୁ, ଘରେ ବସି ଆଲୋଚନା କରିବା । କ’ଣ କରାଯିବ ।
ଆଛା ଆପଣ ରଘୁବୀର ଓ ସୁକାନ୍ତି ଛୁଆର ନାଁ କ’ଣ ଦେଲେ ଭଲ ଲାଗିବ କହିଲେ?
ଏମିତି କିଛି ଅଯଥା କଥା ଗପି ସମୟ କଟିଗଲା । ଅନେକ ଭାବିଲା ପରେ କୁମାର ମନକୁ କଥାଟେ ଜୁଟିଲା ।
ବିଜିପୁର ଯିବା ବାଟରେ ଦକ୍ଷିଣ ଦିଗକୁ ମୋଡ଼ ନେଇ ପ୍ରାୟ ଦେଢ଼ ସହ କିଲୋମିଟର ଭିତରକୁ ଗଲେ, ସୁକାନ୍ତିର ଗାଁ । ଆଉ କିଛି ଆଗକୁ ଗଲେ ତା’ ନିଜ ଗାଁ ବି ପଡ଼ିବ । ତେବେ ଯାଇ ହବ । ଏମିତିରେ ବି ବିଜିିପୁର ବ୍ରାଞ୍ଚକୁ ଯିବାରଥିଲା । ଏକାଥରେ ଗଲେ ଚଳିବ । ସେ ନିଜେ ଯିବ ଏମାନଙ୍କ ସହ । ଯା’ ହୋଉ ଉପାୟଟେ ମିଳିଗଲା ।
ଡ଼କ୍ଟରଙ୍କ କହିବା ହିସାବରେ ଆରାଧ୍ୟାକୁ ନିଃସଙ୍ଗତା ବଳୟ ଭିତରୁ ମୁକୁଳେଇବା ପାଇଁ , ବାହାରକୁ ବାହାରି କିଛି ସମୟ କାଟିଲେ ହିଁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ।
ମା’ ନିଜେ ନେଇ ତାକୁ ଗାଁ ରେ ଛାଡ଼ିବା କଥା ଶୁଣିବା ପରଠାରୁ, ସୁକାନ୍ତିର ଗୋଡ଼ ତଳେ ଲାଗୁନାହିଁ । ତା’ ଭାଗ୍ୟ । ଏପରି ଉଦାର ଓ ସ୍ନେହୀ ମଣିଷ ପାଖରେ କାମ କରୁଛି ।
ଅଳ୍ପ ଦିନ ପରେ ବାହାରି ପଡିଲେ ସଭିଏଁ । ଆରାଧ୍ୟା ବେଶ ଖୁସି ଜଣାପଡୁଛି । ବୈଭବ ସବୁବେଳେ ଚାହୁଁଥିଲେ, ସବୁବେଳେ ତାଙ୍କୁ ନିର୍ଭର ନ’ କରି, ସେ ଏକୁଟିଆ ବାହାରକୁ ବାହାରୁ । ସେ କୁହନ୍ତି ଗାଡ଼ି, ଡ଼୍ରାଇଭର୍ ଓ ସମୟ ସବୁ ତ’ ଅଛି , ଆଉ ଅସୁବିଧା କେଉଁଠି ? ଯିବ ସେ ।
ସହରାଞ୍ଚଳ ଅତିକ୍ରମ କଲା ପରେ, ଗାଡ଼ି ଚାଲିଲା ଆଗକୁ । ରାସ୍ତାର ଦୁଇ କଡେ ଲାଇନ୍ରେ ବତୀଖୁଣ୍ଟ ମାନଙ୍କୁ ପଛକୁ ଠେଲି ଚାଲିଛି କାର୍ ।
କ୍ରମଶଃ