ରବି ପଣ୍ଡା
ଘରବାଡ଼ି ସୀମା ଧାରେ ଧାଡି ଧାଡି ସିଜୁ ଆଉ କଣ୍ଟାଝଣ୍ଟା ବାଡ଼
ତାକୁ ଧରି ରଖିବାକୁ କଣି ଆଉ ପାତିଆର କାମଡା ଲାଗିଛି
ବାଡ଼କୁ ଆବୋରି ଧରି ଅପରାଜିତାର ଲତା ସେସବୁକୁ କରିଛି ଉହାଡ଼
ଏଠି ସେଠି କୃଷ୍ଣ ରଙ୍ଗୀଫୁଲ ଫୁଟି, ଦେଖ ତା’ର ମୁହଁ ଦେଖାଉଛି ।
କୁଆଡ଼େ ହଜିଛି କାଇଁ କାଞ୍ଚନ ଗଛଟେ ଥିଲା ଫୁଟୁଥିଲା ଫୁଲ।
ଦୂରେଇ ରହିଲା ପରି ହେଇ ସେଠି ଲାଲ ଥୋପି ମନ୍ଦାର ହସୁଛି
ଆରପଟେ ଧଳା କନିଅର କାଠଚମ୍ପା ସାଥେ ତରାଟ ଟଗର
ନିଜକୁ ସୁନ୍ଦରୀ ଭାବି ହଳଦୀଗୋରୀ କନିଅର ଫୁଲେଇ ହଉଛି ।
ସକାଳୁ ସକାଳୁ ଝରି ଗଙ୍ଗଶିଉଳିର ଫୁଲ ଚାରିଆଡ଼େ ବାସ୍ନା ଚହଟାଏ
ତଳମୁହାଁ ଝରାମନ୍ଦାରଟି ନିରିମାଖୀ ପରି ଫୁଟି ତଳକୁ ଚାହିଁଛି
ବୁଦାବୁଦା ସଦାବିହାରୀର ପତ୍ର ଫାଙ୍କୁ ନାନାରଙ୍ଗି ମୁହଁ ଦିଶୁଥାଏ
ରୂପସୀ ନାରୀପରି ଶ୍ୱେତବତୀ ସୁଗନ୍ଧରାଜ ଓଢଣୀରୁ ମୁହଁ ଦେଖାଉଛି ।
ଏଇମିତି ଆମ ଘରବାଡି ଗଛଲତା ଫୁଲ ଆଉ ଗଛର ବିସ୍ତୃତି
ଦିନେ ପୁଣି ଅତୀତକୁ ଫେରି ମୋତେ ଲେଖିବାକୁ ହବ ଶୋକଗୀତି!