ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସମୟ ! ଓଃ ! ଯେତେ ନିଜକୁ ସେଇ ରହସ୍ୟମୟ ଖାଇ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି ଆସ୍ଥା ସେତେ ସେତେ ଧସେଇ ହୋଇ ପୁଣି ପଶି ଯାଉଛି ! ଭାରି ଅଜବ ଏ ଜୀବନ ! ନା ଆଉ ନୁହେଁ , ମତେ ଏଥିରୁ ସମ୍ପୂର୍ଣ୍ଣ ଭାବରେ କେମିତି ବାହାରିହେବ ତାର ରାସ୍ତା ଖୋଜିବାକୁ ହେବ ! ଏସବୁ ଭାବି ଭାବି ନିଜକୁ ନିଜେ ଭିତରେ ଭିତରେ ସ୍ଥିର ଆଉ ଶକ୍ତ କରିବାରେ ଲାଗିଥିଲା ଆସ୍ଥା ! ଏପଟେ ସମ୍ଭବ ଦେଇଥିବା ତାର ପ୍ରିୟ ଉପନ୍ୟାସ “ଯାଜ୍ଞସେନୀ”ବାରମ୍ବାର ତା ଆଡକୁ ଆକର୍ଷିତ କରିବାରେ ଲାଗିଥିଲା ! ଘର କାମ ,ପିଲାଙ୍କ କଥା ସମ୍ଭବଙ୍କ କଥା ବୁଝିବା ପରେ ଉପନ୍ୟାସ ପାଇଁ ବି କିଛି ସମୟ ବାହାର କରିବ ସ୍ଥିର କଲା ।କିନ୍ତୁ କଣ କରିବ ସେ ସ୍ୱପ୍ନିଲ ହେଉ କି ସମୟ ହେଉ ଛାଇ ପରି ତାର ପିଛାରେ ! କିଏ ଏଇ ସମୟ ଥିଲା ଯିଏ ମୋତେ ଏତେ ଅବ୍ୟକ୍ତ ଯନ୍ତ୍ରଣା ଦେଇଚି ତା କଥା ନଜାଣିବା ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ରହିବା ଆସ୍ଥା ପକ୍ଷେ ସମ୍ଭବ ନ ଥିଲା !! ତେଣୁ ସେ ଜଲ୍ଦି ଜଲ୍ଦି ଲାଗିପଡି ଗୋଟେଇ ପୋଟେଇ ସବୁ କାମ ସାରି ପିଲାଙ୍କ ଆଉ ସମ୍ଭବ ଙ୍କ ଖାଇବା ,ଟିଫିନ୍ ପ୍ୟାକ କରି ସ୍କୁଲ ,କୋର୍ଟ ପଠେଇଦେଲା ପରେ କେମିତି ସାଗର ସାଙ୍ଗରେ କଥା ହୋଇ ସମୟ ବିଷୟରେ ସବୁ କଥା ଜାଣିବ ତା ମନରେ ନଥିଲା !
ଯେତେବେଳେ କୌଣସି ବିଷୟରେ ଜାଣିବାର ଆଗ୍ରହ ଉତ୍ସାହ ଉତ୍କଣ୍ଠା ବଢ଼ି ବଢ଼ି ଯାଏ , ସେତେବେଳେ କିନ୍ତୁ ସୁବିଧା ସୁଯୋଗ ପରିସ୍ଥିତି ସହିତ ଲୁଚକାଳି ଖେଳନ୍ତି ! ସେମିତି କିଛି ଆସ୍ଥା ସହିତ ମଧ୍ୟ ହେଲା ! ଆସ୍ଥା ଫୋନ କରି କରି ଥକିଗଲାଣି ହେଲେ ସାଗର ଆଉ ଫୋନ ଉଠାଉନି ! କଣ ହେଲା ସାଗର କାହିଁକି ଫୋନ ଉଠାଉନି ? ଆସ୍ଥା ମନରେ ସନ୍ଦେହ ଘନେଇ ଉଠିଲା ! ତାହେଲେ କିଏ ସତ ସ୍ୱପ୍ନିଲ , ସମୟ ନା ସାଗର ? ଏମିତି ବହୁତ କିଛି ……ଭାବି ଭାବି ଆସ୍ଥା ପୁରା ଅସ୍ତ ବ୍ୟସ୍ତ ହୋଇଯାଉଥଲା ,ତାର ସାରାଟା ଶରୀର ଝାଳରେ ଓଦା ଓଦା ହୋଇ ଯାଉଥିଲା ! କଣ କରିବ ବର୍ତ୍ତମାନ ଏସବୁ ଗୋଲ ଗୋଲ୍ ଗୋଲ୍ କଥା ର କେବେ ପର୍ଦ୍ଦା ଫାସ୍ ହେବ ?
କ୍ରମଶଃ
Comments are closed.